ଅଚ୍ୟୁତ ଜନମ ବ୍ରହ୍ମାଣ୍ଡ ଉତ୍ପତି ।
ଧ୍ୟାନରେ ବନ୍ଦନ ଶରଣ ଭକତି ॥
ଜୟ ଜୟ ଲକ୍ଷ୍ମୀକାନ୍ତ ହେ ଜୟ ଶ୍ରୀ ଜଗନ୍ନାଥ ।
ଯାର ପାଦେ କୋଟି ବ୍ରହ୍ମାଣ୍ଡ ଧ୍ୟାନ କରେ ଅଚ୍ୟୁତ ॥
ଗଙ୍ଗା ଦେବୀ ଯାର ଚରଣୁ ହୋଇଛନ୍ତି ବାହାର ।
କେଉଁ ଜଳ ନେଇ ଧୋଇବି ପ୍ରଭୁ ଚରଣ ତୋର ॥
ଗରୁଡ ଆସନ ଯାହାର କିବା ଦେବି ଆସନ ।
ଲକ୍ଷ୍ମୀ ଦେବୀ ଯାର ଘରଣୀ ତାଙ୍କୁ କି ଦେବି ଧନ ॥
ସରସ୍ୱତୀ ଯାର ଛାମୁରେ ବୀଣା ଯନ୍ତ୍ର ବଜାନ୍ତି ।
କେଉଁ ମନ୍ତ୍ର ପଢି ଭୋ ନାଥ ତୋତେ କରିବି ସ୍ତୁତି ॥
କୌସ୍ତୁଭ ମଣି ଅଟଇ ଯାର ଗଳାର ହାର ।
କେଉଁ ହାର ଦେଇ ତୋଷିବି ଆହେ ନୀଳାଦ୍ରି ବର ॥
ବରୁଣ ଶ୍ୱଶୁର ଯାହାର ଛତ୍ର କେତେ ମାତର ।
କନକ ଦଣ୍ଡ ଧରି ଥାଉ ପ୍ରଭୁ ଛାମୁରେ ତୋର ॥
କୁବେର ଅଟଇ ଯାହାର ଭଣ୍ଡାର ର ରକ୍ଷପାଳ ।
ପ୍ରଭୁ ହୋଇ ତୁମେ ଭୃତ୍ୟ ର ଘରେ ଭିକ୍ଷା ମାଗିଲ ॥
ଯେଉଁ ପାଦ ଲାଗି ଅହଲ୍ୟା ପାଷାଣ ରୁ ତରିଲେ ।
ଯେଉଁ ପାଦ ଧରି ଭୂଷଣ୍ଡ କଳ୍ପ ବଟେ ବସିଲେ ॥
ଯେଉଁ ପାଦ ଲାଗି ବଳି ଯେ ପାତାଳ ରେ ରହିଲେ ।
ଯେଉଁ ଗର୍ଭ ମାତେ ମାର୍କଣ୍ଡ ସପ୍ତ କଳ୍ପ ଦେଖିଲେ ॥
ଯେଉଁ ପାଦ ପଦ୍ମ ଧରିଣ ଅଗସ୍ତି ମହା ଋଶି ।
ଗଣ୍ଡୁଷ ମାତ୍ରକେ ସପତ ସିନ୍ଧୁ ଥିଲେ ଟି ଶୋଷି ॥
ଯେଉଁ ପାଦପଦ୍ମ କୈବର୍ତ ହେଳେ ଧୋଇ ତୋଷିଲେ ।
ସେ ପାଦ ଧ୍ୟାୟି ବିଭୀଷଣ ଲଙ୍କେ ନୃପତି ହେଲେ ॥
ଯେଉଁ ପାଦ ପଦ୍ମ ଧ୍ୟାୟିଣ କଶ୍ୟପଙ୍କ କୁମର ।
ଷାଠି ସସ୍ର ବାର କିଲ୍ୟାଯେ ହୋଇଥିଲେ ଉଦ୍ଧାର ॥
ଯେଉଁ ପାଦକୁ ପ୍ରହଲ୍ଲାଦ ହେଳେ ଆଶ୍ରୟ କଲା ।
ଦେବ ସଭା ମଧ୍ୟେ ସେ ଇନ୍ଦ୍ର ପଦେ ଯାଇ ବସିଲା ॥
ଉତ୍ତାନ ପାଦ ରାଜା ଙ୍କର ଧୃବ କୁମାର ଜାଣ ।
ଯେଉଁ ପାଦ ଧ୍ୟାୟି ବସିଲେ ଶିଶୁ ମାର ଚକ୍ରେଣ ॥
ଯେଉଁ ପାଦ ଧ୍ୟାୟି ସେ ମୁରାସୁର ପ୍ରାଣରେ ମଲା ।
ଯେଉଁ ପାଦ ପଦ୍ମ କୁ ବ୍ରହ୍ମା ବନ୍ଦୀ ଯେ ନ ପାରିଲା ॥
ପାଦର ମହିମା ଗୋବିନ୍ଦ କିସ ବର୍ଣ୍ଣିବି ତୋର ।
ସେହି ପାଦ ଧ୍ୟାୟି ଭଣିଲେ ଅଚ୍ୟୁତ ଯେ ପାମର ॥
