କାଞ୍ଜିଅଅଁଳା ଓଷା Kanji Anla Osha Odisha Festivals

ABOUT INTEX
0


ll କାଞ୍ଜିଅଅଁଳା ଓଷା ll

ଆଜି କାଞ୍ଜିଅଅଁଳା ଓଷା । ଏହି ଓଷାକୁ ମାର୍ଗଶିର ମାସ କୃଷ୍ଣପକ୍ଷ ନବମୀ ତିଥିରେ ପାଳନ କରାଯାଏ । ଏହି ଓଷାର ବିଶେଷତ୍ୱ ହେଉଛି ସନ୍ତାନସନ୍ତତିଙ୍କ ମଙ୍ଗଳ କାମନା ଉଦ୍ଦେଶ୍ୟରେ ଓ ନିଃସନ୍ତାନ ନାରୀମାନେ ସନ୍ତାନପ୍ରାପ୍ତି ପାଇଁ ମା’ ଷଠୀଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥାନ୍ତି ।ଷଠୀଦେବୀ ହେଉଛନ୍ତି ଭଗବାନଙ୍କ ଏକ ଅନନ୍ୟ ସ୍ୱରୂପ ଯିଏକି ସନ୍ତାନସନ୍ତତିଙ୍କ ଭାଗ୍ୟ ନିର୍ଦ୍ଧାରଣ କରନ୍ତି ।


ତେବେ ଏହି ଓଷା ସମ୍ପର୍କରେ ଏକ ସୁନ୍ଦର କାହାଣୀ ରହିଛି । ଗୋଟିଏ ଦେଶରେ ଜଣେ ସାଧବ ଥିଲେ । ତାଙ୍କର ଚାରିପୁଅ ଓ ଚାରିବୋହୂ ଥିଲେ । ଚାରିପୁଅ ବେପାରବଣିଜ କରନ୍ତି । ତା’ର ସାନବୋହୂ ପ୍ରଥମେ ଗର୍ଭବତୀ ହେଲା । ଏହା ଶୁଣି ଘରେ ସମସ୍ତଙ୍କ ମନ ଖୁସିରେ ନାଚି ଉଠିଲା । ଚାରିମାସ ହେବା ପରେ କଖାରୁ ଖାଇବାକୁ ଇଚ୍ଛା ହେଲା । କିନ୍ତୁ ସାଧବ ଘର ବାଡ଼ିରେ କଖାରୁ ନ ଥିଲା । ସାଧବ ବୋହୂ ଲାଜରେ କାହାକୁ ନ କହି ପଡ଼ିଶାଘର ବାଡିରୁ କଖାରୁଟିଏ ଚୋରି କରି ଆଣି ଆମ୍ବିଳ କରି ଖାଇଲା । ତା’ ପର ଦିନ ପଡ଼ିଶାଘର ଲୋକ ବଗିଚାରେ କଖାରୁ ନ ଥିବାର ଦେଖି ଅଭିସମ୍ପାତ କଲା ଯିଏ ମୋ ବାଡ଼ିରୁ କଖାରୁ ଚୋରିକରି ନେଇଛି ତା’ର ଛୁଆ ଜନ୍ମ ହେବା ମାତ୍ରେ ଷଠୀଦେବୀ ଚୋରି କରି ନେଇଯାଉ । ଷଠୀଦେବୀ ଏକଥା ଜାଣି ପାରିଲେ । କିଛିଦିନ ପରେ ସାନବୋହୂ ପୁଅଟିଏ ଜନ୍ମ ଦେଲା । ଗର୍ଭକଷ୍ଟ ସହି ନ ପାରି ସେ ଅଚେତ ହୋଇ ଶୋଇଥିବା ବେଳେ ଷଠୀ ଠାକୁରାଣୀ ତା’ର ପିଲାକୁ ଚୋରେଇ ନେଇଗଲେ । ବୋହୂଟି ନିଦରୁ ଉଠି ପାଖରେ ପିଲାକୁ ନ ପାଇ କାନ୍ଦିବାକୁ ଲାଗିଲା । ସମସ୍ତେ ଚାରିଆଡେ ଖୋଜିଲେ କିନ୍ତୁ କେଉଁଠି ପାଇଲେ ନାହିଁ । ଏହିପରି ସାଧବାଣୀର ପାଞ୍ଚପୁଅକୁ ଷଠୀଦେବୀ ଚୋରିକରି ନେଇଗଲେ । ଶେଷରେ ପୁଣି ଥରେ ସାଧବାଣୀ ଗର୍ଭବତୀ ହେଲା ଏବଂ ପ୍ରସବ ସମୟ ପାଖେଇ ଆସିବାରୁ ତା’କୁ ଭୀଷଣ ଯନ୍ତ୍ରଣା ହେଲା । ଏହା ଦେଖି ଶାଶୁ ରାଗିଯାଇ କହିଲେ – ତୁ ପାଞ୍ଚଟି ପିଲା ଖାଇ ସାରିଲୁଣି । ଆଉ ତୋର ଏହି ଘରେ ସ୍ଥାନ ନାହିଁ । ତୁ ଏହିକ୍ଷଣି ଏହିଘରୁ ବାହାରି ଯା । ଗୋଟିଏ ସୂତାକଣ୍ଡା ଦେଇ କହିଲେ, ଯେଉଁଠି ଏହିସୂତା ସରିବ ସେହିଠାରେ ପିଲା ଜନ୍ମ କରିବୁ । କିଛି ଉପାୟ ନ ପାଇ ସାନବୋହୂ ଶାଶୁଙ୍କ କଥା ମାନି ସୂତାକୁ ଧରି ଚାଲିଗଲା । ଶେଷରେ ସୂତାକଣ୍ଡାର ଅଗ୍ରଭାଗ ଯାଇ ଏକ ଅଗନାଅଗନୀ ବନସ୍ତରେ ଭିତରେ ସରିଲା । ପୂରା ଅନ୍ଧାର କେହି କୁଆଡେ ନାହାଁନ୍ତି । ସାଧବାଣୀ ଏକୁଟିଆ ହୋଇ କାନ୍ଦିବାକୁ ଲାଗିଲା । ପୁଣି ଗର୍ଭକଷ୍ଟ ବଢିବାକୁ ଲାଗିଲା । ଠିକ ସେହି ସମୟରେ ସାଧବାଣୀ ଆଉଗୋଟିଏ ଛୁଆ ଜନ୍ମ କଲା । କିନ୍ତୁ ସିଏ ମଣିଷ ଛୁଆ ନୁହେଁ ଗୋଟିଏ କାଠ କଣ୍ଢେଇ ଥିଲା । ଏହା ଦେଖି ସାଧବାଣୀ ଖୁବ୍ ବିକଳ ହୋଇ ମା’ ଷଠୀଦେବୀ ଙ୍କୁ ସ୍ମରଣ କରି ଡାକିବାକୁ ଲାଗିଲା । ଷଠୀଦେବୀ ତା’ର କ୍ରନ୍ଦନ ଆଉ ସହ୍ୟ କରିପାରିଲେ ନାହିଁ । ଶେଷରେ ଷଠୀଦେବୀ ତା’ର ପାଞ୍ଚପୁଅଙ୍କ ସହିତ ସାଧବାଣୀ ପାଖକୁ ଆସିଲେ ଏବଂ କହିଲେ – ତୁ ଡାହାଣୀ ନା ପିତାଶୁଣୀ ଏ ଗହନ ବନ ଭିତରେ କେଉଁଠୁ ଆସିଲୁ ଓ କାହିଁକି କାନ୍ଦୁଛୁ । ଏକଥା ଶୁଣି ସାଧବାଣୀ ଠାକୁରାଣୀଙ୍କୁ ଦେଖି ଚିହ୍ନି ପାରି ପଛ କଥା ସବୁ ଗୋଟି ଗୋଟି କରି କହିଲା । ତା’ ପରେ ଠାକୁରାଣୀ ତା’ର ପାଞ୍ଚପୁଅକୁ ଫେରାଇ ଦେଇ କହିଲେ – ମୁଁ ତୋ ପାଞ୍ଚପୁତ୍ରକୁ ଚୋରେଇ ନେଇଥିଲି ତୁ ନେ । ଜୀବନରେ ଆଉ କେବେ କାହରି ଜିନିଷ ଚୋରି କରିବୁ ନାହିଁ ଏବଂ ମାର୍ଗଶିର ମାସ ଅଷ୍ଟମୀ ପରଦିନ କାଞ୍ଜିଅଅଁଳା ଉପବାସ କରିବୁ । ତୋର ପୁତ୍ରମାନଙ୍କର ମଙ୍ଗଳ ହେବ । ଏହା ଶୁଣି ସାଧବାଣୀ କହିଲା – ମା’ ମୁଁ ହେଉଛି ମୂର୍ଖ । ପୂଜାବିଧି ବିଷୟରେ ମୁଁ କିଛି ଜାଣିନାହିଁ । ମୋତେ ଏହି ଓଷା ବିଷୟର ବିଧିବିଧାନ ଦୟାକରି କହିଦିଅନ୍ତୁ । ତା’ ପରେ ଠାକୁରାଣୀ ସବୁ କହିଲେ ।

ll ବିଧିବିଧାନ ll :-

ମାର୍ଗଶୀର ମାସ କୃଷ୍ଣ ପକ୍ଷ ନବମୀ ଦିନ ସକାଳୁ ନାରୀମାନେ ସ୍ନାନ ସାରି ଦିନ ସାରା ଉପବାସ କରିଥାନ୍ତି । ସନ୍ଧ୍ୟା ବେଳେ ନିଜ ଅଗଣାରେ ତୁଳସୀ ଚଉରା ମୂଳରେ ପୋଖରୀ ପରି ଗୋଟିଏ ଛୋଟ ଚାରିକୋଣିଆ ଗାତ ଖୋଳି ତହିଁରେ ପାଣି ଭରିଥାନ୍ତି । ପୋଖରୀରୁ ଛୋଟ ଛୋଟ ମାଛ ଆଣି ଏଥିରେ ଛାଡ଼ିଥାନ୍ତି । ଏହି ଗାତ ଚାରିପଟେ ବାଳୁଙ୍ଗା ଧାନ ପୋତିଥାନ୍ତି । ପୋଖରୀ ମଝିରେ ସାରୁ ଗଛ ଟିଏ ପୋତି ତା'ରି ମୂଳରେ ପିଢ଼ାଟିଏ ଥୋଇଥାନ୍ତି । ସାତଟି ପିତା ଶୁଖୁଆ ଆଣି ସେଗୁଡ଼ିକୁ ହଳଦୀ ପାଣିରେ ଧୋଇ ହଳଦିଆ କନାରେ ଗୁଡ଼ାଇ ବୋହୁପରି ବେଶ କରି କଜ୍ଜ୍ୱଳ, ସିନ୍ଦୂର ଲଗାଇ ପିଢ଼ା ଉପରେ ବସାଇ ଦିଅନ୍ତି । ପ୍ରତିଟି ଶୁଖୁଆ ପାଖରେ ଗୋଟିଏ ଲେଖାଏ ପୋଇ ଖାଡ଼ି ରଖିଥାନ୍ତି । ଘରେ ଭାତ, ଡାଲି, କାଞ୍ଜି; ସାରୁ, ମୂଳା, ପିତା ଶୁଖୁଆ ପକାଇ ତରକାରୀ ଓ ଦୁଇଟି ଚକୁଳି ପିଠା କରିଥାନ୍ତି । "ଷଠୀ ଦୁଷାଇଁ" ଠାକୁରାଣୀଙ୍କୁ ମନାସି କରି ଏତକ ପୂଜା କରିଥାନ୍ତି । ଭୋଗ ସରିଲା ପରେ ସେଇ ସାମଗ୍ରୀକୁ ଯେଉଁ ପିଲାଙ୍କ ପାଇଁ ମାନସିକ କରିଥିବେ ସେମାନଙ୍କୁ ଖୁଆଇଦିଅନ୍ତି । ଅବଶିଷ୍ଠ ଭୋଗ ନଦୀରେ ଭସାଇ ଦିଅନ୍ତି କିମ୍ବା ପୋତି ଦିଅନ୍ତି । ଯେଉଁ ସାତଖଣ୍ଡି ପୋଇ, ଶୁଖୁଆ ବୋହୂଙ୍କ ପାଖରେ ରଖିଥାନ୍ତି ତାହାକୁ କାହାକୁ ଦେବା ମନା ।ସେସବୁକୁ ନଦୀରେ ଭସାଇ ଦିଅନ୍ତି । ଲୋଭରେ ପଡ଼ି ପରଦ୍ରବ୍ୟ ଚୋରି କଲେ ଦଣ୍ଡ ମିଳିଥାଏ ବୋଲି ଏହା ହିଁ ଏହି ବ୍ରତରେ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରାଯାଇଛି ।

ll କାଞ୍ଜିଅଅଁଳା ଓଷା କଥା ll :-

ଶୁଣ ସୁଜନେ କାଞ୍ଜିଅଅଁଳା ଓଷା କଥା। ପୂଜିଲେ ମନରୁ ଛାଡ଼ଇ ବ୍ୟଥା।। ସେ ଯେ ସାଧବ ଘର ସାନବୋହୂ। ଗର୍ଭ ଚାରିମାସ ହୋଇଛି ସେହୁ।। କଖାରୁ ତିଅଣ ଖାଇତେ ମନ। ପଡ଼ିଶା କଖାରୁ ଆଣି ବହନ।। ଦୋଷମାଳି ସ୍ଥାନରେ କଖାରୁ ଥିଲା। ସେ ପାଣି କଖାରୁ ଘେନି ଅଇଲା।। ନ କହିଣ ତାକୁ ତୋଳିଣ ଆଣି। ତିଅଣ କରିଣ ଖାଇଲା ପୁଣି।। କଖାରୁଟି ମୋର କିଏ ଖାଇଲା। ମତେ ତ ନ କହି ଘେନିଣ ଗଲା।। ପେଟପିଲା ତାର ଖାଉ ଏ ଭାବେ। ମାସକୁ ଦିବସ ନ ହେଉ ତେବେ।। ଏମନ୍ତ ତହିଁ କେତେଦିନ ଗଲା। ଦଶମାସ ଆସି ସମ୍ପୂର୍ଣ୍ଣ ହେଲା।। ପୁଅ ଗୋଟିଏ ତାର ଜନମ ହୋଇ। ଜନ୍ମକରି ପୁଅ ଶୁଆଇ ଦେଇ।। ଷଠୀଦୁଛାଇ ଆସିଲେ ଖରେ। ପୁଅକୁ ଘେନିଗଲେ ତତପରେ।। ଦେଖିଲେ ପୁଅଗୋଟି ତହିଁ ନାହିଁ। ନଦେଖି କରି ବିମୁଖ ହୋଇ।। ଦୁଇମାସେ ପୁଣି ଗର୍ଭ ହୋଇଲା। ଦଶମାସେ ପୁଅ ଜନ୍ମ ହୋଇଲା।। ସେହି ରୂପେ ସେ ପୁତ୍ରକୁ ଶୁଆଇ। ନିଦ୍ରା ତା ଚକ୍ଷୁରେ ଆସେ ଘୁମାଇ।। ସେ ପୁତ୍ରକୁ ଷଠୀଦୁଛାଇ ନେଲେ। ଚାହିଁବା ମାତ୍ରକେ ନାହିଁ ତଳେ।।ପୁଣି ଦୁଇମାସ ଗର୍ଭରେ ହେଲା। ଦଶମାସେ ପୁଅ ଜନ୍ମ ହୋଇଲା।। ଶାଶୁ ବୋଇଲା ସେ କେମନ୍ତେ ହେଲା। ପିଲାଯାକ ତାର ସବୁ ଖାଇଲା।। ଉତ୍ତମ ପୁଅ ଭିଆଇ ଖାଇଲା। କେମନ୍ତେ ହେଉଛି ଜଗି ବସିଲା।। ଏହି ରୂପେ ପାଞ୍ଚଦିନ ଜଗିଲା। ପଞ୍ଚୁଆତି ଦିନରେ ଚିଜ କଲା।। ପାଞ୍ଚପୁଅ ଜନ୍ମକରି ଖାଇଲା। ଏରୂପେ କେତେଦିନ ତହିଁ ଗଲା।। ପେଟରେ ଦେଖି କୋଠାରେ ନ ଦେଖି। ପୁଣି ଗର୍ଭ ହୋନ୍ତେ ହୋଇଲା ଦୁଃଖୀ।। ଦଶମାସ ତହୁଁ ହୋଇଲା ଆସି। ପେଟବ୍ୟଥା ସେହୁ ଶାଶୁକୁ ଭାଷି।। ଶାଶୁ ବୋଲେ ପାଞ୍ଚଗୋଟି ଖାଇଲୁ। ପୁନରପି ଆଉ ଗର୍ଭ ହୋଇଲୁ।। ସୂତା କଣ୍ଡାଏ ଦୁଆରେ ଲଗାଇ। ସେ ସୂତା ସରିବ ଯେଉଁଠାରେ ଯାଇ।। ସେଠାରେ ପ୍ରସବ କରିବୁ ତୁହି। ଅଗନାଅଗନି ବନସ୍ତ ଯାଇ। କାକ ର ଥଣ୍ଟ ନ ବୁଲାଇ ଯହିଁ। କୁରାଢି ବେଣ୍ଟତ ବୁଲଇ ନାହିଁ।।ସେ ବନେ ପୁଅ ପ୍ରସବିଲା ଯାଇଁ। କାଠ କୁଣ୍ଢାଇପରା ପୁଅ ହୋଇ ପତରଟିକେ ତାହାକୁ ଶୁଆଇ। କାନ୍ଦୁଛି ବନେ ଏକାକିନୀ ହୋଇ ।। ସଖା କେହି ନାହିଁ ମୁହିଁ ବନସ୍ତେ। ଷଠୀଦୁଛାଇ ତହିଁ ମିଳନ୍ତେ।। ପୁଅ ଗୋଟି ଯେ କାଖରେ ଧରି। ଆର ପୁଅକୁ ଯେ ଚଳାଇ କରି।। ବୋଇଲେ ଭୂତ କି ଡାହାଣୀ ତୁହି। ବନସ୍ତରେ ବସି କାନ୍ଦୁଛୁ ରହି।। କେ ମହାପୁରୁଷ ମୋତେ ପଚାର। ସାନ ବୋହୁ ତ ମୁଁ ସାଧବଘର।। ତହିଁକି ବୋଇଲେ କଖାରୁ ଚୋରୀ। ପଡ଼ିଶା ଘରରୁ ଖାଇଲି କରି।। ଯେ ଶାପ ଦେଲା ଯେ ତୋ ପୁଅ ମରୁ। ହରି ନେଉଥିଲୁ ସେହି ଯୋଗରୁ।। ସେ ସକାଶୁ ତୋର ପୁଅକୁ ଘେନି। ଆସିଛୁ ଆମ୍ଭେ ନିଅ ବହନି।। ପାଞ୍ଚପୁଅ ତୋର ଏ ରୂପେ ନିଅ। ଛଅ ପୁଅ ଘେନି ଘରକୁ ଯାଅ। ଏମନ୍ତ ଶୁଣି ସେ ଉଠି ବସିଲେ। ଷଠୀଦୁଛାଇ ଦୋଳାରେ ଗଲେ।। ଛଅ ପୁଅକୁ ଘେନି ଆସିଛି। ସାଧବାଣୀ ବୋଲେ କେମନ୍ତ ବତ୍ସି।। ବୋଇଲେ ଲୋକ ଆସୁଅଛି ବୋହୂ। ଷଡ଼ନାତି ଘେନି ଆସୁଛି ସେହୁ।। ଏମନ୍ତ ବିଚାରି ସେ ତ ଅଇଲା। ଭାତ ନିଉଛାଇ ଘରକୁ ନେଲା।। ଷଠୀଦୁଛାଇ ବୋଇଲେ ଶୁଣ। କାର୍ତ୍ତିକ ଗଲେ ମାର୍ଗଶୀର ପୁଣ।। ନବମ ଦିନ କାଞ୍ଜିଅଅଁଳା ହୋଇ। ବୋହୁ କରିବ ତୁ କରିବ ନାହିଁ।। ପିତା ଶୁଖୁଆ ସାତଗୋଟି ହେବ। ଗାଧୁଆଇ ମୁଣ୍ଡେ ସିନ୍ଦୂର ଦେବ।। କଜ୍ଜଳ ହଳଦୀକନା ପିନ୍ଧାଇ। କାଞ୍ଜି ମୂଳା ଆଦି ତିଅଣ ହୋଇ।। ପିତା ଶୁଖୁଆ ପୋଇପୋଡ଼ା ହେବ। ଛଅ ପିଠା ନେଇ ଆଗେ ଥୋଇବ।। ପୋଖରୀ ଗୋଟିଏ କରି ଯତନ। କିଆ ମାଛ ଛାଡ଼ି ବାଳୁଙ୍ଗା ଧାନ।। ସାରୁଗଛ ନେଇ ତହିଁ ଥୋଇବ ।ପୋଇ ଖାଡ଼ିଆ କାହାକୁ ନ ଦେବ।। ତିଅଣ ଭାତ ପୁଅକୁ ଖୁଆଇ। ଯାହା ନ ଖାଇ ତାହା ପୋତି ଦେଇ।। ବାଞ୍ଛା ମଡ଼ିଛିମାନେ ଯେ କରିବେ। ଯେ ମନାସିବେ ଯାହା ସେ ତା ପାଇବେ।। ସାଧବାଣୀ କଥା ମନେ ରଖଇ। ଷଠୀକି ନେଇ ଆସନେ ବସାଇ।। ଅର୍ଘ୍ୟ ଗନ୍ଧପୁଷ୍ପ ନୈବେଦ୍ୟ ଦେଲା। ପାଏଡ଼ା ଶୋଇ ମେଲାଣି ମାଗିଲା।। କାର୍ତ୍ତିକ ଗଲା ମାର୍ଗଶୀର ହେଲା। ନବଦିନେ କାଞ୍ଜିଅଁଳା ପଡ଼ିଲା।। ପୋଖରୀ ବାଳୁଙ୍ଗାଧାନ ଯେ ସାରୁ। ପିତା ଶୁଖୁଆ ସାତ ଗୋଟି କରୁ।। ହଳଦୀଆ କନା ପିନ୍ଧାଇ ଦେଇ। ସିନ୍ଦୂର କଜ୍ଜଳ ତହିଁରେ ଦେଇ।। ଷଠୀ ଦୁଛାଇଙ୍କୁ ତହିଁ ବସାଇ। ତାଙ୍କ ନାମରେ ତହିଁ ପୂଜା ଦେଇ ।।ଗୁଣା ବସଣୀ ଅଳଙ୍କାର ମାନ। ଦେଇ ପୂଜା କଲେ ଯଥା ବିଧାନ।। କଖାରୁ କାଞ୍ଜି କରିଣ ବିଧାନ। ଛଅ ପିଠା ତହିଁରେ କରି ଯତନ।। ଭାତ ବାଢିଣ ପୂଜା ବିଧି କଲା। ଅର୍ଘ୍ୟ ଗନ୍ଧପୁଷ୍ପ ନୈବେଦ୍ୟ ଦେଲା।। କଥାଟିଏ କହି ଅର୍ଘ୍ୟ ଯେ ଦେଇ। ପାଏ ପଡ଼ି ମେଲାଣି ଦେଇ।। କ୍ରମେ ହେଲା ତାର ବହୁତ ଧନ। ପୁଅ ଝିଅ ନାତି ନାତୁଣୀ ପୁଣ।। ଅଣନାତି ଘେନି କରଇ ଘର। ବେଳୁ ବେଳ ଧନ ଜନ ଅପାର।। ଉତ୍ତମ ଭାଗ୍ୟ ତା ହେଲା ଉଦୟେ। ତେଣୁ କାଞ୍ଜିଅଅଁଳା ଜଗତେ ହୋଏ।। ସେଦିନ ଆଶ୍ରାକୁ ଆଶ୍ରୟ କଲେ। ଏ ଓଷା ଫଳ ମିଳେ ଭଲେ।। ଏହା ଯେ ପଢନ୍ତି ଶୁଣନ୍ତି ନର। ସକଳ ପୁରୁଷାର୍ଥ ହୁଏ ତାର।।

#ଆମ_ଶାସନରେ_କାଞ୍ଜି_ଅଁଳା

***ପୂର୍ବ ପ୍ରସ୍ତୁତି***

ସନ୍ଧ୍ୟା ପୂର୍ବରୁ ବ୍ରାହ୍ମଣ ପରିବାରରେ‌ ବାଡିରୁ ଗୋଟିଏ କଦଳୀ ଭାସୁଙ୍ଗା ଆଣି ଡଙ୍ଗା କରନ୍ତି ପରେ ହଳଦୀ ପାଣିରେ ସାତଗୋଟି ତାମ୍ପେଡା ସୁଖୁଆ ଆଣି ହଳଦୀ ପାଣିରେ ସ୍ନାନ କରାନ୍ତି। ପରେ ଗୋଟିଏ ପିଢାରେ ଠା ପକେଇ ଡଙ୍ଗା ରଖାଯାଏ
ଧଳାକନାରେ ହଳଦୀ ପାଣିରେ ବୁଡାଇ ହଳଦିଆ କନା ପିନ୍ଧାଯାଏ ସୁଖୁଆକୁ ଯାହା ସାତବୋହୁ ଭାବରେ ପୂଜା କରାଯାଏ। ତାପରେ କଜ୍ଜଳ, ଚନ୍ଦନ, ସିନ୍ଦୂର,ଫୁଲ, ଦୁବ, ବରକୋଳି ପତ୍ର ଦେଇ ସଜାଇ ବସାଯାଏ ତାପରେ ଭାତ 🍚 ଡାଲି, ବିରିପିଠା,ମାଛ 🐟 ବେସର ତଥା କାଞ୍ଜି କଲାପରେ‌ ଧୂପ ଦୀପ ନୈବେଦ୍ୟ କରାଯାଏ ତାପରେ ନିମ୍ନଲିଖିତ କଥା ପାଠ କରାଯାଏ ମା ଷଠି ଦୁଛାଇକୁ ପୂଜା ବା ପୁତ୍ରର ଆୟୁଷ ମଙ୍ଗଳ କାମନା କରି ଶେଷରେ ବିସର୍ଜନ କରାଯାଏ ଓଡ଼ିଶାର କିଛି ଅଞ୍ଚଳରେ ଭିନ୍ନ ଭିନ୍ନ ଭାବରେ ପାଳନ କରାଯାଇଥାଏ ତଥାପି ଆମ ଶାସନରେ ଏହିପରି ପାଳନ କରାଯାଇଥାଏ।

☀‼️ ଆମ ଶାସନରେ କାଞ୍ଜୀ ଅଁଳା ନବମୀ ‼️☀

ସଂଗ୍ରାହକ :---ଶ୍ରୀ ପ୍ରିୟବ୍ରତ ତ୍ରିପାଠୀ

एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default