!! ଐଂ ହ୍ଲୀଂ କ୍ଲୀଂ ଚାମୁଣ୍ଡାୟୈ ବିଚ୍ଚେ !!
●▬▬▬▬⚜۩۞۩⚜▬▬▬▬●
କାଳୀ ତାରା ମହାବିଦ୍ୟା ଷୋଡ଼ଶୀ ଭୁବନେଶ୍ଵରୀ।
ଭୈରବୀ ଛିନ୍ନମସ୍ତା ଚ ବିଦ୍ୟା ଧୂମାବତୀ ତଥା।।
ବଗଳା ସିଦ୍ଧବିଦ୍ୟା ତ ମାତଙ୍ଗୀ କମଳାତ୍ମିକା ।
ଏତାଦଶ ମହାବିଦ୍ୟା ସିଦ୍ଧବିଦ୍ୟା ପ୍ରକୀର୍ତ୍ତୀତାଃ।।
~ ଦୁର୍ଗାଙ୍କର ବିଦ୍ୟାରୂପୀ ଦଶଶକ୍ତି ନିରୂପଣ କରାଯାଇଛି ଆଗମ ଶାସ୍ତ୍ରରେ । ସେହି ଦଶ ମହାବିଦ୍ୟା ହେଉଛନ୍ତି - କାଳୀ, ତାରା, ଷୋଡ଼ଶୀ, ଭୁବନେଶ୍ୱରୀ, ଭୈରବୀ,ଛିନ୍ନାମସ୍ତା, ଧୂମାବତୀ, ବଗଳାମୁଖୀ, ମାତଙ୍ଗୀ ଏବଂ କମଳା। ଏହାମଧ୍ୟରେ କାଳୀ, ତାରା, ଛିନ୍ନମସ୍ତା, ଧୂମାବତୀ ଉଗ୍ରା, ତଥା ବଗଳା, ଭୈରବୀ ସୌମ୍ୟୋଗ୍ର ମହାବିଦ୍ୟା ଏବଂ ଷୋଡ଼ଶୀ, ଭୁବନେଶ୍ୱରୀ, କମଳା, ମାତଙ୍ଗୀ ସୌମ୍ୟ ମହାବିଦ୍ୟା ରୂପେ ପରିଚିତା । ସୌମ୍ୟ ମହାବିଦ୍ୟାଙ୍କୁ ଶ୍ରୀସୁନ୍ଦରୀ କୁଳରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଉଗ୍ର, ସୌମ୍ୟୋଗ୍ର ମହବିଦ୍ୟାଙ୍କୁ କାଳୀ କୁଳରେ ଅନ୍ତର୍ଭୁକ୍ତ କରାହୋଇଛି । ଶ୍ରୀସୁନ୍ଦରୀ ଦେବୀମାନଙ୍କ ଆରଧନା ଗୃହ ମଧ୍ୟରେ ହେଉଥିଲାବେଳେ କାଳୀକୁଳ ଦେବୀମାନଙ୍କ ଉପାସନା ଶ୍ମଶାନ, ବଣ, ନଦୀତଟ ଆଦି ନିର୍ଜନ ସ୍ଥାନରେ ହୋଇଥାଏ, ତଥା ସୌମ୍ୟୋଗ୍ର ବିଦ୍ୟା ଉଭୟ ସ୍ଥାନରେ ଉପାସିତା ହୁଅନ୍ତି ।
‘ବିଦ୍’ ଧାତୁରୁ ନିର୍ମିତ ବିଦ୍ୟା ଶବ୍ଦର ଅର୍ଥ ହେଉଛି ଜାଣିବା। କୁହାଯାଇଛି, “ସା ବିଦ୍ୟା ଯା ବିମୁକ୍ତୟେ”। ଅର୍ଥାତ୍ ତାହା ହିଁ ହେଉଛି ବିଦ୍ୟା ଯାହା ମୁକ୍ତ କରେ। ଏଣୁ ବିଦ୍ୟା ହେଉଛି ସେହି ଅନୁଭବ, ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କପାଇଁ ପାର୍ଥକ୍ୟର ଚେତନାରୂପୀ ବନ୍ଧନରୁ ଯାହା ମୁକ୍ତ ହେବାର ପଥ ପରିଷ୍କାର କରେ। ଧ୍ୟାନରେ ପିଣ୍ଡବ୍ରହ୍ମାଣ୍ଡ ସାଧକ ଦଶଟି ପ୍ରମୁଖ ଅନୁଭବ ବା ଦର୍ଶନ ପ୍ରାପ୍ତ ହୁଅନ୍ତି, ଯାହା ତାଙ୍କୁ ପାର୍ଥକ୍ୟରୂପୀ ମାୟାକୁ ସଂପୂର୍ଣ୍ଣ ଜାଣିବାରେ ସାହାଯ୍ୟ କରେ। ଏହି ଦଶଟି ଧ୍ୟାନଲବ୍ଧ ଦର୍ଶନର ପ୍ରତୀକ ହେଉଛନ୍ତି ଦେବୀ ଦୁର୍ଗାଙ୍କର ‘ଦଶ ମହାବିଦ୍ୟା’ ଅବତାର।
"ଆଗତଂ ଶିବ ବକ୍ତ୍ରାବ୍ରତ୍ ଗତଂ ତୁ ଗିରିଜା ମୁଖେ
ମତଂ ଚ ବାସୁଦେବସ୍ୟ ତସ୍ମାଦାଗମ ଉଚ୍ୟତେ ।।"
( "ଆଗମ" ଅର୍ଥାତ ମହାଦେବ ଙ୍କ ମୁଖ ରୁ ଯେଉଁ ଉକ୍ତି ନିସ୍କୃତ ହୋଇ ପାର୍ବତୀ ଙ୍କ କର୍ଣ୍ଣ ରେ ପ୍ରବେଶ କରେ ଏବଂ ଏହି ଉକ୍ତି ନାରାୟଣ ବାସୁଦେବ ଙ୍କ ଦ୍ବାରା ସ୍ବୀକୃତି ପାଇଥିବାରୁ ଏହାକୁ 'ଆଗମ' କୁହାଯାଏ ।) ଆଗମ ବା ତନ୍ତ୍ର ଶାସ୍ତ୍ର ରେ ମୁଖ୍ୟତଃ ଦୁର୍ଗା ଦେବୀ ଙ୍କର ବିଭିନ୍ନ ରୂପ କୁ ଆବାହନ କରାଯାଇଥାଏ । ଏଥିପାଇଁ ଶାସ୍ତ୍ର ମତେ ସାଧକ ର ଏକାଗ୍ରତା ତଥା କଠୋର ସାଧନା ର ଆବଶ୍ୟକତା ଅଛି ଅନ୍ୟ ଅର୍ଥ ରେ ସ୍ବ ଶରୀର ର 'କୁଣ୍ଡଳିନୀ' କୁ ଜାଗ୍ରତ ବା ଉର୍ଦ୍ଧମୁଖି କରାଇବାକୁ କଠୋର ରୁ କଠୋରତମ ସାଧନା/ତପସ୍ୟା କରିବାକୁ ପଡିଥାଏ । ଆଗମ/ତନ୍ତ୍ର ଶାସ୍ତ୍ର ମାନଙ୍କରେ ଦେବୀ ଙ୍କର ଶକ୍ତି କୁ ବିଦ୍ୟା ରୂପେ ନିରୂପଣ କରାଯାଇଅଛି ଏବଂ ତଦ୍ ଅନୁଯାଇ ମଧ୍ୟ ଆବାହନ କରାଯାଉଅଛି । ଆଗମ ଶାସ୍ତ୍ର ଏହାକୁ ମହାଦେବ ଙ୍କ ଆଜ୍ଞା ବୋଲି ପ୍ରମାଣ କରିଛନ୍ତି ।
ପୌରାଣିକ ଆଖ୍ୟାନ :- ଧର୍ମ, ଅର୍ଥ, କାମ ଓ ମୋକ୍ଷଦାତ୍ରୀ, ପାପହାରିଣୀ ମା’କାଳିକେ, ସୃଷ୍ଟିର ସକଳ ବସ୍ତୁରେ ଶକ୍ତିରୂପରେ ପ୍ରତିଷ୍ଠିତ I ଦୁର୍ଗମ ଓ ଦୁରାଚାରକୁ ବିନାଶ କରୁଥିବାରୁ ସେ ଦୁର୍ଗା ନାମରେ ବିଦିତ I ଭିନ୍ନ ଭିନ୍ନ କାଳରେ ଭିନ୍ନ ଭିନ୍ନ ରୂପରେ ଜଗତଜନଙ୍କୁ ବିପଦରୁ ରକ୍ଷା କରି ସେ ମା’ ନାମକୁ ସାର୍ଥକ କରିଛନ୍ତି I ଶସ୍ୟ ପାଳନକାରିଣୀ ଭାବେ ସେ ସର୍ବପ୍ରଥମେ ଶାକମ୍ବରୀ ନାମରେ ପୂଜିତା ହେଲେ I କିଛିକାଳ ଅନ୍ତେ ଦୁଃଖ ଓ ଦୁର୍ଗତି ନାଶକାରିଣୀ ଦେବୀ ଭାବେ ପର୍ବତ ବାସିନୀ ସିଂହବାହିନୀ ପାର୍ବତୀ ବା ଉମା ଭାବରେ ବି ପୂଜା ପାଇଲେ I କିନ୍ତୁ କିଛିକାଳ ପରେ ମଣିଷ ଦୁଇଟିଯାକ ଶକ୍ତିକୁ ଏକ ଭାବି ତାଙ୍କୁ ଶାକମ୍ବରୀ, ଉମା, ପାର୍ବତୀ, କାତ୍ୟାୟନୀ ପୁଣି ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ୱତୀ ଭାବେ ପୂଜାର୍ଚ୍ଚନା ଆରମ୍ଭ କଲା I
ସେଇ ଏକା ଶକ୍ତି ହିଁ ଭୋଗର ଭବାନୀ, ପୌରୁଷରେ ଲକ୍ଷ୍ମୀ, ସମରେ ଦୁର୍ଗା ଏବଂ ଧ୍ୱଂସରେ କାଳୀ ସାଜନ୍ତି, ସୃଷ୍ଟି ସ୍ଥିତି ଏବଂ ବିଲୟ ପାଇଁ ମହାସରସ୍ୱତୀ, ମହାଲକ୍ଷ୍ମୀ ଏବଂ ମହାକାଳୀ ରୂପ ଧାରଣ କରନ୍ତି I ସେ ଏକ ହେଲେ ବି ଅନେକ ଭାବରେ ପ୍ରତିଷ୍ଠିତ ହୋଇଛନ୍ତି I କେତେ ବେଳେ ପ୍ରକୃତିର ପଞ୍ଚଧାରାରେ, ଶକ୍ତିର ଷଷ୍ଠ ରୁପରେ, ଅଷ୍ଟ ମାତୃକା, ନବଦୁର୍ଗା, ଦଶ ମହାବିଦ୍ୟା ରୂପରେ ତ କେତେବେଳେ ଏକାବନ ଆଦିପୀଠରେ ବା ଚଉଷଠି ଯୋଗିନୀ ରୂପରେ ଏବଂ ଶତଶତ ଯୋଗିନୀ ରୂପରେ ପ୍ରତିଷ୍ଠିତ ହୋଇଛନ୍ତି I
ଦଶ ମହାବିଦ୍ୟା ହେଉଛନ୍ତି ଦେବୀଙ୍କର ଦଶବିଧ ରୂପ। ଏହା ଦେବୀଙ୍କର ଦଶ ମୂର୍ତ୍ତି। ଦଶ ମହାଶକ୍ତି। ଏହା ପଛରେ ରହିଛି ନିର୍ଦ୍ଦିଷ୍ଟ ପୌରାଣିକ ଉପାଖ୍ୟାନ।
ଦକ୍ଷ ପ୍ରଜାପତିଙ୍କ ଯଜ୍ଞ ଆୟୋଜନ ସମୟର କଥା। ପୂର୍ବେ ଥରେ ତାଙ୍କୁ ଉପଯୁକ୍ତ ସମ୍ମାନ ଦେଖାଇ ନଥିବାରୁ, ସେହି ଯଜ୍ଞକୁ ଦକ୍ଷ ପ୍ରଜାପତି ନିଜର ଜାମାତା ଶିବଙ୍କୁ ନିମନ୍ତ୍ରଣ କରି ନଥିଲେ। ତାହା ସତ୍ତ୍ୱେ ସତୀ ପିତାଙ୍କ ଯଜ୍ଞକୁ ଯିବାକୁ ଚାହିଁଲେ। କିନ୍ତୁ ଶିବ ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଲେ। ସତୀ ଯୁକ୍ତି କଲେ, ବିନା ନିମନ୍ତ୍ରଣରେ ଶଶୁର ଘରକୁ ଜ୍ୱାଇଁ ଯିବା ହୁଏତ ଠିକ୍ ନୁହେଁ; କିନ୍ତୁ ପିତାଙ୍କ ଘରକୁ ଝିଅ ଯିବାରେ ଅସୁବିଧା କେଉଁଠି? ଶିବ ତଥାପି ତାଙ୍କୁ ମନା କରିବାରୁ ସେ କୁପିତା ହେଲେ। ଭାବିଲେ, ପତ୍ନୀ ହେଲେ ମଧ୍ୟ ସେ ଅଣାକାର ବ୍ରହ୍ମମୟୀ ମହାପ୍ରକୃତି। ଶିବ ସ୍ୱାମୀ ହେଲେ ବୋଲି କ’ଣ ତାଙ୍କୁ ଏପରି ସୀମିତ ଓ ନିୟନ୍ତ୍ରିତ କରିବେ? ତାଙ୍କର ଏ ଦାମ୍ଭିକତା ଚୂର୍ଣ୍ଣ କରିବାକୁ ପଡ଼ିବ।
ଫଳରେ, କ୍ଷଣକ ମଧ୍ୟରେ ସତୀଙ୍କର କମନୀୟ କାନ୍ତି ଅପସରି ଗଲା। ସେ ପରିଣତ ହେଲେ ଉଗ୍ରମୂର୍ତ୍ତି କାଳୀରେ। ତାଙ୍କର ସେହି ରୂପ ଦେଖି ଶିବ ଭୟଭୀତ ହେଲେ। ଆତ୍ମରକ୍ଷା କରି ସେଠାରୁ ପଳାଇଯିବାକୁ ଉଦ୍ୟମ କରିବାରୁ, ଦେବୀ ଭିନ୍ନ ଭିନ୍ନ ରୂପ ଧରି ଦଶଦିଗକୁ ଆଚ୍ଛନ୍ନ କରି ରଖିଲେ। ଫଳରେ ଅନ୍ୟ ଉପାୟ ନପାଇ ଶିବ ଗୋଟିଏ ସ୍ଥାନରେ ସମର୍ପଣ ମୁଦ୍ରାରେ ବସି ରହିଲେ। ତାହା ଦେଖି ଏକ ଜ୍ୟୋତିର୍ମୟୀ ଦିବ୍ୟ ନୀଳମୂର୍ତ୍ତିରେ ସତୀ ତାଙ୍କ ସମ୍ମୁଖରେ ଆବିର୍ଭୂତା ହେଲେ। ତାଙ୍କୁ ସେହି ରୂପରେ ଚିହ୍ନି ନପାରି ଶିବ ପ୍ରଶ୍ନ କଲେ- ହେ ଦେବି! ତୁମେ କିଏ? ଦେବୀ କହିଲେ- ଭୟ କରନାହିଁ; ମୁଁ ତୁମର ପତ୍ନୀ ସତୀ।
ଏହିପରି ଭାବରେ, ଶିବଙ୍କର ପଥରୋଧ କରିବା ପାଇଁ ଦେବୀ ଯେଉଁ ଦଶରୂପ ଧାରଣ କରିଥିଲେ, ସେହି ଦଶ ରୂପ ହେଉଛନ୍ତି ଦଶମହାବିଦ୍ୟା। କାଳୀ ସେମାନଙ୍କ ମଧ୍ୟରେ ପ୍ରଥମା। ସେ ପ୍ରକଟ ହୋଇଥିଲେ ଉତ୍ତର ଦିଗରେ। ସେହିପରି, ଊର୍ଦ୍ଧ୍ୱରେ ତାରା, ପୂର୍ବରେ ଛିନ୍ନମସ୍ତା, ପଶ୍ଚିମରେ ଭୁବନେଶ୍ୱରୀ, ଦକ୍ଷିଣରେ ବିମଳା, ଅଗ୍ନିକୋଣରେ ଧୂମାବତୀ, ନୈଋତ କୋଣରେ ଷୋଡ଼ଶୀ, ବାୟୁ କୋଣରେ ମାତଙ୍ଗୀ, ଐଶାନ୍ୟକୋଣରେ କମଳା ଏବଂ ଅଧୋଦେଶରେ ଭୈରବୀ ରୂପରେ ସେ ଆବିର୍ଭୂତା ହୋଇଥିଲେ। ଏଣୁ ଏହା ଦେବୀଙ୍କର ଦଶଟି ଭିନ୍ନଭିନ୍ନ ମୂର୍ତ୍ତି ହେଲେ ମଧ୍ୟ, ସେ ମୂଳତଃ ଏକ।
ଏହି ଦଶମହାବିଦ୍ୟାକୁ ବିଭିନ୍ନ ପୁରାଣ ବିଭିନ୍ନ ଭାବରେ ବର୍ଣ୍ଣନା କରିଛି I ତୋଡଳତନ୍ତ୍ରରେ ଏହି ଦଶମହାବିଦ୍ୟା, ଶ୍ରୀ ବିଷ୍ଣୁଙ୍କର ଦଶବତାର ପ୍ରତୀକାତ୍ମକ ରୂପ ବର୍ଣ୍ଣନା କରାଯାଇଛି I କାଳୀଙ୍କୁ କୃଷ୍ଣ, ତାରାଙ୍କୁ ମତ୍ସ୍ୟ, ଷୋଡଶୀଙ୍କୁ ପର୍ଶୁରାମ, ଭୁବନେଶ୍ୱରୀଙ୍କୁ ବାମନ, ଭୈରବୀଙ୍କୁ ବଳରାମ, ଛିନ୍ନମସ୍ତାଙ୍କୁ ନୃସିଂହ, ଧୂମାବତୀଙ୍କୁ ବରାହ, ବଗଳାଙ୍କୁ କୁର୍ମ, ମାତଙ୍ଗୀଙ୍କୁ ରାମ ଏବଂ କମଳାଙ୍କୁ ବୁଦ୍ଧ ଭାବରେ ପ୍ରତିପାଦିତ କରାଯାଇଛି I ବିଦ୍ୟାର ଅର୍ଥ ଜ୍ଞାନ, ସତୀଙ୍କ ପ୍ରତ୍ୟେକ ରୂପ ଜନମାନସରେ କିଛି କିଛି ଜ୍ଞାନ ସଂଚରଣ କରୁଥିବାରୁ ଏହିସବୁ ବିଦ୍ୟାମାନଙ୍କୁ ମହାବିଦ୍ୟା ବା ମହାଜ୍ଞାନ ରୂପରେ ପୂଜାକରାଯାଏ I
ଏହିପରି ଉର୍ଦ୍ଧ୍ୱରେ କରାଳବଦନା କାଳୀ, ସମ୍ମୁଖରେ ଲୋକଜିହ୍ନା ତାରା, ଐଶାନ୍ୟ କୋଣରେ ତ୍ରିପୁରାସୁନ୍ଦରୀ ଷୋଡଶୀ, ବାମରେ ତ୍ରିଭୁବନବ୍ୟାପିନୀ ଭୁବନେଶ୍ୱରୀ, ନିମ୍ନରେ ମୁକ୍ତକେଶା ଭୈରବୀ, ଦକ୍ଷିଣରେ ପ୍ରଚଣ୍ଡଚଣ୍ଡୀ ସ୍ୱରୂପା ଛିନ୍ନମସ୍ତା, ଅଗ୍ନିକୋଣରେ ଧୂମପୂର୍ଣ୍ଣା ଧୂମାବତୀ, ପଛରେ ସଂହାରକାରିଣୀ ବଗଳା, ବାୟବ୍ୟ କୋଣରେ ଅର୍ଦ୍ଧଚନ୍ଦ୍ର ଧାରିଣୀ ମାତଙ୍ଗୀ ଏବଂ ନୈଋତ କୋଣରେ ଶ୍ରୀବୃଦ୍ଧିକାରିଣୀ କମଳା - ଏହିପରି ଦଶବିଧ ରୂପ ପ୍ରଦର୍ଶନ କରି ସତୀ ଶିବଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ I ସେଇ ଦଶରୂପ ଦଶ ମହାବିଦ୍ୟା ରୂପରେ ସର୍ବଦା ପୂଜାପାଇ ଆସୁଛି I
ଦଶ ମହାବିଦ୍ୟା ଏବଂ ନବଗ୍ରହ ଓ ଲଗ୍ନର ଅଧିଷ୍ଠାତ୍ରୀଦେବୀ :-
```````````````````````````````````````````````````
ତୋଡଳତନ୍ତ୍ର ମତେ :-
ଦିବାକରସ୍ଯ ମାତଙ୍ଗୀ ଚନ୍ଦ୍ରସ୍ୟ ଭୁବନେଶ୍ବରୀ।
କୁଜସ୍ୟ ବଗଳାବିଦ୍ୟା ବୁଧେ ତ୍ରିପୁରାସୁନ୍ଦରୀ ।।
ତାରା ବୃହସ୍ପତି ଶ୍ଚୈବ ଶୁକ୍ରସ୍ୟ କମଳାତ୍ମିକା ।
ଶନେସ୍ତୁ ଦକ୍ଷିଣାକାଳୀ ଲଗ୍ନେ ତ୍ରିପୁରଭୈରବୀ ।।
ଛିନ୍ନମସ୍ତା ତଥା ରାହୋ କେତୁ ଧୂମାବତୀ ତଥା ।
ଏତୟା ମହାବିଦ୍ୟାସାଃ ଗ୍ରହାଣାମିଷ୍ଟଦେବତା ।।
ଅର୍ଥାତ୍:-ସୂର୍ଯ୍ୟଙ୍କ ଅଧିଷ୍ଠାତ୍ରୀଦେବୀ ମାତଙ୍ଗୀ, ଚନ୍ଦ୍ରଙ୍କ ଭୂବନେଶ୍ବରୀ, ମଙ୍ଗଳଙ୍କ ବଗଳାମୁଖୀ, ବୁଧଙ୍କ ତ୍ରିପୁରାସୁନ୍ଦରୀ, ବୃହସ୍ପତିଙ୍କ ତାରା, ଶୁକ୍ରଙ୍କ କମଳାତ୍ମିକା, ଶନିଙ୍କ ଦକ୍ଷିଣାକାଳୀ, ଲଗ୍ନର ମୂଳଦେବୀ ଙ୍କ ତ୍ରିପୁରଭୈରବୀ, ରାହୁଙ୍କ ଛିନ୍ନମସ୍ତା ତଥା କେତୁଙ୍କ ଧୂମାବତୀ ~ ଏହିମାନେ ହେଉଛନ୍ତି ନବଗ୍ରହ ଓ ଲଗ୍ନର ଅଧିଷ୍ଠାତ୍ରୀଦେବୀ ଦଶମହାବିଦ୍ଯା ।
ଦଶ ମହାବିଦ୍ୟାଙ୍କ ପ୍ରଥମ ସ୍ୱରୂପ : ଦେବୀ କାଳୀ :-
``````````````````````````````````````````````````````
ପ୍ରଥମ ମହାଶକ୍ତି ବା ମହାବିଦ୍ୟା କାଳୀଙ୍କ ରୂପକୁ ଉପନିଷଦରେ ଜ୍ୱଳନ୍ତ ଅଗ୍ନି ବୋଲି ବର୍ଣ୍ଣନା କରାଯାଇଛି । ଉପନିଷଦରେ ମଧ୍ୟରେ କାଳୀ ପ୍ରଥମ ମାତା ରୂପେ କଥିତ।ଶକ୍ତିସଂଗମ ତନ୍ତ୍ରରେ କାଳୀ ଶ୍ରେଷ୍ଠ ମହାବିଦ୍ୟା ବା ବିଦ୍ୟାରାଜ୍ଞୀ । କାଳୀଙ୍କ ଉପାସନା କଲେ କଳିକାଳରେ ଶୀଘ୍ର ଫଳ ପ୍ରାପ୍ତି ଯଥା - ଧନଲାଭ, ଶକ୍ତିଲାଭ, କ୍ଷମତାପ୍ରାପ୍ତି ଓ ଶତ୍ରୁଜୟ ହୋଇଥାଏ । ଏହାଙ୍କ ସହିତ ମହାକାଳ ରୂପୀ ଶିବଙ୍କ ଆରାଧନା କରାହୁଏ । କାଳୀ ଉପାସନା ଫଳରେ ଜୀବନ୍ମୁକ୍ତି ଲାଭ ହୁଏ ।
ଦେବୀ ଶକ୍ତିଙ୍କ ଦଶ ଦିବ୍ୟ ସ୍ୱରୂପ ଦଶ ମହାବିଦ୍ୟାଙ୍କ ମଧ୍ୟରୁ ପ୍ରଥମେ ପ୍ରକଟ ହୋଇଥିଲେ ଦେବୀ କଳୀ । ଦେବୀ କାଳୀଙ୍କୁ ମା’ଶକ୍ତିଙ୍କ ମୂଳ ସ୍ୱରୂପ ଅଟନ୍ତି । ଦେବୀ କାଳୀଙ୍କ ସ୍ୱରୂପ ଭୟଙ୍କର ହୋଇଥିଲେ ମଧ୍ୟ ସେ ସଂସାର ପାଇଁ କଲ୍ୟାଣକାରୀ । ସେ ଦୁଷ୍ଟମାନଙ୍କର ସଂହାର କରି ସଂସାରରେ ସଜ୍ଜନମାନଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି । ଦେବୀ ‘କାଳୀ’ଙ୍କ ନାମ ‘କାଳ’ ଅର୍ଥାତ ସଂସହାରର ଦେବତା ଭଗବାନ ଶିବଙ୍କ ନାମାନୁସାରେ ହୋଇଛି । କାଳୀଙ୍କୁ କାଳୀକା ପୁରାଣରେ ଆଦି ଶକ୍ତି ଏବଂ ପରାଶକ୍ତି ଭାବେ ବର୍ଣ୍ଣନା କରାଯାଇଛି । ଦେବୀ ଶକ୍ତି ଅସୁର ରକ୍ତବୀର୍ଯ୍ୟର ସଂହାର ପାଇଁ କାଳୀରୂପ ଧାରଣ କରିଥିଲେ । ତାଙ୍କ କ୍ରୋଧ ଶାନ୍ତ ନହେବାରୁ ମହାଦେବଙ୍କୁ ତାଙ୍କ ପାଦ ତଳେ ଶୋଇବାକୁ ପଡ଼ିଥିଲା । କାଳୀ ମହାଦେବଙ୍କ ଉପରେ ପାଦ ରଖିଦେବାରୁ ତାଙ୍କ ଜିଭ ପଦାକୁ ବାହାରି ଆସିଥିଲା । ଦେବୀଙ୍କ ଏହି ରୂପକୁ ସର୍ବତ୍ର ପୂଜା କରାଯାଏ । ଏହି ପ୍ରକଟରେ ଆଦ୍ୟାଶକ୍ତି ମହାକାଳୀ ଏବଂ ଭଗବାନ ରୁଦ୍ର ମହାକାଳ ଅଟନ୍ତି ।
ଦଶ ମହାବିଦ୍ୟାଙ୍କ ଦ୍ୱିତୀୟ ସ୍ୱରୂପ : ଦେବୀ ତାରା :-
`````````````````````````````````````````````````````````
ଦେବୀ ତାରା ହେଉଛନ୍ତି ଦେବୀ ଶକ୍ତିଙ୍କ ଦଶ ମହାବିଦ୍ୟାଙ୍କ ସ୍ୱରୂପଙ୍କ ମଧ୍ୟରୁ ଦ୍ୱିତୀୟ ।ଜୀବଜଗତକୁ ତ୍ରାଣ କରୁଥିବାରୁ ଦେବୀ ତାରା ନାମରେ ନାମିତ । ସେ ନୀଳବର୍ଣ୍ଣା ଓ ନୀଳନୟନା । ସେ ଭୟଙ୍କରୀ ହେଲେ ମଧ୍ୟ ସୁଖ ଓ ମୋକ୍ଷ ପ୍ରଦାନକାରିଣୀ । ଦେବୀ ତାରାଙ୍କ ତିନୋଟି ରୂପ ରହିଛି – ଏକଜଟା ତାରା, ନୀଳସରସ୍ୱତୀ, ଉଗ୍ରତାରା । ଦେବୀ ମୁକ୍ତକେଶୀ ଏବଂ ରିଦ୍ର ତାଙ୍କର ଜଟା ହୋଇଥିବାରୁ ସେ ଏକଜଟା ନାମରେ ପରିଚିତା । ଉଗ୍ର ଆପଦରୁ ତ୍ରାଣ କରନ୍ତି ବୋଲି ଉଗ୍ରତାରା । ଦେବୀ ଚୋଳନ ହ୍ରଦରୁ ନୀଳବର୍ଣ୍ଣ ରୂପରେ ଆବିର୍ଭୂତା ହୋଇଥିବାରୁ ନୀଳ ସରସ୍ୱତୀ ନାମରେ ପରିଚିତା ।
ଶକ୍ତି ଉପାସନାରେ ଦେବୀ ତାରାଙ୍କ ସ୍ଥାନ ମହତ୍ତ୍ୱପୂର୍ଣ୍ଣ । ଦେବୀ ମହାଭାଗବତରେ ଥିବା ବର୍ଣ୍ଣନା ଅନୁଯାୟୀ ଦେବୀ ତାରାଙ୍କ ଠାରୁ ହିଁ ସଂସାରରେ ଜନ୍ମ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପୁରାଣରେ ଥିବା ବର୍ଣ୍ଣନା ଅନୁଯାୟୀ ସମୁଦ୍ର ମନ୍ଥନ ସମୟରେ ଭଗବାନ ଶିବ ହଳାହଳ ବିଷ ପାନ କରି ସମଗ୍ର ସଂସାରରୁ ବିଷ ଜ୍ୱାଳାରୁ ରକ୍ଷା କରିଥିଲେ । ତେବେ ବିଷ ପ୍ରଭାବରୁ ସେ ଅଚେତ ହୋଇପଡିଥିଲେ । ଏହାପରେ ଦେବୀ ତାରା ମହାଦେବଙ୍କୁ ଏକ ଶିଶୁ ରୂପରେ ପରିଣତ କରାଇବା ସହ ତାଙ୍କୁ ସ୍ତନ୍ୟପାନ କରାଇଥିଲେ । ଏହାଫଳରେ ବିଷ ଜ୍ୱାଳା ପ୍ରଭାବରୁ ଭଗବାନ ଶିବ ମୁକ୍ତ ହୋଇପାରିଥିଲେ । ଶିବଙ୍କ ଦ୍ୱିତୀୟ ଗୁପ୍ତାବତାରହେଉଛି ‘ତାର’ । ଏଣୁ ଭୈରବୀ ହିସାବରେ ଦେବୀଙ୍କ ନାମ ହୋଇଛି ତାରା ।
ତାରା ବା ତାରିଣୀ ଅନେକ ଜନ୍ମର କର୍ମଫଳ ଜନିତ ଦୁଃଖଦୁର୍ଦ୍ଦଶା ଦୂର କରିଥାନ୍ତି । ଏହାଙ୍କୁ ନୀଳସରସ୍ୱତୀ ବା ନୀଳତାରା ମଧ୍ୟ କୁହାଯାଏ । ତାରାଦେବୀଙ୍କ ଆରାଧନା କଲେ ଭବସିନ୍ଧୁ ପାରିହେବା ସହଜ ହୁଏ । ତାରା ଘୋର ରୂପିଣୀ, ନୀଳବର୍ଣ୍ଣା । ସେ ନବୀନ ଯୁବତୀ, ଲୋଳଜିହ୍ୱା ଓ ଚତୁର୍ଭୁଜା, ନୀଳପଦ୍ମ, ଖଡ୍ଗ, କଈଞ୍ଚି ତଥା ବରଦ ମୁଦ୍ରା ଧାରଣ କରିଛନ୍ତି । ତାଙ୍କ ଶରୀରର ବର୍ଣ୍ଣ ନୀଳ, ତିନି ଚକ୍ଷୁ ଉଦିତ ସୂର୍ଯ୍ୟ ଭଳି ଅରୁଣ ବର୍ଣ୍ଣ । ତାରାଙ୍କୁ ପୂଜା କଲେ କବିତ୍ୱ, ପାଣ୍ଡିତ୍ୟ ପ୍ରାପ୍ତି, ବ୍ରହ୍ମଜ୍ଞାନ ପ୍ରାପ୍ତି ତଥା ବିପଦରୁ ରକ୍ଷା ମିଳେ। ତାଙ୍କ ସହ ଶିବ ଅକ୍ଷୋଭ୍ୟ ରୂପେ ପୂଜିତ।
ଦଶ ମହାବିଦ୍ୟାଙ୍କ ତୃତୀୟ ସ୍ୱରୂପ : ଦେବୀ ଷୋଡ଼ଶୀ :-
````````````````````````````````````````````````````````
ଆଦିଶକ୍ତିଙ୍କ ଦଶ ମହାବିଦ୍ୟା ସ୍ୱରୂପଙ୍କ ମଧ୍ୟରୁ ତୃତୀୟ ସ୍ୱରୂପ ହେଉଛନ୍ତି ଦେବୀ ଷୋଡ଼ଶୀ। ଷୋଡ଼ଶୀଙ୍କୁ ତନ୍ତ୍ରଶାସ୍ତ୍ରରେ ଶ୍ରୀବିଦ୍ୟା, ତ୍ରିପୁରସୁନ୍ଦରୀ, ଲଳିତା, ରାଜରାଜେଶ୍ୱରୀ, ପରାଭଟ୍ଟାରିକା ଆଦି ଆଖ୍ୟା ଦିଆଯାଇଛି। ଏହି ଦେବୀଙ୍କ ସ୍ୱରୂପ ଅତ୍ୟନ୍ତ ଦିବ୍ୟ । ତନ୍ତ୍ର ଶାସ୍ତ୍ରରେ ଦେବୀଙ୍କୁ ଶ୍ରୀବିଦ୍ୟା ନାମରେ ପୂଜା ଯାଇଥାଏ । ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ, ତିନିପୁରରେ ଦେବୀଙ୍କ ଦିବ୍ୟ ସ୍ୱରୂପ ସହ କେହି ତୁଳନୀୟ ନୁହନ୍ତି । ସ୍ଥୂଳ, ସୂକ୍ଷ୍ମ ଏବଂ ପାରା ରୂପରେ ସେ ସର୍ବତ୍ର ବିଦ୍ୟମାନ । ଶକ୍ତି ଉପାସନାରେ ତ୍ରିପୁର ସୁନ୍ଦରୀଙ୍କର ବିଶେଷ ମହତ୍ତ୍ୱ ରହିଛି । ସେ ସିଂହାସନରେ ବିରାଜମାନ ଥାଆନ୍ତି । ତାଙ୍କର ଚାରି ଭୂଜାରେ ଆଖୁ, ପୁଷ୍ପଗୁଚ୍ଛ, ଫାଶ ଏବଂ ଅଙ୍କୁଶ ଶୋଭା ପାଇଥାଏ । ଲଳିତା ସହସ୍ରନାମ ଆଦି ଶଙ୍କରାଚାର୍ଯ୍ୟଙ୍କ ସୌନ୍ଦର୍ଯ୍ୟ ଲହରୀ, ଲଳିତା ଉପାଖ୍ୟାନ, ତ୍ରିପୁରସୁନ୍ଦରୀ ଅଷ୍ଟକମ୍ରେ ଦେବୀଙ୍କ ସମ୍ପର୍କରେ ବର୍ଣ୍ଣନା ରହିଛି । ଏହି ବିଦ୍ୟାରେ ରୁଦ୍ର ହେଉଛନ୍ତି ଶ୍ରୀବିଦ୍ୟେଷୀ (ତ୍ରିପୁରସୁନ୍ଦର) ଏବଂ ଭୈରବୀ ହେଲେ ତ୍ରିପୁର ସୁନ୍ଦରୀ ଶ୍ରୀ ବିଦ୍ୟେଶ୍ୱରୀ ।
ଷୋଡ଼ଶୀଙ୍କୁ ତନ୍ତ୍ରଶାସ୍ତ୍ରରେ ଶ୍ରୀବିଦ୍ୟା, ତ୍ରିପୁରସୁନ୍ଦରୀ, ଲଳିତା, ରାଜରାଜେଶ୍ୱରୀ, ପରାଭଟ୍ଟାରିକା ଆଦି ଆଖ୍ୟା ଦିଆଯାଇଛି। ସେ ମଧ୍ୟ ଚତୁର୍ଭୁଜା, ଅରୁଣବର୍ଣ୍ଣା, ପରମଶିବଙ୍କ ଉପରେ ଅସୀନା ଓ ସର୍ବଦା ଷୋଳବର୍ଷ ବୟସୀ । ହାତରେ ଅଛି ପାଶ, ତୀର, ଅଙ୍କୁଶ ଓ ଧନୁ । ତ୍ରିପୁରସୁନ୍ଦରୀ ଷୋଡ଼ଶୀଙ୍କ ଉପାସନା ମୁଖ୍ୟତଃ ଶଙ୍କରାଚାର୍ଯ୍ୟଙ୍କ ପୀଠମାନଙ୍କରେ ହୋଇଥାଏ । ଏହାଙ୍କର କାଦି, ହାଦି, ସାଦି ଆଦି ପରମ୍ପରା ପ୍ରଚଳିତ । ଷୋଡ଼ଶୀ ସିଦ୍ଧିଦାୟିନୀ, ଆତ୍ମଜ୍ଞାନ ଦାୟିନୀ ସମସ୍ତ କାମନା ପୂର୍ଣ୍ଣକାରିଣୀ, ସର୍ବଜନବଶକାରିଣୀ । ତ୍ରିପୁରସୁନ୍ଦରୀଙ୍କ ସହିତ ଶିବ କାମେଶ୍ୱର ରୂପେ ଆରାଧିତ ।
ଦଶ ମହାବିଦ୍ୟାଙ୍କ ଚତୁର୍ଥ ସ୍ୱରୂପ : ଦେବୀ ଭୁବନେଶ୍ୱରୀ :-
````````````````````````````````````````````````````````
‘ଭୂ’ ଧାତୁର ଅର୍ଥ ଜନ୍ମିବା ବା ସ୍ଥିତିପ୍ରାପ୍ତ ହେବା। ଏହି ଧାତୁରୁ ଜାତ ‘ଭୁବନ’ ଶବ୍ଦ ବିଶ୍ୱ ବା ସଚରାଚର ଜଗତକୁ ଦର୍ଶାଏ। ସେହି ଭଳି ‘ଈଶ୍ୱର’ ଶବ୍ଦ ତିଆରି ହୋଇଛି ‘ଈଶ୍’ ଧାତୁରୁ, ଯାହାର ଅର୍ଥ ଆଧିପତ୍ୟ କରିବା। ତେଣୁ ‘ଈଶ୍ୱର’ ଶବ୍ଦର ଅର୍ଥ ହେଉଛି ଅଧିପତି ବା ଶାସନକର୍ତ୍ତା। ‘ଈଶ୍ୱରୀ’ ଶବ୍ଦ ଏହାର ସ୍ତ୍ରୀଲିଙ୍ଗ। ଭୁବନ ଓ ଈଶ୍ୱରୀ ଷଷ୍ଠୀ ତତ୍ପୁରୁଷ ସମାସ ଦ୍ୱାରା ମିଳିତ ହୋଇ ମହାବିଦ୍ୟା ଭୁବନେଶ୍ୱରୀଙ୍କ ନାମ ଉତ୍ପନ୍ନ କରିଛନ୍ତି। ଏହି ଦେବୀଙ୍କ ଆସ୍ଥାନ ମଧ୍ୟ ମଣିଦ୍ୱୀପ ବା ଶ୍ରୀନଗରରେ। ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କ ପାଇଁ ମସ୍ତିଷ୍କ ହେଉଛି ଜୀବନୀଶକ୍ତିମାନଙ୍କର ଆସ୍ଥାନ, ଯାହାକୁ ସୃଷ୍ଟିର ବୈଭବ ରୂପେ ମଣି ବା ଶ୍ରୀ ଭାବେ ବର୍ଣ୍ଣନା କରାଯାଏ। ପିଣ୍ଡବ୍ରହ୍ମାଣ୍ଡ ସାଧନା ଦର୍ଶନର ଅନୁଭବ କହେ, ମସ୍ତିଷ୍କରେ ହିଁ ଭୁବନେଶ୍ୱରୀଙ୍କ ଅବସ୍ଥିତି। ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କ ପାଇଁ ମହାବିଦ୍ୟା ଭୁବନେଶ୍ୱରୀ ଆଜ୍ଞାଚକ୍ରର କର୍ତ୍ତା ଭାବର ଅନୁଭୂତି ଅଟନ୍ତି। ଆଜ୍ଞାଚକ୍ରର ଏହି ଭୁବନେଶ୍ୱରୀ ରୂପ ଦର୍ଶନ ଧ୍ୟାନ ଦ୍ୱାରା ସମ୍ଭବ ହୁଏ।
ଭୁବନେଶ୍ୱରୀ ହେଉଛନ୍ତି ଭୁବନର ରାଣୀ ବା ଅଧୀଶ୍ୱରୀ। ଆମ ଶରୀର ହେଉଛି ଆମ ବିଶ୍ୱ। ଏହାର ଅଧୀଶ୍ୱରୀ ଭାବେ ଏହାକୁ ନିଜ ନିର୍ଦ୍ଦେଶରେ ପରିଚାଳନା କରନ୍ତି ଆଜ୍ଞାଚକ୍ରରୂପୀ ଦେବୀ ଭୁବନେଶ୍ୱରୀ। ଏହି ମହାବିଦ୍ୟାଙ୍କ ମୁଖ ଓ ତ୍ରିନୟନ ଶାନ୍ତ। ଏହା ଧ୍ୟାନର ଶାନ୍ତାବସ୍ଥାରେ ଆଜ୍ଞାଚକ୍ରର ଦର୍ଶନକୁ ଦର୍ଶାଏ। ଏହି ମହାବିଦ୍ୟା ସୁବର୍ଣ୍ଣବର୍ଣ୍ଣା ଏବଂ ସେ ପୀତବସ୍ତ୍ର ପରିଧାନ କରିଥାଆନ୍ତି। ଧ୍ୟାନର ଏକ ସ୍ଥିତିରେ ସାଧକ ଅନୁଭବ କରନ୍ତି, ଯେ ଆଜ୍ଞାଚକ୍ରରୁ ପରିବ୍ୟାପ୍ତ ଏକ ସ୍ୱର୍ଣ୍ଣିମ ଆଭା ତାଙ୍କର ସମଗ୍ର ଶରୀରକୁ ଆଚ୍ଛାଦିତ କରି ରହିଛି। ଅନ୍ତଃଦୃଷ୍ଟିଦ୍ୱାରା ଏହି ପ୍ରକାର ପିଣ୍ଡବ୍ରହ୍ମାଣ୍ଡ ଦର୍ଶନ ସମୟରେ ଏହି ସ୍ୱର୍ଣ୍ଣିମ ଦ୍ୟୁତି କିଛି ସ୍ଥାନରେ (ଯେପରି ମେରୁଦଣ୍ଡରେ ସ୍ଥିତ ଚକ୍ରସମୂହରେ) ଅଧିକ ଜାଜ୍ଜ୍ୱଲ୍ୟମାନ ହୋଇଥାଏ। ଏହା ଦେବୀଙ୍କଦ୍ୱାରା ପରିହିତ ଅଳଙ୍କାରକୁ ଦର୍ଶାଏ।
ଏହି ଦେବୀଙ୍କର ଚାରିଟି ହସ୍ତ ମଧ୍ୟରୁ ଦୁଇଟିରେ ଥାଏ ପାଶ ଓ ଅଙ୍କୁଶ। ଏଗୁଡ଼ିକ ଆଜ୍ଞାଚକ୍ରରୂପୀ ଭୁବନେଶ୍ୱରୀଙ୍କ ପାଶ ବା ନିୟନ୍ତ୍ରଣରେ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ରହିବାକୁ ଦର୍ଶାଏ। ଏମାନେ ସମସ୍ତେ ଆଜ୍ଞାଚକ୍ରର ନିର୍ଦ୍ଦେଶ ବା ଅଙ୍କୁଶ ଦ୍ୱାରା ପରିଚାଳିତ ହୁଅନ୍ତି। ଦେବୀଙ୍କର ଅନ୍ୟ ଦୁଇ ହସ୍ତ ମୁକ୍ତ ସ୍ଥିତିରେ ଦାନ ଓ ବରଦ ମୁଦ୍ରାରେ ଥାଏ। ସାଧକ ଆଜ୍ଞାଚକ୍ରର ଭୁବନେଶ୍ୱରୀ ଦର୍ଶନଦ୍ୱାରା ଆହୁରି ଅନେକ କିଛି ଦିବ୍ୟ ଅନୁଭୂତି ପ୍ରାପ୍ତ ହେବାପାଇଁ କୃପା ଲାଭ କରନ୍ତି। ଏହା ତାହାକୁ ଦର୍ଶାଏ। ଆଜ୍ଞାଚକ୍ରକୁ ଭୁବନେଶ୍ୱରୀ ରୂପରେ ଅନୁଭବ କରିବା ହେଉଛି ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କ ପାଇଁ ଏକ ମହାବିଦ୍ୟା ପ୍ରାପ୍ତି ବା ଉପାସନା।
ଦେବୀଙ୍କ ଶରୀରର କାନ୍ତି ଉଦିତ ସୂର୍ଯ୍ୟଙ୍କ ପରି ସୁନ୍ଦର I ଦେବୀଙ୍କ କପାଳରେ ଅର୍ଦ୍ଧଚନ୍ଦ୍ର, ମସ୍ତକରେ ମୁକୁଟ, ଦୁଇବକ୍ଷୋଜ ଉଚ୍ଚ, ତ୍ରିନେତ୍ର ଓ ସବୁବେଳେ ହସହସ ମୁହଁ, ଚାରିହାତରେ ବର, ଅଙ୍କୁଶ, ପାଶ ଓ ଅଭୟ ମୁଦ୍ରାରେ ବିଦ୍ୟମାନ I ଦେବୀ ଭାଗବତରେ ବର୍ଣ୍ଣନା କରାଯାଇଛି ମୂଳ ପ୍ରକୃତି ଯୋଗମାୟା, ଚିନ୍ମୟୀ ଭୁବନେଶ୍ୱରୀଙ୍କଠାରୁ ଜଗତର ଉତ୍ପତ୍ତି କାଳରେ ପ୍ରାଣର ଅଧିଷ୍ଠାତ୍ରୀ ଦେବୀ ରାଧା ଓ ବୁଦ୍ଧିର ଅଧିଷ୍ଠାତ୍ରୀ ଦେବୀ ଦୁର୍ଗା ଆବିର୍ଭୂତା ହୋଇଥିଲେ I ମା’ ଭୁବନେଶ୍ୱରୀଙ୍କ ଧାମକୁ ମଣିଦ୍ୱୀପ କୁହାଯାଏ I ସେଠାରେ ‘ ଚିନ୍ତାମଣି ’ ନିବାସରେ ମାଆ ଅବସ୍ଥାନ କରନ୍ତି I ମା’ଙ୍କର ହ୍ରାଁ, ପୁଷ୍ଟି, ପ୍ରଜ୍ଞା, ସିନୀ, ଅମ୍ବିକା, ଆହ୍ଲାଦିନୀ ଆଦି ବତ୍ରିଶ ପାର୍ଶ୍ୱ ଦେବୀ ଅଛନ୍ତି I ଏମାନେ ଆଦେଶ ପାଇବା ମାତ୍ରେ ସୃଷ୍ଟିକୁ ସଂହାର କରନ୍ତି I ଭୁବନେଶ୍ୱରୀଙ୍କର ଅସଂଖ୍ୟ ଦାସଦାସୀ ସହିତ ଷୋଡଶ ଶକ୍ତି, ଅଷ୍ଟବସୁ, ଏକାଦଶ ରୁଦ୍ର ଓ ଦ୍ୱାଦଶ ଆଦିତ୍ୟ ଅଛନ୍ତି I ସମସ୍ତ ଶାକ୍ତତନ୍ତ୍ରରେ ଏକାକ୍ଷରୀ ଭୁବନେଶ୍ୱରୀଙ୍କୁ ଦେବୀପ୍ରଣବ, ଶକ୍ତିବୀଜ, ସର୍ବମନ୍ତ୍ରର ହୃଦୟରୂପିଣୀ ହୃଲ୍ଲେଖା ନାମରେ ସ୍ତୁତି କରାଯାଇଛି I ସେହି ଦେବୀ ଭାଗବତରେ ମାତା ଭୁବନେଶ୍ୱରୀଙ୍କୁ ପ୍ରଣବ ରୂପିଣୀ ବ୍ରହ୍ମ ରୂପେ ସ୍ତୁତି କରାଯାଇଛି I ସ୍ୱୟଂ ବିଷ୍ଣୁ ସୃଷ୍ଟିର ଆରମ୍ଭରେ ରାତ୍ରୀଦେବୀ ଭୁବନେଶ୍ୱରୀଙ୍କୁ ପୂଜା କରିଥିବାରୁ ତାଙ୍କୁ ପରମ ବୈଷ୍ଣବୀ ମଧ୍ୟ କୁହାଯାଏ I ଜ୍ଞାନୀମାନଙ୍କର ହୃଦୟରେ ଅବସ୍ଥାନ କରୁଥିବାରୁ ଦେବୀ ଭୁବନେଶ୍ୱରୀଙ୍କ ଅନ୍ୟ ନାମ ହୃଲ୍ଲେଖା । ମା' ଅନ୍ନପୂର୍ଣ୍ଣା ମଧ୍ୟ ଭୁବନେଶ୍ୱରୀ ମନ୍ତ୍ରବୀଜଦ୍ୱାରା ପୂଜିତା । ଓଡ଼ିଶାରେ ପୁରୁଷୋତ୍ତମ ଧାମରେ ବିମଳାଙ୍କ ପୀଠରେ ଅନ୍ନପୂର୍ଣ୍ଣା ରୂପରେ, ରତ୍ନ ସିଂହାସନରେ ଦେବୀ ସୁଭଦ୍ରାଙ୍କ ପୂଜାରେ ୟୋଗମାୟା ରୂପରେ,କଟକର କଟକଚଣ୍ଡୀ ପୀଠରେ ରାଷ୍ଟ୍ରଦେବୀ ରୂପରେ ଓ ଭୁବନେଶ୍ୱରସ୍ଥ ଗୋପାଳିନୀଙ୍କ ପୂଜାରେ ଶମ୍ଭୁବନିତା ରୂପରେ ବହୁ ପ୍ରାଚୀନ କାଳରୁ ଭୁବନେଶ୍ୱରୀଙ୍କ ମନ୍ତ୍ର ଓ ପୂଜା ପଦ୍ଧତି ଅନୁସରଣ କରାଯାଏ I ଶ୍ରୀମନ୍ଦିର ଭିତରେ ମଧ୍ୟ ନୀଳମାଧବଙ୍କ ମନ୍ଦିର ନିକଟରେ ଚତୁର୍ଭୁଜା ଭୁବନେଶ୍ୱରୀଙ୍କ ମନ୍ଦିର ଅଛି I ଶାରଦୀୟ ଓ ବାସନ୍ତିକ ପୂଜା ବେଳେ ସେଠାରେ ବିଶେଷ ନୀତି ଅନୁଷ୍ଠିତ ହୁଏ I ଓଡ଼ିଶାର ଷୋହଳ ଶାସନ ଓ ଅନ୍ୟାନ୍ୟ ଶାସନମାନଙ୍କରେ ସ୍ମାର୍ତ ବ୍ରାହ୍ମଣମାନେ ଦଶ ମହାବିଦ୍ୟା ଅନ୍ତର୍ଭୁକ୍ତ ଚତୁର୍ଥ ମହାବିଦ୍ୟା ଭୁବନେଶ୍ୱରୀଙ୍କୁ କୁଳଦେବୀ ବା ଇଷ୍ଟଦେବୀ ରୂପେ ପୂଜା କରନ୍ତି I ଭୁବନେଶ୍ୱରରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଦେବୀ ପୂଜା ପାଉଛନ୍ତି ଗୋପାଳିନୀ ବା ଭୁବନେଶ୍ୱରୀ ରୂପରେ I ମୂଳାଷ୍ଟମୀଠାରୁ ଆଶ୍ୱିନ ଶୁକ୍ଳ ନବମୀ ପର୍ଯ୍ୟନ୍ତ ସେଠାରେ ପୂଜା ଅନୁଷ୍ଠିତ ହୋଇଥାଏ I ଏହାବ୍ୟତୀତ ଭୁବନେଶ୍ୱର ମହାନଗରୀରେ ଅନେକ ସ୍ଥାନରେ ଭୁବନେଶ୍ୱରୀ ମନ୍ଦିର ଓ ଉପାସନାର ପରମ୍ପରା ପ୍ରଚଳିତ I ଶ୍ରୀଜଗନ୍ନାଥଙ୍କୁ ଭୁବନେଶ୍ୱରୀଙ୍କ ବୈଷ୍ଣବ ଶକ୍ତିର ପରମ ପୁରୁଷ ରୂପେ ଗ୍ରହଣ କରାଯାଏ ଓ ମା’ବିମଳା ଭୁବନେଶ୍ୱରୀ ତତ୍ତ୍ୱର ସାଦୃଶ୍ୟ ଯୋଗୁଁ ଉଭୟ ଦେବୀଙ୍କୁ ଓଡ଼ିଶାର ରାଷ୍ଟ୍ରଦେବୀ ମାନ୍ୟତା ଦିଆଯାଏ I
ଦଶ ମହାବିଦ୍ୟାଙ୍କ ପଞ୍ଚମ ସ୍ୱରୂପ : ଦେବୀ ଭୈରବୀ :-
```````````````````````````````````````````````````````
ଭୈରବୀଙ୍କ ଅନ୍ୟନାମ ତ୍ରିପୁର ଭୈରବୀ । ଭୈରବୀଙ୍କ ଅଙ୍ଗକାନ୍ତି ସହସ୍ର ଉଦିତ ସୂର୍ଯ୍ୟ ଭଳି । ତାଙ୍କ ଗଳାଦେଶରେ ନରମୁଣ୍ଡମାଳ ରହିଛି । ଭୈରବୀଙ୍କର ଚୈତନ୍ୟଭୈରବୀ, ସମ୍ପତ୍ ପ୍ରଦା, କୌଳେଶ୍ୱରୀ, ଷଟ୍କୂଟା, ରୁଦ୍ର, ଅନ୍ନଦା, ଭୁବନା, ବାଳା ଆଦି ଅନେକ ରୂପ ରହିଛି । ଚାରିହସ୍ତରେ ରହିଛି ଅଭୟ, ବରମୁଦ୍ରା, ଜପମାଳା ଓ ପୁସ୍ତକ, ମସ୍ତକରେ ରତ୍ନ ମୁକୁଟ । ସେ ମୃଦୁହାସ୍ୟଯୁକ୍ତା ଓ ତାଙ୍କ ଓଷ୍ଠ ରକ୍ତିମ । ସେ ବାକ୍ ସିଦ୍ଧି, ମାନସିକ ଶାନ୍ତି ଆଦି ପ୍ରଦାନ କରିଥାନ୍ତି । ଏହାଙ୍କ ଭୈରବ ବା ଶିବ ହେଲେ ଦକ୍ଷିଣାମୂର୍ତ୍ତି ।
ଦଶ ମହାବିଦ୍ୟାଙ୍କ ଷଷ୍ଠ ସ୍ୱରୂପ : ଦେବୀ ଛିନ୍ନମସ୍ତା :-
`````````````````````````````````````````````````````````
ଦଶ ମହାବିଦ୍ୟାଙ୍କ ମଧ୍ୟରେ ଛିନ୍ନମସ୍ତା ହେଉଛନ୍ତି ସବୁଠାରୁ ଭୟଙ୍କର। କିନ୍ତୁ ପିଣ୍ଡବ୍ରହ୍ମାଣ୍ଡ ସିଦ୍ଧମାନଙ୍କ ମତରେ, ସେ ହେଉଛନ୍ତି ସାଧନାର ଏକ ଉଚ୍ଚ ଅନୁଭବର ପ୍ରତୀକ। ସେ ନିଜ ମୁଣ୍ଡକୁ ଆପଣା ହସ୍ତରେ ଛେଦନ କରି ନିଜ ହସ୍ତରେ ଧାରଣ କରିଥାଆନ୍ତି। ତାଙ୍କ ଛେଦିତ ବେକରୁ ବାହାରୁଥାଏ ତିନିଟି ରକ୍ତର ଧାରା। ଗୋଟିଏ ରକ୍ତର ଧାରା ଦେବୀଙ୍କ କଟାମୁଣ୍ଡର ପାଟିରେ ପଡ଼ୁଥାଏ ଏବଂ ସେହି କଟା ମୁଣ୍ଡ ଉକ୍ତ ରକ୍ତ ପାନ କରୁଥାଏ। ଅନ୍ୟ ଦୁଇଟି ରକ୍ତର ଝରକୁ ଦେବୀଙ୍କର ଦୁଇ ସହଚରୀ ପାନ କରୁଥାଆନ୍ତି। ଏହି ମହାବିଦ୍ୟା ଏକ ସଙ୍ଗମରତ ଦମ୍ପତିଙ୍କ ଉପରେ ବିରାଜମାନ କରିଥାଆନ୍ତି। ଏହି ଦେବୀଙ୍କର ରୂପରେ ଲୁଚି ରହିଛି ପିଣ୍ଡବ୍ରହ୍ମାଣ୍ଡ ସାଧନାର ଏକ ଦିବ୍ୟ ଅନୁଭବର ଗୂଢ଼ ରହସ୍ୟ ବା ମହାବିଦ୍ୟା।
ଛିନ୍ନମସ୍ତା ଦଶମହାବିଦ୍ୟା ମଧ୍ୟରେ ସବୁଠାରୁ ପ୍ରଚଣ୍ଡ ମୂର୍ତ୍ତି ଧାରଣ କରିଛନ୍ତି ତେଣୁ ତାଙ୍କୁ ପ୍ରଚଣ୍ଡଚଣ୍ଡୀ ମଧ୍ୟ କୁହାଯାଏ । ନିଜ ଛିନ୍ନ ଗଳଦେଶରୁ ନିର୍ଗତ ରୁଧିର ଧାର ପାନ କରିବାରେ ଛିନ୍ନମସ୍ତା ସର୍ବଦା ପ୍ରମତ୍ତ । ଛିନ୍ନମସ୍ତାଙ୍କ ଦୁଇ ପାର୍ଶ୍ୱରେ ଅଛନ୍ତି ବର୍ଣ୍ଣିନୀ ଓ ଡାକିନୀ । ସେ ଦୁହେଁ ମଧ୍ୟ ଛିନ୍ନମସ୍ତାଙ୍କ ରୁଧିର ପାନ କରିଥାନ୍ତି । ଛିନ୍ନମସ୍ତାଙ୍କ ଅନ୍ୟନାମ ବୈରୋଚନୀ, ସେ ସମସ୍ତ ଶତୃ ସଂହାର କାରିଣୀ, ଯୋଗସିଦ୍ଧିଦାୟିନୀ, ସମସ୍ତ ଦୁର୍ଭାଗ୍ୟ ନାଶକାରିଣୀ । ଏହାଙ୍କ ଶିବ ହେଲେ କବନ୍ଧ ।
ପ୍ରତ୍ୟାହାର ବା ଧାରଣା ଦୃଢ଼ ହେଲେ ସାଧକ କେବଳ ଆଜ୍ଞାଚକ୍ରର ଏକକ ଅନୁଭବ ପ୍ରାପ୍ତ ହୁଏ। ଏହି ସମୟରେ ଆଜ୍ଞାଚକ୍ର ଆଉ ଶରୀର ସହ ଜଡ଼ିତ ହୋଇ ଦୃଶ୍ୟମାନ ହୁଏ ନାହିଁ। ଏହା ନିଜ ମୁଣ୍ଡକୁ ନିଜ ହାତରେ କାଟି ଆପଣା ହସ୍ତରେ ଧାରଣ କରିବାକୁ ଦର୍ଶାଏ। ଏହି ସମୟରେ ସାଧକ ଅନୁଭବ କରନ୍ତି ଯେ ତାଙ୍କ ଶରୀରରେ ପରିବ୍ୟାପ୍ତ ଚେତନା ଆଉ ଆଜ୍ଞାଚକ୍ରରୁ ନିମ୍ନଗାମୀ ହୋଇ ପିଣ୍ଡବ୍ରହ୍ମାଣ୍ଡରେ ପରିବ୍ୟାପ୍ତ ହେଉ ନାହିଁ। ଧ୍ୟାନର ଏହି ଅନୁଭବ ସମୟରେ ଶରୀରସ୍ଥ ସମସ୍ତ ଚେତନା ଊର୍ଦ୍ଧ୍ୱଗାମୀ ହୋଇ ଫୁଆରା ଭଳି ବିଚ୍ଛୁରିତ ହେବା ଆରମ୍ଭ କରେ। ଏହାକୁ ହିଁ ଏହି ମହାବିଦ୍ୟାଙ୍କର ବେକରୁ ବାହାରୁଥିବା ତିନିଟି ରକ୍ତର ଧାରା ରୂପରେ ଦର୍ଶାଯାଇଛି। ଏଥି ମଧ୍ୟରୁ ଗୋଟିଏ ରକ୍ତଧାରାକୁ ଦେବୀଙ୍କ ଖଣ୍ଡିତ ମୁଣ୍ଡ ପାନ କରେ। ଏହା ସୁଷୁମ୍ନା ମାଧ୍ୟମରେ ଊର୍ଦ୍ଧ୍ୱଗାମୀ ଚେତନା ଆଜ୍ଞାଚକ୍ରରେ ପୁନଃମିଳିତ ହେବାକୁ ଦର୍ଶାଏ। ଅନ୍ୟ ଦୁଇଟି ରକ୍ତଧାରାକୁ ପାନ କରନ୍ତି ଏହି ମହାବିଦ୍ୟାଙ୍କର ଦୁଇ ସହଚରୀ। ସାଧକ ଆଜ୍ଞାଚକ୍ରକୁ ଏକକ ବିକଳ୍ପହୀନ ଅବସ୍ଥାରେ ଦର୍ଶନ କଲେ ବୁଝିପାରେ ଯେ ଶରୀରରେ ପରିବ୍ୟାପ୍ତ ଚେତନା ପ୍ରକୃତରେ ମେରୁଦଣ୍ଡସ୍ଥିତ ଇଡ଼ା ଓ ପିଙ୍ଗଳା ନାଡ଼ିମାନଙ୍କ ମଧ୍ୟରେ ବ୍ୟାପ୍ତ ହୁଏ। ଶରୀରସ୍ଥ ଚେତନା ଧାରାକୁ ଇଡ଼ା ଓ ପିଙ୍ଗଳାରେ ଅନୁଭବର ଏହା ହେଉଛି ପ୍ରତୀକ।
ଆମ ଶରୀର ହେଉଛି ଏକ ସଙ୍ଗମ ଅବସ୍ଥା। ଯେକୌଣସି ଜୀବନ୍ତ ଜୀବ ମଧ୍ୟରେ ଜଡ଼ ଓ ଚେତନର ସଙ୍ଗମ ଅହରହ ଜାରି ରହିଛି। ଏହାର ଊର୍ଦ୍ଧ୍ୱରେ ଅଛନ୍ତି ଆଜ୍ଞାଚକ୍ରରୂପୀ ମହାବିଦ୍ୟା ଛିନ୍ନମସ୍ତା। ପିଣ୍ଡବ୍ରହ୍ମାଣ୍ଡର ପ୍ରତି କୋଣ ଅନୁକୋଣରେ ପରିବ୍ୟାପ୍ତ ଏହି ସଙ୍ଗମକୁ ନିଜର ଆସ୍ଥାନ ରୂପେ ଗ୍ରହଣ କରିବାକୁ ହୁଏ। ଏହାକୁ ନିଜ ଜୀବନ୍ତ ସ୍ଥିତିର କାରଣ ଭାବେ ଗ୍ରହଣ କରି ସାଧନା ଦ୍ୱାରା ଏହାର ଊର୍ଦ୍ଧ୍ୱରେ ଅବସ୍ଥିତ ଛିନ୍ନମସ୍ତା ବା ଆଜ୍ଞାଚକ୍ରର ଅନୁଭୂତି ପ୍ରାପ୍ତ କରିବାକୁ ହୁଏ।
ଦଶ ମହାବିଦ୍ୟାଙ୍କ ସପ୍ତମ ସ୍ୱରୂପ : ଦେବୀ ଧୂମାବତୀ :-
`````````````````````````````````````````````````````````
ଧୂମାବତୀ ଦୀର୍ଘାଙ୍ଗୀ, ମଳିନବସ୍ତ୍ର ପରିହିତା ତଥା ବିଧବାରୂପ ଧାରିଣୀ, ତେଣୁ ସେ ଶିବଙ୍କ ବିନା ପୂଜିତା । ତାଙ୍କର ଗୋଟିଏ ହସ୍ତରେ ଅଛି କୁଲା, ଅନ୍ୟ ହସ୍ତରେ ବରମୁଦ୍ରା । ସେ ଦୁଃଖହାରିଣୀ, ବାଦବିବାଦରୁ ମୁକ୍ତିଦାୟିନୀ ଏବଂ ମୋକ୍ଷଦାୟିନୀ ।
ଦଶ ମହାବିଦ୍ୟାଙ୍କ ଅଷ୍ଟମ ସ୍ୱରୂପ : ଦେବୀ ବଗଳାମୁଖୀ :-
``````````````````````````````````````````````````````````
ଦେବୀ ବଗଳାମୁଖୀଙ୍କଠାରେ କାଳୀ, ତାରା, ଷୋଡ଼ଶୀଙ୍କ ଶକ୍ତି ଏକୀଭୂତ ହୋଇଛି । ମା’ ବଗଳାମୁଖୀ ବୈଶାଖ ଶୁକ୍ଳ ପକ୍ଷ ଅଷ୍ଟମ ତିଥି ଏବଂ ରବି ପୁଷ୍ୟ ଗ୍ରହ ଯୋଗରେ ଅବତାର ଗ୍ରହଣ କରିଥିଲେ। ଏହି ଯୋଗରେ ମାତାଙ୍କ ଆରାଧନା ବିଶେଷ ଫଳ ପ୍ରଦାନ କରିଥାଏ। ପୀତାମ୍ବରା, ବାବଳା, ବଗଳାମୁଖ, ବ୍ରହ୍ମାସ୍ତ୍ର ବିଦ୍ୟା ଆଦି ଦେବୀଙ୍କ ଅନ୍ୟନାମ। ଦେବୀ ବଗଳାମୁଖୀ ହେଉଛନ୍ତି ପୀତବର୍ଣ୍ଣ, ତ୍ରିନୟନା, କମଳ ଆସନରେ ଉପବିଷ୍ଟା। ଲଲାଟରେ ଅର୍ଦ୍ଧଚନ୍ଦ୍ର। ଦେବୀ ଗମ୍ଭୀରା, ତପ୍ତକାଞ୍ଚନ ଭଳି ତାଙ୍କର ବର୍ଣ୍ଣ। ଦେବୀଙ୍କ ଆରାଧନା ଦ୍ୱାରା ସକଳ କଷ୍ଟ ନିବାରଣ ହୋଇଥାଏ । ଦେବୀ ବଳଗାମୁଖୀଙ୍କ ସ୍ୱରୂପ ସର୍ବଦା ଅତି ସୌମ୍ୟତା ଓ ଶାନ୍ତି ରେ ପରିପୂର୍ଣ୍ଣ ରହିଥାଏ।
ଦେବୀ ବଗଳାମୁଖୀ ହଳଦୀବର୍ଣ୍ଣ ବସ୍ତ୍ର ପରିଧାନ କରନ୍ତି । ସ୍ୱର୍ଣ୍ଣସିଂହାସନରେ ଉପନିବେଶ କରିଥାନ୍ତି । ତାଙ୍କର ଗୋଟିଏ ହସ୍ତରେ ଅଛି ମୁଦ୍ଗର, ଅନ୍ୟ ହସ୍ତରେ ଶତ୍ରୁର ଜିହ୍ୱା । ବଗଳାମୁଖୀ ଆଶୁ ଫଳ ପ୍ରଦାନ କରନ୍ତି, ସାଧନାମାର୍ଗର ବାଧା ଦୂର କରନ୍ତି ଏବଂ ସମସ୍ତ ଶତୃଙ୍କ ବାକ୍ ସ୍ତମ୍ଭନ କରିଥାନ୍ତି । ବଗଳାଙ୍କ ଶିବ ହେଲେ ମହାରୁଦ୍ର ବା ମୃତ୍ୟୁଞ୍ଜୟ।
କୁବ୍ଜିକା ତନ୍ତ୍ର ଅନୁଯାୟୀ, ସତ୍ୟଯୁଗରେ ଏକ ପ୍ରଳୟଙ୍କରୀ ଝଡ଼ ସମଗ୍ର ସଂସାରକୁ ଧ୍ୱଂସ କରିବା ପାଇଁ ଆଗେଇ ଚାଲିଥିଲା । ଏହି ଝଡ଼ରେ ପ୍ରାଣୀଜଗତର ବିନାଶ ହେବାର ଆଶଙ୍କା ସୃଷ୍ଟି ହେଲେ। ସମସ୍ତ ପ୍ରାଣୀଜଗତର ସଙ୍କଟ ଦେଖୀ ଶ୍ରୀବିଷ୍ଣୁ ବିଚଳିତ ହୋଇ ଭଗବାନ ଶିବଙ୍କ ଆରାଧନା କଲେ। ଶିବ କହିଲେ, କେବଳ ଦେବୀ ଶକ୍ତି ହିଁ ଏଭଳି ପ୍ରଳୟରୁ ସଂସାରକୁ ରକ୍ଷା କରିପାରିବେ। ଭଗବାନ ବିଷ୍ଣୁ ତପସ୍ୟା କରି ‘ମହାତ୍ରିପୁରସୁନ୍ଦରୀ’ଙ୍କୁ ପ୍ରସନ୍ନ କଲେ । ଏହାପରେ ହରିଦ୍ରା ଜଳାଶୟ ନିକଟରେ ମାତା ବଗଳାମୁଖୀ ଅବତାର ଧାରଣ କଲେ । ଦେବୀ ନିଜର ଶକ୍ତିବଳରେ ଭୟଙ୍କର ଝଡ଼ର ସାମ୍ନା କରି ସୃଷ୍ଟିର ବିନାଶକୁ ଏଡ଼ାଇ ଦେଇଥିଲେ। ଆଦିଶକ୍ତି ବୈଶାଖ ଚତୁର୍ଦ୍ଦଶୀ ରାତ୍ରରେ ବଗଳାମୁଖୀ ରୂପରେ ଅବତରଣ ହୋଇଥିଲେ।
ବଗଳାମୁଖୀଙ୍କୁ ବୀରରତି ବୋଲି ମଧ୍ୟ କୁହାଯାଏ । କାରଣ ଦେବୀ ସ୍ୱୟଂ ବ୍ରହ୍ମଚାରିଣୀ ଅଟନ୍ତି। ବ୍ୟାଧି ରୂପରେ ଶତ୍ରୁଙ୍କ ସଂହାର କରିବାର ଇଚ୍ଛା ରଖୁଥିବା ଓ ସମଷ୍ଟି ରୂପରେ ପରମାତ୍ମାଙ୍କ ସଂହାର ରୂପ ହେଉଛନ୍ତି ମା’ ବଗଳାମୁଖୀ। ହରିଦ୍ରା ସରୋବାରୁ ଅବତରଣ ହୋଇଥିବାରୁ ମା’ ବଗଳାମୁଖୀଙ୍କ ବସ୍ତ୍ର ଏବଂ ପୂଜନ ସାମଗ୍ରୀ ସବୁ ହଳଦିଆ ରଙ୍ଗର ହୋଇଥାଏ। ବଗଳାମୁଖୀଙ୍କ ମନ୍ତ୍ର ଜପ କରିବା ପାଇଁ ମଧ୍ୟ ହଳଦୀ ମାଳା ଆବଶ୍ୟକ ହୋଇଥାଏ । ବଗଳାମୁଖୀଙ୍କ ତନ୍ତ୍ରସାଧନା ଗୁରୁଙ୍କ ନିର୍ଦ୍ଦେଶନରେ କରିବା ଆବଶ୍ୟକ। ପୀତାମ୍ବରା ନାମରେ ନାମିତ ମା’ ବଗଳାମୁଖୀଙ୍କ ସାଧନା ପ୍ରାୟତଃ ଶତ୍ରୁଭୟ ମୁକ୍ତି ଓ ବାକ୍ସିଦ୍ଧି ପାଇଁ କରାଯାଏ। ମା’ବଗଳାମୁଖୀଙ୍କ ସାଧନା ଦ୍ୱାରା ଇହଜନ୍ମ ଓ ପରଜନ୍ମ କୃତ ପାପ ନାଶ ହେଇଥାଏ।
ଦଶ ମହାବିଦ୍ୟାଙ୍କ ନବମ ସ୍ୱରୂପ : ଦେବୀ ମାତଙ୍ଗୀ :-
`````````````````````````````````````````````````````````
ସେ ହେଉଛନ୍ତି ଶ୍