ତନ୍ତ୍ରର_ଗୁରୁକରଣ_ଓ_ଦୀକ୍ଷାପଦ୍ଧତି Tantra Ra Gurukaran O Dikshya Padhati

ABOUT INTEX
0

ନିଜ ନିଜ ବର୍ଣ୍ଣାଶ୍ରମୋଚିତ ଧର୍ମ ପାଳନ (ବ୍ରହ୍ମଚର୍ଯ୍ୟାଦି ବ୍ରତ-ଆଚାର) ଏବଂ ସାଧୁସଙ୍ଗ ଦ୍ୱାରା ଚିତ୍ତ ନିର୍ମଳ ହେବା ପରେ ସଦ୍‌ଗୁରୁ ଅନ୍ଵେଷଣ ପୂର୍ବକ ଦୀକ୍ଷା ଗ୍ରହଣ କରିବା ବିଧେୟ । କ୍ଷୁଧା ବୋଧହେବା ପୂର୍ବରୁ ଆହାର ବସ୍ତୁ ଗ୍ରହଣ କଲେ, ଯେପରି ଆହାରରେ ଅରୁଚି ବୋଧ ହୋଇଥାଏ, ସେହିପରି ପ୍ରୟୋଜନ ନ ବୁଝି କାହାରି ଅନୁରୋଧରେ ମନ୍ତ୍ର ଗ୍ରହଣ କଲେ, ସାଧନ ବିଷୟରେ ଅରୁଚି ଜାତ ହୁଏ । ଆଜି କାଲି ଦୀକ୍ଷାଗ୍ରହଣ ହିନ୍ଦୁସମାଜରେ ଦଶକର୍ମର ଗୋଟିଏ ଅଙ୍ଗ ହୋଇପଡ଼ିଲାଣି । ଅଗ୍ରଜଙ୍କର ଦୀକ୍ଷା ଗ୍ରହଣ ନ ହେଲେ, କନିଷ୍ଠ ମନ୍ତ୍ର ଗ୍ରହଣ କରିପାରିବ ନାହିଁ—ଏଭଳି ଧାରଣା ଅତ୍ୟନ୍ତ ଭ୍ରମାତ୍ମକ । ଜନ୍ମଜନ୍ମାନ୍ତରର ସୁକୃତି ଫଳରେ ଧର୍ମରେ ପ୍ରବୃତ୍ତି ଜାତ ହୋଇଥାଏ । ଜ୍ୟେଷ୍ଠଙ୍କର ଯଦି ଏ ଜୀବନରେ ସେ ସୁକୃତିର ଉନ୍ମେଷ ନ ହୁଏ, ସେଥ‌ିପାଇଁ କଣ ଭାଗ୍ୟବାନ କନିଷ୍ଠ ଆଧ୍ୟାତ୍ମିକ ଉନ୍ନତି ନିମିତ୍ତ ଅଗ୍ରଜଙ୍କ ଆଡ଼କୁ ଅନାଇ ରହିବେ ? ସାମାଜିକ ଆଚାର ବା କୌଳିକ ଆଚାରରେ ଏହି ପ୍ରଥା ପ୍ରଚଳିତ ଥିଲେ ମଧ୍ୟ ଆଧ୍ୟାତ୍ମିକ କ୍ଷେତ୍ରରେ ତାହାର ପ୍ରୟୋଗ ହୋଇପାରେ ନାହିଁ । ଭାଗ୍ୟବାନ ବ୍ୟକ୍ତିମାନଙ୍କ ମଧ୍ୟରେ ଯେତେବେଳେ ଯେଉଁ ବ୍ୟକ୍ତି ନିଜ ନିଜର କର୍ତ୍ତବ୍ୟ ହୃଦୟଙ୍ଗମ କରିପାରିବେ, ସେତେବେଳେ ହିଁ ସେ ଆଧ୍ୟାତ୍ମିକ ଉନ୍ନତି ନିମିତ୍ତ ଚେଷ୍ଟା କରି ପାରିବେ; ଅନ୍ୟ କାହାକୁ ଅପେକ୍ଷା କରି ବସିରହିବା କେବେହେଲେ ଉଚିତ ହେବନାହିଁ । ଅତଏବ, ମାନବଜୀବନରେ ସାର୍ଥକତା ଅର୍ଥାତ୍ ଭଗବାନ୍‌ଙ୍କ ନିମିତ୍ତ ବ୍ୟାକୁଳତା ଜାତହେଲା ମାତ୍ରେ ଶ୍ରୀଗୁରୁଙ୍କ ଶ୍ରୀମୁଖରୁ ମନ୍ତ୍ରାଦି ଅବଗତ ହୋଇ ତାହାର ଅନୁଷ୍ଠାନପୂର୍ବକ ଅନାୟାସରେ ଘୋର ସଂସାରବନ୍ଧନରୁ ମୁକ୍ତିଲାଭ କରିପାରିବେ । ପୁଣି ଅନ୍ୟାନ୍ୟ ସାତ୍ତ୍ୱିକ ଆଚାରାଦି ପ୍ରତିପାଳନ କରିବା ସଙ୍ଗେ ସଙ୍ଗେ ଧର୍ମଜ୍ଞ ବ୍ୟକ୍ତିମାନଙ୍କ ସହିତ ଦୀକ୍ଷାର ଆବଶ୍ୟକ‌ତା ସମ୍ବନ୍ଧରେ ଆଲୋଚନା କରିବା ଦରକାର । ଦୀକ୍ଷା ବ୍ୟତୀତ ପ୍ରାଣୀର ମୁକ୍ତିଲାଭ ହୋଇପାରେ ନାହିଁ । ଏହା ହିଁ ଶିବୋକ୍ତ ତନ୍ତ୍ରଶାସ୍ତ୍ରର ଅନୁଶାସନ । ଯୋଗ ବ୍ୟତୀତ ତନ୍ତ୍ର ଓ ମନ୍ତ୍ର ବ୍ୟତୀତ ଯୋଗ ସିଦ୍ଧି ହୋଇପାରେ ନାହିଁ । ଏହି ଦୁଇଟିର ସାଧନା ଦ୍ବାରା ବ୍ରହ୍ମ-ସାକ୍ଷାତ୍‌କାର ହୋଇଥାଏ । ଯେପରି ଅନ୍ଧକାରାଚ୍ଛନ୍ନ ଗୃହରେ ଆଲୋକ ସାହାଯ୍ୟରେ ଘଟ ପରିଲକ୍ଷିତ ହୁଏ, ସେହିପରି ମାୟା-ପରିବୃତ ଆତ୍ମା ମଧ୍ୟ ମନ୍ତ୍ରଦ୍ୱାରା ପ୍ରକାଶିତ ହୋଇଥାନ୍ତି । ଅତଏବ, କଳିକାଳରେ ପ୍ରତ୍ୟେକ ବ୍ୟକ୍ତି ହିଁ ଆଗମୋକ୍ତ ବିଧାନ ଅନୁସାରେ ଦୀକ୍ଷା ଗ୍ରହଣ କରିବା ବିଧେୟ ।

“ଦିବ୍ୟଜ୍ଞାନଂ ଯତୋ ଦଦ୍ୟାତ୍ କୁର୍ଯ୍ୟାତ୍ ପାପକ୍ଷୟଂ ତତଃ । ତସ୍ମାଦ୍ଦୀକ୍ଷେତି ସା ପ୍ରୋକ୍ତା ସର୍ବତନ୍ତ୍ରସ୍ୟ ସମ୍ମତା ॥"( ବିଶ୍ୱସାର ତନ୍ତ୍ର, ୬ଷ୍ଠ ପ:)

ଯାହା ଦିବ୍ୟଜ୍ଞାନ ପ୍ରଦାନ କରେ ଓ ପାପ ନଷ୍ଟ କରେ, ତାହାକୁ ତନ୍ତ୍ରବିଦ୍‌ମାନେ ଦୀକ୍ଷା ବୋଲି କୀର୍ତନ କରିଛନ୍ତି ।

ଅଦୀକ୍ଷିତ ବ୍ୟକ୍ତି ଭକ୍ତିପୂର୍ବକ ସହସ୍ର ଉପଚାର ଦ୍ବାରା ଅର୍ଚ୍ଚନା କଲେ ମଧ୍ୟ ଦେବତାମାନେ ତାଙ୍କର ପୂଜା ଗ୍ରହଣ କରନ୍ତି ନାହିଁ । ଯେହେତୁ ଅଦୀକ୍ଷିତ ବ୍ୟକ୍ତିଙ୍କର ସମସ୍ତ କାର୍ଯ୍ୟ ବୃଥା ହୋଇଥାଏ, ସେଥ‌ିପାଇଁ ଅଦୀକ୍ଷିତ ବ୍ୟକ୍ତି ପଶୁ ମଧ୍ୟରେ ପରିଗଣିତ । ଯେଉଁ ବ୍ୟକ୍ତି ଶାସ୍ତ୍ରରୁ ମନ୍ତ୍ର ଦେଖି ଗୁରୁଦେବଙ୍କୁ ଅନାଦରପୂର୍ବକ ତାହା ଜପ କରନ୍ତି, ସେଥିରେ ଫଳ ପାଇବା ତ ଦୂରେ ଥାଉ, ବରଂ ତାଙ୍କର ସର୍ବନାଶ ଘଟେ । ଅତଏବ, ପାପନାଶିନୀ ମହାବିଦ୍ୟା ଶ୍ରୀଗୁରୁଙ୍କ ନିକଟରୁ ଯତ୍ନ ପୂର୍ବକ ଗ୍ରହଣ କରି ତାହାର ସାଧନା କରିବା ବିଧେୟ ।

‘କୁଳଗୁରୁଙ୍କ’ * ନିକଟରୁ ମନ୍ତ୍ର ଗ୍ରହଣ କରିବା କର୍ତବ୍ୟ । କିନ୍ତୁ ଗୁରୁଙ୍କ ବଂଶରେ ଉପଯୁକ୍ତ ବ୍ୟକ୍ତି କେହି ନ ଥିଲେ, ଶାସ୍ତ୍ରନିର୍ଦ୍ଦିଷ୍ଟ ଲକ୍ଷଣ ଦେଖି ଗୁରୁଗ୍ରହଣ କରିବା ଦରକାର । ତନ୍ତ୍ରଶାସ୍ତ୍ର ଅତୀବ ଦୁର୍ଗମ ବିଷୟ । ସୁତରାଂ ସମୋପଯୁକ୍ତ ଗୁରୁଙ୍କର ଏକାନ୍ତ ଆବଶ୍ୟକ ।

( କୁଳଗୁରୁ ଅର୍ଥ ନିଜ ନିଜ ବଂଶର ଗୁରୁ ନୁହନ୍ତି । କୁଳାଚାରସମ୍ପନ୍ନ ସତ୍‌କୌଳ ହିଁ କୁଳଗୁରୁ । ଅକୁଳ ଭବସାଗରରେ ସମସ୍ତେ ଭାସି ବୁଲୁଛନ୍ତି । ଏହାଙ୍କ ମଧ୍ୟରେ ଯେ କୁଳପ୍ରାପ୍ତ ହୋଇଛନ୍ତି, ତାଙ୍କୁ ହିଁ କୁଳଗୁରୁ କୁହାଯାଏ । ଶ୍ରଦ୍ଧେୟ ବିଜୟକୃଷ୍ଣ ଗୋସ୍ୱାମୀ କହିଛନ୍ତି, ଯାହାଙ୍କର କୁଳକୁଣ୍ଡଳିନୀ ଶକ୍ତି ଜାଗ୍ରତ ହୋଇଛନ୍ତି, ତାଙ୍କୁ କୁଳଗୁରୁ କୁହାଯାଏ । ସୁତରାଂ ଏଭଳି ଗୁରୁ ଲାଭ କରି ମଧ୍ଯ ଯେଉଁମାନେ ତାଙ୍କୁ ପରିତ୍ୟାଗ କରନ୍ତି, ସେମାନଙ୍କ ପରି ହତଭାଗ୍ୟ ଆଉ କିଏ ଅଛନ୍ତି ?

ପୁଣି କେବଳ ଗୁରୁ ଉପଯୁକ୍ତ ହେଲେ ଚଳିବ ନାହିଁ । ଶିଷ୍ୟର ମଧ୍ୟ ବିଶେଷ ଯୋଗ୍ୟତା ଆବଶ୍ୟକ । ମନ୍ତ୍ରର ଗତି ଓ କମ୍ପନ ସହିତ ଶ୍ରୀଗୁରୁଙ୍କ ଆଧ୍ୟାତ୍ମିକ ଶକ୍ତି ଶିଷ୍ୟଙ୍କଠାରେ ସଞ୍ଚାରିତ ହୋଇଥାଏ । ଯେ ଗୁରୁ, ତାଙ୍କର ଏହି ଶକ୍ତିସଞ୍ଚାରର କ୍ଷମତା ଥିବା ଏକାନ୍ତ ଆବଶ୍ୟକ । ପୁଣି ଶିଷ୍ୟର ମଧ୍ୟ ସେହି ଶକ୍ତିସଞ୍ଚରଣ ଗ୍ରହଣ କରିବାର ଶକ୍ତି ଥିବା ନିତ୍ୟାନ୍ତ ଦରକାର । ବୀଜ ସତେଜ ଓ ଭୂମି ସୁନ୍ଦର ରୂପେ କର୍ଷିତ ନ ହେଲେ, ସୁନ୍ଦର ବୃକ୍ଷ ଉତ୍ପତ୍ତିର ଆଶା ବିଡ଼ମ୍ବନା । ଦର୍ଶନ-ବିଜ୍ଞାନ ଚର୍ଚ୍ଚା ବା ଗ୍ରନ୍ଥପାଠ ଦ୍ବାରା ଏହି ଶକ୍ତି ସଞ୍ଚାର ହୋଇପାରେ ନାହିଁ । ଶିଷ୍ୟ ପ୍ରତି ସମବେଦନାବଶରୁ ଶ୍ରୀଗୁରୁଙ୍କର ଆଧ୍ୟାତ୍ମିକ ଶକ୍ତି କମ୍ପନବିଶିଷ୍ଟ ହୋଇ ଶିଷ୍ୟଙ୍କଠାରେ ସଞ୍ଚାରିତ ହୋଇଥାଏ । ତେଣୁ ତନ୍ତ୍ରଶାସ୍ତ୍ରକାର କହିଛନ୍ତି —

"ଏକପ୍ୟକ୍ଷରଂ ଯସ୍ତୁ ଗୁରୁ ଶିଷ୍ୟ ନିବେଦୟେତ୍‌ । 
ପୃଥ୍ବ୍ୟା ନାସ୍ତି ତଦ୍ରବ୍ୟ ଯଦ୍ଦତ୍ତ୍ୱା ଚାନୃଣୀ ଭବେତ୍ ॥ (ଜ୍ଞାନ-ସଂକଳିନୀତନ୍ତ୍ର)

ଯେଉଁ ଗୁରୁ ଶିଷ୍ୟକୁ ଏକାକ୍ଷରୀ ମନ୍ତ୍ର ପ୍ରଦାନ କରନ୍ତି, ପୃଥ‌ିବୀ ମଧ୍ୟରେ ଏପରି କୌଣସି ଦ୍ରବ୍ୟ ନାହିଁ, ତାଙ୍କୁ ଦାନ କରି ଶିଷ୍ୟ ତାଙ୍କ ନିକଟରୁ ଋଣମୁକ୍ତ ହୋଇପାରିବେ ।

ଯେଉଁ ବ୍ୟକ୍ତି ଗୁରୁଙ୍କୁ ମନୁଷ୍ୟ ଜ୍ଞାନ କରନ୍ତି, ମନ୍ତ୍ରକୁ ଅକ୍ଷରାବଳୀ ବୋଲି ମନେ କରନ୍ତି ଏବଂ ପ୍ରସ୍ତରମୟୀ ଦେବତା-ମୂର୍ତ୍ତିଙ୍କୁ ଶିଳାଜ୍ଞାନରେ ଉପେକ୍ଷା କରନ୍ତି, ସେହି ବ୍ୟକ୍ତି ନରକ ଗମନ କରନ୍ତି । ଗୁରୁଙ୍କୁ ପିତା, ମାତା, ସ୍ୱାମୀ, ଦେବତା ଓ ଆଶ୍ରୟ ଜ୍ଞାନରେ ପୂଜା କରିବା ବିଧେୟ । କାରଣ ଶିବ ରୁଷ୍ଟ ହେଲେ ଗୁରୁ ରକ୍ଷା କରିବାକୁ ସମର୍ଥ, କିନ୍ତୁ ଗୁରୁ ରୁଷ୍ଟ ହେଲେ ଆଉ କେହି ରକ୍ଷକ ନାହାନ୍ତି । ସୁତରାଂ କାୟ.ବାକ୍ୟ, ମନ, ଶରୀର ଓ କର୍ମ ଦ୍ୱାରା ଗୁରୁଦେବଙ୍କର ସେବା କରିବା ଆବଶ୍ୟକ ଶ୍ରୀଗୁରୁଙ୍କର ଅହିତାଚରଣ କଲେ, ବିଷ୍ଠା ମଧ୍ୟରେ କୃମିକୀଟ ହୋଇ ଜନ୍ମଗ୍ରହଣ
କରିବାକୁ ପଡ଼େ । ପିତା ଏହି ଶରୀର ଦାନ କରିଛନ୍ତି ସତ୍ୟ କିନ୍ତୁ ଯେତେବେଳେ ଜ୍ଞାନ ବ୍ୟତୀତ ଏହି ଶରୀରଧାରଣ ନିରର୍ଥକ, ସେତେବେଳେ ଜ୍ଞାନଦାତା ଗୁରୁଦେବଙ୍କ ଠାରୁ ଏହି ଦୁଃଖସମାକୁଳ ଜଗତରେ ଅଧିକତର ଗୁରୁ ଆଉ କେହି ନାହାନ୍ତି । ମନ୍ତ୍ରତ୍ୟାଗୀଙ୍କର ମୃତ୍ୟୁ, ଗୁରୁତ୍ୟାଗୀଙ୍କର ଦରିଦ୍ରତା ଏବଂ ଗୁରୁ ଓ ମନ୍ତ୍ର ଉଭୟ ତ୍ୟାଗୀଙ୍କର ଗୌରବ ନାମକ ନରକକୁ ଗତି ହୋଇଥାଏ । ଗୁରୁଦେବ ନିକଟରେ ଉପସ୍ଥିତ ଥିଲେ ଯେଉଁ ବ୍ୟକ୍ତି ଅନ୍ୟ ଦେବତାଙ୍କ ପୂଜା କରନ୍ତି, ସେହି ବ୍ୟକ୍ତି ଘୋରତର ନରକକୁ ଗମନ କରନ୍ତି ଏବଂ ତାଙ୍କକୃତ ପୂଜା ନିଷ୍ଫଳ ହୋଇଥାଏ । ମନ୍ତ୍ରଦାତା ଗୁରୁ ଅସତ୍‌ପ‌ଥଗାମୀ ହେଲେ ମଧ୍ୟ ତାଙ୍କୁ ସାକ୍ଷାତ୍ ଶିବ ଜ୍ଞାନ କରିବ, କାରଣ ତାଙ୍କ ଭିନ୍ନ ଅନ୍ୟ ଗତି ନାହିଁ । ତେଣୁ ବୈଷ୍ଣବମାନେ କହିଥା'ନ୍ତି –

" ଗଲେ ପଛେ ଯାଉଥାନ୍ତୁ ଗୁରୁ ଶୁଣ୍ଢି ଘର । 
ତେବେହେଲେ ନିତ୍ୟାନନ୍ଦ ପୂଜ୍ୟ ଗୁରୁ ମୋର ॥

ଯେଉଁ ଗୁରୁଙ୍କ କର୍ତ୍ତୃକ ପରମପଦ ଦୃଷ୍ଟ ହୁଏ, କି ବିଦ୍ୟା, କି ତୀର୍ଥ, କି ଦେବତା କେହି ହେଲେ ସେହି ଗୁରୁଙ୍କ ତୁଲ୍ୟ ନୁହନ୍ତି । ଯେଉଁ ଗୁରୁଦେବଙ୍କ କର୍ତ୍ତୃକ ପରମପଦ ଦୃଷ୍ଟ ହୋଇଥାଏ, ସେହି ଗୁରୁଙ୍କ ତୁଲ୍ୟ ମିତ୍ର କେହି ନାହାନ୍ତି ଏବଂ ପୁତ୍ର, ପିତା, ବାନ୍ଧବ, ସ୍ୱାମୀ ପ୍ରଭୃତି କେହି ହେଲେ ତାଙ୍କ ସମତୁଲ୍ୟ ହୋଇପାରନ୍ତି ନାହିଁ । ଶ୍ରୀ ଗୁରୁଦେବଙ୍କର ଏତାଦୃଶ ପୂଜ୍ୟଭାବ କାହିଁକି ହେଲା ? ପ୍ରକୃତ ପକ୍ଷରେ ଯେଉଁ ଗୁରୁଦେବଙ୍କ କର୍ତ୍ତୃକ ପରମପଦ ଦୃଷ୍ଟ ହୁଏ, ଅର୍ଥାତ୍ ବ୍ରହ୍ମ-ସାକ୍ଷାତ୍‌କାର ଲାଭ ହୁଏ, ଯେ ଅଜ୍ଞାନତିମିରାବୃତ ଚକ୍ଷୁ ଜ୍ଞାନାଞ୍ଜନ-ଶଳାକା ଦ୍ୱାରା ଉନ୍ମୂଳିତ କରି ଦିବ୍ୟଜ୍ଞାନ ପ୍ରଦାନ କରନ୍ତି, ତାଙ୍କ ଅପେକ୍ଷା ଜଗତରେ ଆଉ ବା କିଏ ଗରୀୟାନ, ମହୀୟାନ ଓ ଆତ୍ମୀୟ ଅଛନ୍ତି ? ଆମେ ତାଙ୍କୁ ଭକ୍ତିପ୍ରୀତି ପ୍ରଦାନ କରିବା ନାହିଁ ତ ଆଉ କାହାକୁ ବା କରିବା ? 
ଆଜିକାଲି ଅନେକେ ବୁଦ୍ଧିର ମଳିନତା ହେତୁ ଏବଂ ଶିକ୍ଷାଦୋଷରୁ ଓ ସଂସର୍ଗ ଗୁଣରୁ ଗୁରୁଦେବଙ୍କ ପ୍ରୟୋଜନୀୟତା ସ୍ୱୀକାର କରନ୍ତି ନାହିଁ । ସେମାନଙ୍କର ବିଶ୍ୱାସ, ଗୁରୁକରଣ ହିନ୍ଦୁମାନଙ୍କର ଗୋଟିଏ କୁସଂସ୍କାର ଭିନ୍ନ ଆଉ କିଛି ନୁହେଁ । କିନ୍ତୁ ସେମାନଙ୍କର ବୁଝିବା ଉଚିତ୍

କିନ୍ତୁ ଦୁଃଖର ବିଷୟ, ବର୍ତ୍ତମାନ ଯୁଗରେ ଗୁରୁଗିରି ଗୋଟାଏ ବ୍ୟବସାୟରେ ପରିଣତ ହୋଇଅଛି । ସେମାନେ ମାନବର ଆତ୍ମାକୁ ନେଇ, ପବିତ୍ର ଧର୍ମକୁ ନେଇ ପିଲାଙ୍କ ଭଳି ଖେଳ ଖେଳୁଛନ୍ତି । ସେମାନେ ଧର୍ମଚକ୍ରରେ ବାହାରେ ରହି କେବଳ କ୍ରୀଡ଼ା କରୁଛନ୍ତି ମାତ୍ର ଏବଂ ତଥାକଥିତ ଗୁରୁମାନଙ୍କର କ୍ରୀଡ଼ାପୁତ୍ତଳିକା ସାଜି ହିନ୍ଦୁମାନେ କ୍ରମେ ଆଧ୍ୟାତ୍ମିକ ଶକ୍ତିହରା ହୋଇପଡ଼ୁଛନ୍ତି । ଗୁରୁ ଅଧ୍ୟାତ୍ମିକ ବଳରେ ବଳୀୟାନ୍ ନ ହେଲେ, ଶିଷ୍ୟର ଆଧ୍ୟତ୍ମିକ ଶକ୍ତି ଲାଭର କୌଣସି ସମ୍ଭାବନା ନାହିଁ । କେବଳ ଗୁରୁ ବଂଶରେ ଜନ୍ମଗ୍ରହଣ କଲେ କିମ୍ବା ଶବ୍ଦରାଶି ମନ୍ଥନ କରି ବଡ ବଡ କଥା ଆବିଷ୍କାର କରିପାରିଲେ ବୋଲି କେହି କେବେ ଗୁରୁ ପଦବାଚ୍ୟ ହୋଇପାରିବେ ନାହିଁ । ଗୁରୁ ଆଧ୍ୟାତ୍ମିକ ଜଗତର ଲୋକ, ପୁଣି ଆଧ୍ୟାତ୍ମିକ ଶକ୍ତିସମ୍ପନ୍ନ ହୋଇ ମଧ୍ୟ ସେହି ଶକ୍ତିକୁ ଶିଷ୍ୟଠାରେ ସଞ୍ଚାରିତ କରିବାକୁ ଯେ ଶିକ୍ଷା କରିନାହାନ୍ତି, ସେ କେବେହେଲେ ଗୁରୁ ହୋଇପାରିବେ ନାହିଁ । ସେଭଳି ଗୁରୁଙ୍କ ଦ୍ବାରା ଶିଷ୍ୟର କୌଣସି ହିତ ସାଧିତ ହୋଇପାରେ ନାହିଁ । କେବଳ ଜଣେ ଅନ୍ଧ ଆଉ ଜଣେ ଅନ୍ଧକୁ ବାଟ ଦେଖାଇବା ପରି ଚତୁର୍ଦ୍ଦିଗରେ ଘୂରିବୁଲିବା ସାର ହେବ । ସମୟ ଥାଉଁ ଥାଉଁ ସତର୍କ ହେବା ଯେପରି ସବୁ କାମରେ ପ୍ରୟୋଜନ, ଏହି କ୍ଷେତ୍ରରେ ମଧ୍ୟ ତାହା କର୍ତ୍ତବ୍ୟ । ସୁତରାଂ ଶିଷ୍ୟର କର୍ତ୍ତବ୍ୟ, ଆଧ୍ୟାତ୍ମିକଶକ୍ତି- ସଞ୍ଚାରଣକ୍ଷମ ଗୁରୁଙ୍କ ନିକଟରୁ ମନ୍ତ୍ର ଗ୍ରହଣ କରିବା । ଯାହା ମୁକ୍ତିର ଏକମାତ୍ର ଉପାୟ, ଯାହା ଆତ୍ମୋନ୍ନତିର ଏକମାତ୍ର କାରଣ, ତାହାକୁ ନେଇ ଖେଳିବା ଶୋଭନୀୟ ନୁହେଁ ।
ଯେ, ଏହି କୁସଂସ୍କାରର ବଶବର୍ତ୍ତୀ ହୋଇ ହିନ୍ଦୁସମାଜରେ ଯେତେ ଲୋକ ଶ୍ରେଷ୍ଠତ୍ୱ ଲାଭ କରିପାରିଛନ୍ତି, କୌଣସି ସୁସଂସ୍କୃତ ସମ୍ପ୍ରଦାୟରେ ସେତେ ଶ୍ରେଷ୍ଠବ୍ୟକ୍ତି ଦୃଷ୍ଟ ହୁଅନ୍ତି କି ? ତେବେ କ‌ଥାର ଜୋର୍ ଦେଖାଇ ଗୁରୁଗ୍ରହଣ-ପ୍ରଥାକୁ କୁସଂସ୍କାର କହି ଧୃଷ୍ଟତା ଓ ମୂଢ଼ତା ପ୍ରକାଶ କରୁଛ କାହିଁକି ? ବ୍ୟାବହାରିକ ଯେ କୌଣସି ବିଦ୍ୟାରେ ଯେତେବେଳେ ଗୁରୁ ବ୍ୟତୀତ ସାଫଲ୍ୟ ଲାଭ କରିବାକୁ କେହି ସକ୍ଷମ ହୋଇପାରନ୍ତି ନାହିଁ, ସେପରି କ୍ଷେତ୍ରରେ କେଉଁ ସାହସରେ ତୁମେ ଗୁରୁ ବ୍ୟତୀତ ପରା- ବ୍ରହ୍ମ ବିଦ୍ୟା ଲାଭ କରିବାକୁ ଅଗ୍ରସର ହେଉଅଛ ? ମୁକ୍ତି କ'ଣ ତୁମମାନଙ୍କ ଦୃଷ୍ଟିରେ ଏତେ ସହଜ ? ମନ ଯେପରି, ଫଳ ମଧ୍ଯ ସେହିପରି ।
ବର୍ତ୍ତମାନ ବିଚାରିବାର କଥା ଯେ, ସଦ୍‌ଗୁରୁ କେଉଁଠାରେ ମିଳିବେ ଓ ସଦ୍‌ଗୁରୁଙ୍କୁ ଚିହ୍ନିବ କିପରି ? ଆମେ ଜାଣୁ ଯେ, ପ୍ରୟୋଜନ ହେଲା କ୍ଷଣି ଅନେକ ସମୟରେ ସଦ୍‌ଗୁରୁ ଆପଣା ମନକୁ ଆସି ଉପସ୍ଥିତ ହୁଅନ୍ତି । ସଦ୍‌ଗୁରୁଙ୍କୁ ଲାଭ କରିବାକୁ ହେଲେ, ପ୍ରଥମେ ନିଜକୁ ସତ୍ ହେବାକୁ ପଡ଼ିବ । ପୁଣି ସୂର୍ଯ୍ୟଙ୍କୁ ଦେଖିବା ପାଇଁ ଯେପରି ମଶାଲ ଜାଳିବାର ପ୍ରୟୋଜନ ହୁଏନାହିଁ, ସେହିପରି ଗୁରୁଙ୍କ ଚିହ୍ନିବା ପାଇଁ ବିଶେଷ କିଛି ଉପଦେଶର ଆବଶ୍ୟକ‌ତା ହୁଏନାହିଁ । ଯେଉଁମାନଙ୍କର ଆଧ୍ୟାତ୍ମିକ ଶକ୍ତି ଅଛି, ତାଙ୍କୁ ଦେଖିଲାକ୍ଷଣି ସେ ଚିହ୍ନା ପଡ଼ିଯାଆନ୍ତି । ଏହି ଶକ୍ତି ମନୁଷ୍ୟ ମାତ୍ରକେ ପ୍ରତ୍ୟେକଙ୍କ ଠାରେ ବିଦ୍ୟମାନ । ତେବେ ସେହି ଶକ୍ତିର ବିକାଶ ନିମିତ୍ତ ଚିତ୍ତଶୁଦ୍ଧିର ଏକାନ୍ତ ପ୍ରୟୋଜନ ! ଏହା ବ୍ୟତୀତ ଗୁରୁ ନିର୍ବାଚନ ସମ୍ବନ୍ଧରେ ଶାସ୍ତ୍ରରେ ମଧ୍ୟ ବ୍ୟବସ୍ଥା ଅଛି । 

ଯଥା

“ଶାନ୍ତୋ ଦାନ୍ତଃ କୁଳୀନଶ୍ଚ ବିନୀତଃ ଶୁଦ୍ଧବେଶବାନ୍ । ଶୁଦ୍ଧାଚାରଃ ସୁପ୍ରତିଷ୍ଠା ଶୁଚିର୍ଦଯଃ ସୁବୁଦ୍ଧିମାନ୍ । 
ଆଶ୍ରମୀ ଧ୍ୟାନନିଷ୍ପଷ୍ଟ ତନ୍ତ୍ର-ମନ୍ତ୍ର-ବିଶାରଦଃ । 
ନିଗ୍ରହାନୁଗ୍ରହେ ଶନ୍ତୋ ଗୁରୁରିତ୍ୟଭିଧୀୟତେ ॥"

ଯେ ଶାନ୍ତ ( ଶ୍ରବଣ-ମନନ- ନିଦିଧ୍ୟାସନ ରୂପ ବିଷୟାତିରିକ୍ତ ସାଂସାରିକ ଯାବତୀୟ ବିଷୟରୁ ମନର ନିଗ୍ରହବାନ୍), ଦାନ୍ତ (ଶ୍ରବଣାଦି ବିଷୟାତିରିକ୍ତ ବିଷୟରୁ ବାହ୍ୟ ଦଶ -ଇନ୍ଦ୍ରିୟର ନିଗ୍ରହବାନ୍), କୁଳୀନ (ଆଚାର, ବିଚାର ପ୍ରଭୃତି ସର୍ବବିଧ ଗୁଣସମ୍ପନ୍ନ), ବିନୀତ, ଶୁଦ୍ଧବେଶସମ୍ପନ୍ନ, ବିଶୁଦ୍ଧାଚାର, ସୁପ୍ରତିଷ୍ଠ (ସତ୍‌କାର୍ଯ୍ୟାଦି ଦ୍ୱାରା ଯଶସ୍ୱୀ), ପବିତ୍ରସ୍ୱଭାବ, କ୍ରିୟାନିପୁଣ, ସୁବୁଦ୍ଧିସମ୍ପନ୍ନ, ଆଶ୍ରମୀ, ଈଶ୍ୱରଧ୍ୟାନପରାୟଣ, ତନ୍ତ୍ର-ମନ୍ତ୍ର ବିଷୟରେ ସାଧନପଣ୍ଡିତ ଏବଂ ଯେ ଶିଷ୍ୟଙ୍କ ପ୍ରତି ଶାସନ ଓ ଅନୁଗ୍ରହ କରିବାକୁ ସମର୍ଥ, ସେହିପରି ବ୍ରାହ୍ମଣ ହିଁ ଗୁରୁପଦର ଯୋଗ୍ୟ । ଉପରୋକ୍ତ ଲକ୍ଷଣଗୁଡିକ ଯେଉଁ ବ୍ୟକ୍ତିଙ୍କଠାରେ ଦେଖିବ, ତାଙ୍କୁ ଗୁରୁପଦରେ ବରଣ କରିବ ।

ଗୁରୁ ତ୍ୟାଗ ସମ୍ବନ୍ଧରେ ଆମ ଦେଶରେ ଯେଉଁ ସଂସ୍କାର ପ୍ରଚଳିତ ଅଛି, ତାହା ମନ୍ତ୍ରଦାତା ଗୁରୁଙ୍କ ସମ୍ବନ୍ଧରେ, ପିତା ବା ପିତାମହଙ୍କ ଗୁରୁ-ପୈତୃକ-ଗୁରୁଙ୍କ ଗୁରୁ କରଣ ସମ୍ବନ୍ଧରେ ନୁହେଁ । ମନ୍ତ୍ର ଗ୍ରହଣ କରି ସାଧନା ପରେ ଯଦି ଜଣାଯାଏ ଯେ, ସେହି ମନ୍ତ୍ରଦାତା ଗୁରୁ ଅସତ୍‌ମାର୍ଗଗାମୀ ବା ଅବିଦ୍ୱାନ୍, ତଥାପି ତାଙ୍କୁ ପରିତ୍ୟାଗ କରିବା ଉଚିତ୍ ନୁହେଁ । କିନ୍ତୁ ମନ୍ତ୍ରଗ୍ରହଣ ପୂର୍ବରୁ ଜାଣିପାରିଲେ, କେବେହେଲେ ସେହି ଗୁରୁଙ୍କ ନିକଟକୁ ମନ୍ତ୍ର ଗ୍ରହଣ କରିବା ଠିକ୍ ନୁହେଁ । ମନ୍ତ୍ରଗ୍ରହଣ ଆଧ୍ୟାତ୍ମିକ ଉନ୍ନତିର କାରଣ, ସମାଜରେ ବାହାଦୂରୀ ପାଇବା ନିମିତ୍ତ ନୁହେଁ । * । ଅତଏବ, ସଦ୍‌ଗୁରୁ ନିର୍ବାଚନ କରି ତାଙ୍କଠାରୁ ଦୀକ୍ଷା ଗ୍ରହଣ କରିବା ସମସ୍ତଙ୍କର କର୍ତ୍ତବ୍ୟ ।

ଯେଉଁମାନେ ପୂର୍ବରୁ ପୈତୃକ ଗୁରୁଙ୍କଠାରୁ ଦୀକ୍ଷାଗ୍ରହଣ କରିଛନ୍ତି, ସେମାନଙ୍କ ନିମିତ୍ତ ଜଗଦ୍‌ଗୁରୁ ସଦାଶିବ ଅନ୍ୟ ଉପଯୁକ୍ତ ଗୁରୁ ଗ୍ରହଣ କରିବାର ବିଧି ଶାସ୍ତ୍ରରେ ଲିପିବଦ୍ଧ କରିଛନ୍ତି

 । ଯଥା —

“ମଧୁଲୁବ୍‌ଧୋ ଯଥା ଭୃଙ୍ଗ ପୁଷ୍ପାତ୍ ପୁଷ୍ପାନ୍ତରଂ ବ୍ରଜେତ୍ ଜ୍ଞାନଲୁବଧି ସ୍ତଥା ଶିଷ୍ୟା ଗୁରୋର୍ଗୁର୍ବନ୍ତରଂ ବ୍ରଜେତ୍ ॥'' (ତନ୍ତ୍ରଶାସ୍ତ୍ର)

ମଧୁ ଲୋଭରେ ଭ୍ରମର ଯେପରି ଗୋଟିଏ ଫୁଲରୁ ଅନ୍ୟ ଫୁଲକୁ ଗମନ କରେ, ସେହିପରି ଜ୍ଞାନଲୁବ୍‌ଧ ଶିଷ୍ୟ ଅନ୍ୟ ଗୁରୁଙ୍କ ଆଶ୍ରୟ ଗ୍ରହଣ କରିବା ଦରକାର । ଅତଏବ, ଦୀକ୍ଷିତ ବ୍ୟକ୍ତି ଅନ୍ୟ ଗୁରୁ-ବରଣ କରି ଉପଦେଶ ଗ୍ରହଣ କରିବା ବିଧେୟ ଏବଂ ସାଧନପ୍ରଣାଳୀ ଶିକ୍ଷା କରିବା ଆବଶ୍ୟକ ।

* ସମାଜ ଭୟରେ କିମ୍ବା ବଂଶନାଶ ଆଶଙ୍କାରେ ଜାଣିଶୁଣି ବହୁ ଶିକ୍ଷିତ ବ୍ୟକ୍ତି ଷଣ୍ଢତୁଲ୍ୟ ଗଣ୍ଡମୁର୍ଖକୁ ଗୁରୁରୂପେ ବରଣ କରିଥାନ୍ତି । ଏହା ଦ୍ୱାରା କଅଣ ପାପକୁ ପ୍ରଶ୍ରୟ ଦିଆ ହୁଏନାହିଁ ? ଏଇଥିପାଇଁ ହିଁ ଦିନକୁ ଦିନ ପୈତୃକ ଗୁରୁ-ପୁରୋହିତ କୁଳର ଅବନତି ଘଟୁଛି । ଉପଯୁକ୍ତ ବ୍ୟକ୍ତିଙ୍କ ଅନୁସରଣ କଲେ, ବାଧ୍ୟ ହୋଇ ସେମାନେ ମଧ୍ୟ ଉପଯୁକ୍ତ ହେବାକୁ ଚେଷ୍ଟା କରିବେ, ଅନ୍ୟଥା ଦକ୍ଷିଣ ହସ୍ତର ବ୍ୟାପାର ଯେ ବନ୍ଦ ହୋଇଯିବ ! ବଂଶପରମ୍ପରା ଶିଷ୍ୟରୂପ ମୌରସୀ ସମ୍ପତ୍ତି ଭୋଗରେ ବ୍ୟାଘାତ ହେଲେ, ସେମାନେ ଆଉ ନିଶ୍ଚେଷ୍ଟ ହୋଇ ବସି ରହିପାରିବେ ନାହିଁ, ଉପ‌ଯୁକ୍ତ ହେବାକୁ ଚେଷ୍ଟା କରିବେ । ଏଥିରେ ସେମାନଙ୍କର ଉନ୍ନତି ଅବଶ୍ୟମ୍ଭାବୀ । ଅନ୍ୟଥା ସେମାନେ ଗୁରୁ-ବ୍ୟବସାୟ ଛାଡ଼ିବାକୁ ବାଧ୍ୟ ହେବେ । ତେଣୁ ଗୁରୁକୁଳର ଅଧୋଗତି ନିମିତ୍ତ ଶିଷ୍ୟମାନେ ହିଁ ଅଧିକତର ଦାୟୀ । ପାପକୁ ପ୍ରଶ୍ରୟ ଦେଲେ କଅଣ କେହି ସେଥିରୁ ବିରତ ହୁଅନ୍ତି ?
ଯେଉଁ ବ୍ୟକ୍ତି ଆତ୍ମଶକ୍ତି ସଞ୍ଚାରଣ କରିପାରନ୍ତି, ସେ ହେଉଛନ୍ତି ‘ଗୁରୁ’ ଏବଂ ଯାହାଙ୍କ ଆତ୍ମାରେ ଶକ୍ତି ସଞ୍ଚାରିତ ହୁଏ, ତାଙ୍କୁ ‘ଶିଷ୍ୟ’ କୁହାଯାଏ । ସୁତରାଂ ଶିଷ୍ୟଙ୍କର ଶକ୍ତି-ଆକର୍ଷିକା ଓ ଶକ୍ତି-ସଂଗ୍ରାହିକା କ୍ଷମତା ଥିବା ଏକାନ୍ତ ଆବଶ୍ୟକ । ଏଇଥିପାଇଁ ଶାସ୍ତ୍ରରେ ଉପଯୁକ୍ତ ଶିଷ୍ୟକୁ ଦୀକ୍ଷା ଦେବାର ବିଧି ଅଛି । ଉପଯୁକ୍ତ ଶିଷ୍ୟର ଲକ୍ଷଣ, 

ଯଥା —''ଶାନ୍ତୋ ବିନୀତଃ ଶୁଦ୍ଧାତ୍ମା ଶ୍ରଦ୍ଧାବାନ୍‌ ଧାରଣକ୍ଷମଃ । ସମର୍ଥଶ୍ଚ କୁଳୀନଶ୍ଚ ପ୍ରାତଃ ସଚ୍ଚରିତୋ ଯତିଃ । ଏବମାଦିଗୁଣେର୍ୟୁତଃ ଶିଷ୍ୟା ଭବତି ନାନ୍ୟଥା ॥’” (ତନ୍ତ୍ରସାର)

ଅର୍ଥାତ୍ ଶମାଦି-ଗୁଣଯୁକ୍ତ, ବିନୟୀ, ବିଶୁଦ୍ଧସ୍ଵଭାବ, ଶ୍ରଦ୍ଧାବାନ୍, ଧୈର୍ଯ୍ୟଶୀଳ, ସର୍ବକର୍ମସମର୍ଥ, ସଦ୍‌ବଂଶଜାତ, ଅଭିଜ୍ଞ, ସଚ୍ଚରିତ୍ର ଏବଂ ଜାତି-ଆଚାରଯୁକ୍ତ ବ୍ୟକ୍ତି ପ୍ରକୃତ ଶିଷ୍ୟ ପଦବାଚ୍ୟ । ଏହାର ବିପରୀତଗୁଣସମ୍ପନ୍ନ ବ୍ୟକ୍ତିଙ୍କୁ କେବେହେଲେ ଶିଷ୍ୟରୂପେ ଗ୍ରହଣ କରିବା ଉଚିତ୍ ନୁହେଁ ।

‘ଗୁରୁତା ଶିଷ୍ୟତା ବାପି ତୟୋର୍ବତ୍ସରବାସତଃ ॥’"

ଅର୍ଥାତ୍ ବର୍ଷକ ପର୍ଯ୍ୟନ୍ତ ଗୁରୁ ଓ ଶିଷ୍ୟ ଏକତ୍ର ବାସ କରି ଉଭୟେ ଉଭୟଙ୍କ ସ୍ୱଭାବାଦି ନିର୍ଣ୍ଣୟ କରି ନିଜ ନିଜର ଅଭିରୁଚି ଅନୁରୂପ ହେଲେ, ଗୁରୁ କିମ୍ବା ଶିଷ୍ୟ କରିବା ବିଧେୟ ।

ପ୍ରବଳ ଜ୍ଞାନପିପାସା, ପବିତ୍ରତା, ଗୁରୁଭକ୍ତି ବା ଅଧ୍ୟବସାୟ ନ ଥିଲେ ଶିଷ୍ୟଜୀବନ ଲାଭ କରାଯାଇପାରେ ନାହିଁ । ଧର୍ମଲାଭ କରିବାକୁ ହେଲେ, ଧର୍ମ ଉପରେ ହିଁ ଚିତ୍ତ ସଂସ୍ଥାପନ କରିବାକୁ ହେବ । କିନ୍ତୁ କେବଳ ପୁସ୍ତକପାଠ ଓ ଧର୍ମର ବକ୍ତୃତା ଶ୍ରବଣ କଲେ, ସେ କାର୍ଯ୍ୟ ସାଧିତ ହୋଇପାରେ ନାହିଁ । ସେଥ‌ିପାଇଁ ପ୍ରାଣର ବ୍ୟାକୁଳତା ଓ ଗୁରୁଶକ୍ତି ସଂଗ୍ରହର କ୍ଷମତା ଥିବା ଆବଶ୍ୟକ । ଶିଷ୍ୟ- ଜୀବନରେ ଶ୍ରୀଗୁରୁଙ୍କ ବଶ୍ୟତାସ୍ୱୀକାର ପୂର୍ବକ ଇଷ୍ଟନିଷ୍ଠା ସହିତ ଧର୍ମଚର୍ଚ୍ଚା କରିବା ସିଦ୍ଧିପଥକୁ ଗମନ କରିବାର ଏକମାତ୍ର ଉପାୟ । ଗୋଟିଏ ସାମାଜିକ ଦାୟିତ୍ୱରୁ ମୁକ୍ତିଲାଭ କରିବା ଉଦ୍ଦେଶ୍ୟରେ ଦୀକ୍ଷାଗ୍ରହଣ କଲେ, ଫଳ ପାଇବ ବା କିପରି ?

ଭୂମି ଉତ୍ତମ ରୂପେ କର୍ଷିତ ନ ହେଲେ, ବୀଜବପନ ଯେପରି ନିରର୍ଥକ, ସେହିପରି ଅଶୁଦ୍ଧଚିତ୍ତ ବ୍ୟକ୍ତିଙ୍କୁ ଦୀକ୍ଷା ଦାନ କଲେ ମଧ୍ୟ କୌଣସି ଫଳଲାଭର ଆଶା କରାଯାଇପାରେ ନାହିଁ । ସୁତରାଂ ଯେଉଁମାନଙ୍କର ଧର୍ମଜୀବନ ଲାଭ ନିମିତ୍ତ ପ୍ରକୃତ ବ୍ୟାକୁଳତା ଜାତ ହୋଇନାହିଁ, ସେମାନେ ଚିତ୍ତଶୁଦ୍ଧି ନିମିତ୍ତ ବ୍ରହ୍ମଚର୍ଯ୍ୟ ପାଳନ ଓ ସାଧୁସଙ୍ଗ କରିବା ବିଧେୟ । ତତ୍ପରେ ସଦ୍‌ଗୁରୁ ନିର୍ବାଚନପୂର୍ବକ ଦୀକ୍ଷା ଗ୍ରହଣ କରିବା ଆବଶ୍ୟକ ।

ଯାହାଙ୍କର ଯେଉଁ ଦେବତାଙ୍କ ପ୍ରତି ଭକ୍ତିର ଆଧିକ୍ୟ ଦେଖିବ, ତାଙ୍କୁ ସେହି ଦେବତାଙ୍କ ମନ୍ତ୍ର ପ୍ରଦାନ କରିବା କର୍ତ୍ତବ୍ୟ । ଅନ୍ୟଥା ଚକ୍ରବିଚାର କରି ମନ୍ତ୍ର ନିର୍ବାଚନ କରିବା ଦରକାର । ସିଦ୍ଧଗୁରୁ ଶିଷ୍ୟର ଜନ୍ମଜନ୍ମାନ୍ତରର ସାଧ୍ୟ ମନ୍ତ୍ର ମଧ୍ୟ ନିର୍ଦ୍ଧାରଣ କରିଦେଇ ପାରନ୍ତି । ବିଦ୍ୟା ଓ ମନ୍ତ୍ର ମୃତବ୍ୟକ୍ତିଙ୍କର ଅନୁଗାମୀ ହୋଇଥାଏ ଏବଂ ପୂର୍ବଜନ୍ମାୟ କର୍ମର ପ୍ରତିପାଦନ କରେ । କିଭଳି ଭାବରେ ପୂର୍ବଜନ୍ମର ବିଦ୍ୟା ସମୁଦ୍ଧାର କରିବାକୁ ହୁଏ, ନିମ୍ନରେ ତାହା ଲିଖିତ ହେଲା ।

 ଯଥା

ବଟପତ୍ରରେ ଶକ୍ତିମନ୍ତ୍ର, ଅଶ୍ୱତ୍‌ଥ ପତ୍ରରେ ବିଷ୍ଣୁମନ୍ତ୍ର ଏବଂ ବକୁଳପତ୍ରରେ ଶିବମନ୍ତ୍ର ଲେଖିବ । ଉପରୋକ୍ତ ପ୍ରତ୍ୟେକ ମନ୍ତ୍ରକୁ ଉପରଲିଖିତ ସାତ ସାତଟି ପତ୍ରରେ ଲେଖିବାକୁ ହେବ। ରକ୍ତଚନ୍ଦନ ଅଥବା କୁଙ୍କୁମ ଦ୍ବାରା ଶକ୍ତିମନ୍ତ୍ର, ଶ୍ୱେତଚନ୍ଦନ ଦ୍ବାରା ବିଷ୍ଣୁମନ୍ତ୍ର ଏବଂ ଭସ୍ମଦ୍ୱାରା ଶିବମନ୍ତ୍ର ଲେଖିବ । ତତ୍ପରେ ସେହି ସେହି ଦେବତାଙ୍କର ପ୍ରାଣପ୍ରତିଷ୍ଠା କରି ଯଥାଶକ୍ତି ଉପଚାର ଦ୍ୱାରା ପୂଜା କରିବ । ଅନନ୍ତର ଶିଷ୍ୟ ଏହି ଅର୍ଘ୍ୟପତ୍ର ଗ୍ରହଣ କରି —

“ଓଁ ଭୋ ଦେବ ପୃଥ୍ବୀପାଳ ସର୍ବଶକ୍ତି-ସମନ୍ବିତ । 
ମମାର୍ଘ୍ୟଞ୍ଚ ଗୃହାଣ ହଂ ପୂର୍ବବିଦ୍ୟା ପ୍ରକାଶୟ ॥''

ଏହି ମନ୍ତ୍ର ପାଠ କରି ସୂର୍ଯ୍ୟଙ୍କୁ ଅର୍ଘ୍ୟଦାନ କରିବ ।

ଅର୍ଘ୍ୟ, ଯଥା - ଜଳ, ଦୁଗ୍‌ଧ, କୁଶାଗ୍ର, ଘୃତ, ମଧୁ, ଦଧି, ରକ୍ତକରବୀ ଓ ରକ୍ତଚନ୍ଦନ —ଏହାକୁ ଅଷ୍ଟାଙ୍ଗ ଅର୍ଘ୍ୟ କୁହାଯାଏ । ଏହିପରି ଭାବରେ ଅର୍ଘ୍ୟଦାନ କରି କୃତାଞ୍ଜଳି ହୋଇ ନମସ୍କାର କରିବ ।
ଅନନ୍ତର ଶିଷ୍ୟ“
ସୂର୍ଯ୍ୟା ସୋମୋ ଯମଃ କାଳୋ ମହାଭୂତାନି ପଞ୍ଚ ବୈ । 
ଏତେ ଶୁଭାଶୁଭସ୍ୟହ କର୍ମଣୋ ନବ ସାକ୍ଷିରଃ ॥ 
ସର୍ବେ ଦେବାଃ ଶରୀରସ୍ଥା ମମ ମନ୍ତ୍ରସ୍ୟ ସାକ୍ଷିଣୀ । ପୂର୍ବଜନ୍ମାର୍ଜିତାଃ ବିଦ୍ୟା ମମ ହସ୍ତେ ପ୍ରଦାପୟ ॥’”

ଏହି ମନ୍ତ୍ର ପାଠପୂର୍ବକ ମନ୍ତ୍ରଲିଖିତ ଗୋଟିଏ ପତ୍ର ଉତ୍ତୋଳନ କରି ‘ଗୁରୁଦେବ ! ମୋତେ ପୂର୍ବଜନ୍ମାର୍ଜିତ ବିଦ୍ୟା ପ୍ରଦାନ କରନ୍ତୁ’’—କହି ଶ୍ରୀଗୁରୁଙ୍କ ହସ୍ତରେ ସେହି ମନ୍ତ୍ର ପ୍ରଦାନ କରିବ । ଏହି ପତ୍ରଲିଖିତ-ମନ୍ତ୍ର ହିଁ ଶିଷ୍ୟର ପୂର୍ବଜନ୍ମର ବିଦ୍ୟା । ମନ୍ତ୍ର ଯଥାରୀତି ଶିଷ୍ୟକୁ ପ୍ରଦାନ କରିବାକୁ ହୁଏ ।

ମନ୍ତ୍ରଗ୍ରହଣାଭିଳାଷୀ ଶିଷ୍ୟ ପୂର୍ବଦିନ ହବିଷ୍ୟାଦି ସମାପନ କରି ପରଦିନ ନିତ୍ଯକ୍ରିୟାଦି ସମାପନ ପରେ ବ୍ରାହ୍ମଣ ହୋଇଥିଲେ ଜ୍ଞାନ ଓ ଅଜ୍ଞାନକୃତ ପାତକ କ୍ଷୟ କାମନାରେ ଶହେଆଠ ଥର ଗାୟତ୍ରୀ ଜପ କରିବେ । ତଦନନ୍ତର ଆଚମନ କରି ନାରାୟଣ ପ୍ରଭୃତି ଦେବତାମାନଙ୍କୁ ଗନ୍ଧପୁଷ୍ପଦାନପୂର୍ବକ ସଂକଳ୍ପ କରିବେ ।

ସଂକଳ୍ପ, ଯଥା 
- ଅଦ୍ୟୋତ୍ୟାଦି ଅମୁକ-ମାସି ଅମୁକ-ରାଶିସ୍ଥେ ଭାସ୍କରେ ଅମୁକପକ୍ଷେ ଅମୁକ-ତିଥୀ ଅମୁକ -ଗୋତ୍ରୀ ଶ୍ରୀ ଅମୁକ - ଦେବଶର୍ମା, ଧର୍ମାର୍ଥ କାମମୋକ୍ଷପ୍ରାପ୍ତି -କାମଃ ଅମୁକ-ଦେବତୀୟା ଇୟବକ୍ଷରି- ମନ୍ତ୍ରଗ୍ରହଣମହଂ କରିସ୍ୟେ ।

ପରେ ସଂକଳ୍ପ-ସୂତ୍ରାଦି ପାଠକରି ଗୁରୁ ବରଣ କରିବାକୁ ହେବ । ଯଥା- ହାତଯୋଡ଼ି ଗୁରୁଦେବଙ୍କୁ କହିବେ, ସାଧୁଭବାନାସ୍ତାମ୍ । ଗୁରୁ- ସାଧ୍ଵହମାସେ । ଶିଷ୍ୟ- ଅର୍ଜୟିଷ୍ୟାମୋ ଭବନ୍ତମ୍ । ଗୁରୁ - ଓମର୍ଜୟ I ଗନ୍ଧ, ପୁଷ୍ପ ଓ ଦୁର୍ବାକ୍ଷତ ଦ୍ୱାରା ଶ୍ରୀଗୁରୁଙ୍କ ଦକ୍ଷିଣ ଜାନୁ ଧାରଣ କରି ଶିଷ୍ୟ ପାଠ କରିବେ – ଅଦ୍ୟତ୍ୟାଦି- (ଦେବଶର୍ମା ପର୍ଯ୍ୟନ୍ତ ପୂର୍ବବତ୍) ମତ୍‌ସଙ୍କଳ୍ପିତ-ଅମୁକଦେବତାୟା ଇୟବକ୍ଷରି- ମନ୍ତ୍ରଗ୍ରହଣକର୍ମଣି ଗୁରୁକର୍ମ-କରଣାୟ ଅମୁକ-ଗୋତ୍ରଂ ଶ୍ରୀଅମୁକଦେବଶର୍ମାଣମ୍ ଏଭିଂ ପାଦ୍ଯାଦିଭିରଭ୍ୟର୍ଘ୍ୟ ଗୁରୁତ୍ତେନ ଭବନ୍ତମହଂ ବୃଣେ । ଗୁରୁ - ଓଁ ବୃତୋ ଽସ୍ମି, ଶିଷ୍ୟ- ଯଥାବିହିତଂ ଗୁରୁକର୍ମ କୁରୁ । ଗୁରୁ - ଓଁ ଯଥାଜ୍ଞାନଂ କରବାଣି ।
ତଦନନ୍ତର ଗୁରୁ ସ୍ଥାପିତ ଘଟରେ, ଶାଳଗ୍ରାମରେ, ବାଣଲିଙ୍ଗରେ କିମ୍ବା ତାମ୍ରପାତ୍ରରେ ଚନ୍ଦନାଦି ଦ୍ୱାରା ଯନ୍ତ୍ର ଅଙ୍କିତ କରି ନିଜ ନିଜ ପଦ୍ଧତି କ୍ରମେ ଯଥାଶକ୍ତି ଦେବତାଙ୍କ ପୂଜା କରିବେ ଏବଂ ତାନ୍ତ୍ରିକ ବିଧାନରେ ହୋମ କରି ଯେଉଁ ମନ୍ତ୍ର ପ୍ରଦାନ କରାହେବ, ସେହି ମନ୍ତ୍ରକୁ ସ୍ୱାହାନ୍ତ କରି ଅଷ୍ଟୋତ୍ତରଶତବାର ପୂଜିତ ଦେବତାଙ୍କର ହୋମ କରିବେ ।

ତତ୍ପରେ ଶିଷ୍ୟକୁ ଉତ୍ତରାଭିମୁଖରେ ଉପବେଶନ କରାଇ ସ୍ଥାପିତ ଘଟଜଳରେ ଶହେଆଠ ଥର ପ୍ରଦେୟ ମନ୍ତ୍ର ଜପକରି ସେହି ଜଳକୁ ଶିଷ୍ୟଙ୍କ ମସ୍ତକରେ କଳସମୁଦ୍ରା ଦ୍ୱାରା ପ୍ରଦାନ କରି ଅଭିଷେକ କରିବେ । ତତ୍ପରେ ‘ଓଁ ସହସ୍ରାରେ ହୁଁ ଫଟ୍' ମନ୍ତ୍ରରେ ଶିଷ୍ୟର ଶିଖା ବନ୍ଧନ କରିଦେଇ ମସ୍ତକ ଉପରେ ଦେୟ ମନ୍ତ୍ରକୁ ଶହେଆଠ ଥର ଜପ କରିବେ । ଏହା ପରେ ଶିଷ୍ୟଙ୍କ ହାତରେ ଏକ ଅଞ୍ଜଳି ଜଳ ପ୍ରଦାନପୂର୍ବକ ଗୁରୁ କହିବେ, ‘ଅମୁକଂ ମନ୍ତ୍ରୀ ତେ ଦଦାମି, ଆବୟୋସ୍ତୁଲ୍ୟଫଳଦୋ ଭବତୁ ।’ ଶିଷ୍ୟ କହିବେ, ‘ଦଦସ୍ୟ ।’ ଗୁରୁ ପୂର୍ବମୁଖା ହୋଇ ବସି ପ୍ରଦେୟ ମନ୍ତ୍ରକୁ ପ୍ରଣବପୁଟିତ କରି ସାତଥର ଜପ କରିବେ । ତଦନନ୍ତର ଗୁରୁଶିଷ୍ୟଙ୍କ ଦେହରେ ଋଷ୍ୟାଦି ନ୍ୟାସ କରିବା ପରେ ଶିଷ୍ୟ ମସ୍ତକ ଆଚ୍ଛାଦନ କରି ପଶ୍ଚିମମୁଖ ହୋଇ ଉପବେଶନ କରି ଦୁଇ ହସ୍ତରେ ଗୁରୁଦେବଙ୍କ ଦୁଇ ପାଦ ଧାରଣ କରିବେ । ସେତେବେଳେ ଗୁରୁ ଶିଷ୍ୟଙ୍କ ଦକ୍ଷିଣ କଣ୍ଠରେ ଋଷିଚ୍ଛନ୍ଦାଦିଯୁକ୍ତ ବୀଜମନ୍ତ୍ର ସ୍ପଷ୍ଟ କରି ତିନିଥର ଓ ଥରେ ବାମ କଣ୍ଠରେ ଶୁଣାଇଦେବେ । ସ୍ତ୍ରୀ ଓ ଶୁଦ୍ରମାନଙ୍କ ପକ୍ଷରେ ଉପରୋକ୍ତ ନିୟମର ବିପରୀତାଚରଣ କରିବେ । ଗୃହୀତମନ୍ତ୍ର ଶିଷ୍ୟ ସେତେବେଳେ ଭୂଲୁଣ୍ଠିତ ହୋଇ ଗୁରୁଦେବଙ୍କ ଚରଣରେ ପ୍ରଣାମପୂର୍ବକ କହିବେ

“ନମସ୍ତେ ନାଥ ଭଗବନ୍ ଶିବାୟ ଗୁରୁରୂପିଣେ ବିଦ୍ୟାବତାରସଂସିଦୌ ସ୍ୱୀକୃତାନେକବିଗ୍ରହ ॥ ନାରାୟଣସ୍ୱରୂପାୟ ପରମାଲୈକମୂର୍ତ୍ତୟେ । ସର୍ବାଜ୍ଞାନତମୋଭେଦଭାବେନ ଚିଦ୍‌ଘନାୟ ତେ ॥
 ସ୍ୱତନ୍ତ୍ରାୟ ଦୟାକ୍ଲପ୍ତବିଗ୍ରହାୟ ଶିବାତ୍ମନେ ।
ବିବେକାନାଂ ବିବେକାୟ ବିମର୍ଶାୟ ବିମର୍ଶିଣାମ୍ ।
 ପ୍ରକାଶାନାଂ ପ୍ରକାଶାୟ ଜ୍ଞାନିନାଂ ଜ୍ଞାନରୂପିଣେ ॥ 
ତ୍ବତ୍ ପ୍ରସାଦାଦହଂ ଦେବ କୃତକୃତ୍ୟାଽସ୍ମି ସର୍ବତଃ । ମାୟାମୃତ୍ୟୁମହାପାଶାତ୍ ବିମୁସ୍ତୋଽସ୍ମି ଶିବୋଽସ୍ମି ଚ ॥’

ତାହାପରେ ଗୁରୁଦେବ ଶିଷ୍ୟଙ୍କ ହସ୍ତଧାରଣପୂର୍ବକ ଉତ୍ତୋଳନ କରି ମଙ୍ଗଳ କାମନା କରି ପାଠ କରିବେ—

“ଉତ୍ତିଷ୍ଠ ବସ୍ତ୍ର ମୁକ୍ତାଽସି ସମ୍ୟଗାଚାରବାନ୍ ଭବ । କୀର୍ଘଶ୍ରୀକାନ୍ତିପୁତ୍ରାୟୁର୍ବଳାରୋଗ୍ୟ ସଦାସ୍ତୁ ତେ ॥’”

ତଦନନ୍ତର ଶିଷ୍ୟ ଗୁରୁଦକ୍ଷିଣା ଦାନ କରିବେ ଏବଂ ନିଜକୁ କୃତକୃତାର୍ଥ ଜ୍ଞାନ କରି ପ୍ରାପ୍ତ ମନ୍ତ୍ର ୧୦୮ ଥର ଜପ କରିବେ ଏବଂ ଗୁରୁସଞ୍ଚାରିଣୀ-ଶକ୍ତି ଲାଭ ପାଇଁ ଗୁରୁଦେବଙ୍କ ନିକଟରେ ତିନି ଦିନ ବାସ କରିବେ । ଗୁରୁ ମଧ୍ଯ ଆତ୍ମଶକ୍ତି ରକ୍ଷା ନିମିତ୍ତ ଶହେଆଠ ଥର ମନ୍ତ୍ର ଜପ କରିବେ ।

ଦୀକ୍ଷାଦାନର ଆହୁରି ନାନାବିଧ ପଦ୍ଧତି ଶାସ୍ତ୍ରରେ ଦେଖିବାକୁ ମିଳେ । ସ୍ଥାନ-କାଳ ପାତ୍ରର ମଧ୍ଯ ବିଚାର ଅଛି । କି । କିନ୍ତୁ ବାହୁଲ୍ୟ ଭୟରେ ସେସବୁ ବିଷୟ ଏହି ପୋଷ୍ଟ ରେ ଉଲ୍ଲେଖ କରାଗଲା ନାହିଁ । ଭାଗ୍ୟବଶତଃ ଯଦି କେହି ସିଦ୍ଧଗୁରୁ ବା ସିଦ୍ଧମନ୍ତ୍ର ପ୍ରାପ୍ତ । ହୁଅନ୍ତି, ତେବେ କିଛିମାତ୍ର ବିଚାର କରିବାର ପ୍ରୟୋଜନ ନାହିଁ, ତତ୍‌କ୍ଷଣାତ୍‌ ମନ୍ତ୍ର ଗ୍ରହଣ କରିବେ ।

ଅନେକ ବ୍ୟକ୍ତି ସୌଭାଗ୍ୟବଶରୁ ସ୍ୱପ୍ନରେ ମନ୍ତ୍ରଲାଭ କରିଥାନ୍ତି । ସ୍ୱପ୍ନରେ ମନ୍ତ୍ରଲାଭ ହେଲେ ମଧ୍ୟ ସେହି ମନ୍ତ୍ରକୁ ପୁନରାୟ ସଦ୍‌ଗୁରୁଙ୍କ ନିକଟରୁ ଗ୍ରହଣ କରିବାକୁ ପଡ଼ିବ । କାରଣ ଆତ୍ମାର ଶକ୍ତିସଞ୍ଚାଳକ ଆଉ ଗୋଟିଏ ଆତ୍ମାର ନିତ୍ୟାନ୍ତ ପ୍ରୟୋଜନ । ଯଦି ସଦ୍‌ଗୁରୁ ଲାଭ ନ ହୁଏ, ତେବେ ନିଜେ ମଧ୍ୟ ତାହା ଗ୍ରହଣ କରାଯାଇପାରେ । ଯଥା —

‘ସ୍ବପ୍ନଲବ୍‌ଧେ ଚ ଜଳସେ ଗୁରୋ ପ୍ରାଣାନ୍ ନିବେଶୟେତ୍ । ବଟପତ୍ରେ କୁଙ୍କୁମେନ ଲିଖିତ୍ବା ଗ୍ରହଣଂ ଶୁଭମ୍ ।
 ତତଃ ସିଦ୍ଧିମବାସ୍ମୋତି ଚାନ୍ୟଥା ବିଫଳଂ ଭବେତ୍ ॥’” (ଯୋଗିନୀ-ତନ୍ତ୍ର)

ଜଳପୂର୍ଣ କଳସରେ ଶ୍ରୀଗୁରୁଙ୍କ ପ୍ରାଣପ୍ରତିଷ୍ଠା କରି ବଟପତ୍ରରେ କୁଙ୍କୁମ ଦ୍ବାରା ମନ୍ତ୍ର ଲେଖି ଉକ୍ତ କଳସରେ ସେହି ମନ୍ତ୍ରକୁ ନିକ୍ଷେପ କରିବେ । ପରେ ସେହି ବଟପତ୍ର ସହିତ ମନ୍ତ୍ର ଉତ୍ତୋଳନପୂର୍ବକ ନିଜେ ସେହି ମନ୍ତ୍ର ଗ୍ରହଣ କରିବେ । ଅନ୍ୟଥା ଫଳ ଲାଭ ହେବନାହିଁ ।

ଗୁରୁଙ୍କର ଏକାନ୍ତ ଅଭାବ ହେଲେ, ଏହିଭଳି ଭାବରେ ନିଜେ ମନ୍ତ୍ର ଗ୍ରହଣ କରିବ, କିନ୍ତୁ ଗୁରୁଙ୍କର ପ୍ରାପ୍ତି ସମ୍ଭାବନା ଥିଲେ, କଦାପି ଏପରି କରିବ ନାହିଁ । ସ୍ୱପ୍ନଲବ୍‌ଧ ମନ୍ତ୍ରରେ ସବିଶେଷ ବିଚାରାଦି କରିବାର ପ୍ରୟୋଜନ ନାହିଁ ।

ଯେଉଁମାନେ ଉପଯୁକ୍ତ ବିଧିବିଧାନରେ ଦୀକ୍ଷା ଗ୍ରହଣ କରିବାକୁ ଅସମର୍ଥ, ସେମାନେ ଚନ୍ଦ୍ର କିମ୍ବା ସୂର୍ଯ୍ୟଗ୍ରହଣ ସମୟରେ, ତୀର୍ଥସ୍ଥାନରେ, ସିଦ୍ଧକ୍ଷେତ୍ରରେ, ମହାପୀଠରେ ଅଥବା ଶିବାଳୟରେ ଶ୍ରୀଗୁରୁଙ୍କ ନିକଟରୁ ମନ୍ତ୍ର ଥରେ ଶୁଣି ଉପଦେଶ ଗ୍ରହଣ କଲେ ମଧ୍ୟ ପ୍ରତ୍ୟବାୟ ହୁଏ ନାହିଁ ।

एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default