ସଂସ୍କାର Sanskar

ABOUT INTEX
0

*ସଂସ୍କାର*

 

ସଂସ୍କାର Sanskar

ସଂସ୍କାର ଅଟଇ ଶରୀର ଓ ମନ

ଆତ୍ମାର ଶୁଦ୍ଧିକରଣ ,

ପବିତ୍ରତା ଭାବ ନୈତିକତା ବୋଧ

ଆଚାର ବ୍ଯବହାରେଣ ।

ମାତା ପିତା ତଥା ପରିବାର ଠାରୁ

ମିଳଇ ସଂସ୍କାର ଶିକ୍ଷା ,

ସଂସ୍କାରିତ ହେଲେ ଉତ୍ତମ ବ୍ଯକ୍ତିତ୍ବ  

ପରିଚୟେ ପରାକାଷ୍ଠା ।

ଉତ୍ତମ ସଂସ୍କାରେ ମିଳିଥାଏ ପରା

ମାତା ପିତାଙ୍କୁ ସମ୍ମାନ ,

ସତ୍ଯନିଷ୍ଠା ଏକାଗ୍ରତା ସହଯୋଗ

ଅଟେ ସଂସ୍କାର ଲକ୍ଷଣ ।

ରାଷ୍ଟ୍ରଭକ୍ତି କର୍ତ୍ତବ୍ଯନିଷ୍ଠା ଆବର

ଶ୍ରଦ୍ଧା ସହନଶୀଳତା ,

ଉଜ୍ଜ୍ବଳ ଚରିତ୍ର ଜ୍ଯେଷ୍ଠଙ୍କୁ ସମ୍ମାନ

ଈଶ୍ବର ଭାବନା ଚିନ୍ତା ।

ଉତ୍ତମ ସଂସ୍କାରେ ଏ ଦଶ ଲକ୍ଷଣ

ମିଳଇ ଯେ ବ୍ଯକ୍ତି ଠାରେ ,

ସଂସ୍କାରିତ ଭାବେ ହୁଏ ଗ୍ରହଣୀୟ

ସେହି ବ୍ଯକ୍ତି ସମାଜରେ ।

ସଂସ୍କାର କିପରି ମାତା ପିତା ଠାରୁ

ଆସିଥାଏ ତାହା ମୁହିଁ ,

କରଇ ବର୍ଣ୍ଣନା ଏହି କବିତାରେ 

ପାଠକ ମାନଙ୍କ ପାଇଁ ।

ରାଜାଙ୍କର ଥିଲା ଅତୀବ ପ୍ରିୟ ଯେ

ସୁନ୍ଦର ଘୋଡ଼ୀ ଟେ ଜାଣ ,

ତା ଉପରେ ବସି କରିଥାନ୍ତି ରାଜା

ନଗର ପରିଭ୍ରମଣ ।

କାଳକ୍ରମେ ସେହି ଘୋଡ଼ୀ ଠାରୁ ଜନ୍ମ

ନେଲା ଘୋଡ଼ାର ଶାବକ ,

ସେହି ଶାବକର ଜନ୍ମକାଳୁ ନଷ୍ଟ

ହୋଇଥିଲା ଚକ୍ଷୁ ଏକ ।

ଶାବକଟି ଦିନେ ପଚାରେ ମାଆକୁ

ଚକ୍ଷୁ ନଷ୍ଟ କାହା ପାଇଁ ,

ଘୋଡ଼ୀ କହିଥିଲା ରାଜାଙ୍କ ଚାବୁକ 

ମାଡ଼ ଖାଇଥିଲି ମୁହିଁ ।

ମୋ ଆଖିରେ ସେହି ଆଘାତ ବେଳରେ

ଗରଭରେ ତୁହି ଥିଲୁ ,

ସେ ପାଇଁ ତୋହର ଆଖି ଧନମଣି

ହରାଇ ଜନମ ନେଲୁ ।

କ୍ରୋଧରେ ଶାବକ କହଇ ମାଆଲୋ

ପ୍ରତିଶୋଧ ନେବି ମୁହିଁ ,

ମୋ ଉପରେ ରାଜା ବସିଥିଲା ବେଳେ

କଚାଡ଼ି ମାରିବି ତହିଁ ।

ମାଆ କହିଲା ସେ ଆମ ଅନ୍ନଦାତା

ଆମ ପାଇଁ ଭଗବାନ ,

ତାଙ୍କ ଅମଙ୍ଗଳ ପାରିବାନି ଚିନ୍ତି

ସହିଯିବା ହିଁ ଉତ୍ତମ ।

ଘୋଡ଼ା ଶାବକଟି ବଡ଼ ହେଲା ପରେ

ରାଜା ତା'ଉପରେ ବସି ,

ଯାଇଥିଲେ ଦିନେ ଯୁଦ୍ଧ କରିବାକୁ

ସେଠାରେ ପଡ଼ିଲେ ଖସି ।

ଭାବିଥିଲା ଘୋଡ଼ା ରାଜାଙ୍କୁ ନ ଆଣି

ପଳାଇ ଆସିବ ଘର ,

ଶତ୍ରୁମାନେ ଏକୁଟିଆ ପାଇ ତାଙ୍କୁ

ମାରିଦେବେ ସେହିଠାର ।

ହେଲେ ସେ ପଳାଇ ନ ଆସି ସାଙ୍ଗରେ

ରାଜାଙ୍କୁ ଆଣିଲା ସାଥେ ,

ମାଆକୁ କହିଲା ପାରିଲିନି ମୁହିଁ

ନେଇ ପ୍ରତିଶୋଧ ଏଥେ ।

ମାଆ ଘୋଡ଼ୀ କହେ ପାଇଅଛୁ ଧନ

ପରିବାରରୁ ସଂସ୍କାର ,

ସେବକ ହୋଇକି ସହିଯିବା ଆମେ

ଦୋଷ ଆମ ମାଲିକର ।

 

 

 

 

ଜୟ ଶ୍ରୀଜଗନ୍ନାଥ ।

ତରୁଣ କୁମାର ମିଶ୍ର ।

ଖଣ୍ଡଗିରି ,ଭୁବନେଶ୍ବର ।

ମୋ-9853310292

 


एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default