-: ll କାମିକା ଏକାଦଶୀ ବା ଚକ୍ରବୁଲା ଏକାଦଶୀ ll :-
ବର୍ଷ ମଧ୍ୟରେ ପାଳିତ ହେଉଥିବା ଏକାଦଶୀମାନଙ୍କ ମଧ୍ୟରେ ଶ୍ରାବଣ ମାସ କୃଷ୍ଣପକ୍ଷ ଏକାଦଶୀ ସ୍ୱତନ୍ତ୍ର। ଏହାର ନାମ କାମିକା ଏକାଦଶୀ ବୋଲି ଆମେ ଜାଣି ଥାଉ ତାହା ଶ୍ରୀମନ୍ଦିର ରେ ଚକ୍ରବୁଲା ଏକାଦଶୀ ଭାବେ ପରିଚିତ । ଏପରିକି, ଏହି ଏକାଦଶୀର ନାମ ସ୍ମରଣ ମାତ୍ରକେ ବାଜପେୟ ଯଜ୍ଞର ଫଳ ମିଳିଥାଏ। ଏହିଦିନ ଶ୍ରୀଧର, ହରି, ବିଷ୍ଣୁ, ମାଧବ ଓ ମଧୁସୂଦନ ଆଦି ନାମରେ ଶଙ୍ଖଚକ୍ରଧାରୀ ଶ୍ରୀବିଷ୍ଣୁଙ୍କୁ ପୂଜା କରାଯାଏ। ଏହି ପୂଜାର ଯେଉଁ ଫଳ ମିଳେ, ତାହା ଗଙ୍ଗା, କାଶୀ, ନୈମିଷ୍ୟାରଣ୍ୟ ବା ପୁଷ୍କର କ୍ଷେତ୍ରରେ ତପ କଲେ ମିଳି ନଥାଏ। ଏପରିକି ଏହିଦିନ ମଧୁସୂଦନ ଶ୍ରୀହରିଙ୍କୁ ପୂଜା କଲେ ଯେଉଁ ଫଳ ମିଳିଥାଏ, ତାହା ସମୁଦ୍ର ଓ ବନଭୂମି ସହିତ ସମଗ୍ର ପୃଥିବୀକୁ ଦାନ କରିବାର ପୁଣ୍ୟଫଳ ସହିତ ସମାନ। ଏହିଦିନ ବ୍ରତ ରଖି ଭଗବାନ ଶ୍ରୀଧରଙ୍କୁ ସ୍ତବ କଲେ ତାଙ୍କ ସହିତ ଗନ୍ଧର୍ବ ଓ ନାଗଙ୍କ ସମେତ ସମସ୍ତ ଦେବତାଙ୍କର ପୂଜା ହୋଇଥାଏ। ଭଗବାନ ଶ୍ରୀବିଷ୍ଣୁଙ୍କର ତୁଳସୀ ଦଳ ଅତ୍ୟନ୍ତ ପ୍ରିୟ। କିନ୍ତୁ ଏହିଦିନ, ସମଗ୍ର ରାତି ଉଜାଗର ରହି ଶ୍ରୀବିଷ୍ଣୁଙ୍କୁ ଦୀପଦାନ ସହିତ ତୁଳସୀ ମଞ୍ଜରୀ ଅର୍ପଣ କଲେ ଶ୍ରୀହରି ମନୁଷ୍ୟକୁ ସମସ୍ତ ପାପରୁ ମୁକ୍ତ କରିଥାନ୍ତି।
ଏ ସଂପର୍କରେ ଏକ କାହାଣୀ ପ୍ରଚଳିତ। ଗୋଟିଏ ଗ୍ରାମରେ ଜଣେ ଶ୍ରେଷ୍ଠୀ ଓ ଜଣେ ବ୍ରାହ୍ମଣ ପଡ଼ୋଶୀ ଭାବରେ ରହୁଥିଲେ। କିନ୍ତୁ ଦୁଇଜଣଙ୍କ ଭିତରେ ଆଦୌ ସୁସଂପର୍କ ନଥିଲା। କୌଣସି ନା କୌଣସି କାରଣକୁ ନେଇ ପ୍ରତ୍ୟହ ସେମାନେ ପରସ୍ପର ସହିତ କଳହ କରୁଥିଲେ। ଏକଦା ଏହି କଳହ ଏତେ ଭୟଙ୍କର ହେଲା ଯେ ଶ୍ରେଷ୍ଠୀଜଣକ ଉତ୍କ୍ଷିପ୍ତ ହୋଇ ବ୍ରାହ୍ମଣଙ୍କୁ ହତ୍ୟା କରିଦେଲେ। ବ୍ରାହ୍ମଣଙ୍କୁ ମାରି ସାରିବା ପରେ କିନ୍ତୁ ଶ୍ରେଷ୍ଠୀଙ୍କ ମନରେ ଅନୁତାପ ଜାତ ହେଲା। ପ୍ରାୟଶ୍ଚିତ କରିବା ନିମିତ୍ତ ଅନ୍ୟ ବ୍ରାହ୍ମଣମାନଙ୍କୁ ନିମନ୍ତ୍ରଣ କରି ସେ ବ୍ରାହ୍ମଣଙ୍କ କ୍ରିୟାକର୍ମ କରିବାକୁ ନିଷ୍ପତ୍ତି ନେଲେ। କିନ୍ତୁ ବ୍ରାହ୍ମଣ-ମୃତ୍ୟୁରେ କ୍ରୋଧିତ ହୋଇ କୌଣସି ବ୍ରାହ୍ମଣ ଶ୍ରେଷ୍ଠୀଙ୍କର ନିମନ୍ତ୍ରଣ ସ୍ୱୀକାର କଲେ ନାହିଁ। ଶ୍ରେଷ୍ଠୀ ଏଥିରେ ଆହୁରି ଦୁଃଖିତ ହୋଇ, ପାପର ପ୍ରାୟଶ୍ଚିତ କରିବାପାଇଁ ଚତୁର୍ଦ୍ଦିଗ ଭ୍ରମଣ କଲେ।
ଏହି ସମୟରେ ସେ ଜଣେ ମୁନିଙ୍କୁ ଭେଟି ତାଙ୍କୁ ନିଜ ପାପକର୍ମ ସଂପର୍କରେ କହି ପ୍ରାୟଶ୍ଚିତ କରିବାର ଉପାୟ ବତାଇବାକୁ ଅନୁରୋଧ କଲେ। ଋଷି ତାଙ୍କୁ ‘କାମିକା ଏକାଦଶୀ’ ବ୍ରତପାଳନ କରିବାକୁ ନିର୍ଦ୍ଦେଶ ଦେଲେ। ଶ୍ରେଷ୍ଠୀ ନିଷ୍ଠାର ସହିତ ଏହି ବ୍ରତ ପାଳନ କରିବାରୁ ପାପମୁକ୍ତ ହୋଇ ସ୍ୱର୍ଗଲୋକ ଗମନ କଲେ ସେଥିପାଇଁ ଆକୁ ପାପମୋଚନୀ କାମିକା ଏକାଦଶୀ ଭି କୁହନ୍ତି , ଏହି ବ୍ରତ କଲେ ନରହତ୍ୟା ପରି ଭୟଙ୍କର ପାପରୁ ମଧ୍ୟ ମୁକ୍ତି ମିଳେ। ତା’ ସହିତ ଏତେ ଅଧିକ ପୁଣ୍ୟ ହୁଏ ଯେ ତାର ସଂଖ୍ୟା ଚିତ୍ରଗୁପ୍ତ ମଧ୍ୟ ଗଣିପାରନ୍ତି ନାହିଁ।
ll ଏକାଦଶୀ ମାହାତ୍ମ୍ୟେ ll
ll ଯୁଧିଷ୍ଠିର ଉବାଚ ll
କହନ୍ତି ଯୁଧିଷ୍ଠିର ରାଜା l ବାସୁଦେବଙ୍କୁ କରି ପୂଜା ll
ଶ୍ରାବଣ କୃଷ୍ଣ ଏକାଦଶୀ l କେବଣ ନାମରେ ପ୍ରଶଂସି ll
ll ଶ୍ରୀକୃଷ୍ଣ ଉବାଚ ll
କୃଷ୍ଣ କହନ୍ତି ନୃପ ଶୁଣ l ପାପନାଶନ ପୂଣ୍ୟମାନ ll
ନାରଦ ବ୍ରହ୍ମାଙ୍କ ସମ୍ବାଦ l ଶୁଣିଲେ ତୁଟିବ ବିଷାଦ ll
ll ନାରଦ ଉବାଚ ll
ନାରଦ ପଚାରନ୍ତେ ବିଧି l ପୂର୍ବେ ଯା କହିଛନ୍ତି ବୁଝି ll
ହେ ଭଗବାନ ପଦ୍ମାସନ l ତୁମ୍ଭର ଠାରୁ ଶୁଣି ମନ ll
ଶ୍ରାବଣ କୃଷ୍ଣ ଏକାଦଶୀ l ନାମ କହନ୍ତୁ ବ୍ରହ୍ମରାଶି ll
ଏଥିରେ ଯେ ବିଧି ଯେ ହେବ l ହେ ପ୍ରଭୁ ମୋତେ ତ କହିବ ll
ll ବ୍ରହ୍ମା ଉବାଚ ll
ନାରଦ ମୁନି ପଚାରନ୍ତେ l କହନ୍ତି ବ୍ରହ୍ମା ଲୋକହିତେ ll
କାମିନୀ ନାମରେ ଶ୍ରାବଣୀ l ଯେ କୃଷ୍ଣ ଏକାଦଶୀ ରାଣୀ ll
ଯାହାକୁ କର୍ଣ୍ଣ ପଥେ ନେଇ l ବାଜପେୟର ଫଳ ପାଇ ll
ଏଥିରେ ପୂଜିବ ଶ୍ରୀଧର l ଯେ ଶଙ୍ଖ ଚକ୍ର ଗଦାଧର ll
ମାଧବ ହରି ବିଷ୍ଣୁ ନାମ l କି ଅବା ଶ୍ରୀମଧୁସୂଦନ ll
ପୂର୍ବ ଅଥବା ଧ୍ୟାନ କଲେ l ଶୁଣ ହେ ତାହା ଯାହା ମିଳେ ll
ଗଙ୍ଗାରେ କି ଅବା କାଶୀରେ l କି ଅବା ନୈମିଷେ ପୁଷ୍କରେ ll
ନ ମିଳେ ଯେଉଁ ଫଳ ପୁଣ୍ୟ l ତା ଦିଏ ଶ୍ରୀକୃଷ୍ଣ ଯଜନ ll
ସିଂହର ବୃହସ୍ପତି ଥାଇ l ଯା ଗୋଦାବରୀ ସ୍ନାନ ପାଇ ll
ଦଣ୍ଡକେ ଅବା ବ୍ୟତିପାତେ l ସେ ଫଳ ଶ୍ରୀକୃଷ୍ଣ ପୂଜନ୍ତେ ll
ସାଗର ବନ ଯୁତ କରି l ଯେ ଦେଲା ବିପ୍ରେ ବସୁନ୍ଧରୀ ll
ଯେ କଲା ଏ କାମିକା ବ୍ରତ l ହୁଏ ଇଦୃଶ ଫଳବନ୍ତ ll
ସମସ୍ତ ଅଳଙ୍କାର ଥାଇ l ଉଭୟ ମୁଖୀ ଯେ ଦିଅଇ ll
ବିଧିରେ କାମିକା କରଇ l ନୁହେଁ ସମାନ ଫଳ ପାଇ ll
ତେଣୁ ସର୍ବଥା ଯତ୍ନ କରି l କାମିକା ଦିନେ ନରହରି ll
ଯଥାଶକ୍ତିରେ ପୂଜା କରି l ଯେତେ ପାପକୁ ଭୟକରି ll
ପାପ ପଙ୍କିଳ ଭବ ସିନ୍ଧୁ l ତ ରଣେ ଏ କାମନା ବନ୍ଧୁ ll
ଏଥିରୁ ତରତର ହୋଇ l ପବିତ୍ର ପାପ ନାଶିନାହିଁ ll
ଏ ରୂପ ଏ ବ୍ରତକୁ ଜାଣ l କହୁଅଛନ୍ତି ନାରାୟଣ ll
ଆଧ୍ୟାତ୍ମ ଧ୍ୟାନରେ ନିରତ l ଯେ ଫଳ ଲଭଇ ନିୟତ ll
ସେ ଫଳ ଏ କାମିକା କରି l ନରେ ପାଆନ୍ତି ନରହରି ll
ଯେହୁ କାମିକା ବ୍ରତ କରି l ଜାଗର ଦେଇ ପୂଜେ ହରି ll
ସେ ରୌଦ୍ର ଯମକୁ ନ ଦେଖେ l ନ ରହେ ଦୁର୍ଗତିର ପାଖେ ll
ଯେ କରେ ଏକାଦଶୀ ବ୍ରତ l ସେ ନୁହେଁ କୁଯୋନି ସମ୍ଭୁତ ll
କାମିକା ବ୍ରତ ପୂର୍ଣ୍ଣକରି l କୈବଲ୍ୟ ଲଭେ ଯୋଗକରି ll
ତେଣୁ ସଂଯତ ଚିତ୍ତ ହୋଇ l କର ଏ ବ୍ରତ ମୋକ୍ଷ ପାଇଁ ll
ତୁଳସୀ ପତ୍ରେ ଯେଉଁ ନର l ଏ ଦିନ ପୂଜେ ଦାମୋଦର ll
ପାପରେ ନୁହଁଇ ସେ ଲିପ୍ତ l ପୟରେ ପ୍ରାୟ ପଦ୍ମପତ୍ର ll
ସୁବର୍ଣ୍ଣ ଶତେଭାର ଦେଲେ l ନୋହେ ତୁଳସୀ ପତ୍ର ତୁଲେ ll
କାମିକା ଏକାଦଶୀ ଦିନ l ତୁଳସୀ ପତ୍ରେ ଯେ ପୂଜନ ll
କୃଷ୍ଣର ଯେତେ ପ୍ରୀତି କରେ l ନୁହେଁ ସେ ସୁବର୍ଣ୍ଣର ଭାରେ ll
କାମିକା ଦିନେ ମଞ୍ଜରୀର l ଯେତେ ସନ୍ତୋଷ କୃଷ୍ଣଙ୍କର ll
ରୂପାର ଚାରିଭାଗ ପୂଜି l ସେ ପ୍ରୀତି ନୋହିବ ଅରଜି ll
ପ୍ରବାଳ ବୈଦୁର୍ଯ୍ୟ ମୌକ୍ତିକ l ଏ ରତ୍ନ ଆଦି ଯେ ଅନେକ ll
ଏ ପୂଜା ନ ତୋଷଇ ହରି l କେବଳ ତୁଳସୀ ମଞ୍ଜରୀ ll
ତୁଳସୀ ମଞ୍ଜରୀରେ ଯେହୁ l ପୂଜିଲେ ପ୍ରଭୁ ମହାବାହୁ ll
ତାର ଆଜନ୍ମ ପାପଚୟ l ନିଃଶେଷ ଲଭଇ ନିଶ୍ଚୟ ll
ଯାହାର ଦର୍ଶନ ମଙ୍ଗଳ l ନିଖିଳ ଅଘ ସଂଘ ହର ll
ଯାହାକୁ ଛୁଇଁ ଶୁଦ୍ଧ ହୋଇ l ସ୍ତୁତି କରନ୍ତେ ରୋଗ ଯାଇ ll
ଯାହାକୁ ଶକ୍ତ କରି ଜନ l ଗଣନା ନ କରଇ ଯମ ll
ଆବର କଲା ଲୋକଙ୍କର l ଯେ ଶୁଦ୍ଧ ବିଧାନେ ତତ୍ପର ll
ଯେ ବିଷ୍ଣୁ ଆଳୟେ ରୋପିତ l ହୋଇବ ବିଷ୍ଣୁ ପାଦେ ଚିତ୍ତ ll
କରନ୍ତି ମୋକ୍ଷଫଳେ ଦାନ l ସେ ଦେବୀ ତୁଳସୀ ସମାନ ll
ଯେ ହରି ଦିନେ ଅହର୍ନିଶେ l ଦୀପ ଜାଳଇ ବୃକ୍ଷ ପାଶେ ll
ଯେ ଲୋକ ପୁଣ୍ୟ ସଂଖ୍ୟା ଫଳ l ଚିତ୍ରଗୁପ୍ତଙ୍କ ଅଗୋଚର ll
ଏକାଦଶୀରେ ଯେଉଁ ଦୀପ l ଜାଳଇ କୃଷ୍ଣ ଆଗେ ନୃପ ll
ତା ପିତୃ ଲୋକେ ସ୍ୱର୍ଗେ ଥାଇ l ତୃପ୍ତ ହୁଅନ୍ତି ସୁଧା ପିଇ ll
ଘୃତରେ ତିଳ ତୈଳ ଅବା l ଦୀପ ଜାଳି ଯେ କରେ ସେବା ll
ସେ କୋଟି ଦୀପ ସଙ୍ଗେ ଥାଇ l ସୂର୍ଯ୍ୟଲୋକକୁ ସୁଖେ ଯାଇ ll
ହେ ନୃପ ତୁମ୍ଭ ଆଗେ ସିନା l କହିଲି କାମିକା ମହିମା ll
ଏଣୁ ଏ କର୍ତ୍ତବ୍ୟ ସର୍ବଥା l ଯାହାର ପୁଣ୍ୟ ହରେ ଵ୍ୟଥା ll
ଯେ ବ୍ରହ୍ମ ଭୃଣ ହତ୍ୟା ପାପ l ବିନାଶି ଏହାର ପ୍ରତାପ ll
ଏ ମହାପୁଣ୍ୟ ଫଳପ୍ରଦା l ସ୍ୱର୍ଗରେ ସ୍ଥାନ ଦିଏ ସଦା ll
ଶ୍ରଦ୍ଧାରେ ଯୁକ୍ତ ହୋଇ ନର l ଯେ ଶୁଣେ ମାହାତ୍ମ୍ୟ ଏହାର ll
ସେ ସର୍ବ ପାପୁ ମୁକ୍ତ ହୋଇ l ବିଷ୍ଣୂ ଲୋକରେ ସ୍ଥାନ ପାଇ ll
ଇତି ଶ୍ରୀ ବ୍ରହ୍ମବୈବର୍ତ୍ତେ ଶ୍ରାବଣ କୃଷ୍ଣ କାମିକାଏକାଦଶୀ ମାହାତ୍ମ୍ୟେ ନାମ ସପ୍ତଦଶୋଽଧ୍ୟାୟଃ ll
ll ଶ୍ରୀମନ୍ଦିରରେ ଚକ୍ରବୁଲା ଏକାଦଶୀ ll :-
ଆଜି ଶ୍ରୀମନ୍ଦିରେ ମଧ୍ୟାହ୍ନଧୂପ ନୀତି ଶେଷ ହେବାପରେ ମଇଲମ ହୋଇ ଶ୍ରୀଜୀଉ ମାନଙ୍କୁ ଖଣ୍ଡୁଆ ପାଟ ପିନ୍ଧାଇ ଆଳତୀ ଓ ସର୍ବାଙ୍ଗ ଆରମ୍ଭ ହୋଇଥାଏ। ଏହାପରେ ଦକ୍ଷିଣ ଘରୁ ମହାଜନ ସେବକ ମାନଙ୍କ ଦ୍ଵାରା ମଦନ ମୋହନ ଙ୍କୁ ସିଂହାସନ କୁ ଅଣାଯାଏ । ମହାପ୍ରଭୁ ଙ୍କ ଠାରୁ ଆଜ୍ଞା ମାଳ ପାଇବା ପରେ ମଦନ ମୋହନ ଏକାଦଶୀ ବେଢ଼ା ପରିକ୍ରମା (ଶ୍ରୀମନ୍ଦିର ଭିତରେ) ରେ ଯାଇଥାନ୍ତି । ଏହାପରେ ସୁନା ବେଶ ରେ ମହାପ୍ରଭୁ ଙ୍କ ହାତ ରେ ସୁସଜ୍ଜିତ ସୁନା ର ଚକ୍ର (ଚକ୍ର ନାରାୟଣ) ଙ୍କୁ ସିଂହାସନ ନିକଟ କୁ ନିଆଯାଇଥାଏ ଏବଂ ମହାପ୍ରଭୁ ଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ବିମାନ ବଡୁ ସେବକ ମାନଙ୍କ ଦ୍ଵାରା ବିମାନ ରେ ବିଜେ କରାଜାଇଥାଏ ଉକ୍ତ ବିମାନକୁ ବିମାନ ବଡୁ ସେବାୟତ ସ୍କନ୍ଦରେ ବହନ କରି ସିଂହଦ୍ଵାର ଦେଇ ଶ୍ରୀ ନଅର ନିକଟକୁ ଯାଇଥାନ୍ତି। ସେଠାରେ ପନ୍ତିଭୋଗ ହେବା ପରେ, ଶ୍ରୀକ୍ଷେତ୍ରର ପ୍ରାଚୀନ ଚାରି ଆଶ୍ରମ ଯଥା- ମାର୍କଣ୍ଡେୟ, ଅଙ୍ଗିରା, ଭୃଗୁ, କଣ୍ଡୁ ଆଶ୍ରମକୁ ବିଜେ କରିଥାନ୍ତି। ପ୍ରତି ଆଶ୍ରମରେ ଶୀତଳ ଭୋଗ, ବନ୍ଦାପନା ହୋଇ ନଗର ପରିକ୍ରମା ପରେ ସୁବର୍ଣ୍ଣ ସୁଦର୍ଶନ ଚକ୍ର ଶ୍ରୀମନ୍ଦିରକୁ ପ୍ରତ୍ୟାଗମନ କରିଥାନ୍ତି। ଏହାକୁ ଚକ୍ରବୁଲା ଏକାଦଶୀ ବୋଲି ମଧ୍ୟ କୁହାଯାଏ। ବର୍ଷ ରେ ଥରେ ମାତ୍ର ସୁବର୍ଣ୍ଣଚକ୍ର ଶ୍ରୀମନ୍ଦିର ବାହାରକୁ ଏକାକୀ ବିଜେ କରିଥାନ୍ତି। ବର୍ଷର କୁମାର ପୂର୍ଣ୍ଣିମା, ରାଧାଷ୍ଟମୀ ଓ ଗହ୍ମାପୂର୍ଣିମା ଦିନ ଦାରବତନୁ ଚକ୍ରରାଜ ସୁଦର୍ଶନ ଚାରୀ ଆଶ୍ରମ ଭ୍ରମଣ କରିଥାନ୍ତି।