*ମାଟି ଓ ମେଘ ର ମିଳନର ପର୍ବ*
ପୂର୍ଣ୍ଣ ଯୌବନର ଦୀପ୍ତି ନେଇ ଧରିତ୍ରୀକୁ ଆସିଥାଏ । ମାଟି ଓ ମୌସୁମୀର ମିଳନର ପର୍ବ *ରଜ* ।
ପୃଥିବୀର ମାତୃତ୍ଵ କାମନା କରିକରି ସୃଷ୍ଟିର ଗୀତଗାନ କରୁଛି *କୃଷକ* । ଆଦ୍ୟ ଆଷାଢର ପ୍ରଥମ ବାରିପାତରେ ପୃଥିବୀ ଋତୁମତୀ ହୋଇଥିବାରୁ ସବୁଆଡେ ଖୁସିର ଉତ୍ସବ ମୁଖର ହୋଇଉଠୁଛି । *ଶରୀର ପାଇଁ ବିଶ୍ରାମ ଆଉ ମନ ପାଇଁ ଆନନ୍ଦର ଅବସର ଏହି ରଜପର୍ବ* ।
ଦୋଳିରେ ଛୁଟୁଛି- କୁଆଁରୀ ମାନଙ୍କର ରଜଗୀତର ସ୍ଵର ।।
ପ୍ରଥମ ବର୍ଷାର ପହିଲି ଧାରା ମାଟି ଛୁଇଁଲେ, ଆଦ୍ର ହୋଇ ଉଠେ ପୃଥିବୀ । ଶୀତଳତା ଭରିଯାଏ ସବୁଆଡେ । ଯେମିତିକି ବହୁଦିନରୁ ପ୍ରତିକ୍ଷୀତ ଏଇ (ମାଟି- ମେଘ ସହ ରଚି ବସିଛି ଶୃଙ୍ଗାରର ପର୍ବ* । ଆଉ ଏହି ଶୁଭ ଅବସରରେ ଗୀତ ଗାଉଛନ୍ତି ସମସ୍ତେ ।
ପୋଡପିଠା ଖାଇ , ପୁଅମାନଙ୍କର ତାସ ବାଗୁଡି ଖେଳ, ଆଉ ଝିଅ ମାନଙ୍କର ଗାଁ ବୁଲା, ଅଳତାଲଗା ସହ ରଜପାନ ଖାଇ ଓଠ ରଙ୍ଗେଇବାର ଏଇ ଏକ ଭିନ୍ନ ମଉକା ।
ମାଟିର ଭୁରୁଭୁରୁ ଗନ୍ଧ ମହକେଇ ଦଉଛି – ଗାଁ ଭୁଇଁ । ହଳଦୀ ମୁଖା ନିରିମାଖୀ ଦେହରେ ପଲ୍ଲୀବାଳା ସଜେଇ ହୋଇଛି କୁଙ୍କୁମ ଚନ୍ଦନ।
*ଋତୁମତୀ ଧରାର ସଂକେତ ବହନ କରି ସେ ଆଜି ସମସ୍ତଙ୍କ ପାଇଁ ମହନିୟା, ବନ୍ଦନୀୟା ହୋଇଛି* । "ଅକ୍ଷୟ ତୃତୀୟା" ରେ ଧାନ ଅନୁକୂଳ କରି ବସିଥିବା ଚାଷୀ କ୍ଷେତକୁ ଯିବାକୁ ପ୍ରସ୍ତୁତ ହୋଇଥିଲେ ବି ଏଇ ତିନିଦିନ ବିଶ୍ରାମର ବେଳ।
ଭୁଇଁରେ ଖାଲି ପାଦରେ ଚାଲିବା ମନା, କର୍ଷଣ ବି ମନା ।
*ଫସଲ ଉତ୍ପାଦନ ଭଳି ଗୁରୁତ୍ଵପୂର୍ଣ୍ଣ କୃଷିପର୍ବର ଆରମ୍ଭରୁ ମାଟିକୁ ସଂପୂର୍ଣ୍ଣ ବିଶ୍ରାମ ଦେବା ପାଇଁ ଏହି ପର୍ବର ପରିକଳ୍ପନା* ।
ପରିବାରର ଲୋକେ କି ଆତ୍ମୀୟସ୍ଵଜନ ଯିଏ ଯେଉଁଠି ଥିଲେ ବି , ଫେରି ଆସିଥାନ୍ତି ଘରକୁ । ବନ୍ଧୁ ବାନ୍ଧବଙ୍କ ଗହଳି ଆଉ ହସ କୌତୁକର ଆସର ଭୁଲାଇ ଦିଏ କର୍ମମୟ ଜୀବନର ଅବସାଦକୁ। ଖରାର ଦର୍ପ କମିଲା ପରେ ମୌସୁମୀର କଅଁଳଛୁଆଁ ଶିହିରିତ କରେ ସମସ୍ତଙ୍କୁ । *ବସୁମତି ବନ୍ଦନାର ପର୍ବ* । କ୍ଳାନ୍ତ ଧୂସର ଆକାଶରେ ପଇଁତରା ମାରୁଛି ବାଦଲ । ଗଛର ସବୁଜିମା ଉପରେ ଆସ୍ତରଣ କମାଇଥିବା ବହଳ ଧୁଳି, ଟୋପା ଟୋପା ମେଘରେ ଧୋଇ ହୋଇଯାଉଛି । *ପ୍ରକୃତିର ସ୍ଵପ୍ନ ଓ ସୃଜନ ରଚିଛନ୍ତି ମାଳମାଳ କଙ୍କି ଓ ରଙ୍ଗୀନ ପ୍ରଜାପତି* ।
ପ୍ରକୃତି ସୃଷ୍ଟି କରିଛି "ବର୍ଷା" ଆଉ "ବର୍ଷା"କୁ ସ୍ଵାଗତ କରି ସୃଷ୍ଟି ହୋଇଛି *ରଜପର୍ବ* ।
ଜ୍ୟୋତିଷ ଶାସ୍ତ୍ରାନୁସାରେ ସୂର୍ଯ୍ୟ ବୃକ୍ଷରାଶିକୁ ତ୍ୟାଗକରି ଯେଉଁ ଦିନ ମିଥୁନ ରାଶିରେ ପ୍ରବେଶ କରନ୍ତି ତା ପର ଦିନକୁ ମିଶାଇ ମୋଟ *ତିନିଦିନ ରଜପର୍ବ* ପାଳନ କରାଯାଏ । ମୃଗଶିରା ନକ୍ଷତ୍ରରେ ସୂର୍ଯ୍ୟ ରହିବାର ତିନିଦିନକୁ ରଜ କୁହାଯାଉଥିବା ବେଳେ ଧର୍ମଶାସ୍ତ୍ରନୁସାରେ ନାରୀର ଋତୁସ୍ରାବ ପ୍ରଥମ ତିନିଦିନ ଯଥାକ୍ରମେ- ଚାଣ୍ଡାଳି, ବ୍ରହ୍ମଘାତିନୀ ଓ ରଜକୀ ହୋଇଥାଏ । ଚତୁର୍ଥ ଦିନରେ ଶୂଦ୍ରା ଓ ପଞ୍ଚମ ଦିନରେ ରମଣ ଯୋଗ୍ୟା ହୋଇଥାଏ ।। ଠାକୁରାଣୀ ଗାଧୁଆରେ କାଠପିଢା ଉପରେ ଶିଳପୁଆ, ଲଙ୍ଗଳ ଲୁହା ଓ ବିଭିନ୍ନ ଉପକରଣ ରଖି ତା ଉପରେ ହଳଦୀପାଣି ଢାଳି। ଭୋଗ ରାଗ ସହ ବସୁମତି ସ୍ନାନ କରାନ୍ତି ।
ଉତ୍ପାଦନକ୍ଷମ ହୁଏ ମାଟି ।
ରଜ ପୁରପଲ୍ଲୀରେ ମଉଜ ମଜଲିସର ଉତ୍ସବ ହୋଇଥିବା ବେଳେ, ଆମର ଧର୍ମୀୟ ଭାବଧାରାରେ ଏହା ଯୋଡି ହୋଇରହିଛି କାହିଁ କେଉଁ କାଳରୁ । *ଶ୍ରୀମନ୍ଦିରରେ ସପ୍ତାବରଣ ମୃତ୍ତି ମଧ୍ୟରେ ଭୂଦେବୀ ବା ମାଟିଦେବୀ ଥିବାରୁ ଖୁବ ରୀତିନୀତି ସହ ରଜପର୍ବ ପାଳନ କରାଯାଇଥାଏ* ।ଓଡିଶାର ରଜପର୍ବ ପରି ରାଜସ୍ଥାନରେ ମଧ୍ୟ ପାଳନ ହୁଏ ‘ଡାଜପତ୍ର ‘ ଏଥିରେ କୁମାରୀମାନେ ନୂତନ ବସ୍ତ୍ର ପରିଧାନପୂର୍ବକ ଦୋଳି ଖେଳିଥାନ୍ତି । ବର୍ଷା ଆରମ୍ଭରୁ ଏହି ଉତ୍ସବ ଓଦା କରିଦିଏ କୁଆଁରୀର ମନପ୍ରାଣକୁ । ରଜପର୍ବ କେରଳରେ ଓଡିଶା ଭଳି ଦୋଳିଥାଏ, ପିଠାପଣା ଥାଏ। ନାଚଗୀତରେ ପୁଅଝିଅମାନେ ନାଚିଥାନ୍ତି । *ବର୍ଷା ହିଁ ସୃଜନ ଓ ଶୃଙ୍ଗାରର ଋତୁ* ।
ନବଯୌବନପ୍ରାପ୍ତ ଝିଅଟିଏ ଅନ୍ୟ ଘରକୁ କନିଆଁ ହୋଇଯିବାର ସ୍ଵପ୍ନ ଦେଖେ ଏଇ ରଜ ଅବସରରେ । ସେଥିପାଇଁ ହିଁ ତାର ମନର ଭାବ ପ୍ରକାଶ ଲାଗି ଦୋଳିଖେଳ ର ଆୟୋଜନ - ଏକ ନିଆରା ସୁଯୋଗ ।
କେନ୍ଦୁଝର ଅଞ୍ଚଳ ରେ ଏହି ରଜକୁ ଭିନ୍ନ ଢଙ୍ଗରେ ପାଳନ କରାଯାଏ। ଏଠାରେ ବିଭିନ୍ନ ପ୍ରକାର ଦୋଳି ବନ୍ଧାଯିବା ପରେ ପ୍ରଥମେ "ଗାଁ ଦେହୁରି" ନିହାଣ ବାରିସି ଆଦି ଦୋଳିରେ ରଖି ଏହାକୁ ଅଢେଇବେଣ୍ଟ ଝୁଲାଇଥାନ୍ତି । ପ୍ରଥମେ ନୀହାଣ ବାରିସିକୁ ଝୁଲାଇବା ଦ୍ଵାରା ସ୍ଵର୍ଗର ଶିଳ୍ପୀ ବିଶ୍ଵକର୍ମାଙ୍କ ପ୍ରତି ସମ୍ମାନ ଜଣାଇ ସେମାନେ ଗୀତାରେ ଗୀତରେ ଦୋଳି ଖେଳରେ ମଜ୍ଜିଯାନ୍ତି । ରଜ ବିଦାୟର ପରମ୍ପରା ଆଉ ଏକ ଅଂଶ । ଝିଅ ଶାଶୁଘରକୁ ଯିବ ସଂସାର କରିବ – ଏଇ ସାମାଜିକ ବ୍ୟବସ୍ଥାକୁ ପ୍ରତିକାତ୍ମକ ଢଙ୍ଗରେ ପରିବେଷଣ କରନ୍ତି ଗାଁ ଝିଅମାନେ। ସେମାନେ ପରସ୍ପର ବରକନ୍ୟା ବସନ୍ତି । ଶବର- ଶବରୁଣୀ ନାଚ ହୁଏ । ନୃତ୍ୟରେ ଶବର ତାର ଆରାଧ୍ଯ ଦେବତା ଶ୍ରୀ ଜଗନ୍ନାଥଙ୍କ ପ୍ରତି ସମ୍ମାନ ଜଣାଏ । ଆଦିବାସୀମାନଙ୍କ ଗଭୀର ବିଶ୍ଵାସ ଯେ ମା'ସୀତା ଏହିଦିନ ଗର୍ଭବତୀ ହୋଇଥିଲେ । ତେଣୁ ସ୍ଥାନୀୟ ଶବର ନୃତ୍ୟ ମାଧ୍ୟମରେ ଆର୍ଯ୍ୟଦେବତା ଓ ଆର୍ଯ୍ୟ ସଂସ୍କୃତିକୁ ସମ୍ମାନ ଜଣାନ୍ତି । ଶବରୁଣୀ ଶବରକୁ କୃଷି କର୍ମରେ ତତ୍ପର ହେବାକୁ କୁହେ । ସବୁ ଠାରେ *ରଜପର୍ବ* ଆତ୍ମୀକ ଆଉ ଆପଣାର ଲାଗେ । ଘରେ ଘରେ ବନ୍ଧୁମିଳନ ହୋଇଥାଏ। ଗାଁ ପୋଖରୀରେ ଶେଷ ମାଛ ଧରା ହୋଇ ଭୋଗଲାଗେ। ଏବେ ଅସଂଖ୍ୟ ଛେଳି, କୁକୁଡା, କଟା ଚାଲିଥିବା ବେଳେ ପୂର୍ବେ ଲୋକେ କେବଳ ଏଇ ରଜ ସମୟକୁ ଖାସୀ କଟା ଲାଗି ଚାହିଁ ବସିଥାନ୍ତି । ଝିଅମାନେ ସଜବାଜରେ କେଶଗୁଚ୍ଛକୁ ଇଠା ଫଳରେ ପରିଷ୍କାର କରନ୍ତି । ମହିଳା ମାନେ ଗହଣା ଓ ଅଳଙ୍କାର ମାଜନ୍ତି ।
ହଜାର ହଜାର ବର୍ଷର ବୈଦିକ ସଭ୍ୟତାରେ ମଣିଷ ଯେପରି ମହାପ୍ରକୃତିର ବନ୍ଦନା ଗାଉଥିଲା , ମାଟି, ପାଣି, ପବନ, ସୂର୍ଯ୍ୟ, ମେଘ, ଆକାଶ, ଓ ଅଗ୍ନିର ଆବାହନ କରୁଥିଲା, ରଜପର୍ବ ହେଉଛି ସେଇ ପରମ୍ପରା ଓ ଦର୍ଶନର ପ୍ରତିଫଳନ । *ହିନ୍ଦୁଶାସ୍ତ୍ର ରଜକୁ ବସୁମାତା ଅସ୍ପର୍ଶ ଦିବସ ଭାବେ ମାନ୍ୟତା ଦେଇ ଆସୁଛି* । ସୃଷ୍ଟିର ମୂଳତତ୍ତ୍ଵ ହେଉଛି କୃଷି। କୃଷି ନାହିଁ ତ ସଂସ୍କୃତି ନାହିଁ । *କୃଷି* ରଜ- ସଂସ୍କୃତି ପାଇଁ ସର୍ଜନାର ସଙ୍କେତ ବହନ କରିଥାଏ । ଚନ୍ଦ୍ରଦେବଙ୍କ ନାଁ ଅନୁସାରେ ଏହି ମାସରେ ନାମକରଣ କରାଯାଇଛି । ରୋମରେ ଲୋକେ *ଜୁନୋଙ୍କୁ* ମାତୃତ୍ଵର ଦେବୀଭାବେ ପୂଜା କରୁଥିବା ବେଳେ ତାଙ୍କରି ନାଁରେ ନାମକରଣ ହୋଇଥିବା ଜୁନ ମାସରେ ରଜପର୍ବର ପରିକଳ୍ପନା ।।
_*ସଂଗୃହୀତ*_
