*ll ବିଶ୍ୱକର୍ମା ll*
"ଦେବଶିଳ୍ପୀ ମହାଭାଗ ଦେବାନାଂ କାର୍ଯ୍ୟସାଧକ ।
ବିଶ୍ଵକର୍ମନ୍ନମସ୍ତୁଭ୍ୟ ସର୍ବାଭିଷ୍ଠ ପ୍ରଦାୟକ ॥"
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ସୂର୍ଯ୍ୟ ସିଂହରାଶିରୁ ଯାଇ କନ୍ୟା ରାଶିରେ ପ୍ରବେଶ କଲେ କନ୍ୟା ସଂକ୍ରାନ୍ତି ହୋଇଥାଏ। ଏହି ସଂକ୍ରାନ୍ତିର ବିଶେଷ ମହତ୍ତ୍ୱ ହେଉଛି, ଏହି ଦିନଟି ଦେବଶିଳ୍ପୀ ବିଶ୍ୱକର୍ମାଙ୍କର ଜନ୍ମଦିବସ ଭାବରେ ଭାରତ ଓ ନେପାଳ ଆଦି ଦେଶରେ ମହା ସମାରୋହରେ ପାଳିତ ହୋଇଥାଏ।
ବିଶ୍ୱ ସ୍ୱସ୍ୟ କର୍ମନ୍’ ଇତି ବିଶ୍ୱକର୍ମା
ବିଶ୍ୱକର୍ମା Biswakarma Puja Upabaas Odia Lyrics
ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା ।ପୁରାଣମତେ ସେ ଅଷ୍ଟମ ବସୁଦେବତା ପ୍ରଭାସଙ୍କ ଔରସରେ ଯୋଗସିଦ୍ଧାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ମତାନ୍ତରେ ପ୍ରଜାପିତା ବ୍ରହ୍ମାଙ୍କ ନାଭି କମଳରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ । ଚତୁର୍ଭୁଜ ବିଶ୍ୱକର୍ମା, ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ ମାର୍ତ୍ତୁଲି, ଦକ୍ଷିଣ ଉପର ହାତରେ ଚକ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବାର ଦୃଷ୍ଟିଗୋଚର ହେଇଥାନ୍ତି । ଦିବ୍ୟ ବସ୍ତ୍ର ପରିହିତ ଗଳାରେ ରତ୍ନହାର, ଅନୁପମ ରତ୍ନଅଳଙ୍କାରରେ ବିଭୂଷିତ, କର୍ଣ୍ଣରେ ମକର କୁଣ୍ଡଳ । ସେ ଜ୍ଞାନ ଓ ଅବସ୍ଥାରେ ସମୃଦ୍ଧ ହୋଇଥିଲେ ମଧ୍ୟ କିଶୋର ପରି ପ୍ରତିଭାତ । ଅତ୍ୟନ୍ତ ସୁନ୍ଦର ତେଜସ୍ୱୀ କାମଦେବଙ୍କ ପରି କାନ୍ତିମାନ ଅଟନ୍ତି । ବିଶ୍ୱକର୍ମା ସକଳ ଶିଳ୍ପକଳାର ଜନକ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ ।ଦେବତାମାନଙ୍କର ସମସ୍ତ ଶସ୍ତ୍ର ବିମାନ ଆଦି ଏହାଙ୍କଦ୍ୱାରା ବିନିର୍ମିତ । ସ୍ୱର୍ଗର ଅମରାବତୀ ହିଁ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ । ମଣିଷର କାର୍ଯ୍ୟର ପାର୍ଥକ୍ୟରେ ଯେପରି ଜାତିର ସୃଷ୍ଟି ସେହିପରି ଭଗବାନଙ୍କୁ ନାନା ରୂପରେ କଳ୍ପନା କରାଯାଇଛି । ଯେତେବେଳେ ସୃଷ୍ଟି କରନ୍ତି ସେତେବେଳେ ସେ ବ୍ରହ୍ମା, ଯେତେବେଳେ ପାଳନ କରନ୍ତି ସେତେବେଳେ ବିଷ୍ଣୁ, ଯେତେବେଳେ ସଂହାର କରନ୍ତି ସେତେବେଳେ ସେ ରୁଦ୍ର ସେହିପରି ସେ ଯେତେବେଳେ ଶିଳ୍ପୀ ସେତେବେଳେ ସେ ବିଶ୍ୱକର୍ମା ବୋଲି ପରିଚିତ ହୁଅନ୍ତି ।
ବିଶ୍ୱକର୍ମା Biswakarma Puja Upabaas Odia Lyrics
ବିଶ୍ୱକର୍ମା ଅନ୍ୟ ଅର୍ଥରେ ବିଶ୍ୱର ସୃଷ୍ଟିକର୍ତ୍ତା । ଅନନ୍ତଶାୟୀ ନାରାୟଣଙ୍କ ନାଭିକମଳରୁ ଉତ୍ପନ୍ନ ହୋଇଥିବା ତ୍ରିକାଳଦର୍ଶୀ ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା । ଏଣୁ ବିଶ୍ୱକର୍ମାଙ୍କୁ ବ୍ରହ୍ମାରୂପେ କଳ୍ପନା କରି ପୂଜା କରାଯାଏ ଶାସ୍ତ୍ରରେ ବିଶ୍ୱକର୍ମାଙ୍କ ପାଞ୍ଚ ଅବତାର କଥା ବର୍ଣ୍ଣନା କରାଯାଇଛି । ସେ ପାଞ୍ଚ ଅବତାର ହେଲେ ବିରାଟ ବିଶ୍ୱକର୍ମା , ଧର୍ମବଂଶୀ ବିଶ୍ୱକର୍ମା , ଅଗ୍ନିବଂଶୀ ବିଶ୍ୱକର୍ମା , ସୁଧନ୍ୱା ବିଶ୍ୱକର୍ମା ଓ ଭୃଗୁବଂଶୀ ବିଶ୍ୱକର୍ମା । ସ୍କନ୍ଦ ପୁରାଣ ଅନୁସାରେ ବ୍ରହ୍ମା ସ୍ୱରୂପ ଭଗବାନ ବିଶ୍ୱକର୍ମାଙ୍କର ପଞ୍ଚ ମୁଖ । ବିଶ୍ୱକର୍ମାଙ୍କର ପଞ୍ଚମୁଖ ତଥା ତାଙ୍କର ପଞ୍ଚପୁତ୍ରଙ୍କ ନାମ ହେଲା - ମନୁ, ମୟ, ତ୍ୱଷ୍ଟା, ଶିଳ୍ପୀ ଓ ଦେବଜ୍ଞ ଏମାନେ ଜଣେ ଜଣେ ସମାଜର ହିତକାରୀ ପ୍ରଚଣ୍ଡ ଦିବ୍ୟ ମହର୍ଷି ଅଟନ୍ତି । ଏହି ପଞ୍ଚମୁଖର ନାମକରଣ ଅନୁସାରେ ଭଗବାନ ବିଶ୍ୱକର୍ମାଙ୍କର ପଞ୍ଚ ପୁତ୍ର ସଂସାରର ହିତ ପାଇଁ ତଥା ଯାନ୍ତ୍ରିକ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରିଥିଲେ । ମନୁ ଋଷି ବିଶ୍ୱକର୍ମାଙ୍କ ଜ୍ୟଷ୍ଠ ପୁତ୍ର, ତାଙ୍କର ବିବାହ ଅଙ୍ଗିରା ଋଷିଙ୍କ କନ୍ୟା ସମ୍ପାଙ୍କ ସହିତ ହୋଇଥିଲା । ଦ୍ୱିତୀୟ ପୁତ୍ର ମୟ ଋଷି, ତାଙ୍କର ବିବାହ ପରାଶର ଋଷିଙ୍କ କନ୍ୟା ସୌମ୍ୟା ସହିତ ହୋଇଥିଲା । ତୃତୀୟ ପୁତ୍ର ତ୍ୱଷ୍ଟା ଋଷି, ତାଙ୍କର ବିବାହ କୌଷିକ ଋଷିଙ୍କ କନ୍ୟା ଜୟନ୍ତୀଙ୍କ ସହ ହୋଇଥିଲା । ଚତୁର୍ଥ ପୁତ୍ର ଶିଳ୍ପୀ ଋଷି , ତାଙ୍କର ବିବାହ ଭୃଗୁ ଋଷିଙ୍କ କନ୍ୟା କରୁଣାଙ୍କ ସହିତ ହୋଇଥିଲା । ପଞ୍ଚମ ପୁତ୍ର ଦେବଜ୍ଞ ଋଷି , ତାଙ୍କର ବିବାହ ଜୈମିନୀ ଋଷିଙ୍କ କନ୍ୟା ଚନ୍ଦ୍ରିକାଙ୍କ ସହିତ ହୋଇଥିଲା । ତାଙ୍କ କୃପା ବଳରେ ବିଭିନ୍ନ ଜ୍ଞାନ କୌଶଳରେ ନୂଆ ନୂଆ ଜିନିଷ ଉଦ୍ଭାବନ ହୁଏ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି ।
ଦେବଶିଳ୍ପୀ ବିଶ୍ୱକର୍ମା କନ୍ୟା ସଂକ୍ରାନ୍ତିରେ ମର୍ତ୍ତ୍ୟରେ ଆବିର୍ଭୂତ ହୋଇଥିଲେ । ‘ବିଶ୍ୱ ସ୍ୱସ୍ୟ କର୍ମନ୍’ ଇତି ବିଶ୍ୱକର୍ମା । ବିଶ୍ୱକର୍ମା ମଧ୍ୟ ତ୍ୱଷ୍ଟା ନାମରେ ବିଦିତ । ସେ ଚିତ୍ରଙ୍ଗଦାଙ୍କ ପିତା ଥିଲେ । ‘ଚିତ୍ରଙ୍ଗଦାୟଃ ପିତରଂ ମାଂ ତ୍ୱଷ୍ଟାରଂ ତପୋଧନେ’ (ବାମନ ପୁରାଣ - ୬୫ /୧୦୨) । ତ୍ୱଷ୍ଟା - ତ୍ୱକ୍ଷତଚ୍ ଅର୍ଥାତ୍ ତ୍ୱଷ୍ଟା ବଢ଼ାଇ, ନିର୍ମାତା, କାରିଗର ଆଦି ଅର୍ଥରେ ବ୍ୟବହୃତ ହେବା ସହିତ ବିଶେଷକରି ବିଶ୍ୱକର୍ମା ଅର୍ଥରେ ପ୍ରଜୁଯ୍ୟ । ବ୍ରହ୍ମ ବୈବର୍ତ୍ତ ପୁରାଣରେ ବିଶ୍ୱକର୍ମାଙ୍କ ବଂଶାନୁଚରିତ ବିବର୍ଣ୍ଣିତ । ପୁନଶ୍ଚ ଉକ୍ତ ପୁରାଣରୁ ଜଣାଯାଏ ଯେ, ଘୃତାଚୀ ସ୍ୱର୍ଗବେଶ୍ୟା ହିଁ ବିଶ୍ୱକର୍ମାଙ୍କ ପତ୍ନୀ ଥିଲେ । ‘ଅମର କୋଷ’ ବର୍ଣ୍ଣନା ଅନୁସାରେ ସ୍ୱର୍ଗ ବେଶ୍ୟାମାନଙ୍କ ମଧ୍ୟରେ ଘୃତାଚୀ ଅନ୍ୟତମ ଥିଲେ ।
*ଘୃତାଚୀ ମେନକା ରମ୍ଭା ଉର୍ବଶୀ ଚ ତିଳୋତମା*
*ସୁକେଶୀ ମଞ୍ଜୁଘୋଷାଦ୍ୟା କଥ୍ୟନ୍ତେଦ୍ଧସ୍ପରସୋ ବୁଧୈଃ ।*
ବିଶ୍ୱକର୍ମା Biswakarma Puja Upabaas Odia Lyrics
ବ୍ରହ୍ମବୈବର୍ତ୍ତ ପୁରାଣମତେ ଏକଦା ଘୃତାଚୀ ବେଶଭୂଷା ହୋଇ କାମଦେବଙ୍କ ନିକଟକୁ ରମଣାର୍ଥେ ପୁଷ୍କର ତୀର୍ଥକୁ ଗମନ କରୁଥିଲେ । ସେହି ସମୟରେ ଦେବଶିଳ୍ପୀ ବିଶ୍ୱକର୍ମା ସ୍ୱର୍ଗଲୋକରୁ ପ୍ରତ୍ୟାବର୍ତ୍ତନ କରୁଥିବା ଅବସ୍ଥାରେ ଘୃତାଚୀଙ୍କୁ ଭେଟିଥିଲେ । ଘୃତାଚୀ ସୌନ୍ଦର୍ଯ୍ୟରେ ବିମୁଗ୍ଧ ହୋଇ ବିଶ୍ୱକର୍ମା ଆସକ୍ତ ମାନସିକତାରେ ଉପନୀତ ହୋଇଥିଲେ । ଘୃତାଚୀ କିନ୍ତୁ କାମଦେବଙ୍କ ସହ ରମଣ ଉଦ୍ଦେଶ୍ୟରେ ଗମନ କରୁଥିଲେ । ଏଣୁ ସେ ବିଶ୍ୱକର୍ମାଙ୍କୁ ପ୍ରବୃତ୍ତିରୁ ନିବୃତ୍ତି ହେବାକୁ ପରାମର୍ଶ ଦେଲେ । କହିଲେ “ହେ ଦେବଶିଳ୍ପୀ, ସ୍ୱର୍ଗର ନିୟମ ଅନୁସାରେ ଯେଉଁ ଦିନ ଦେବତାଙ୍କ ପ୍ରତି ସ୍ୱର୍ଗବେଶ୍ୟାମାନଙ୍କ ଅଭିଳାଷ ଥାଏ ସେଦିନ ସେହି ନିର୍ଦ୍ଦିଷ୍ଟ ଦେବତା ହିଁ ପତି ସ୍ୱରୂପ । ଏଣୁ କାମଦେବ ମୋ ପକ୍ଷେ ଆଜି ଦିନର ପତି ସ୍ୱରୂପ । ତୁମେ ବିଶ୍ୱକର୍ମା ମଧ୍ୟ କାମଦେବଙ୍କ ଶିଷ୍ୟ ଅଟ । ଏଣୁ ଗୁରୁପତ୍ନୀ ହରଣ କରିବା ଅବିଧେୟ । ଆସନ୍ତାକାଲି ତୁମେ ମୋର ପତି ହେବ ନିଶ୍ଚୟ ।” ଘୃତାଚୀଙ୍କ ଘୋର ବାରଣ ହେତୁ ବିଶ୍ୱକର୍ମା ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଘୃତାଚୀଙ୍କୁ ମର୍ତ୍ତ୍ୟରେ ଶୂଦ୍ରନାରୀ ଭାବେ ଜନ୍ମହେବାକୁ ଅଭିଶାପ ଦେଲେ । ଘୃତାଚୀ ମଧ୍ୟ ବିଶ୍ୱକର୍ମାଙ୍କୁ ମର୍ତ୍ତ୍ୟରେ ମାନବ ହୋଇ ଜନ୍ମହେବାକୁ ପ୍ରତି ଅଭିଶାପ ଦେଲେ । ବିଶ୍ୱକର୍ମା ଘୃତାଚୀର ଅଭିଶାପ ପ୍ରସଙ୍ଗ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ଜଣାଇଲେ ଓ ତାହାର ନିରାକରଣ ବିଷୟରେ ପ୍ରଶ୍ନକଲେ । କିନ୍ତୁ ବ୍ରହ୍ମା ଘୃତାଚୀର ଭିନ୍ନ ବୃତ୍ତି ସତ୍ତ୍ୱେ ସ୍ୱର୍ଗରେ ପତିବ୍ରତା ସତୀର ମାନ୍ୟତା ଦେବାରୁ ତାହାର ଅଭିଶାପ ନିଷ୍ଫଳ ନୁହେଁ ବୋଲି ବିଶ୍ୱକର୍ମାଙ୍କୁ ଅବଗତ କରିଥିଲେ । ପରବର୍ତ୍ତୀ କାଳରେ ବିଶ୍ୱକର୍ମା ବ୍ରାହ୍ମଣ କୂଳରେ ଜନ୍ମ ନେଇଥିଲେ ଓ ତାଙ୍କର ଜାତିସ୍ମର ଥିବାରୁ ସେ ସବୁକଥା ଜାଣିପାରୁଥିଲେ । ରାଜାଙ୍କ ଆଦେଶରେ ସେ ପ୍ରୟାଗ ତୀର୍ଥରେ ଅନେକ ଦେବାଦେବୀଙ୍କ ମନ୍ଦିର ନିର୍ମାଣ କରୁଥିବା ବେଳେ ଏକଦା ସେହି ସମୟରେ ଗଙ୍ଗାରେ ସ୍ନାନ କରୁକରୁ ଏକ ଅନିନ୍ଦ୍ୟ ରୂପବତୀ କନ୍ୟାକୁ ଦେଖିଲେ ଓ ଅନୁଭବ କରି ଜାଣିପାରିଲେ ଯେ, ସେ ଘୃତାଚୀ ବୋଲି । ଘୃତାଚୀ ମଧ୍ୟ ବିଶ୍ୱକର୍ମାଙ୍କୁ ଜାଣିପାରିଲେ । ବ୍ରହ୍ମାଙ୍କ କଥା ଅନୁସାରେ ଉଭୟ ଗଙ୍ଗାତୀରସ୍ଥ ମଳୟ ବନରେ ବିବାହ କରି ଏକାଠି ବାରବର୍ଷ ବିତାଇଲେ । ତାଙ୍କଠାରୁ ନଅଟି ସନ୍ତାନ ଉତ୍ପତ୍ତି ହୋଇଥିଲେ । ପୁତ୍ରମାନଙ୍କ ମଧ୍ୟରେ ମାଳାକାର, କର୍ମକାର, କଂସାରି, ଶଙ୍ଖାରି, କୁମ୍ଭକାର, କୁନ୍ଦବିକ, ସୂତ୍ରଧର, ସ୍ୱର୍ଣ୍ଣକାର ଓ ଚିତ୍ରକର । ସେହି ପୁତ୍ରଙ୍କ ମଧ୍ୟରୁ ମାଳାକାରଙ୍କୁ ପୁଷ୍ପଶିଳ୍ପ, କର୍ମକାରଙ୍କୁ ଲୌହ ଶିଳ୍ପ, କାଂସ୍ୟକାରଙ୍କୁ କଂସା ଶିଳ୍ପ, ସୂତ୍ରଧରଙ୍କୁ କାଠ ଶିଳ୍ପ, ତନ୍ତୀଙ୍କୁ ବୟନଶିଳ୍ପ, କୁମ୍ଭକାରଙ୍କୁ ମୃତ୍ତିକା ଶିଳ୍ପ, ସ୍ୱର୍ଣ୍ଣକାରଙ୍କୁ ଅଳଙ୍କାର ଓ ଚିତ୍ରକାରଙ୍କୁ ଅଙ୍କନ ଶିଳ୍ପ ବିଦ୍ୟା ଶିକ୍ଷା ଦେଇ ବିଶ୍ୱକର୍ମା ସେମାନଙ୍କୁ ସୁଶିକ୍ଷିତ କରାଇଥିଲେ । କନ୍ୟା ଚିତ୍ରାଙ୍ଗଦା ମଧ୍ୟ ପିତାଙ୍କ ଠାରୁ ଶିଲେଇ ଶିଳ୍ପ ଶିକ୍ଷାଦାନ ପାଇଥିଲେ ।
ବିଶ୍ୱକର୍ମା Biswakarma Puja Upabaas Odia Lyrics
ପୁନଶ୍ଚ ଉକ୍ତ ପୁରାଣରେ ଉଲ୍ଲେଖ ଅନୁସାରେ ପୁତ୍ରମାନଙ୍କ ମଧ୍ୟରୁ ଜଣେ ବ୍ରାହ୍ମଣର ସୁନା ଚୋରୀ କରିବାରୁ ସ୍ୱର୍ଣ୍ଣକାର ପତିତ ରୂପେ ବିବେଚିତ ହେଲେ । ସେହିପରି ଯଜ୍ଞ ସମୟରେ ସୂତ୍ରଧର କାଠ ଯୋଗାଣରେ ବିଳମ୍ବ କରି ମଧ୍ୟ ପତିତ ହୋଇଥିଲେ । (ବୈଦିକ ଜାଗଯଜ୍ଞରେ ବଢ଼େଇଙ୍କ ବାରିସୀ ହଣା କାଠର ବ୍ୟବହାର ଏବେବି ପ୍ରଚଳନ ରହିଛି ) । ଚିତ୍ରକାର ଏକ ଶୂଦ୍ର ବେଶ୍ୟା ସହ ଆଶକ୍ତ ହୋଇ ଅଟ୍ଟାଳିକାର (ରାଜମିସ୍ତ୍ରୀ) ରୂପେ ଆର୍ବିଭୂତ ହୋଇଥିଲେ । ଏଣୁ ସମସ୍ତ ଶ୍ରେଣୀର ଶିଳ୍ପୀ ଓ କାରିଗର ଜାତି ବିଶ୍ୱକର୍ମାଙ୍କ ବଂଶଧର ଅଟନ୍ତି । ‘ବାମନ ପୁରାଣ’ ଉଲ୍ଲେଖ ଅନୁସାରେ ଦେବଶିଳ୍ପୀ ବିଶ୍ୱକର୍ମା ଅଭିଶପ୍ତ ହୋଇ ଦାନବ ରୂପ ଧାରଣ କରିଥିଲେ । ଋଷି ଋତୁଧ୍ୱଜଙ୍କ ଠାରୁ ବର ଲାଭକରି ଘୃତାଚୀଙ୍କ ସହ ସଂପର୍କ ରଖି 'ନଳ'ଙ୍କୁ ଜନ୍ମକରି ଶାପମୁକ୍ତ ହୋଇଥିଲେ-
*ତସ୍ମିନ୍ ଗୋଦାବରୀ ତୀର୍ଥେ ପ୍ରସୂତା ତନୟଂ ନଳମ୍*
*ଜାତୋଦ୍ଧପତ୍ୟ କପିତ୍ୱାତ୍ ଚ ବିଶ୍ୱକର୍ମଣ୍ୟପ୍ୟପ୍ୟୁତ୍ୱାତ୍ ।*
(ବାମନ ପୁରାଣ - ୬୫ / ୧୫୪)
ବାନର ସେନାପତି ନଳ, ଯେଉଁ ପଥର ଖଣ୍ଡକୁ ସ୍ପର୍ଶ କରୁଥିଲେ, ତାହା ହାଲୁକା ହୋଇ ପାଣିରେ ଭାସୁଥିଲା । ନଳ ପଥରମାନଙ୍କୁ ସ୍ପର୍ଶ କରିବାପରେ ସେହି ଭାସମାନ ପଥରଦ୍ୱାରା ରାମଚନ୍ଦ୍ର ସମୁଦ୍ରରେ ସେତୁବନ୍ଧ ବନ୍ଧାଇ ସମୁଦ୍ରକୁ ପାର ହୋଇ ଲଙ୍କା ଗଡ଼ରେ ପହଞ୍ଚିଥିଲେ । ବିଶ୍ୱକର୍ମାଙ୍କର ଏକପୁତ୍ରୀ ଚିତ୍ରଙ୍ଗଦା ରାଜା ସୁରଥଙ୍କୁ ବିବାହ କରିଥିଲେ । ପୌରାଣିକ କଥା ଅନୁସାରେ ଦେବଶିଳ୍ପୀ ବିଶ୍ୱକର୍ମା ବା ତ୍ୱଷ୍ଟାଙ୍କୁ ଅଗ୍ନିଦେବତା ଭାବେ ସ୍ୱୀକାର କରାଯାଇଥାଏ । ଯାହାଙ୍କର ତ୍ରିଶିରା ନାମକ ପୁତ୍ର ତଥା ସଂଜ୍ଞା ନାମକ କନ୍ୟା ଥିଲେ । ସଂଜ୍ଞାଙ୍କୁ ସୂର୍ଯ୍ୟଙ୍କ ସହ ସେ ବିବାହ ସଂପନ୍ନ କରାଇଥିଲେ । ସୂର୍ଯ୍ୟଙ୍କ ପ୍ରଚଣ୍ଡ ତେଜରାଶିକୁ ସଂଜ୍ଞା ସହି ନପାରିବାରୁ ତ୍ୱଷ୍ଟା ବିଶ୍ୱକର୍ମା ୧୦୮ ସୂର୍ଯ୍ୟସ୍ତୋତ୍ର ପାଠକରି ସୂର୍ଯ୍ୟଙ୍କୁ ପ୍ରସନ୍ନ କରିଥିବା କଥା ନରସିଂହ ପୁରାଣରେ ବର୍ଣ୍ଣିତ ହୋଇଛି ।
*ତେନୈବମୁକ୍ତୋ ଦିନ କୃତ୍ ତଥେତି*
*ତ୍ୱଷ୍ଟାରମୁକ୍ତା ବିବରାମ ଭାସ୍କରଃ*
*ସଂଜ୍ଞାଂ ବିଶଙ୍କାଂ ରବିମଣ୍ଡଳ ସ୍ଥିତାଂ*
*କୃତ୍ୱା ଜଗମଥ ରବିଂ ପ୍ରସାଦ୍ୟ ।* (ନରସିଂହ ପୁରାଣ -୧୯ / ୨୨)
ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରାଇବା ଫଳରେ ତାଙ୍କ ଉଗ୍ର ତେଜରାଶିକୁ ବିଶ୍ୱକର୍ମା ତାଞ୍ଛି ପକାଇଥିଲେ । ଫଳରେ ସେହି ତେଜ ପୁଞ୍ଜରୁ କ୍ରମେ ବିଷ୍ଣୁଙ୍କ ଚକ୍ର ଓ ଶିବଙ୍କ ତ୍ରିଶୂଳ ତଥା ଅନ୍ୟ ଦେବତାମାନଙ୍କ ଅସ୍ତ୍ରଶସ୍ତ୍ର ପ୍ରଭୃତି ନିର୍ମିତ ହୋଇଥିଲା । ଏହା ମହାକବି କାଳିଦାସଙ୍କ ‘ରଘୁବଂଶମ୍’ ମହାକାବ୍ୟରେ ମଧ୍ୟ ପ୍ରତିଫଳିତ-
*ଆରୋପ୍ୟ ଚକ୍ର ଭ୍ରମିମୁଷ୍ଟ ତେଜୋସ୍ତଷ୍ଟେବ*
*ଯତ୍ନୋଲିଖିତୋ ବିଭାତି ।* (ରଘୁ - ୬ / ୩୨)
ରାମାୟଣ ବର୍ଣ୍ଣନା ଅନୁସାରେ ରାବଣର ସ୍ୱର୍ଣ୍ଣ ଲଙ୍କାପୁର, ହରିବଂଶ ବର୍ଣ୍ଣନା ଅନୁସାରେ ଦ୍ୱାରିକାଧାମ, ସ୍କନ୍ଦପୁରାଣ ବର୍ଣ୍ଣନା ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀ ବିଗ୍ରହ ଆଦି ବିଶ୍ୱକର୍ମାଙ୍କଦ୍ୱାରା ବିନିର୍ମିତ ।
ବିଶ୍ୱକର୍ମାଙ୍କର କନ୍ୟା ସଂଜ୍ଞା ଓ ପୁତ୍ର ନଳ ନାମକ ବାନର।
ସଂଜ୍ଞା ବିଶ୍ୱକର୍ମାଙ୍କ କନ୍ୟା । ସୂର୍ଯ୍ୟଦେବ ଏହାଙ୍କ ପାଣି ଗ୍ରହଣ କରିଥିଲେ । ସଂଜ୍ଞାଙ୍କ ଗର୍ଭରେ ସୂର୍ଯ୍ୟଙ୍କ ଔରସରେ ବୈବସ୍ୱତ ମନୁ, ଯମ, ଯମୁନା ଓ ଅଶ୍ୱିନୀ-କୁମାର ଦ୍ୱୟ ଜନ୍ମ ଗ୍ରହଣ କରିଥିଲେ । ବାନର ସେନାପତି ନଳ, ଘୃତାଚୀ ଅପ୍ସରୀର ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ଏ ଯେଉଁ ପଥର ଖଣ୍ଡକୁ ସ୍ପର୍ଶ କରୁଥିଲେ, ତାହା ହାଲୁକା ହୋଇ ପାଣିରେ ଭାସୁଥିଲା । ଏ ପଥରମାନଙ୍କୁ ସ୍ପର୍ଶ କରିବାରୁ ସେହି ଭାସମାନ ପଥରଦ୍ୱାରା ରାମଚନ୍ଦ୍ର ସମୁଦ୍ରରେ ସେତୁବନ୍ଧ ବନ୍ଧାଇ ସମୁଦ୍ରକୁ ପାର ହୋଇ ଲଙ୍କା ଗଡ଼ରେ ପହଞ୍ଚିଥିଲେ ।
ବିଶ୍ୱକର୍ମା Biswakarma Puja Upabaas Odia Lyrics
*ଜଗନ୍ନାଥଙ୍କ ଦାରୁ ମୂର୍ତ୍ତି ଓ ବିଶ୍ୱକର୍ମା* :-
କିମ୍ବଦନ୍ତୀ ଅନୁଯାୟୀ ଜଗନ୍ନାଥଙ୍କ ଦାରୁ ମୂର୍ତ୍ତି ବିଶ୍ୱକର୍ମା ନିର୍ମାଣ କରିଥିଲେ । ଇନ୍ଦ୍ରଦ୍ୟୁମ୍ନ ରାଜା ବାଙ୍କି ମୁହାଣରୁ ସଂଗ୍ରହ କରିଥିବା ଦାରୁରେ ଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ କରିବାକୁ ନାନା ଦେଶରୁ ଦକ୍ଷ ଶିଳ୍ପୀମାନଙ୍କୁ ଅଣାଇ କାମରେ ଲଗାଇଥିଲେ କିନ୍ତୁ ସେମାନଙ୍କ ନିହାଣ ମୁନରେ ସେ ଦାରୁ ଖୋଳାଯାଇ ପାରିଲା ନାହିଁ, ବରଂ ସେଗୁଡ଼ିକର ଧାର ଓଲଟି ଗଲା । ମୂର୍ତ୍ତି ଗଢ଼ିବାରେ ବିଫଳ ହୋଇ ସମସ୍ତେ ଫେରିବାରେ ଲାଗିଲେ ଓ ଦିନକୁ ଦିନ ରାଜା ରାଣୀଙ୍କ ମନରେ ଭାଳେଣି ପଡ଼ିଲା । କିଛିଦିନ ଗତ ହେବା ପରେ ଦିନେ ଜଣେ ବୁଢ଼ା ବଢ଼େଇ ଆସି ମୂର୍ତ୍ତି ନିର୍ମାଣ କରିବାକୁ ଆଗ୍ରହ ପ୍ରକାଶ କଲା । ପରିଶେଷରେ ବୁଢ଼ା ବଢ଼େଇକୁ ନିର୍ମାଣ ଦାୟିତ୍ୱ ଦିଆଗଲା । ବୁଢ଼ା ବଢ଼େଇର ସର୍ତ୍ତ ରଖିଲା ୨୧ଦିନ ପର୍ଯ୍ୟନ୍ତ ମନ୍ଦିର ଦ୍ୱାର ଫିଟିବ ନାହିଁ, ସେ ଉପବାସ ରହି ମୂର୍ତ୍ତି ନିର୍ମାଣ କରିବ । ଏଥିରେ ରାଜା ରାଜି ହୋଇ ମନ୍ଦିର ଦ୍ୱାର ବନ୍ଦ କଲେ । ପ୍ରତ୍ୟେକ ଦିନ ରାଜା ଭିତରର ଠକ୍ ଠକ୍ ଶବ୍ଦ ଶୁଣିବାର ବ୍ୟବସ୍ଥା କରିଥାନ୍ତି । କିଛିଦିନପରେ ଭିତରୁ ଶବ୍ଦ ଆସିବା ବନ୍ଦ ହୋଇଯିବା ପରେ ଗୁଣ୍ଡିଚା ରାଣୀ ଧୈର୍ଯ୍ୟ ଧରି ରହିପାରିଲେ ନାହିଁ । ବୁଢ଼ା ବଢ଼େଇ ଉପବାସରେ ମୃତ୍ୟୁବରଣ କରିଛି ବୋଲି ସେ ଭାବିଲେ ଓ ରାଜାଙ୍କୁ ଦ୍ୱାର ଖୋଲିବାକୁ ଅନୁରୋଧ କଲେ । ଦ୍ୱାର ଉନ୍ମୁକ୍ତ କଲାପରେ ଦେଖାଗଲା ଯେ ବୁଢ଼ା ବଢ଼େଇ ଅନ୍ତର୍ଦ୍ଧ୍ୟାନ ହୋଇଯାଇଛି, ଅଛି କେବଳ ଦରଗଢ଼ା ମୂର୍ତ୍ତି । ଏଥିରେ ରାଜା ରାଣୀ ଘୋର ଚିନ୍ତାରେ ପଡ଼ିବାରୁ ଶୂନ୍ୟବାଣୀ ହେଲାଯେ- “ମୋର ଯେଉଁ ରୂପରେ ଆବିର୍ଭାବ ହେବାର ଇଚ୍ଛା ମୁଁ ସେହି ରୂପରେ ହିଁ ଆବିର୍ଭାବ ହୋଇଛି, ତେଣୁ ଏଥିରେ ଶୋଚନା କରିବାର କିଛି ନାହିଁ । ଏହି ବୁଢ଼ା ବଢ଼େଇ ଥିଲେ ସ୍ୱୟଂ ଦେବଶିଳ୍ପୀ ବିଶ୍ୱକର୍ମା” ।
ଭକ୍ତର ଭଗବାନ ସ୍ୱୟଂ ବଢ଼େଇ ରୂପରେ ଭକ୍ତର ମନୋବାଞ୍ଛା ପୂରଣ କରିବା ପାଇଁ ଆସି ନିଜର ମୂର୍ତ୍ତିକୁ ନିଜେ ଗଢ଼ିଥିଲେ ବୋଲି, ଓଡ଼ିଶାରେ ସାଧାରଣତଃ ଏହି ବୁଢ଼ା ବଢ଼େଇ ରୂପକୁ ହିଁ ବିଶ୍ୱକର୍ମାଙ୍କ ରୂପ ବୋଲି କଳ୍ପନା କରାଯାଏ ।
ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇ ନେତ୍ରୋତ୍ସବ ମଧ୍ୟରେ ଶ୍ରୀଗୁଣ୍ଡିଚା ଯାତ୍ରାପାଇଁ ଯେଉଁ ତିନିରଥ ନିର୍ମାଣ କରାଯାଇଥାଏ, ତାହା ଶାସ୍ତ୍ରୀୟ ପଦ୍ଧତିରେ ନିର୍ମିତ ହୁଏ। ପୂର୍ବ ବର୍ଣ୍ଣିିତ ‘ସପ୍ତ ରଥକାର’ ବା ‘ସପ୍ତ ରଥବିନ୍ଧାଣି’ ଏହି ନିର୍ମାଣ କାର୍ଯ୍ୟ କରିଥାଆନ୍ତି। ରଥଚିତ୍ର, ରଥାବରଣ ଓ ରଥଧ୍ୱଜ ଏବଂ ଅନ୍ୟାନ୍ୟ ମଣ୍ଡଣି କର୍ମ ମଧ୍ୟ ଏହାର ଅନ୍ତର୍ଭୁକ୍ତ।
ବିଶ୍ୱକର୍ମା Biswakarma Puja Upabaas Odia Lyrics
ରଥର ନିର୍ମାଣବିଧାନ ବିଭିନ୍ନ ଶିଳ୍ପଶାସ୍ତ୍ର ଗ୍ରନ୍ଥରେ ଲିପିବଦ୍ଧ ଅଛି। କିନ୍ତୁ ଶ୍ରୀଗୁଣ୍ଡିଚା ଯାତ୍ରାରେ ନିର୍ମିତ ହେଉଥିବା ତିନିରଥ ପ୍ରସଙ୍ଗରେ ସାଧାରଣତଃ ‘ଅପରାଜିତ ପୁଚ୍ଛା’ ଓ ଅନ୍ୟାନ୍ୟ ଶିଳ୍ପଶାସ୍ତ୍ରର ଉଲ୍ଲେଖ କରାଯାଏ। ସେହିସବୁ ଶିଳ୍ପଶାସ୍ତ୍ର ମଧ୍ୟରେ ‘ମାନସାର’ ବିରଚିତ ‘ମାନସାର ଶିଳ୍ପଶାସ୍ତ୍ର’, ‘ମୟ’ ବିରଚିତ ‘ମୟମନ୍ତ୍ରମ୍’, ‘ରାଜା ଭୋଜ’ ବିରଚିତ ‘ସମରାଙ୍ଗଣ ସୂତ୍ରଧର’ ଓ ‘ଶିଳ୍ପରତ୍ନ’ ଆଦି ପ୍ରମୁଖ। ‘ବିଶ୍ୱକର୍ମା’ ବିରଚିତ ‘ବିଶ୍ୱକର୍ମା ବାସ୍ତୁଶାସ୍ତ୍ର’ର ମଧ୍ୟ ଏ ପ୍ରସଙ୍ଗରେ ଉଲ୍ଲେଖ କରାଯାଏ। ଏସବୁ ହେଉଛି ସଂସ୍କୃତ ଭାଷାରେ ରଚିତ ବାସ୍ତୁ ବା ଶିଳ୍ପଶାସ୍ତ୍ର ଗ୍ରନ୍ଥ।
ଏଥିରୁ କେତେକକୁ ପୁରାଣବର୍ଣ୍ଣିିତ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ସହିତ ମଧ୍ୟ ସଂପର୍କିତ କରାଯାଇଛି। ପୁରାଣ ପ୍ରସଙ୍ଗ ଅନୁସାରେ, ଏହି ଦେବଶିଳ୍ପୀ ‘ବିଶ୍ୱକର୍ମା’ ବ୍ରହ୍ମାଙ୍କର ପୁତ୍ର। ମୂଳ ସଂସ୍କୃତରେ ସେ ‘ବିଶ୍ୱକର୍ମନ୍’। ‘ବିଶ୍ୱ’ର ଅର୍ଥ ସର୍ବବ୍ୟାପୀ ଓ ‘କର୍ମନ୍’ର ଅର୍ଥ କାର୍ଯ୍ୟ ହୋଇଥିବାରୁ ଏହା ସର୍ବବ୍ୟାପକ କର୍ମର ଅଧିପତିଙ୍କୁ ବୁଝାଏ। ଅନ୍ୟ ପୁରାଣମତ ମଧ୍ୟ ଅଛି ଯେ ଅଷ୍ଟମ ବସୁଦେବତା ପ୍ରଭାସଙ୍କ ଔରସରେ ଯୋଗସିଦ୍ଧାଙ୍କ ଗର୍ଭରେ ବିଶ୍ୱକର୍ମା ଜନ୍ମଗ୍ରହଣ କରିଥିଲେ।
ତେବେ ବେଦରେ ବିଶ୍ୱକର୍ମା ‘ତ୍ଵଷ୍ଟ୍ଵା’ ବା ‘ତ୍ଵଷ୍ଟୁ’ ଭାବରେ ବିଦିତ। ସ୍ଥାପତ୍ୟ ବିଜ୍ଞାନର ପ୍ରଥମ ପ୍ରକାଶକ ଭାବରେ ମଧ୍ୟ ସେ ସୁପ୍ରସିଦ୍ଧ।
ବିଶ୍ୱକର୍ମା ସାରା ବିଶ୍ୱର ଦେବଶିଳ୍ପୀ ଏବଂ ଚାରି ହସ୍ତରେ ସେ କମଣ୍ଡଳୁ, ପୁସ୍ତକ ଓ ନିହଣ ଆଦି ଆୟୁଧ ଧାରଣ କରିଥାନ୍ତି ବୋଲି ପୁରାଣମାନଙ୍କରେ ବର୍ଣ୍ଣିିତ ହୋଇଛି।
ଅପରାଜିତ ଜଣେ ଋଷି ବୋଲି ଜଣାଯାଏ। କିନ୍ତୁ ତାହାଙ୍କୁ ବିଶ୍ୱକର୍ମାଙ୍କ ପୁତ୍ର ବୋଲି କୁହାଯାଇଛି ଯାହାର କି ଯଥାର୍ଥ ପ୍ରମାଣ ଆଜି ଯାଏଁ ମିଳିନାହିଁ । ‘ଅପରାଜିତ ପୁଚ୍ଛା’ ତାଙ୍କ ରଚିତ ଶିଳ୍ପଶାସ୍ତ୍ର ହେଲେହେଁ ତାହାର ମୂଳ ନାମ ‘ଅପରାଜିତ ପ୍ରଚ୍ଛ’ (ଅପରାଜିତ ପ୍ରଶ୍ନ) ବୋଲି ଅନେକତ୍ର ଉଲ୍ଲେଖ ଅଛି। ଏଥିରୁ ଜଣାଯାଏ, ଏହି ଗ୍ରନ୍ଥ ମୂଳରୂପରେ ହୁଏତ ପ୍ରାକୃତ ଭାଷାରେ ରଚିତ ହୋଇଥିଲା। ପରେ ସଂସ୍କୃତରେ ‘ଅପରାଜିତ ପୁଚ୍ଛା’ ନାମରେ ପ୍ରକାଶ ପାଇଛି।
ଏଥିରେ ପିତା ବିଶ୍ୱକର୍ମାଙ୍କୁ ପୁତ୍ର ଅପରାଜିତ ବିଭିନ୍ନ ବାସ୍ତୁ ବା ଶିଳ୍ପଶାସ୍ତ୍ରଗତ ନିର୍ମାଣ ପ୍ରସଙ୍ଗରେ ଯେଉଁସବୁ ପ୍ରଶ୍ନ ପଚାରିଛନ୍ତି, ବିଶ୍ୱକର୍ମା ସେସବୁର ଉତ୍ତର ଦେଇଛନ୍ତି। ସେହି ପ୍ରସଙ୍ଗରେ ଆସିଛି ରଥନିର୍ମାଣ ପ୍ରସଙ୍ଗ। ଏହା ଭୁବନଦେବ ବିରଚିତ ବୋଲି ସୂଚନା ମିଳେ।
ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ତିନିରଥର ନିର୍ମାଣ ବିଧାନ ଉଲ୍ଲିଖିତ ଶିଳ୍ପଶାସ୍ତ୍ରଗୁଡ଼ିକ ସମେତ ଏହି ‘ଅପରାଜିତ ପୁଚ୍ଛା’ ଅନୁସାରେ ନିର୍ଦ୍ଧାରିତ ହୋଇଥିବା ଜଣାଯାଏ। ବିଶ୍ୱକର୍ମାଙ୍କ ରଚିତ ବାସ୍ତୁଶାସ୍ତ୍ରର ଯେଉଁ ଅଂଶ ରଥନିର୍ମାଣ ସଂପର୍କିତ, ତାହାକୁ ‘ବିଶ୍ୱକର୍ମୀୟ ରଥଲକ୍ଷଣମ୍’ ଭାବରେ ଅଭିହିତ କରାଯାଇଛି। କିନ୍ତୁ ‘ବିଶ୍ୱକର୍ମୀୟ ରଥ ଲକ୍ଷଣମ୍’ (ରଘୁନାଥ ପୁରୁଷୋତ୍ତମ କୁଲକର୍ଣ୍ଣିି ସଂପାଦିତ ତଥା କନିଷ୍କ ପବ୍ଲିଶର୍ସ, ନୂଆଦିଲ୍ଲୀ ପ୍ରକାଶିତ)ରେ ନବବିଧ ରଥର ଉଲ୍ଲେଖ ଅଛି। ‘ଅପରାଜିତ ପୁଚ୍ଛା’ (ଡକ୍ଟର ଶ୍ରୀକୃଷ୍ଣ ଜୁଗନୁ ଓ ପ୍ରଫେସର ଭଓଁର ଶର୍ମା ସଂପାଦିତ ଓ ଅନୂଦିତ ଏବଂ ପରିମଳ ପବ୍ଲିକେଶନ୍ସ, ଦିଲ୍ଲୀ ପ୍ରକାଶିତ)ରେ ମଧ୍ୟ ନବବିଧ ରଥର ବର୍ଣ୍ଣନା ରହିଛି।‘ବିଶ୍ୱକର୍ମୀୟ ରଥ ଲକ୍ଷ୍ମଣମ୍’ ଅନୁସାରେ, ନବରଥ ହେଉଛି- ୧. ନନ୍ଦ, ୨. ନନ୍ଦ୍ୟାବର୍ତ୍ତ, ୩. ନନ୍ଦିଘୋଷ, ୪. ପରଂଜୟ, ୫. ପତାକ, ୬. ପଦ୍ମକ, ୭. ପୃଥ୍ଵୀଜୟ, ୮. ମହୋଦ୍ଭବ ଓ ୯. ଶ୍ରୀମେରୁ। ସେହିପରି ‘ଅପରାଜିତ ପୁଚ୍ଛା’ର ନବରଥ ହେଉଛି- ୧. ଶ୍ରୀକର, ୨. ବିଜୟ, ୩. କାନ୍ତ, ୪. ଶ୍ରୀକେଶ, ୫. ବିଶାଳକ, ୬. ଶ୍ରୀଭଦ୍ର, ୭. ଶ୍ରୀବିଶାଳ, ୮. ଭଦ୍ର ଓ ୯. ଭଦ୍ରବିଶାଳକ। ଏଥିମଧ୍ୟରୁ ‘ଅପରାଜିତ ପୁଚ୍ଛା’ରେ ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ ରଥ ଏବଂ ଦେବୀ ସୁଭଦ୍ରାଙ୍କ ‘ପଦ୍ମକ’ ବା ‘ପଦ୍ମଧ୍ୱଜ’ ରଥର ନାମ ରହିଥିବାବେଳେ, ଶ୍ରୀବଳଭଦ୍ରଙ୍କ ‘ତାଳଧ୍ୱଜ’ ରଥର ନାମ ନାହିଁ। କିନ୍ତୁ ସେଥିରେ ବର୍ଣ୍ଣିିତ ‘ଶ୍ରୀମେରୁ’କୁ ଗବେଷକ ଓ ତତ୍ତ୍ଵବିତ୍ମାନେ ଶ୍ରୀବଳଭଦ୍ରଙ୍କ ରଥ ବୋଲି କହିଛନ୍ତି।
@ଭଗବତକଥା 🙏
ଓଁ ନମୋ ଭଗବତେ ବାସୁଦେବାୟ 🙏
ବିଶ୍ୱକର୍ମା Biswakarma Puja Upabaas Odia Lyrics