ସୋମଙ୍କର ବଂଶାନୁଚରିତ Somankara Bansanucharita Odia Lyrics

ABOUT INTEX
0
*ଓଁ ନମୋ ଭଗବତେ ବାସୁଦେବାୟ*    

                  ଶୁକ ଉବାଚ 
               ---------------------
ଏବେ ହୋ ଶୁଣ ନରନାଥ। ସୋମର ବଂଶାନୁଚରିତ। 
ଉର୍ବଶୀ ଗର୍ଭେ ବିଷ୍ଣୁ ତେଜେ। ଜନ୍ମିଲେ ପୁରୂରବା ବୀର୍ଯ୍ୟେ। 

ସୁନ୍ଦରପଣେ ନାହିଁ ସମ। ଶୁଣ ସେ ଷଡ଼ପୁତ୍ର ନାମ। 
ଆୟୁ ଶ୍ରୁତାୟୁ ପୁଣି ରୟ। ସତ୍ୟାୟୁ ବିଜୟ ଯେ ଜୟ।

 ଶ୍ରୁତାୟୁ ସୁତ ବସୁମାନ। ଏକ ନାମ ରୟ ନନ୍ଦନ। 
ଶ୍ରୁତଞ୍ଜୟ ସତ୍ୟାୟୁ ସୁତ। ଜୟର ତନୟ ଅମିତ। 

ବିଜୟ ତନୟ ଯେ ଭୀମ। ଭୀମର ପୁତ୍ର ଯେ କାଞ୍ଚନ। 
ତା ସୁତ ହୋତ୍ରୁ ଜହ୍ନୁ ହୋଏ। ଗଣ୍ଡୂଷେ ଗଙ୍ଗାଜଳ ପିଏ। 

ଜହ୍ନୁର ସୁତ ପୂରୁ ନାମ। ବଳାକ ତାହାଙ୍କ ନନ୍ଦନ। 
ଅଜକ ବଳାକର ସୁତ। କୁଶ ତା ଠାରୁ ହେଲା ଜାତ। 

ବଳାକସୁତ କୁଶ ହୋଇ। ସେ ଚାରି ପୁତ୍ରଙ୍କୁ ଜନ୍ମାଇ। 
କୁଶାମ୍ବୁ ପୁତ୍ର ଯେ ପ୍ରଥମ। ତନୟ ଦ୍ଵିତୀୟ ସନ୍ତାନ। 

ତୃତୀୟ ବସୁ ନାମେ ଖ୍ୟାତ। କୁଶନାଭ ଅଟେ ଚତୁର୍ଥ। 
କୁଶ୍ଵାମ୍ବୁ ସୁତ ଗାଧି ନାମ। ଅତି ସୁନ୍ଦର ଗୁଣଧାମ। 

( ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଓଡ଼ିଆ ଭାଗବତ , ନବମ ସ୍କନ୍ଧ, ପଞ୍ଚଦଶ ଅଧ୍ୟାୟ)

ପ୍ରସଙ୍ଗ - ସୋମଙ୍କର ବଂଶାନୁଚରିତ 

ଅର୍ଥ - ମହାମୁନି ଶୁକଦେବ କହିଲେ , ହେ ମହାରାଜା ପରୀକ୍ଷିତ ! ସୋମଙ୍କର ବଂଶାନୁଚରିତ କ୍ରମରେ ଏବେ ତୁମ୍ଭଙ୍କୁ ଯାହା କହୁଛି ତୁମ୍ଭେ ଶୁଣ। ଉର୍ବଶୀଙ୍କ ଗର୍ଭରୁ ପୁରୂରବାଙ୍କର ବିଷ୍ଣୁ ତେଜଧାରୀ ଅତ୍ୟନ୍ତ ସୁନ୍ଦର ଛଅଟି ପୁଅ ଜନ୍ମ ହେଲେ। ସେହି ଛଅ ପୁଅଙ୍କର ନାମ ଏବେ ତୁମ୍ଭକୁ କହୁଛି ତୁମ୍ଭେ ଶୁଣ। ସେହି ଷଡ଼ ପୁତ୍ରଙ୍କର ନାମ ହେଲା ଆୟୁ , ଶ୍ରୁତାୟୁ , ରୟ , ସତ୍ୟାୟୁ , ବିଜୟ ଓ ଜୟ। ଶ୍ରୁତାୟୁଙ୍କ ପୁତ୍ରର ନାମ ବସୁମାନ , ରୟଙ୍କର ପୁତ୍ରର ନାମ ଏକ , ସତ୍ୟାୟୁଙ୍କ ପୁତ୍ରର ନାମ ଶ୍ରୁତଞ୍ଜୟ ଓ ଜୟଙ୍କର ପୁତ୍ରର ନାମ ଅମିତ ଥିଲା। ବିଜୟଙ୍କ ପୁତ୍ରର ନାମ ଭୀମ , ଭୀମଙ୍କର ପୁତ୍ରର ନାମ କାଞ୍ଚନ , କାଞ୍ଚନଙ୍କ ପୁତ୍ରର ନାମ ହୋତ୍ର ଓ ହୋତ୍ରଙ୍କ ପୁତ୍ରର ନାମ ଜହ୍ନୁ ଥିଲା। ଏହି ଜହ୍ନୁ ଗଙ୍ଗାଙ୍କୁ ଗଣ୍ଡୂଷେ ଜଳ କରି ପାନ କରି ଦେଇଥିଲେ। ଜହ୍ନୁଙ୍କ ପୁତ୍ରର ନାମ ପୂରୁ , ପୂରୁଙ୍କ ପୁତ୍ରର ନାମ ବଳାକ , ବଳାକଙ୍କ ପୁତ୍ରର ନାମ ଅଜକ ଓ ଅଜକଙ୍କ ପୁତ୍ରର ନାମ କୁଶ ଥିଲା। କୁଶଙ୍କର ଚାରି ପୁତ୍ର ଥିଲେ। ତାଙ୍କର ପ୍ରଥମ ପୁତ୍ରର ନାମ କୁଶାମ୍ବୁ , ଦ୍ଵିତୀୟ ପୁତ୍ରର ନାମ ତନୟ , ତୃତୀୟ ପୁତ୍ରର ନାମ ବସୁ ଓ ଚତୁର୍ଥ ପୁତ୍ରର ନାମ କୁଶନାଭ ଥିଲା। ଏହି ଚାରି ପୁତ୍ରଙ୍କ ମଧ୍ୟରୁ କୁଶାମ୍ବୁଙ୍କର ଗାଧି ନାମରେ ଏକ ସୁନ୍ଦର ଓ ଗୁଣବାନ ପୁତ୍ର ଥିଲେ। 

ଭାବାର୍ଥ - ଏଠାରେ ସୋମଙ୍କର ବଂଶାନୁଚରିତ ବର୍ଣ୍ଣନା କରାଯାଇଅଛି। 
                                                                                                                                      
*ଉପସ୍ଥାପନା - ଗୁରୁ ଚରଣାଶ୍ରିତ ବିଶ୍ଵନାଥ ନାୟକ*
୧୭୦୮

✿❁❣️༒ *ଜୟ ଜଗନ୍ନାଥ* ༒❣️❁✿

एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default