ମହାରୁଦ୍ରାଭିଷେକ ବା ରୁଦ୍ରାଷ୍ଟଧ୍ୟାୟୀ କାହାକୁ କହନ୍ତି Maharudrabhishek Kahaku Kahanti

ABOUT INTEX
0
🟣।। ମହାରୁଦ୍ରାଭିଷେକ ବା ରୁଦ୍ରାଷ୍ଟଧ୍ୟାୟୀ କାହାକୁ କହନ୍ତି ॥ 🟣
➖➖➖➖➖➖➖➖➖➖️➖️➖️➖️

 ( ରୂପକ ବା ଷଡ଼ଙ୍ଗ ପାଠ , ରୁଦ୍ରୀ ବା ଏକାଦଶିନୀ , ଲଘୁରୁଦ୍ର ,ମହାରୁଦ୍ର , ଅତିରୁଦ୍ର ସମ୍ପର୍କିତ ସଂକ୍ଷିପ୍ତ ସୂଚନା।)
➖️➖️➖️➖️➖️➖️➖️➖️➖️➖️➖️➖️🟣

🌹ଓଁ ନମଃ ଶିବାୟ ମହାରୁଦ୍ରାୟ 🌹

ଗାତ୍ରଂ ଭସ୍ମସିତଂ ସିତଂ ଚ ହସିତଂ ହସ୍ତେକପାଳଂ ସିତଂ ,
ଖଟ୍ବାଙ୍ଗଂ ଚ ସୀତଂ ସିତଶ୍ଚ ବୃଷଭଃ କର୍ଣ୍ଣେ ସିତେ କୁଣ୍ଡଳେ । 
ଗଙ୍ଗାଫେନସିତା ଜଟାପଶୁପତେ ଶ୍ଚନ୍ଦ୍ରଃସିତୋ ମୂର୍ଦ୍ଧନୀ ,
ସୋଽୟଂ ସର୍ବସିତୋ ଦଦାତୁ ବିଭବଂ ପାପକ୍ଷୟଂ ସର୍ବଦା ।।

 [ ମହାରୁଦ୍ରାଭିଷେକରେ ରୁଦ୍ରାଷ୍ଟାଧ୍ୟାୟୀର ପ୍ରଥମ ଅଧ୍ୟାୟଠାରୁ ଆରମ୍ଭ କରି ସପ୍ତମ ଅଧ୍ୟୟ ଶେଷ ପର୍ଯ୍ୟନ୍ତ ପାଠକରି , ନମକାଧ୍ୟାୟରେ ପୁନଃ ଚମଧ୍ଯାୟର ୬୬ଟି ଗୋଟି ମନ୍ତ୍ରକୁ ପୃଥକ୍ ପୃଥକ୍ ଭାବରେ ୧୧ ଗୋଟି ଭାଗରେ ସଂଯୋଗ କରି ପାଠ କରିବ ଶେଷରେ ନବମ ଓ ଦଶମ ଅଧ୍ୟାୟକୁ ପାଠ କରିବ । ଏହିପରି ୧୨୧ ଥର ପାଠ କରିବାଦ୍ୱାରା , ତାହା ମହାରୁଦ୍ରାଭିଷେକ ହୁଏ । ଏହି ମହାରୁଦ୍ରାଭିଷେକ ଗୋଟିଏ ଦିନରେ ସମାପନ କରିବାକୁ ହେଲେ ୧୨୧ ଜଣ ବ୍ରାହ୍ମଣଙ୍କୁ ବରଣ କରି କ୍ରମାନ୍ଵୟରେ ରୁଦ୍ରଙ୍କର ଅର୍ଚ୍ଚନ ତଥା ଧାରାପାତ୍ର ଟାଙ୍ଗି ବା ଗୋମୁଖରେ ଜଳ ବା ଦ୍ରବ୍ୟଧରି ୧୨୧ ଜଣ ବ୍ରାହ୍ମଣ ଏକସଙ୍ଗରେ ପାଠ କରିବେ । ଅଥବା ୧୧ ଜଣ ବ୍ରାହ୍ମଣଙ୍କ ଦ୍ଵାରା ଏଗାର ଦିନରେ କାର୍ଯ୍ୟ ସମାପନ କରିବ । ଏହି ମହାରୁଦ୍ରାଭିଷେକରେ ଅଶେଷଗୁଣ , ଯଜମାନର ସମସ୍ତ ପ୍ରକାର କାମନାକୁ ସମ୍ପୂର୍ଣ୍ଣ ରୂପେ ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବିଧ ଫଳକୁ ପ୍ରଦାନ କରିଥାଆନ୍ତି । ଏଥିରେ ତିଳେମାତ୍ର ସନ୍ଦେହ ନଥାଏ । ମହାରୁଦ୍ରାଭିଷେକ ରୁଦ୍ରାଷ୍ଟାଧ୍ଯାୟୀର ମୁଖ୍ୟଭାଗ , ମହାରୁଦ୍ରାଭିଷେକର ମାହାତ୍ମ୍ୟ ରୁଦ୍ରାଷ୍ଟାଧ୍ୟାୟୀର ମାହାତ୍ମ୍ୟ ଅଟେ । କେହି କେହି ରୁଦ୍ରାଷ୍ଟାଧାୟୀର ପଞ୍ଚମ ଅଧ୍ୟାୟକୁ ଶତରୁଦ୍ରୀ ବୋଲି କୁହନ୍ତି , ଉକ୍ତ ଭାଗରେ ରୁଦ୍ରଙ୍କର ଶତାଧିକ ନାମଦ୍ଵାରା ତାଙ୍କୁ ନମସ୍କାର କରାଯାଇଅଛି । ମହାରୁଦ୍ରାଭିଷେକର ପାଠ ଅଥବା ପୂଜା ,ଜପ , ଅଭିଷେକ ଆଦି ସମସ୍ତ ବେଦ ଶାସ୍ତ୍ର ଓ ପୁରାଣରେ କଥିତ ଅଛି । ସାମ୍ବସଦାଶିବ କୈଳାସାଧିପତି ଶିବଙ୍କର ଉପାସନାରେ , ରୁଦ୍ରାଷ୍ଟଧାୟୀର ମାହାତ୍ମ୍ୟ ବହୁଳ ଭାବରେ ଶିବ ପୁରାଣରେ କଥିତ ଅଛି ।

      ଏକଦା ସନକାଦି ଋଷିଗଣମାନେ ପ୍ରଶ୍ନ କରିବାରୁ , ସ୍ବୟଂ ସଦାଶିବ ଆଶୁତୋଷ ରୁଦ୍ରାଷ୍ଟାଧାୟୀର ମନ୍ତ୍ରଦ୍ୱାରା ମହାରୁଦ୍ରାଭିଷେକର ମାହାତ୍ମ୍ୟ କହିଅଛନ୍ତି । ହେ ଋଷିଗଣ କଳିଯୁଗରେ ମନୁଷ୍ୟମାନେ ମନଦ୍ୱାରା ବିଷୟାଲୋଲୁପ ହୋଇ ପାପକର୍ମରେ ପଡ଼ି ଅଧୋଗତିକୁ ପ୍ରାପ୍ତ ହେବେ । ଏଣୁ ମନକର୍ମ ବଚନଦ୍ୱାରା ଚିତ୍ତବୃତ୍ତିକୁ ସ୍ବଚ୍ଛ ରଖିବା ନିମିତ୍ତ , ପରମ ପବିତ୍ର ତଥା ସବୁପ୍ରକାରର ମୁକ୍ତିଦାତା ସଦାଶିବରୁଦ୍ରଙ୍କର ପ୍ରସନ୍ନତା ପାଇଁ ରୁଦ୍ରାନୁଷ୍ଠାନ , ଶତରୁଦ୍ରୀ , ମହାରୁଦ୍ରୀ ବା ରୁଦ୍ରାଷ୍ଟାଧ୍ୟାୟୀ ଦ୍ବାରା ରୁଦ୍ରୀପାଠ, ରୁଦ୍ରୀଜପ, ରୁଦ୍ରାର୍ଚ୍ଚନ ଓ ଅଭିଷେକ କରିବାଦ୍ବାରା ଆଶୁତୋଷ ରୁଦ୍ରଙ୍କ କୃପାରୁ ସବୁ ପ୍ରକାରର ଅଭିପ୍‌ସିତ କାମନା ପୂର୍ଣ୍ଣ ହୋଇଥାଏ ,ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । 

🔹️ଉକ୍ତଂ ଚ

ଧନ୍ୟଂ ଯଶସ୍ୟମାୟୁଷଂ ପୂଣ୍ୟଂ ବେଦୈଶ୍ଚ ସମ୍ମିତମ୍ ,
ସର୍ବାର୍ଥସାଧନଂ ପୂଣ୍ୟଂ ସର୍ବକିଲ୍ବିଷନାଶନମ୍ । 

ସର୍ବପାପପ୍ରଶମନଂ ସର୍ବଦୁଃଖଭୟାପହମ୍
ପଠନ୍ ବୈ ଶତରୁଦ୍ରୀୟଂ ଶୃଣୁଷ୍ବ ସତତୋତ୍ଥିତଃ ॥ 

      ➖ ( ଦ୍ରୋଣପର୍ବେ ।)

    ( ରୁଦ୍ରାଷ୍ଟାଧାୟୀର ପ୍ରୟୋଗ ବେଦ ସମ୍ମତ ,ପରମପବିତ୍ର ତଥା ଧନ , ଯଶ ଓ ଆୟୁଶ ବୃଦ୍ଧି ହୁଏ । ଏହା ପାଠକରିବାଦ୍ଵାରା ସମସ୍ତ ପ୍ରକାରର ମନୋଭୀଷ୍ଟ କାମନାକୁ ସିଦ୍ଧ କରିଥାଏ ଓ ସବୁପ୍ରକାରର କିଳ୍ବିଷ ନାଶନ , ସର୍ବପାପ ନିବାରକ ତଥା ସବୁପ୍ରକାର ଦୁଃଖ , ଭୟ ଓ ରୋଗରୁ ଉଦ୍ଧାର ହୋଇଥାଏ । ଯେ ମନୁଷ୍ୟ ସଦାସର୍ବଦା ଶତରୁଦ୍ରୀର ଅନୁଷ୍ଠାନ ଦ୍ବାରା ପଠନ ଓ ଶ୍ରବଣ କରେ ତାହାଉପରେ ପ୍ରସନ୍ନ ହୋଇ ସାମ୍ବସଦାଶିବ ତ୍ରିଲୋଚନ ସମସ୍ତ ପ୍ରକାର କାମନାକୁ ପ୍ରଦାନ କରନ୍ତି । ବାୟୁ ପୁରାଣରେ କଥିତ ଅଛି । )

ଯଥା— 
ଯଶ୍ଚ ସାଗରପର୍ଯ୍ୟନ୍ତାଂ ସଶୈଳବନକାନନାମ୍ । 
ସର୍ବାନାତ୍ମଗୁଣୋପେତାଂ ସୁବୃକ୍ଷଜଳଶୋଭିତମ୍ ।।

ଦଦ୍ୟାତ୍ କାଞ୍ଚନ ସଂଯୁକ୍ତାଂ ଭୂମିଂ ଚୌଷଧିସଂଯୁତାମ୍ । 
ତସ୍ମାଦପ୍ୟଧିକଂ ତଥ୍ୟମ୍ ସକୃଦ୍ ରୁଦ୍ରଜପାତ୍ ଭବେତ୍ ॥ 

ଯଶ୍ଚ ରୁଦ୍ରାଜପେନ୍ନିତ୍ୟଂ ଧାୟମାନୋମହେଶ୍ଵରମ୍ । 
ସ ତେନୈବ ଚ ଦେହେନ ରୁଦ୍ରସଂଜାୟତେ ଧୃବମ୍ । 

   ➖( ବାୟୁ ପୁରାଣ। ) 

     ( ଯେଉଁ ମନୁଷ୍ୟ ସାଗର ପର୍ଯ୍ୟନ୍ତ ବନ , ପର୍ବତ , ଜଳ ଏବଂ ବୃକ୍ଷଦ୍ବାରା ସୁଶୋଭିତ ସର୍ବଗୁଣଯୁକ୍ତ ପୃଥିବୀକୁ ଦାନ କରେ । ଯାହା ଧନ , ଧାନ୍ୟ , ସୁବର୍ଣ୍ଣ ଓ ଔଷଧୀୟ ଗୁଣରେ ପରିପୂର୍ଣ୍ଣ । ତାହାଠାରୁ ଅଧିକ ପୂଣ୍ୟମିଳେ ଏକବାର ରୁଦ୍ରୀପାଠ ବା ମହାରୁଦ୍ରାଭିଷେକରେ । ସେଥିପାଇଁ ସଦାଶିବ ରୁଦ୍ରଙ୍କର ମହାରୁଦ୍ରାଭିଷେକ , ରୁଦ୍ରାଷ୍ଟାଧ୍ଯାୟୀ ପାଠ , ଜପ , ପୂଜା , ଅଭିଷେକ ଓ ଯଜ୍ଞାଦି କରେ , ସେହି ଦେହ ନିଶ୍ଚିତରେ ରୁଦ୍ରରୂପ ହୋଇଯାଏ । )

🔴 ମହାରୁଦ୍ରାଭିଷେକ ତଥା ରୁଦ୍ରାଷ୍ଟାଧାୟୀର ବିଭିନ୍ନ ପ୍ରକାରର ପାଠବିଧି ।
➖➖➖➖➖➖➖➖➖

ରୁଦ୍ରାଃ ପଞ୍ଚବିଧାଃ ପ୍ରୋକ୍ତାଃ ଦେଶିକୈରୁତ୍ତରୋତ୍ତରମ୍ ।
ସାଙ୍ଗସ୍ଵାଦ୍ୟୋ ରୂପକାଖ୍ୟଃ ସଶୀର୍ଷୋ ରୁଦ୍ରଉଚ୍ୟତେ । 

ଏକାଦଶଗୁଣୈସ୍ତଦ୍‌ବଦ୍ ରୁଦ୍ରୀସଂଜ୍ଞୋ ଦ୍ବିତୀୟତଃ
ଏକାଦଶଭିରେତାଭିସ୍ତୁତୀୟୋ ଲଘୁରୁଦ୍ରକଃ ॥ 

ଲବ୍ଧ୍ବେକାଦଶଭିଃ ପ୍ରୋକ୍ତା ମହାରୁଦ୍ରଶ୍ଚତୁର୍ଥକଃ।
ପଞ୍ଚମଃ ସ୍ୟାନ୍ମହାରୁଦ୍ରୈରେକାଦଶଭିଃ ତତଃ । 

ଅତିରୁଦ୍ରଃ ସମାଖ୍ୟାତଃ ସର୍ବେଭ୍ୟା ହ୍ୟୁତ୍ତମୋତ୍ତମଃ ॥ 

      ➖( ରୁଦ୍ରକଳ୍ପେ ) ।

🔸️ଅର୍ଥାତ୍ ଶାସ୍ତ୍ରରେ ରୁଦ୍ରପାଠକୁ ପାଞ୍ଚପ୍ରକାରରେ ବିଭକ୍ତ କରାଯାଇଅଛି । 

ଯଥା-
୧ - ରୂପକ ବା ଷଡ଼ଙ୍ଗ ପାଠ । 

୨ - ରୁଦ୍ରୀ ବା ଏକାଦଶିନୀ । 

୩ - ଲଘୁରୁଦ୍ର । 

୪ - ମହାରୁଦ୍ର । 

୫ - ଅତିରୁଦ୍ର ।

🟣️ ୧ମ - ରୁପକ ପାଠ ବା ଷଡ଼ଙ୍ଗ ପାଠ :-

      ଏହି ରୁଦ୍ରାଷ୍ଟାଧ୍ଯାୟୀର ଦଶଗୋଟି ଅଧ୍ୟାୟକୁ ସମ୍ପୂର୍ଣ୍ଣରୂପେ ପାଠକଲେ ତାହା ରୂପକ ପାଠ ବା ଷଡ଼ଙ୍ଗପାଠ କୁହାଯାଏ । ରୁଦ୍ରଙ୍କର ଛଅଗୋଟି ଅଙ୍ଗର ପାଠକୁ ଷଡ଼ଙ୍ଗପାଠ କୁହାଯାଏ । 

ଉକ୍ତଂ ଚ :-

ଶିବସଙ୍କଳ୍ପହୃଦୟଂ ସୂକ୍ତଂ ସ୍ୟାତ୍ ପୌରୁଷଂ ଶିରଃ 
ପ୍ରାହୁର୍ନାରାୟଣୀୟଂ ଚ ଶିଖାସ୍ଯାଚ୍ଚୋତ୍ତରାଭିଧମ୍ । 

ଆଶୁଃ ଶିଶାନଃ କବଚଂ ନେତ୍ରଂ ବିଭ୍ରାଡ୍ ବୃହତ୍ ସ୍ମୃତମ୍ 
ଶତରୁଦ୍ରୀୟ ମନ୍ତ୍ରଂ ସ୍ଯାତ୍ ଷଡ଼ଙ୍ଗକ୍ରମ ଈରିତଃ ।

ହୃଚ୍ଛିରସ୍ତୁ ଶିଖା ବର୍ମ ନେତ୍ରଂ ଚାସ୍ତ୍ରଂ ମହାମତେ 
ପ୍ରାହୁର୍ବିଧିଜ୍ଞା ରୁଦ୍ରସ୍ୟ ଷଡ଼ଙ୍ଗାନି ସ୍ଵଶାସ୍ତ୍ରତଃ ।

  ଅର୍ଥାତ୍ :-

🌹️ରୁଦ୍ରାଷ୍ଟାଧାୟୀର ପ୍ରଥମ ଅଧ୍ୟାୟକୁ ଶିବସଂକଳ୍ପସୂକ୍ତ ବା ରୁଦ୍ରଙ୍କର ହୃଦୟରୂପକ ପ୍ରଥମ ଅଙ୍ଗ କୁହାଯାଏ । 

🌹୨ୟ ଅଧ୍ୟାୟର ୧୬ଗୋଟି ମନ୍ତ୍ରକୁ ପୁରୂଷସୂକ୍ତ ବା ରୁଦ୍ରଙ୍କର ଦ୍ବିତୀୟ ଶିରରୂପୀ ଅଙ୍ଗ କୁହାଯାଏ। 

🌹ଏହି ପୁରୁଷସୂକ୍ତର ଶେଷ ୬ଗୋଟି ମନ୍ତ୍ରକୁ ଉତ୍ତର ନାୟରାୟଣ ସୂକ୍ତ ବା ରୁଦ୍ରଙ୍କର ଶିଖାସ୍ଥାନୀୟ ତୃତୀୟ ଅଙ୍ଗ କୁହାଯାଏ । 

🌹୩ୟ ଅଧ୍ୟାୟର ଅପ୍ରତିରଥସୂକ୍ତ ଏହା ରୁଦ୍ରଙ୍କର କବଚ ରୂପ ଚତୁର୍ଥଅଙ୍ଗ । 

🌹୪ର୍ଥ ଅଧ୍ୟାୟର ୧୭ଗୋଟି ମନ୍ତ୍ରକୁ ମୈତ୍ରସୂକ୍ତ ବା ସୂର୍ଯ୍ୟସୂକ୍ତ ଏହା ରୁଦ୍ରଙ୍କର ନେତ୍ରରୁପି ପଞ୍ଚମ ଅଙ୍ଗ । 

🌹ପଞ୍ଚମ ଅଧ୍ୟାୟର ୬୬ଗୋଟି ମନ୍ତ୍ରକୁ ନମକାଧ୍ୟାୟ ଓ ନୀଳସୂକ୍ତ ବା ଶତରୂଦ୍ରୀ କୁହାଯାଏ , ଏହା ରୁଦ୍ରଙ୍କର ଅସ୍ତ୍ରରୂପ ଷଷ୍ଠଅଙ୍ଗ ।

🌹ଏହି ଛଅଅଙ୍ଗ ସଦୃଶ ପାଞ୍ଚ ଅଧ୍ୟାୟକୁ ପାଠକରି ଶେଷରେ ୬ଷ୍ଠ ଅଧ୍ୟାୟ ଓ ସପ୍ତମ ଅଧ୍ୟାୟ ପାଠକରିବ । ୬ଷ୍ଠ ଅଧ୍ୟାୟର ୮ଗୋଟି ମନ୍ତ୍ରକୁ ରୁଦ୍ରସୂକ୍ତ ବା ରୁଦ୍ରଙ୍କର ‘ ‘ ମହଚ୍ଛିର ’ ନାମରେ କଥିତ । 

🌹୭ମ ଅଧ୍ୟାୟର ୭ଗୋଟି ମନ୍ତକୁ ‘ ‘ ଜଟା ’ ’ ନାମରେ କଥିତ ଅଛି । 

🌹ଏହି ଦୁଇଗୋଟି ( ୬ଷ୍ଠ ଓ ୭ମ ) ଅଧ୍ୟାୟ ପରେ , ୮ମ ଅଧ୍ୟାୟର ୨୯ଗୋଟି ମନ୍ତ୍ରକୁ ଚମଧ୍ୟାୟ ବା ଚମକାଧ୍ୟାୟ କୁହାଯାଏ । 

🌹ଏହି ଅଷ୍ଟମ ଅଧ୍ୟାୟର ଶେଷରେ ୨୪ଗୋଟି ମନ୍ତ୍ରକୁ ଶାନ୍ତ୍ଯାଧ୍ୟାୟ ଓ ୧୩ ଗୋଟି ମନ୍ତ୍ରକୁ ସ୍ବସ୍ତିପ୍ରାର୍ଥନାଧ୍ୟାୟ ଏହି ପ୍ରକାରରେ ରୁଦ୍ରାଷ୍ଟଧାୟୀର ଦଶଗୋଟି ଅଧ୍ୟାୟ ପାଠକୁ ଷଡ଼ଙ୍ଗପାଠ ବା ରୂପକପାଠ କୁହାଯାଏ । କିନ୍ତୁ ଷଡ଼ଙ୍ଗ ପାଠର ଅଷ୍ଟମ ଅଧ୍ୟାୟରେ ପଞ୍ଚମ ଅଧ୍ୟାୟର ଆବୃତ୍ତି ହୁଏ ନାହିଁ । 

🟣 ୨ୟ - ରୁଦ୍ରୀ ବା ଏକାଦଶିନୀ ଅଭିଷେକ – ଏଥିରେ ପ୍ରଥମ ଅଧ୍ୟାୟ ଠାରୁ ଆରମ୍ଭ କରି ସପ୍ତମ ଅଧ୍ୟାୟ ଶେଷପର୍ଯ୍ୟନ୍ତ ପାଠକରି ଅଷ୍ଟମ ଅଧ୍ୟାୟ ( ଚମକାଧ୍ୟାୟ ) ରେ ପୁନଃ ପଞ୍ଚମ ଅଧ୍ୟାୟ ( ନମକାଧ୍ୟାୟ ) ର ସମ୍ପୂର୍ଣ୍ଣ ୬୬ ଗୋଟି ମନ୍ତ୍ରକୁ ପୃଥକ୍ ପୃଥକ୍ ଭାବରେ ୧୧ ଭାଗରେ ସଂଯୋଗ କରି ଆବୃତ୍ତି କରି ଶେଷରେ ନବମ ଓ ଦଶମ ଅଧ୍ୟାୟକୁ ପାଠ କଲେ ତାହା ରୁଦ୍ରୀ ବା ଏକାଦଶିନୀ କୁହାଯାଏ । 

🔹️ନମକାଧ୍ୟାୟ ଓ ଚମକାଧ୍ୟାୟର ସଂଯୋଗ ପାଠବିଧି :-

 ବେଦ ବେଦାବ୍ଧି ରାମାଣ୍ଟ ରାମ ରାମ ଦ୍ବି କୈକକମ୍ 
ଦ୍ବୌ ଦ୍ବୌ ପୃଥଗ୍‌ଭିଃ ମନ୍ତ୍ରେଷୁ ନମକାଶ୍ଚମକା ସ୍ମୃତାଃ ॥ 

ବାଜଶ୍ଚ ( ୧) ସତ୍ୟ ( ୨ ) ମୂକ୍(୩ )ଚାସ୍ମ (୪) ଚାଗ୍ନି (୫ ) ରଂଶୁପ୍(୬) ତଥାଗ୍ନିକଃ (୭) 
ଏକା (୮)ଚୈବ ଚତସ୍ରଶ୍ଚ ( ୯ ) ତ୍ର୍ଯ ( ୧୦ ) ବିବଜା( ୧୧) ଇତିକ୍ରମଃ ।

        ➖ ( ରୁଦ୍ରକଳ୍ପେ ) ।

ଯଥା- ( ୧ ) ଅଷ୍ଟମ ଅଧ୍ୟାୟର ପ୍ରଥମମନ୍ତ୍ର ‘ ‘ ବାଜଣ୍ଟମେ ’ ଶେଷରେ ପଞ୍ଚମ ଅଧ୍ୟାୟର ପ୍ରଥମ ମନ୍ତ୍ରଠାରୁ ଆରମ୍ଭ ୬ଗୋଟି ମନ୍ତ୍ର କ୍ରମାନ୍ଵୟରେ ପାଠକରିବ ।

୨ । ସେହିପରି ୮ମ ଅଧ୍ୟାୟର ୫ମ ମନ୍ତ୍ର ‘ ‘ ସତ୍ୟଞ୍ଚମେ’ର ଆଦ୍ୟରେ ।

୩ । ୯ମ ମନ୍ତ୍ର ‘ ଉର୍କ୍କଚମେ’ର ଆଦ୍ୟରେ ।

୪ । ୧୩ଶ ମନ୍ତ୍ର ‘ ‘ ଅଶ୍ମାଚମେ ’ ’ ।

୫ । ୧୬ଶ ମନ୍ତ୍ର ‘ ‘ ଅଗ୍ନିଶ୍ଚମେ ’ ’ ।

୬। ୧୯ଶ ମନ୍ତ୍ର ‘ ଅଗୁଁ ଶ୍ଚମେ ’ ।

୭ । ୨୨ଶ ମନ୍ତ୍ର ‘ ଅଗ୍ନିଶ୍ଚମେ ’ ’ ।

୮ । ୨୪ ଶ ମନ୍ତ୍ର ‘ ‘ ଏକାଚମେ ’ ।

 ୯ । ୨୫ଶ ମନ୍ତ୍ର ‘ ଚତସ୍ର ଶ୍ଚମେ ’ ’ ।

୧୦ । ୨୬ଶ ମନ୍ତ୍ର ‘ ‘ ତ୍ର୍ଯବିଣ୍ଟମେ ’ ’ ।

୧୧ । ୨୮ଶ ମନ୍ତ୍ର ‘ ବ୍ବାଜାୟ ସ୍ୱାହା ’ 

   ଏହିପରି ପ୍ରତ୍ୟେକ ଭାଗରେ ପଞ୍ଚମ ଅଧ୍ୟାୟର ୬୬ ଗୋଟି ମନ୍ତ୍ରକୁ ପ୍ରତ୍ୟେକ ଭାଗରେ ୬ଗୋଟି କରି ମନ୍ତ୍ରକୁ ୧୧ଟି ଭାଗରେ ପୃଥକ୍ ପୃଥକ୍ ଭାବରେ ଆବୃତ୍ତି କରିବ । ଅଷ୍ଟମ ଅଧ୍ୟାୟର ଶେଷ ମନ୍ତ୍ରକୁ ଆବୃତ୍ତି କରି ( ନବମ ) ଶନ୍ତ୍ୟାଧ୍ୟାୟ ( ଦଶମ ) ସ୍ବସ୍ତିପ୍ରାର୍ଥନାଧ୍ୟାୟ କୁ ପାଠକରିବ । ଏହି ୧୧ଗୋଟି ଭାଗରେ ବିଭକ୍ତ ହୋଇଥିବା , ପାଠକୁ ରୁଦ୍ରୀ ବା ଏକାଦଶିନୀ ରୁଦ୍ରୀ ପାଠ କୁହାଯାଏ ।

🟣️ ୩ୟ - ଲଘୁରୁଦ୍ରାଭିଷେକ–

      ଏକାଦଶିନୀ ରୁଦ୍ରୀକୁ ଉପରୋକ୍ତ ପ୍ରକାରରେ ଏଗାରଥର ସମ୍ପୂର୍ଣ୍ଣରୂପେ ଆବୃତ୍ତି କଲେ ବା ପାଠକଲେ ତାହାକୁ ଲଘୁରୁଦ୍ରୀ ବା ଲଘୁରୁଦ୍ରାଭିଷେକ କୁହାଯାଏ । 

🟣️୪ର୍ଥ -ମହାରୁଦ୍ରାଭିଷେକ-

 ଲଘୁରୁଦ୍ରକୁ ଏଗାରଥର ପାଠ କରିବ । ଅର୍ଥାତ୍ ଉପରୋକ୍ତ ପ୍ରକାରରେ ଏକାଦଶିନୀ ରୁଦ୍ରୀକୁ ୧୨୧ଥର ପାଠ ବା ଆବୃତ୍ତି କରିବାଦ୍ୱାରା ମହାରୁଦ୍ରୀ ବା ମହାରୁଦ୍ରାଭିଷେକ କୁହାଯାଏ । ଏହି ମହାରୁଦ୍ରାଭିଷେକରେ ୧୧ଜଣ ବ୍ରାହ୍ମଣ ବରଣକରି ୧୧ ଦିନ ପର୍ଯ୍ୟନ୍ତ ଅଭିଷେକ କରାଯାଏ । ଏକ ଦିବସ କର୍ମରେ ୧୨୧ ଜଣ ବ୍ରାହ୍ମଣଙ୍କୁ ବରଣକରି ୧୨୧ ଥର ପାଠ କଲେ ଗୋଟିଏ ଦିନରେ ମହାରୁଦ୍ରାଭିଷେକ କର୍ମ ସମ୍ପୂର୍ଣ ହୁଏ । ଏଥିରେ ଯଜମାନର ସକଳ ପ୍ରକାରର କାମନାକୁ ପ୍ରଦାନ କରିଥାନ୍ତି । 

🟣️୫ମ - ଅତିରୁଦ୍ରାଭିଷେକ –

    ମହାରୁଦ୍ରାଭିଷେକ ୧୧ଥର ପାଠ ବା ଏକାଦଶିନୀ ରୁଦ୍ରୀକୁ ୧୩୩୧ ଥର ଆବୃତ୍ତି କରିବା ଦ୍ବାରା ତାହା ଅତିରୁଦ୍ରାଭିଷେକ କୁହାଯାଏ । 

🔴 ଶତରୁଦ୍ର ପ୍ରମାଣ ମତାନ୍ତରେ :-

ଷଟ୍ ଷଷ୍ଠି ନୀଳସୂକ୍ତଂ ଚ ପୁନଃ ଷୋଡ଼ଶ ମେବ ଚ ।
ଏଷତେ ଦ୍ଵେ ନମସ୍ତେ ଦ୍ବେ ନତଂ ବିଦ୍ଵୟ ମେବ ଚ ।।

ମାଢୁଷ୍ଟମେତି ଚତ୍ବାରି ବୟଂ ଚାଷ୍ଟମମେବଚ ।
ଶତରୁଦ୍ରୋଽପ୍ୟୟଂ ପ୍ରୋକ୍ତଃ କାଣ୍ବାଖ୍ୟପରିକୀର୍ତିତଃ ।।

🔴 ରୁଦ୍ରାଭିଷେକରେ ବିବିଧ ଫଳପ୍ରାପ୍ତି ସମ୍ପର୍କିତ ଆଲୋଚନା। 

ସଂକଳ୍ପ ପୂର୍ବଂ ସମ୍ପୂଜ୍ୟ ନ୍ୟାସାଙ୍ଗେଷୁ ଶକୃତ୍ ଶକୃତ୍
ସ୍ନାତ୍ବା ପ୍ରଞ୍ଚାମୃତେନୈବ ଧ୍ଯାନଂ ପୂର୍ବ ଶିବଂ ଜପେତ୍ ।

ବାଳଗ୍ରହୋପଶାନ୍ତ୍ଯର୍ଥଂ ତ୍ରିରାବୃତ୍ତିର୍ବରାନନେ
ମହାଭୟେ ସମୁତ୍ପନ୍ନେ ସପ୍ତାବୃତ୍ତି ମୁଦୀରୟେତ୍ । 

ନବାବୃତ୍ୟା ଭବେଚ୍ଛାନ୍ତି ବାଜପେୟ ଫଳଂ ଲଭେତ୍ 
ରାଜବଶ୍ଯ ବିଭୂତ୍ଯୈ ଚ ରୁଦ୍ରାବୃତ୍ତି ମୁଦୀରୟେତ୍ ।

ରୁଦ୍ରୈସ୍ତ୍ରିଭିଃ କାମ ସିଦ୍ଧିଃ ବୈରହାନିଶ୍ଚ ଜାୟତେ ।
ଶତୃନ୍ ଚ ପଞ୍ଚମୀ ରୁଦ୍ରେ ସ୍ତଥା ସ୍ତ୍ରୀବଶ୍ଯତାଂ ନୟେତ୍ ।

ସୌଖ୍ୟଂ ସ୍ୟାତ୍ ସପ୍ତମୀରୁଦ୍ରେଃ ଶିବମାପ୍ନୋତି ମାନବଃ
ନବରୁଦ୍ରୈଃ ପୁତ୍ରପୌତ୍ରଧନଧାନ୍ଯ ସୁତାନ୍ବିତଃ।

 ରାଜଭୀତି ବିନାଶାୟ ବୈରସ୍ଯୋଚ୍ଚାଟନାୟଚ 
ଧମାର୍ଥ କାମମୋକ୍ଷାଣାଂ ସାଧନାୟ ତତଃ ପରମ୍ ।

ଅପମୃତ୍ଯୁ ବିନାଶାୟ ତଥାରୋଗ୍ଯଂ ଯଶଃଶ୍ରିୟୈଃ
ରାଜବୃଦ୍ଧିପ୍ରଦେୟାୟ ମହାରୁଦ୍ରୈକସଂଖ୍ଯୟା ।

ତ୍ରିଭିଶ୍ଚୈବ ମହାରୁଦ୍ରୈଃ ଅସାଧ୍ଯସାଧନାୟଚ
ପଞ୍ଚଭିଶ୍ଚ ମହାରୁଦ୍ରୈଃ ରାଜ୍ଯକାମଃ ପ୍ରସାଧ୍ଯତେ। 

ସପ୍ତଭିଶ୍ଚ ମହାରୁଦ୍ରୈଃ ରାଜ୍ଯକାମଃ ପ୍ରସାଧ୍ଯତେ। 
ନବଭିଶ୍ଚ ମହାରୁଦ୍ରୈଃ ପୁନର୍ଜନ୍ମ ନ ଜାୟତେ। 

ଅତିରୁଦ୍ରୈକ ସଂଖ୍ୟେନ ଦେବତ୍ବଂ ପ୍ରାପ୍ନୁୟାତନ୍ନରଃ। 
ଡାକିନ୍ୟାଦି ଭୟେ ପ୍ରାପ୍ତେଏକାବୃତ୍ତିଃ ଜପେନ୍ନରଃ। 

ଭୂତପ୍ରେତ ପିଶାଚାନାଂ ଭୟେ ଚ ଗୁଣବୃତ୍ତିତଃ 
ଗ୍ରହଦୋଷ ଦଶାୟାଂ ଚ ପଞ୍ଚାବୃତ୍ତି ନ ସଂଶୟଃ।

ଜ୍ଵରାତିସାର ଦୋଷାଦୌ ବାତପିତ୍ତକଫାଦିଷୁ
ସର୍ବରୋଗୋ - ପଶାନ୍ତ୍ଯର୍ଥ ସପ୍ତାବୃତ୍ତି ନ ସଂଶୟଃ ।

ପୂର୍ବାର୍ଥସାଧନାୟୈବ ନବାବୃତ୍ତିଂ ପଠେନ୍ନରଃ।
ଅସାଧ୍ୟ ରୋଗନାଶାୟ ମନୋଭିପ୍ସିତକର୍ମଣେ।

ଅପମୃତ୍ୟୁ ବିନାଶାୟ ତଥାରୋଗ୍ୟାୟ ବୈପୁନଃ 
ସର୍ବଶାନ୍ତି ଭବେତ୍ତତ୍ର ରୁଦ୍ରବୃତ୍ତ୍ଯା ନ ସଂଶୟଃ ।

🔴 ବିବିଧ ଦ୍ରବ୍ୟଦ୍ଵାରା ଅଭିଷେକରେ ଫଳପ୍ରାପ୍ତି :-

ତ୍ରିଲୋଚନ ସଦାଶିବଙ୍କର ପ୍ରସନ୍ନତା ପାଇଁ , ମନୁଷ୍ୟ ନିଜର ନିଷ୍କାମ - ହୃଦୟରେ ରୁଦ୍ରଯଜ୍ଞ ବା ରୁଦ୍ରାଭିଷେକ କରିବା ଦ୍ବାରା ତାହା ଅନନ୍ତ କୋଟି ଫଳକୁ ପ୍ରାପ୍ତି ହୋଇଥାଏ । ପୁନଃ ବେଦ ଓ ଶାସ୍ତ୍ରରେ ନାନାପ୍ରକାରର କାମନା ପୂରଣ ପାଇଁ ଅଭିଷେକରେ ଅନେକ ପ୍ରକାର ଦ୍ରବ୍ୟର ଉଲ୍ଲେଖ ଅଛି ।
 
ଯଥା— 

ଜଳେନ ବୃଷ୍ଟିମାପ୍ରୋତି ବ୍ୟାଧିଶାନ୍ତ୍ଯୈ କୁଶୋଦକୈଃ
ଦଧ୍ନ୍ଯାଚ ପଶୁକାମାୟ ଶ୍ରିୟା ଇକ୍ଷୁରସେନ ଚ । 

ମଧ୍ଵାଜ୍ୟେନ ଧନାର୍ଥୀସ୍ୟାନ୍ ମୁମୁକ୍ଷୁସ୍ତ୍ରୀର୍ଥବାରିଣା 
ପୁତ୍ରାର୍ଥୀ ପୁତ୍ରମାପ୍ନୋତି ପୟସା ଚାଭିସେଚନାତ୍ । 

ବନ୍ଧ୍ୟା ବା କାକବନ୍ଧ୍ୟା ବା ମୃତବତ୍ସା ଚ ଯାଙ୍ଗନା 
ସଦ୍ୟଃ ପୁତ୍ରମବାପ୍ନୋତି ପୟସା ଚାଭିଷେଚନାତ୍ । 

ପୁନଃ :-

ଜ୍ଵର ପ୍ରକୋପଶାନ୍ତ୍ଯର୍ଥଂ ଜଳଧାରା ଶିବେ ପ୍ରିୟା 
ଘୃତଧାରା ଶିବେକାର୍ଯ୍ୟା ଯାବନମନ୍ତ୍ର ସହସ୍ରକମ୍ । 

ତଦାବଂଶସ୍ୟ ବିସ୍ତାରୋ ଜାୟତେ ନାତ୍ରସଂଶୟଃ 
ପ୍ରମେହରୋଗ ଶାନ୍ତ୍ଯର୍ଥଂ ପ୍ରାପ୍ନୁୟାନ୍ ମନସେପ୍ସିତମ୍ । 

କେବଳଃ ଦୁଗ୍‌ଧାରାଂଚ ତଦା କାର୍ଯ୍ୟା ବିଶେଷତଃ ।
ଶକରାମିଶ୍ରିତା ତତ୍ର ଯଦା ବୁଦ୍ଧିର୍ଜଡ଼ା ଭବେତ୍ । 

ଶ୍ରେଷ୍ଠାବୁଦ୍ଧିର୍ଭବେତ୍ତସ୍ୟ କୃପୟା ଶଙ୍କରସ୍ୟ ଚ 
ସାର୍ଷପେଣୈବ ତୈଳେନ ଶତ୍ରୁନାଶୋ ଭବେଦିହ । 

ମଧୁନା ରାଜଯକ୍ଷ୍ମୋଽପି ଗଚ୍ଛେଦ୍ ବୈ ଶିବପୂଜନାତ୍ 
ପାପକ୍ଷୟାର୍ଥୀ ମଧୁନା ନିର୍ବ୍ଯାଧି ସର୍ପିଷା ତଥା । 

ଜୀବନାର୍ଥୀ ତୁ ପୟସା ଶ୍ରୀକାମିକ୍ଷୁରସେନ ବୈ 
ପୁତ୍ରାର୍ଥୀ ଶର୍କରାୟାସ୍ତୁ ରସେନାର୍ଚ୍ଚେତ୍ ଶିବଂ ତଥା ।

ମହାଲିଙ୍ଗାଭିଷେକେଣ ସୁପ୍ରୀତଃ ଶଙ୍କରୋ ମୁଦା 
କୁର୍ଯ୍ୟାଦ୍ ବିଧାନ ରୁଦ୍ରାଣାଂ ଯଜୁର୍ବେଦ ବିନିର୍ମିତମ୍ । 

ଅର୍ଥାତ୍ :-

ଜଳରେ ଅଭିଷେକ କରିବାଦ୍ୱାରା ସୁବୃଷ୍ଟି ହୋଇଥାଏ । ସେହିପରି ରୋଗ ବା ବ୍ୟାଧି ଉପଶମ ନିମିତ୍ତ କୁଶୋଦକରେ , ପଶୁପ୍ରାପ୍ତି ନିମିତ୍ତ ଦଧିରେ , ଲକ୍ଷ୍ମୀପ୍ରାପ୍ତି ପାଇଁ ଇକ୍ଷୁରସ ( ଆଖୁରସ ) , ଧନପ୍ରାପ୍ତି ପାଇଁ ମହୁ ଓ ଘୃତଦ୍ୱାରା , ମୋକ୍ଷପ୍ରାପ୍ତି ନିମିତ୍ତ ତୀର୍ଥଜଳରେ , ପୁତ୍ରପ୍ରାପ୍ତି ବା ସନ୍ତାନପ୍ରାପ୍ତି ପାଇଁ ଗୋକ୍ଷୀରରେ , ବନ୍ଧ୍ୟା କାକବନ୍ଧ୍ୟା ବା ମୃତବସ୍ଥା ( ଯେଉଁ ସ୍ତ୍ରୀର ସନ୍ତାନ ଜନ୍ମହୋଇ ମୃତ୍ୟୁ ବା ମୃତହୋଇ ଜନ୍ମିଥାଏ ) ଗୋଦୁଗ୍‌ଧରେ ଅଭିଷେକ କରିବାଦ୍ୱାରା ଶିଘ୍ର ପୁତ୍ରପ୍ରାପ୍ତି ହୋଇଥାଏ । 

ପୁନଃ - 

ସଦାଶିବ ରୁଦ୍ରଙ୍କର ଜଳଧାରା ବା ଜଳଦ୍ବାରା ଅଭିଷେକ ତାଙ୍କର ପ୍ରିୟ ଅଟେ । ଏଣୁ ଜ୍ଵର ଶାନ୍ତିପାଇଁ ଜଳରେ ଅଭିଷେକ , ଏକହଜାର ମନ୍ତ୍ରଦ୍ୱାରା ଘୃତାଭିଷେକ କଲେ ବଂଶବୃଦ୍ଧି ହୁଏ । ଏଥିରେ ସନ୍ଦେବ ନାହିଁ । ପ୍ରମେହ ରୋଗପାଇଁ କେବଳ କ୍ଷୀରାଭିଷେକ କରାଯାଏ । ତଦ୍ୱାରା ଅଭିଳଷିତ କାମନା ପ୍ରାପ୍ତି ହୁଏ , ବୁଦ୍ଧିର ଜଡତାକୁ ନାଶପାଇଁ ଗୋକ୍ଷୀରରେ ଶର୍କରା ମିଶାଇ କରାଯାଏ ।

 ତଦ୍ବାରା ରୁଦ୍ରଙ୍କ କୃପାରୁ ଶ୍ରେଷ୍ଠବୁଦ୍ଧି ପ୍ରାପ୍ତ ହୁଏ । ସୋରିଷ ତେଲରେ ଅଭିଷେକ କରିବା ଦ୍ଵାରା ଶତୃ ବିନାଶ ହୁଏ । ତଥା ମହୁରେ ଅଭିଷେକ କଲେ ଯକ୍ଷ୍ମାରୋଗ ଓ ମହୁଦ୍ୱାରା ପାପ କ୍ଷୟ ହୁଏ । ଆରୋଗ୍ୟ କାମନା ପାଇଁ ଘୃତାଭିଷେକ ଓ ଦୀର୍ଘାୟୁ ପାଇଁ ଗୋଦୁଗ୍‌ଧ , ଲକ୍ଷ୍ମୀପ୍ରାପ୍ତି ପାଇଁ ଆଖୁରସ , ପୁତ୍ରାର୍ଥୀପାଇଁ ଶର୍କରାମିଶ୍ରିତ ଜଳରେ ରୁଦ୍ରାଭିଷେକ କରାଯାଏ । ଉପରୋକ୍ତ ଦ୍ରବ୍ୟ ଓ ଉପଯୁକ୍ତ ବିଧାନ ସହିତ ମହାଲିଙ୍ଗ ଅଭିଷେକ କରିବାଦ୍ୱାରା ଆଶୁତୋଷ ସାମ୍ବସଦାଶିବ ପ୍ରସନ୍ନ ହୋଇ କର୍ତ୍ତାର କାମନାର ଫଳକୁ ଶୀଘ୍ର ପ୍ରଦାନ କରିଥାଆନ୍ତି ।

एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default