ଖୁଦୁରୁକୁଣୀ ଓଷା ଭାଗ ୩-୪-୫ Khudurukuni Osha Part 3-4-5 Odia Lyrics

ABOUT INTEX
0

         ତୃତୀୟ ଅଧ୍ୟାୟ

ଖୁଦୁରୁକୁଣୀ ଓଷା ଭାଗ ୩-୪-୫ Khudurukuni Osha Part 3-4-5 Odia Lyrics


ଏଥୁ ଅନନ୍ତେ ଏବେ ଶୁଣ । ଯେ ଯାହା ପୂର୍ବର କଷଣ ।।

ସେ କଥା ଆନ ଯେ ନୁହଇ । ଦଇବ ଯୋଗେ ଭୋଗ ହୋଇ ।।

ପ୍ରଭାତେ ତଅପୋଇ ବାଳି । ସ୍ନାନ ସାରିଣ ନେଲା ଛେଳି ।।

ଦେଇଛି ବଡ଼ ବୋହୁ ଭାତ । ଫେଡ଼ିଣ ଦେଖିଲା କୁରିତ ।।

ତଳୁରେ ଅଛି ମୂଷାମାଟି । ଉପରେ ଭାତ ଚାରିଗୋଟି ।।

ପାଉଁଶ ବାଲି ଲୁଣ ନାହିଁ । ତିଅଣ ଅବା ଥିବ କାହିଁ ।।

ଏହା ଦେଖିଣ ତଅପୋଇ । ଉଚ୍ଚେଣ ଉଠିଲା ବୋବାଇ ।।

ପିଅର ଅଧା ଚାନ୍ଦେ ମଲେ । ମାତା ହିଁ ପୁରାଚାନ୍ଦେ ମଲେ ।।

ବୋଇତେ ସାତ ଭାଇ ଗଲେ । ଭାଉଜ ଏତେ କଷ୍ଟ ଦେଲେ ।।

ନିଶ୍ଚେ ଏ ବନରେ ମରିବି । ଘରକୁ ଆଉ କିମ୍ପା ଯିବି ।।

ଏମନ୍ତ କ‌ହି କାନ୍ଦେ ବାଳି । ଶବଦେ ବନସ୍ତ ଉଛୁଳି ।।

ଦେଖ ବିଧାତା ଘଟସୂତ୍ର । ତେଣେ ସାଧବ ସାତପୁତ୍ର ।।

ବୋଇତ ଘେନି ଆସି କୂଳେ । କାନ୍ଦଣା ଶବଦ ଶୁଣିଲେ ।।

ନିକଟେ କାନ୍ଦୁଅଛି ବାଳି । ତୁଣ୍ଡ ବାରିଣ ମନେ ଭାଳି ।।

ତଅପୋଇର ତୁଣ୍ଡ ପ୍ରାୟେ । ଶୁଭଇ ଅରଣ୍ୟ ଲତାଏ ।।

ଶୁଣି କନିଷ୍ଠ ଭାଇ ଗଲା । ଅରଣ୍ୟ ଭିତରେ ପଶିଲା ।।

ରଜନୀ ଅର୍ଦ୍ଧ ଅଛି ହୋଇ । ଦେଖି ସାଧବପୁତ୍ର ଯାଇ ।।

କିଏ ତୁ ଭଲଣେ ଗୋ କ‌ହ । ତଅପୋଈର କମ୍ପେ ଦେହ ।।

କାହାର ଅଟୁ ତୁ ଗୋ ବଂଶ । ନାମ ତୋହର ଅଟେ କିସ ।।

ଏମନ୍ତ ଶୁଣି ତଅପୋଈ । ନ କାନ୍ଦି ସମ୍ଭାଳି କ‌ହଇ ।।

ନ ଜାଣେ ଭାଇ ବୋଲି କର । ଉଭା ହୋଇଲା ମନେ ଡରି ।।

ବୋଇଲା କେ ତୁମ୍ଭେ ଗୋସାଇଁ । ନିରକ୍ଷ ପ୍ରାଣୀ ମୁଁ ଅଟଇ ।।

ବଡ଼ ଘରେଣ ହୋଇ ଜାତ । ଏ ବନେ ହୋଇଲି ଅନାଥ ।।

ମୋର ପିତାଙ୍କ ନାମ ସାହୁ । ସାତ ପୁଅରେ ସାତବୋହୁ ।।

ବୋଇତ ସାତଖଣ୍ଡ ତାର । ସେ ଅଟେ ପିଅର ମୋହର ।।

ମୋହର ନାମ ତଅପୋଈ । କ‌ହିଲେ କଷ୍ଟ ନ ସରଇ ।।

ଭାଇ ଯେ ଗଲେ ବୋଇତରେ । ଭାଉଜ କଷ୍ଟଦେଲେ ମୋରେ ।।

ଅନେକ ମୋତେ ଦେଲେ ଗାଳି । ବନସ୍ତେ ରଖାଇଲେ ଛେଳି ।।

ମନେ ପଡ଼ିଲେ ଭାଇମାନେ । ରୋଦନ କରୁଛି ବନେ ।।

ଶୁଣ ହେ ମାତ ତଅପୋଈ । ବୋଇତ ଘେନି ସାତଭାଇ ।।

ଆସିଲୁ ଏହି ନିକଟରେ । ରୋଦନ ଶୁଣିଲୁ ସେଠାରେ ।।

ମୋତେ ପେଶିଲେ ଜ୍ୟେଷ୍ଠଭାଇ । ବୋଇତେ ଛନ୍ତି ଦେଖଯାଇ ।।

ତେଣୁ ମୁଁ ଏଠାକୁ ଅଇଲି । ଅରଣ୍ୟେ ତୋତେ ମୁଁ ଦେଖିଲି ।।

ଏବେ ଗୋ ମାଏ ଚାଲ ଯିବା । ଭାଇଙ୍କୁ ସମସ୍ତ କ‌ହିବା ।।

ଶୁଣି ଆନନ୍ଦ ତଅପୋଈ । ଅନ୍ଧ କି ଚକ୍ଷୁଦାନ ପାଲ ।।

ଚାତକ ପିଇଲା କି ନୀର । ଚନ୍ଦ୍ର କି ଦେଖିଲା ଚକୋର ।।

ଭାଇ ଭଉଣୀ ବେଗେ ଗଲେ । ବୋଇତେ ପ୍ରବେଶ ହୋଇଲେ ।।

ବୋଇତେ ଜଳୁଥିଲା ଦୀପ । ଦେଖିଲେ ତଅପୋଇ ରୂପ ।।

ତେଲ ବିହୁନେ କେଶ ଉଡ଼େ । ମୁଣ୍ଡୁ ଉକୁଣୀ ଝରି ପଡ଼େ ।।

ଛିଣ୍ଡା ଲେଙ୍କଡ଼ା ପିନ୍ଧିଥାଇ । ଦେଖି ବିକଳ ସାତଭାଇ ।।

କ‌ହଇ ଭାଇଙ୍କ ଆଗରେ । ତୁମ୍ଭେ ତ ଗଲ ବୋଇତରେ ।।

ମିଳି ଯେ ଥିଲେ ମାସ ଦୁଇ । ଯେଉଁ ପ୍ରକାରେ ଥିଲ କ‌ହି ।।

ରାଣ୍ଡି ବ୍ରାହ୍ମଣୀ ବୋଲ ଶୁଣି । ନ‌ଦେଲେ ମୋତେ ଅନ୍ନପାଣି ।।

ସେ ରାଣ୍ଡି କ‌ହିଲା ତାହାଙ୍କୁ । ଛେଳି ରଖାଅ ନଣନ୍ଦକୁ ।।

ତାହାର ବୋଲକୁ ଶୁଣିଲେ । ବନରେ ଛେଳି ରଖାଇଲେ ।।

ଭିତରେ ମୂଷାମାଟି ଭରି । ଉପରେ ଗୋଟି ଭାତ ଚାରି ।।

ବଡ଼ବୋହୁର ଏହି ମତେ । ଦୁଃଖ ଯେ ଦେଲେ ଯେତେ ।।

ସାନବୋହୁର ପାଳି ଦିନ । ବ‌ହୁତ ଦେଇଥାଇ ଅନ୍ନ ।।

ଏମନ୍ତ ଶୁଣି ସାତ ଭାଇ । କ‌ହ‌ନ୍ତି ଶୋକଭର ହୋଇ ।।

ଅଷ୍ଟରତ୍ନର ଅଳଙ୍କାର । ଦେଲେ ଯେ ଭଉଣୀ ଶରୀର ।।

ବସାଇ ଚଉକି ଉପରେ । ତୀକ୍ଷ୍‌ଣକାତିଏ ଦେଲେ କରେ ।।

ବୋଇଲେ ଯେହୁ ପ୍ରିୟତୋର । ନସିକା ନ କାଟିବୁ ତାର ।।

ଯେଅବା ଦୁଖଃଦେଲେତୋରେ । ନାସିକା କାଟିବୁ ତାହାରେ ।।

ଏମନ୍ତ କ‌ହି ଭାଇ ଗଲେ । ରାଜ୍ୟକୁ ଦୂତ ବରିଗଲେ ।।

ରାଜ୍ୟରେ ଚ‌ହଳ ପଡ଼ିଲା । ଶୁଭେଣ ବୋଇତ ଲାଗିଲା ।।

ଆନନ୍ଦ ରାଜ୍ୟ ଲୋକେ ଶୁଣି । ଏଥି ଉତ୍ତାରୁ ଶୁଣ ପୁଣି ।।

ପୁଣି ହିଁ ସାଧବର ପୁଅ । ଘରକୁ କ‌ହି ପଠିଆଏ ।।

ବେଗ ହୋଇଣ ତୁମ୍ଭେ ଯାଅ । ବୋହୁମାନଙ୍କ ଆଗେ କ‌ହ ।।

ସଙ୍ଗତେ ଘେନି ତଅପୋଈ । ଆସନ୍ତୁ ବୋଇତ ବନ୍ଦାଇ ।।

ତକ୍ଷଣେ ଲୋକ ଧାଇଁଗଲେ । ସପତ ବୋହୁଙ୍କୁ କ‌ହିଲେ ।।

ତଅପୋଇକି ସଙ୍ଗେ ନିଅ । ଶୁଭେଣ ବୋଇତ ବନ୍ଦାଅ ।।

ଶୁଣି ସମସ୍ତେ ଆରତେଣ । ତଅପୋଇକି ଖୋଜି ଆଣ ।।

ବୋଲଇ ସାନବୋହୁ ତ‌ହିଁ । କାଲିତ ବନୁ ଆସି ନାହିଁ ।।

ଖାଇଲା ଭୂତ କି ରାକ୍ଷାସ । ଏବେ ଲୋଡ଼ିଲେ ହେବ କିସ ।।

କର୍ମେ ଅବଶ୍ୟ ଅଛି ଯାହା । ଭୋଗ କରିବାଟିକି ତାହା ।।

ବୋଇଲ ବଡ଼ ବୋହୁ ଶୁଣି । ବାହାର ହୁଅ ଅର୍ଘ ଘେନି ।।

ବୋଇତ ବେଗେ ବନ୍ଦାଇବା । ପୁଚ୍ଛାଲେ ବଞ୍ଚାଇ କ‌ହିବା ।।

ଏମନ୍ତେ ଅର୍ଘ ଘେନି ବାଳି । ବୋଇତ ପାଶେ ଯାଇ ମିଳି ।।

ବୋହୁଙ୍କୁ ଦେଖି ସାତ ଭାଇ । ବୋଲଇ ଅଧର କମ୍ପାଇ ।।

ସଙ୍ଗତେ ତଅପୋଇ ନାହିଁ । ତୁମ୍ଭେ ଆସିଲ କିମ୍ପାଇଁ ।।

ମଝିଆଁ ବୋହୁ ବୋଲେ ବାଣୀ । ଜରାଇଛନ୍ତି ଝିଅମଣି ।।

କେମନ୍ତେ ଚାଲିଣ ଆସିବେ । ହେହରେ ପୀଡ଼ା ଯେ ପାଇବେ ।।

ଏମନ୍ତ ଶୁଣି ସାତ ଭାଇ । କ‌ହ‌ନ୍ତି ଚକ୍ରାଧଭର ହୋଇ ।।

ଦେବତା ଛନ୍ତି ମଙ୍ଗ କୋଣେ । ବନ୍ଦାଅ ଯାଇ ଜଣେ ଜଣେ ।।

ପ୍ରଥମେ ବଡ଼ବୋହୁ ଗଲା । କୋଣେ ଦେବତା ବନ୍ଦାଇଲା ।

ଛୁରୀରେ ତଅପୋଇ ବାଳି । କାଟିଲା ନାକର ବଉଳି ।।

ନୀଳେନ୍ଦ୍ରି ନାମେ ସାନବୋହୁ । ତଅପୋଇର ପ୍ରିୟ ସେହୁ ।।

ସମସ୍ତ ପଛେ ସେ ଅଇଲା । ସେ ବୋହୁ ପଛେ ବନ୍ଦାଇଲା ।।

ସାନବୋହୁକୁ ଦେଖି ବାଳି । ସେ ହସ୍ତରୁ ପକାଇଲା ଛୁରୀ ।।

କଣ୍ଠୁ କାଢ଼ିଲା ରତ୍ନମାଳି । ବୋହୁବେକେରେ ଦେଲା ବାନ୍ଧି ।।

କାଖ କରିଣ ବୋହୁ ନେଲା । ଆପଣା ମନ୍ଦିରେ ରଖିଲା ।।

ଅତି ଆନନ୍ଦ ସେ ହୋଇଲେ । ଉତ୍ତମ ସୁଖ ଭୋଗ କଲେ ।।

ଏମନ୍ତ ଶୁଣି ସେ ରୁକ୍ମଣୀ । ବୋଲନ୍ତି ଆହେ ଚକ୍ରପାଣି ।।

ନାକୋଇମାନେ କାହିଁ ଗଲେ । କେମନ୍ତେ ଯାଇ ସେ ରହିଲେ ।।

ସେ କଥା କ‌ହ ଆହେ ହରି । କେମନ୍ତେ ହେଲେ ଏତେସରି ।।

ରାଣ୍ଡି ବ୍ରାହ୍ମଣୀ ସିନା ଆସି । ତାହାକୁ ଶିଖାଇଲା ବସି ।।

ବୋଲଇ ନଣନ୍ଦ ଏ ଛାର । ଏହାକୁ ଏତେ ସେବାକର ।।

କଷଣ ଦେଇ ତ ମାଇଲ । ପଛକୁ ଦୁଃଖ ସମ୍ପାଦିଲ ।।

ତୁମ୍ଭେ ଗୋ ନିର୍ଲ୍ଲଜ ବାଳୀଶ । ଏହାର ଯୋଗ ଯିବ ନାଶ ।।

ଏମନ୍ତ କ‌ହିଣ ସେ ଗଲା । ମାୟା ମୋହିନୀ ଲଗାଇଲା ।।

ହଜିଲା ଏହାଙ୍କର ବୁଦ୍ଧି । ନଣନ୍ଦ ସଙ୍ଗେ ହେଲେ ବାଦୀ ।।

ଆୟତ ନ ଥିଲା ତାଙ୍କରି । କିମ୍ପା ହୋଇଲେ ଏତେସରି ।।

କ‌ହ‌ନ୍ତି ଦେବକୀ ନନ୍ଦନ । ଶୁଣ ଗୋ ଯୁବତୀ ରତନ ।।

ନାକୋଇମାନେ ତ‌ହିଁଗଲେ । ଅରଣ୍ୟ ଭିତରେ ପଶିଲେ ।।

ବ‌ହୁତଦୂର ପଥ ଯାଇ । ବୁଲନ୍ତି ବାଇ ପ୍ରାୟ ହୋଇ ।।

ବିକଳେ କରନ୍ତି ରୋଦନ । ଶୁଭଇ ଘୋର ଗରଜନ ।।

ସମସ୍ତେ ହୋଇ ଏକମେଳ । ବସିଲେ ବୃକ୍ଷ ଛାଇତଳ ।।

ରଧିରେ ତନୁ ଜର ଜର । ପଡ଼ଇ ଧରିଣୀ ଉପର ।।

ହୃଦୟେ ବେନିକର ମାରି । କାନ୍ଦନ୍ତି ଦଇବ ସୁମରି ।।

ଆହା ବିଧାତା ଏହା କଲୁ । କି ଦୋଷେ ଏ ଦଶା କ‌ହିଲୁ ।।

ଏକା କରମ ଷଡ଼ ନାରୀ । ଲେଖିଣ ଥିଲୁ କି ବିଚାର ।।

କମ୍ପାଇ ନ କଲୁ ମରଣ । ବନସ୍ତେ ଥିଲା ଏ କଷଣ ।।

ସାଧବ ଘରେ ହେଲେ ଜାତ । ଏକାଳେ ହୋଇଲୁ ଅନାଥ ।।

ଯାଆନ୍ତୁ ବାପା ଭାଇ ଘର । ମୁଖକୁ ଚାହିଁବୁ କାହାର ।।

ଏମନ୍ତ ବୋଲିଣ ଯୁବତୀ । ସମସ୍ତେ ରୋଦନ କରନ୍ତି ।।

ବୋଇଲେ କରିବା ଗୋ କିସ । ଖାଇ ମରିବା ଆଣ ବଷ ।।

କେ ବୋଲେ କିଛିଗୋ ନଭାଳ । ନିଶ୍ଚେ ପୁରିଲା ଆମ୍ଭ କାଳ ।।

କେ ବୋଲେ ବନେ ପଶିଯିବା । ବ୍ୟାଘ୍ର ଭାଲୁଙ୍କ ମୁଖେ ଯିବା ।।

କେହି ଆମ୍ଭଙ୍କୁ ନ ଖାଇଲେ । ନିରେଖ ବୋଲି ଛାଡ଼ିଗଲେ ।।

ଏମନ୍ତ ବ‌ହୁ ବେଳ ଗଲା । ତମିର ଆସି ପ୍ରବେଶିଲା ।।

ଦଇବ ଯୋଗେଣ ଶଦୃଳ । କ୍ଷୁଧା ତୃଷାରେ ସେ ଆକୁଳ ।।

ମିଳିଲେ ଯୁବତୀଙ୍କ ପାଶ । ଦେଖିଣ ବଡ଼ିଲା ସାହାସ ।।

ନାକୋଇମାନେ ତ‌ହିଁ ପଡ଼ି । ପିଣ୍ଡରୁ ପ୍ରାଣ ଗଲା ଛାଡ଼ି ।।

ବେନି ଶାର୍ଦ୍ଦୃଳ ତ‌ହିଁ ଗଲେ । ସେ ମୃତପିଣ୍ଡ ପଡ଼ିଥିଲେ ।।

ଏମନ୍ତ ରଜନୀ ପାହିଲା । ରବି କିରଣ ପ୍ରକାଶିଲା ।।

ସେ ବନେ ସଦାଶିବ ଥାନ୍ତି । ମର୍କତଲିଙ୍ଗ ଶୋଭାପାନ୍ତି ।।

ତାହାଙ୍କୁ ନ ଦେଖନ୍ତି କେହି । ଗୁପତେ ହୋଇଥାନ୍ତି ରହି ।।

ବିରୁପା ନାମେଣ ଶବର । ବୁଲଇ ମହାବନ ଘୋର ।।

ଏମନ୍ତେ ବନେ ବୁଲୁଥିଲା । ବନେ ସେ ଲିଙ୍ଗକୁ ଭେଟିଲା ।।

ଦେଖିଲା ମର୍କତ ଲିଙ୍ଗକୁ । ବିଚାର କଲା ସେ ମନ‌କୁ ।।

ବୋଇଲା ଆଜି ଭାଗ୍ୟେ ମୋର । ଦର୍ଶନ ପାଇଲା ଶଙ୍କର ।।

ସେ ଶୁଦ୍ଧଚିତ୍ତେ ଦୃଢ଼ କଲା । ସାଷ୍ଟାଙ୍ଗ ଦଣ୍ଡବତ କଲା ।।

ଉଠି ହୋଇଲା କୃତ୍ୟ କୃତ୍ୟ । ସେଠାରୁ ଗଲାକ ତ୍ୱରିତ ।।

ସ୍ନାନ ଶଉଚ ଜଳେସାରି । ନୀର ଆଣିଲା କରେ ଧରି ।।

ଶିବଙ୍କ ଶିରରେ ଢାଳିଲା । କୁସୁମ ବେଲପତ୍ର ଦେଲା ।।

ସୁସ୍ୱାଦୁ ପକ୍ୱଫଳ ଆଣି । ଦେଇ ପୂଜିଲା ଶୂଳପାଣି ।।

ଉଠିଣ କଲା ନମସ୍କାର । ମେଲିଣ ମାଗିଲା ଛାମୁର ।।

ଉଠି ବୋଇଲେ ଦେବ ହର । ଆନନ୍ଦେ ବୋଇଲେ ଶବର ।।

ଏମନ୍ତ ନିତ୍ୟ ସେବା କରି । ଦୃଢ଼ବିଶ୍ୱାସ ଚିତ୍ତେ ଧରି ।।

ଦିନେ ସେ ବିରୁପା ଶବର । ପୂଜିଣ ଯାଉ ସେ ଶଙ୍କର ।।

ବନେ ଯାଉଛି ବେଗ ହୋଇ । ବାଟରେ ଦେଖିଲାକ ଯାଇ ।।

ଷଡ଼ ଯୁବତୀ ଛନ୍ତି ମରି । ନାସାଛେଦନ ସବୁଙ୍କରି ।।

ଦେଖିଣ ଆଶ୍ଚର୍ଯ୍ୟ ହୋଇଲା । ମର୍କତ ଲିଙ୍ଗ ପାଶେ ଗଲା ।।

ସେ ନିତ୍ୟକର୍ମ ଯେ ସାରିଲା । ଯିବାକୁ ମେଲାଣି ମାଗିଲା ।।

ହିରଣ୍ୟ ନ କ‌ହି ବଚନ । ବୁଝିବା ପାଇଁ ତାର ମନ ।।

ଶବର ବ‌ହୁତ ଡାକିଲା । ଡାକିଣ ନିରାଶ ହୋଇଲା ।

ବୋଇଲେ ଅପରାଧ ମୋର । ଦୟା ତେଜିଲେ ଦେବ ହର ।।

ଆଉ ଜୀବନ କାର୍ଯ୍ୟ ନାହିଁ । ଆକେଳେ ଦଶଦିଗ ଚାହିଁ ।।

ନାରାଜ ପାଷାଣେ ଘସିଲା । କଣ୍ଠ ତଣ୍ଟିରେ ବସାଇଲା ।।

ଡାକିଲେ ପ୍ରଭୁ ଦେବ ହର । ରହରେ ବିରୂପା ଶବର ।।

କମ୍ପାଇଁ ହାରୁଛୁ ଜୀବନ । ମୁହିଁ ଜାଣିଲି ତୋର ମନ ।।

ପ୍ରସନ୍ନ ହେଇ ମାଗ ହର । ଯେ ଇଚ୍ଛା ମନରେ ତୋହର ।।

ଶବର ମନେ ବିଚାରିଲା । ଯେ ପ୍ରାଣୀ ପରହିତେ ଥାଇ ।।

ସ୍ୱର୍ଗ ପ୍ରାପତ ହୁଏ ତାରେ । ଶୁଣି ମୁଁ ଅଛଇ ସଂସାରେ ।।

ଏମନ୍ତ ମନେ ଚିଚାରିଲା । କର ଯୋଡ଼ିଣ ଜଣାଇଲା ।।

ବୋଇଲା ପ୍ରଭୁ ମହେଶ୍ୱର । ମୋ ଅପରାଧ କ୍ଷମାକର ।।

ଷଡ଼ ଯେ ନାରୀ ଛନ୍ତି ମରି । ଜୀଇଁବେ ନାସିକା କଅଁଳି ।।

ଅସ୍ତୁ ବୋଇଲେ ଶୁଳଧର । ତକ୍ଷଣେ ଦେଖିଲା ଶବର ।।

ବୋଲଇ ଆଗୋ ନାରୀମାନେ । କିମ୍ପା ଅଇଲ ଘୋର ବନେ ।।

ଶୁଣି ସାଧବ ବୋହୁମାନେ । ବୋଲନ୍ତି ଶୁଣ ସାବଧାନେ ।।

କିନିଷ୍ଠ ନଣନ୍ଦ ଆମ୍ଭର । ତା ଲାଗି ହେଲୁ ଏତେ ଦୂର ।।

ନାମ ତା ତଅପୋଇ ବାଳୀ । କାଟିଲା ନାକର ବଉଳି ।।

ନାକୋଇ ହୋଇ ପଳାଇଲୁ । ଲଜ୍ୟାରେ ବନସ୍ତେ ପଶିଲୁ ।।

ବ୍ୟାଘ୍ର ଦେଖିଣ ମୋହ ଯାଇ । ପଡ଼ିଣ ଥିଲୁ ଏହିଠାଇଁ ।।

କେଉଁ ବିଧାତା ବରଦେଲା । ନାସିକାମାନ କଅଁଳିଲା ।।

ଶବର ସମସ୍ତ କ‌ହିଲା । ତାହାଙ୍କୁ ପଥ ଦେଖାଇଲା ।।

ସେ ବାପା ଭାଇ ଘର ଗଲେ । ନିଶ୍ଚିନ୍ତ ହୋଇଣ ରହିଲେ ।।

କ‌ହଇ ଗୋପିନାଥ ଦାସ । ଉଦ୍ଧାର ମତେ ପୀତ ବାସ ।।


ଇତି ଶ୍ରୀକୃଷ୍ଣ ରୁକ୍ମଣୀ ସତ୍ୟଭାମା ଉକ୍ତୌ ସାହବ ଷଡ଼ବଧୁ ଉଦ୍ଧାରେଣ ନାମ ତୃତୀୟୋଧ୍ୟାୟ ।।


                    ଚତୁର୍ଥ ଅଧ୍ୟାୟ 


ଏମନ୍ତ କୃଷ୍ଣ ବାଣୀ ଶୁଣି । ହସି ବୋଲନ୍ତି ଠାକୁରାଣୀ ।।

ସେ ତଅପୋଇ କିସ କଲା । କେମନ୍ତ ହୋଇଣ ରହିଲା ।।

ଏମନ୍ତେ କେତେ ଦିନ ଗଲା । ସାଧବ ମନେ ବିଚାରିଲା ।।

ଏବେ କରିବା ସୁ ବିଚାର । ତଅପୋଇର ବିଭାଘର ।।

ଜ୍ୟେଷ୍ଠ ଭ୍ରାତାର ଏହିବାଣୀ । ସମସ୍ତେ ଭାଇମାନେ ଶୁଣି ।।

ବୋଇଲେ କ‌ହିବା ଉଚିତ । ଯେ ସାଧୁ ଶ୍ରେଷ୍ଠ କୁଳବନ୍ତ ।।

ଅଇଶ୍ୱର୍ଯ୍ୟରେ ଥିବ ରହି । ବିଭା କରିବା ତଅପୋଇ ।।

କ‌ହ‌ନ୍ତି ସାଧବ ନନ୍ଦନ । ଏମନ୍ତ ଗଲା କେତେ ଦିନ ।।

ବିରଞ୍ଚି ବୋଲିଣ ସାଧବ । ତାହାର ଧନ ଅସମ୍ଭବ ।।

କୁବେର ସମ୍ପତ୍ତିକୁ ବଳି । ପ୍ରତାପ ନ ପାରିବ କଳି ।।

ସେହି ଦ୍ୱୀପରେ ତାର ଘର । ତା ପୁତ୍ର ନାମ ରତ୍ନାକର ।।

ସୁନ୍ଦର ସୁବୁଦ୍ଧି ପଣ୍ଡିତ । ଗରିଷ୍ଠ ପଣେ ବଳବନ୍ତ ।।

ତାହାକୁ ବିଭା କରିବାକୁ । ତା ପିତା ବିଚାରେ ମନ‌କୁ ।।

ଦୂତମାନଙ୍କୁ ଡକାଇଲା । ପ୍ରସଙ୍ଗ କରିଣ ପେଶିଲା ।।

ତକ୍ଷଣେ ଦୂତମାନେ ଗଲେ । ଥୋକାଏ ରାଜ୍ୟ ସେ ବୁଲିଲେ ।।

ତନୟ ସାଧବର ସୁତ । ସେ ରାଜ୍ୟେ ସେହି ଭାଗ୍ୟବନ୍ତ ।।

ଏକ ଭଉଣୀ ସାତ ଭାଇ । ତାହାର ନାମ ତଅପୋଇ ।।

ତାହାଙ୍କ ହାତରେ ଦୂତ ଆସି । ପ୍ରସଙ୍ଗ କ‌ହିଲେ ବିଶେଷି ।।

ବୋଇଲେ ବିରଞ୍ଚି ସାଧୁତ । ତାହାଙ୍କ ପୁତ୍ର ବଳବନ୍ତ ।।

ତଅପୋଇକି ବିଭାକର । ଏ କଥା ଉଚିତ ବେଭାର ।।

ଏମନ୍ତ କ‌ହି ଦୂତମାନେ । ମେଲିଣ ହୋଇଲେ ବ‌ହ‌ନେ ।।

ଯାଇଣ ସାଧବ ତୋଷ ହୋଇ । ଯେ ବିଧି ବିଧାନ ଭିଆଇ ।।

କୂଳ ଧର୍ମର ଯେଉଁ ରୀତି । ସେହି ପ୍ରକାରେ ସେ କରନ୍ତି ।।

ମଙ୍ଗଳ କୃତ୍ୟ ଯେ ଭିଆଣ । ମିଳି ବ‌ହୁତ ନାରୀ ଗଣ ।।

ନବୀନ ଭାଣ୍ଡ ମଙ୍ଗୁଳିଲେ । ସମସ୍ତ ହୁଳ ହୁଳି ଦେଲେ ।।

ବସ୍ତ୍ର ଭୁଷଣ ଅଳଙ୍କାର । ଯେ ପୂଜା ବିଧି ଉପଚାର ।।

ଦେଇଣ ସମସ୍ତେ ପୂଜନ୍ତି । ଯୁବତୀ ହୁଳହୁଳି ଦିଅନ୍ତି ।।

ଶଙ୍ଖ ମହୁରୀ ନାନା ବାଦ୍ୟ । ବାଜନ୍ତେ ଉଛୁଳେ ଶବଦ ।।

ସେଠାରୁ ହୁଅନ୍ତି ମେଲାଣି । ବର କନ୍ୟାକୁ ଘରୁ ଆଣି ।।

ଢ଼ାଳନ୍ତି ନେଇ ତୀର୍ଥ ଜଳ । ଯୁବତୀ ହୋଇ ଏକମେଳ ।।

ତ୍ୱରିତେ ତ‌ହୁଁ ପୋଛି ଦେଲେ । ମଳିନ ବସ୍ତ୍ର ପିନ୍ଧାଇଲେ ।।

ଏଥି ଉତ୍ତାରୁ ଆରଦିନ । ବିଭା ଉତ୍ସବ ଯୋଗ ଲଗ୍ନ ।।

ବ୍ରାହ୍ମଣ ଯଉଚିଷ ଆସି । ବିଶେଷ ପଚାରନ୍ତି ବସି ।।

କ‌ହ‌ନ୍ତେ ସମସ୍ତେ ଶୁଣିଲେ । ବିଭା ଉଦ୍ୟମ ପଚାରିଲେ ।।

ମଙ୍ଗଳ ବାଦ୍ୟ ଉଚ୍ଚାରନ୍ତି । ବରକୁ ବେଦୀରେ ବସାନ୍ତି ।।

ବ୍ରାହ୍ମଣେ ବେଦ ବାକ୍ୟ ଭାଷି । ବୋଇଲେ କନ୍ୟାକୁ ଆଣସି ।।

ତା ଶୁଣି କନ୍ୟାକୁ ଅଣାଇ । ଲବଣ ଚଉଁରୀ ପକାଇ ।।

ଅଷ୍ଟରତ୍ନର ଅଳଙ୍କାର । ଖଞ୍ଜିଲେ କନ୍ୟାର ଶରୀର ।।

ଝିନ ବସନେ ପିନ୍ଧାଇଣ । ଦେବାଙ୍ଗ ବସ୍ତ୍ର ଉପରଣ ।।

ଦେଇଣ କନ୍ୟାକୁ ଆଣିଲେ । ବେଦୀ ଉପରେ ବସାଇଲେ ।।

ଅନେକ ବାକ୍ୟ ବଜାବନ୍ତି । ଯୁବତୀ ହୁଳହୁଳି ଦିଅନ୍ତି ।।

ଶବଦ ଶୁଭେ ଘୋରନାଦ । ବ୍ରହ୍ମଣେ ପଢ଼ୁଛନ୍ତି ବେଦ ।।

ଜନ ଗ‌ହଳେ ନୁହେଁ ପଶି । ଦେଖି ବର କନ୍ୟାକୁ ତୋଷି ।।

ସମସ୍ତେ ଧନ୍ୟ ଧନ୍ୟ କଲେ । ବିଭା ଉତ୍ସବ ବଢ଼ାଇଲେ ।।

ବନ୍ଧୁ କୁଟୁମ୍ବ ଜ୍ଞାତଜନ । ଭୋଜନ କଲେ ମିଷ୍ଟଅନ୍ନ ।।

ସେଦିନ ରଜନୀ ପାହିଲା । ରବି କିରଣ ପ୍ରକାଶିଲା ।।

ସାତ ଭାଇଙ୍କି ଅଣାଇଲା । ବିରଞ୍ଚି ସାଧବ ଉଠିଲା ।।

ବୋଇଲା ମେଲାଣି ଆମ୍ଭଙ୍କୁ । ବ‌ହ‌ନ ଦିଅ ହେ ଯିବାକୁ ।।

ଶୁଣି ତନୟ ସାଧୁ ସୁତେ । ଉଦ୍ୟମ କଲେ ଯିବା ଅର୍ଥେ ।।

ସଜ କରିଣ ରାଜଦୋଳି । ବସାଇ ତଅପୋଇ ବାଳୀ ।।

ସୁବର୍ଣ୍ଣ ଚାନ୍ଦ ଘରେ ଥିଲା । ସାଧବ ବେଗେ ଅଣାଇଲା ।।

ଉପରେ ଟଣାଇଲା ସେହି । ଦେଖି ଆନନ୍ଦ ତଅପୋଇ ।।

ଚନ୍ଦ୍ରକୁ ବେଢ଼ି ଯେହେ ତା'ରା । ଅତି ସୁନ୍ଦର ଦିଶେ ତୋରା ।।

ଦେଖିଣ ନ‌ଗ୍ର ନାରୀମାନେ । ବୋଲନ୍ତି ଧନ୍ୟ ତୋ ଜୀବନ ।।

ସାତ ଭାଇରେ ତଅପୋଇ । ଦଣ୍ଡେ ମୂର୍ଚ୍ଛାନ୍ତି କେହି ନାହିଁ ।।

ଭାଉଜ ଦେଖି ନ ପାରିଲେ । ଏହାର ଲାଗି ଦୂର ହେଲେ ।।

ସାନ ଭାଉଜ ନଣନ୍ଦର । ଦଣ୍ଡେ ହେ ନୁହେଁ ଅଭ୍ୟନ୍ତର ।।

କେମନ୍ତେ ମୁର୍ଚ୍ଛିବ ଏହାକୁ । ଆସିବା ଯାଏ ତା ଘରକୁ ।।

ଏମନ୍ତ ଶୁଣି ତଅପୋଇ । ବେନି ନୟନୁ ଲୁହ ବୋହି ।।

ଭାଉଜ କାନ୍ଦେ ଶୋକଭରେ । ଲୁହ ପୋଛିଣ ବେନି କରେ ।।

ସାହି ପଡ଼ିଶା ଯେତେ ଥିଲେ । କାନ୍ଦିଣ ପ୍ରବୋଧନ କଲେ ।।

ଏମନ୍ତ ସୈନ୍ୟ ସାଜ ହେଲେ । ଯେ ଯାହା ବାହାନ ଚଢ଼ିଲେ ।।

ବରକୁ ସେବେଶ କରାଇ । ପାଲିଙ୍କି ଉପରେ ବସାଇ ।।

ଆଗରେ ଗଲେ ତଅପୋଇ । ପଛରେ ବର ଚଳି ଯାଇ ।।

ତଅପୋଇର ସାତ ଭାଇ । ପାଛୋଟି ଖଣ୍ଡେ ଦୂର ଯାଇ ।।

ଚିରଞ୍ଚି ସାଧବକୁ କ‌ହି । ଯେ ଯାହା ରୂପେ ମାନ୍ୟହୋଇ ।।

ଲେଉଟି ଘରକୁ ଅଇଲେ । କନ୍ୟ ଘେଣିଣ ସେହି ଗଲେ ।।

ଯାଇଣ ମିଳିଲେ ରାଜ୍ୟରେ । ଶୁଣ ହେ ଏଥୁ ଅନନ୍ତରେ ।।

ଚଉଠି ସାତ ଯେ ମଙ୍ଗଳା । ଏ ରୂପେ ସବୁ ଯେ ବଢ଼ିଲା ।

 ଏମନ୍ତେ ଶ୍ରୀକୃଷ୍ଣର ବାଣୀ । ରକ୍ମଣୀ ସତ୍ୟଭାମା ଶୁଣି ।।

ବୋଲନ୍ତି ଶୁଣ ଦେବ‌ହରି । ସେତ ସ୍ୱର୍ଗର ଅପସରୀ ।।

ସାଧବ ଘରେ ସେ ରହିଲା । କେମନ୍ତ ସ୍ୱର୍ଗକୁ ସେ ଗଲା ।।

କ‌ହ‌ନ୍ତି କମଳ ଲୋଚନ । ଶୁଣ ଗୋ ରମଣୀ ରତନ ।।

ସେ ଚିତ୍ରସେନ ସ୍ୱର୍ଗପୁରେ । ଭାଳଇ ବସି ନିରନ୍ତରେ ।।

ନିକଟ ଦିନ ଆସି ହୋଇ । ଷୋଳ ବରଷ ପୁରି ନାହିଁ ।।

ଏମନ୍ତ ସମୟେ ଗନ୍ଧର୍ବ । ଇନ୍ଦ୍ରଙ୍କୁ ବୋଇଲା ଭୋ ଦେବ ।।

ଏବେ ମୁଁ କରିବି କେମନ୍ତ । ବିଚାରି କ‌ହ ଶଚିନାଥ ।।

ଇନ୍ଦ୍ର ବୋଇଲେ ଚିତ୍ରସେନ । ଷୋଳ ବରଷ ଯେଉଁ ଦିନ ।।

ସମ୍ପୂର୍ଣ୍ଣ ହୋଇବଟି ଯେବେ । ବିମାନ ଘେନିଯିବୁ ତେବେ ।।

ବସି କରି ତୋର ନାରୀ । ମଞ୍ଚୁ ଆଣିବୁ ସ୍ୱର୍ଗପୁରୀ ।।

ଶୁଣିଣ ଇନ୍ଦ୍ରର ବଚନ । ଗନ୍ଧର୍ବ ଗଣୁଥାଇ ଦିନ ।।

ଷୋଳ ବରଷ ଯହୁଁ ହେଲା । ବିମାନ ଘେନି ସେ ଚଳିଲା ।।

ପୁଷ୍ପ ବିମାନ ଆକାଶରେ । ରହିଣ ଥିଲା ସେ ଗୁପ୍ତରେ ।।

ଦେଖ ଦଇବର ଗତି । ଯେ ଯାହା କର୍ମ ସେ ଭୁଞ୍ଜନ୍ତି ।।

ତଅପୋଇକି ନେବା ପାଇଁ । ଗନ୍ଧର୍ବ ଆସିଥିଲେ ତ‌ହିଁ ।।

ସାତମଙ୍ଗଳା ବିଧି ସାରି । ଅଷ୍ଟମଙ୍ଗଳା ବିଧି କରି ।।

ତଅପୋଇକି ଭାଇ ସାଥେ । ବସାଇ ଗଜଦନ୍ତ ରଥେ ।।

ଘରକୁ ଘେନିଣ ଗମନ୍ତି । ଶୂନ୍ୟେ ଦେଖିଲା ତାର ପତି ।।

ଆସିଣ ପଥ ଓଗାଳିଲେ । ସବୁଙ୍କୁ ଘଉଡ଼ାଇ ଦେଲା ।।

ତଅପୋଇକି ଘେନିଯାଇ । ପୁଷ୍ପକ ବିମାନେ ବସାଇ ।।

ସ୍ୱର୍ଗରେ ଯାଇଣ ମିଳିଲା । ଇନ୍ଦ୍ର ଛାମୁରେ ଜଣାଇଲା ।।

ମାନବ ରୂପ ତାର ଗଲା । ଦେବ ଶରୀର ପ୍ରକାଶିଲା ।।

ଆନନ୍ଦ ହୋଇ ବେନି ଜନେ । ସୁଖେ ରହିଲେ ସ୍ୱର୍ଗ ସ୍ଥାନେ ।।

କ‌ହଇ ଶିଶୁ ଗୋପିନାଥ । ଉଦ୍ଧର ଶଙ୍ଖ ଚକ୍ର ହସ୍ତ ।।


ଇତି ଶ୍ରୀକୃଷ୍ଣ ସତ୍ୟଭାମା ଉକ୍ତୌ ତଅପୋଇ ବିବାହ ଓ ସ୍ୱର୍ଗ‌ଗମନ ଚତୁର୍ଥ ଅଧ୍ୟାୟ 

ପଞ୍ଚମ ଅଧ୍ୟାୟ 


ଏଥ ଉତ୍ତାରୁ ଏବେ ଶୁଣ । କ‌ହିବା ତ‌ହିଁର ବିଧାନ ।।

ଯହୁଁ ସେ ତଅପୋଇ ବାଳି । ସ୍ୱର୍ଗଭୁବନେ ଗଲା ଚଳି ।।

ଦେଖି ତାହାର ବନ୍ଧୁ ଜନେ । ଚକିତେ ଚାହିଁଲେ ଗ‌ଗନେ ।।

କ‌ହ‌ନ୍ତେ ସମସ୍ତେ ଶୁଣିଲେ । ବ‌ହୁତ ଜନ ମେଳ ହେଲେ ।।

ଦୂରରୁ ଶୁଭିଲା ଶବଦ । ସକଳେ ହୋଇଲେ ନିବେଦ ।।

ବୃଦ୍ଧ ବିବେକ ଜନମାନେ । ବିଚାର କଲେ ମନେ ମନେ ।।

ବୋଇଲେ ସ୍ୱର୍ଗ ଅପସରୀ । ମର୍ତ୍ତେ ଜନ୍ମିଲା ଦେହ ଧରି ।।

ଭୋଗ ସରନ୍ତେ ସେହୁ ଗଲା । ସ୍ୱର୍ଗରେ ଯାଇଣ ବସିଲା ।।

ପୁଣି ତନୟ ସାଧୁ ସୁତ । ବୋଇଲେ ଏ କଥା ଉଚିତ ।।

ଯେବେ ସେ ଦେବତା ନୁହ‌ନ୍ତା । ସ୍ୱର୍ଗର ଚାନ୍ଦକି ମାଗନ୍ତା ।।

ଏମନ୍ତ ଶୁଣି ତ‌ହୁଁ ଗଲେ । ନିଜ ଭୁବନେ ପ୍ରବେଶିଲେ ।।

ସେ ସାତ ଭାଇ ମେଳେ ହୋଇ । ଭାଳନ୍ତି ଏକମନ ହୋଇ ।।

ବୋଲନ୍ତି ଦେବତାର ମାୟା । କେ ଅବା ଜାଣିଥିଲା ଏହା ।।

ନ ବୁଝି ଆମେ ଏତେ ସରି । କୁଳବଧୁଙ୍କୁ ଦୂର କରି ।।

ନାସିକାମାନ କଟାଇଣ । ଘଉଡ଼ି ଦେଲଇ ତକ୍ଷଣ ।।

ନିରାଶ ହୋଇ ପଳାଇଲେ । କେ କାହିଁ ପ୍ରାଣ ଯେ ହାରିଲେ ।

ଏବେ କରିବା ଆମ୍ଭେ କିସ । ସବୁ ମରିବା ଖାଇ ବିଷ ।।

ଧନ୍ୟ ସମ୍ପଦ ଅକାରଣ । ଦଇବ ଦେଲା ଯେ କଷଣ ।।

ମାତା ପିଅର ଆମ୍ଭ ମଲେ । ଆମ୍ଭ କଷଣ ନ ଦେଖିଲେ ।।

କ‌ହିଣ ବିକଳ ହୁଅନ୍ତି । ନୟନୁ ଲୋତକ ଗଡ଼ନ୍ତି ।।

ଏମନ୍ତେ ଗଲା କେତେ ଦିନ । ଦୁଃଖିତ ହେଲେ ଅନୁଷଣ ।।

ବ‌ହୁତ ବୋଇଲା କଷଣ । ଜଗତେ ଶୁଭିଲା ଘୋଷଣ ।।

ସାଧବ ପୁତ୍ର ହୋଇ କରି । ଭାରିଯା ଦେଲୁ ଦୂର କରି ।।

ଏବେ ପାଇଁଲେ ଏଡ଼େ ଦୁଃଖ । ହୋଇଲେ ଅତିହିଁ ନିରେଖ ।।

ସେ କୁଳ ବଧୁମାନେ ଥିଲେ । ସମସ୍ତେ ବାରତା ପାଇଲେ ।।

ଶୁଣିଣ ହୋଇଲେ ଉଷତ । ବ‌ହ‌ନ ପେଶି ଦେଲେ ଦୂତ ।।

ସେ ଯାହା ଅନୁରୂପେ ଗଲେ । ସାଧବ ମନ୍ଦିରେ ମିଳିଲେ ।।

କ‌ହିଲେ ସକଳ ବିଧାନ । ଶୁଣ ହୋଇଲେ ତୋଷ ମନ ।।

ସକଳ ବନ୍ଧୁ ଘରେ ଗଲେ । ଭାରିଯାମାନଙ୍କୁ ଦେଖିଲେ ।।

ଦେଖିଣ କଲେ ସେ ରୋଦନ । ବ‌ହଇ ଅଶୃ ଘନ ଘନ ।।

ସକଳ କଥା ମାନ ନେଇ । ବ‌ହୁତ ହେଲେ କୁହାକୁହି ।।

ବୋଇଲେ ଆସ ଯିବା ଘର । ନାହିଁ ଯେ କଲେ ନାରୀ ବର ।।

ବ‌ହୁତ କଷ୍ଟରେ ଅଇଲେ । ଯେ ଯାହା ସୁଖେ ରାଜ୍ୟ କଲେ ।।

ଧନ ବସନ ରତ୍ନମାନ । ବ‌ହୁତ ବିପ୍ରେ କଲେ ଦାନ ।।

ପୁତ୍ର ଦିହିତା ହେଲେ ଜାତ । ଏମନ୍ତେ ବଂଶ ଅପ୍ରମିତ ।।

ସେହି ସାଧବ ବୋହୁ ଯେତେ । ଏ ଓଷା କଲେକ ସମସ୍ତେ ।।

ଭାଦ୍ରବ ମାସ ରବିବାର । ଖୁଦୁରୁକୁଣୀ ଆଦ୍ୟ ସାର ।।

ସେଦିନ ଉପବାସ କରି । ମଙ୍ଗଳା ଦେବୀଙ୍କୁ ସମରି ।।

ଓଷା ମନ୍ଦିର ଯତ୍ନ କଲେ । ଚୂନରେ ଯତନେ ଲିପିଲେ ।।

ମଙ୍ଗଳା ଦେବୀ ରୂପ ଦେଖି । ସମସ୍ତେ ମାନ୍ୟ କଲେ ଦେଖି ।।

ସାତ ବୋଇତ ଯେ ଦେଖିଲେ । ସାତ ସାଧବ ବସାଇଲେ ।।

ତଅପୋଈକି ମଙ୍ଗ କୋଶେ । ଦେଖି ହସିଲେ ଜଣେ ଜଣେ ।।

ବୋଇଲେ ଏପରି ସୁନ୍ଦରୀ । ନାକ କାଟିଲା ସବୁଙ୍କରି ।।

ସାନବୋହୁର ପ୍ରୀତି ସିନା । ଭାଇମାନଙ୍କର ଦୁଲ୍ଲଣା ।।

କେ ବୋଲେ ନଣନ୍ଦ ଆମ୍ଭର । କରିଛି ଯେତେ ଉପକାର ।।

କେ ବୋଲେ ଦୋଳିରେ ବସିଲା । କେବୋଲେ ଛେଳି ରଖିଥିଲା ।।

କେ ବୋଲେ ଭାତ ମୂଷାମାଟି । ବନସ୍ତେ ଖାଉଥିଲା ଖୁଣ୍ଟି ।।

ପାଉଁଶ ଲୁଣ ଏ ଖାଇଲା । ତେଣୁଟି ଭାଇଙ୍କି କ‌ହିଲା ।।

କେହୁ ବୋଲଇ ଏହିଠାରେ । ତୀକ୍ଷ୍‌ଣ ଛୁରୀଟି ବେଲେକରେ ।।

ପୁଣି ହିଁ ନାକ ଯେ କାଟିବ । ଆମ୍ଭଙ୍କୁ ବଳେ ବିନାଶିବ ।।

ଏମନ୍ତ ପରିହାସ କରି । କ‌ହ‌ନ୍ତି ସାଧବର ନାରୀ ।।

ତ‌ହିଁ ଉତ୍ତାରୁ ସର୍ବେ ଗଲେ । ଯେଯାହ ବିଧି ଯେ ଆଣିଲେ ।।

ବିବିଧ ଫୁଲମାଳ ମାନ । କର୍ପୁର କସ୍ତୁରୀ ଚନ୍ଦନ ।।

ଅଗୁର ଧୂପ ଦୀପାବଳୀ । ବନ୍ଦାଇ ଦେଲେ ହୁଳହୁଳି ।।

ଶ୍ରୀଫଳ ଆଦି ଯେତେ ଫଳ । କାକୁଡ଼ି ମକା ଯେ କଦଳି ।।

ଉଖୁଡ଼ା ମୁଆଁ ଠୁଳ କରି । ଚାଙ୍ଗଡ଼ାମାନଙ୍କରେ ଭରି ।।

ଦେଇଣ ମଙ୍ଗଳା ପୂଜିଲେ । ଆନନ୍ଦେ ହୁଳହୁଳୀ ଦେଲେ ।।

ଉଠିଣ ଗଲେ ଯେଝା ଘରେ । ଆସି ମିଳିଲେ ପ୍ରଭାତରେ ।।

ଏମନ୍ତ ପ୍ରତି ପାଳି କରି । ପ୍ରାତସ୍ନାନ‌କୁ ତ‌ହିଁ ସାରି ।।

ପଥେ ଆସନ୍ତେ ହୁଳ ହୁଳି । ଦିଅନ୍ତି ନବୀନ ଦୁଲ୍ଲଳୀ ।।

ଯାହାର ଯେ ଇଚ୍ଛା କଳ୍ପନା । ମଙ୍ଗଳା ନାମେ ସୁମରଣା ।।

କ‌ହ‌ନ୍ତି ଯେଝା ମନ ଜାଣି । ଦୟା କରନ୍ତି ଠାକୁରାଣୀ ।।

ଦେଖିଲା ଗୋପିନାଥ ଦାସ । ଏ ତଅପୋଈ ଗୀତ ଶେଷ ।।

କ‌ହ‌ନ୍ତି ପ୍ରଭୁ ପୀତବାସ । ରୁକ୍ମଣୀ ସତ୍ୟଭାମା ତୋଷ ।।


ଇତି ଶ୍ରୀ ରୁକ୍ମଣୀ ସତ୍ୟଭାମା ଉକ୍ତୌ ସାଧବ ପୁତ୍ର ବଧୂ ସ୍ୱସ୍ଥାନ ଗମନଂ ନାମ ପଞ୍ଚୋମାଧ୍ୟାୟ ।


ଖୁଦୁରୁକୁଣୀ ଓଷା ଭାଗ ୧-୨ Khudurukuni Osha Part 1-2 Odia Lyrics 

एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default