ଖୁଦୁରୁକୁଣୀ ଓଷା ଭାଗ ୧-୨ Khudurukuni Osha Part 1-2 Odia Lyrics

ABOUT INTEX
0

ଜୟ ଜୟ ମା ମଙ୍ଗଳା ବିପଦ ହାରିଣୀ,
      କେତେ ନାମେ ଅଛୁ ତୁଲୋ ହୋଇ ପୂଜାରିଣୀ ।
ଜୟ ଜୟ ମା ଖୁଦୁରୁକୁଣୀ ଦୁଃଖ ବିନାସିନୀ,
       ଭୋଦୁଅ ମାସେ ପୂଜାକରନ୍ତି ମୋ ମା ଭଉଣୀ ।
ଜୟ ଜୟ ମା ଲୋ ଦୁର୍ଗତିନାସିନୀ,
       ଅଧର୍ମ ପାପ କଳୁଷରୁ ତୁ ଲୋ ମୁକତି ପ୍ରଦାୟନୀ ।
ଜୟ ଜୟ ମା ଲୋ ଜଙ୍ଗଲବାସିନୀ ପ୍ରକୃତିରାଣୀ,

      ଶ୍ରାବଣ ପୂର୍ଣ୍ଣିମା ପରେ ପ୍ରତି ରବିବାର ଦିନ , ଓଡ଼ିଆ ଘରର କୁମାରୀ ଝିଅ ମାନେ ନିଜ ଭାଇମାନଙ୍କ ନିମନ୍ତେ ମା ମଙ୍ଗଳା ଙ୍କୁ ଉପସନା କରିଥାନ୍ତି । ଏହାକୁ ଖୁଦୁରୁକୁଣୀ ପୂଜା କୁହାଯାଏ। ତେବେ ଏହି ପୂଜା ପଛରେ ଏକ କାହାଣୀ ରହିଛି । 

            ପୂର୍ବେ ଉତ୍କଳ ନିଜ ନୌବାଣିଜ୍ୟ ନିମନ୍ତେ ବହୁ ପ୍ରସିଦ୍ଧ ଥିଲା । ଉତ୍କଳ ର ସାଧାବପୁଅ ମାନେ ବୋଇତ ନେଇ ଦୂର ଦେଶ କୁ ବଣିଜ ନିମନ୍ତେ ଯାଉଥିଲେ । ଏମିତି ଏକ ସାଧାବ ଘର ଥାଏ ଉତ୍କଳ ରେ , ସାତ ଭାଇ ମଧ୍ୟରେ ଏକ ଭଉଣୀ। ଭଉଣୀ ର ନାଁ ତପୋଇ । ଦିନେ ସାତ ଭାଇ ମିଶି ଦୂର ଦେଶ କୁ ବଣିଜ ନିମନ୍ତେ ବିଚାର କଲେ ଏବଂ ନିଜ ନିଜ ସ୍ତ୍ରୀଙ୍କୁ ତପୋଇ ର ଧ୍ୟାନ ରଖିବାକୁ କହି ବୋଇତ ନେଇ ଦୂର ଦେଶ ଅଭିମୁଖେ ଚାଲିଗଲେ। ତପୋଇ ଥିଲା ସମସ୍ତଙ୍କ ଅଲିଅଳି । ତା ଭାଉଜ ମାନେ ତାଙ୍କୁ ବହୁ ଆଦର ରେ ରଖୁଥିଲେ। ଦିନେ ଏକ ବୁଢ଼ୀ ତପୋଇ ର ସୁଖ କୁ ସହ୍ୟ ନ କରିପାରି ୬ ଭାଉଜ ଙ୍କ କାନ ରେ ତପୋଇ ବିରୁଧ ରେ ବିଷ ଭରିଲା । ବୁଢ଼ୀର କଥା ରେ ପଡ଼ି ୬ ଜଣ ଭାଉଜ ତପୋଇକୁ ନାନାଦି କଷ୍ଟ ଦେଲେ । ଜଙ୍ଗଲକୁ ଛେଳି ଚରେଇବାକୁ ମଧ୍ୟ ତାକୁ ଛାଡିଲେ। ଦିନେ ଛେଳି ଚରାଉ ଚରାଉ , ସେଥି ମଧ୍ୟରୁ ଗୋଟେ ଛେଳି "ଘରମଣି" ହଜିଗଲା । ୬ ଜଣ ଭାଉଜ ଏହା ଶୁଣି ତପୋଇ କୁ ରାତି ରେ ଘରମଣି ନାମକ ଛେଳି କୁ ଖୋଜିବା ପାଇଁ ପଠାଇ ଦେଲେ । ଛେଳି କୁ ନ ପାଇ , ତପୋଇ ଜଙ୍ଗଲ ମଧ୍ୟରେ ମା ମଙ୍ଗଳା ଙ୍କୁ ସୁମରିଥିଲା , ଭୋଗ ଦେବା ପାଇଁ ନିଜ କାନି ରେ ବନ୍ଧା ହୋଇଥିବା କିଛି ଖୁଦ ଦେଇଥିଲା । ଖୁଦ ରଙ୍କୁଣି ମା ମଙ୍ଗଳା , ନିଜ ଭକ୍ତ ରେ ସନ୍ତୁଷ୍ଟ ହୋଇ ତାକୁ ତା ଛେଳିର ସନ୍ଧାନ ଦେଲେ। ତପୋଇ ଛେଳି କୁ ନେଇ ଘରକୁ ଫେରିଲା ।  

       ପ୍ରତିଦିନ ୬ ଜଣ ଭାଉଜଙ୍କ ଠୁ ମାଡ଼ ଗାଳି ଖାଉଥିଲା କିନ୍ତୁ କେବଳ ସଭା ସାନ ଭାଉଜ ଅର୍ଥାତ ସପ୍ତମ ଭାଉଜ ତପୋଇ କୁ ଅତି ଆଦର ରେ ରଖୁଥିଲା। ଦିନେ ମାଡ଼ କଷ୍ଟ ସହି ନ ପାରି , ନିଜ ୭ ଭାଇଙ୍କ ଫେରିବା ନିମନ୍ତେ ତପୋଇ ମା ମଙ୍ଗଳା ଙ୍କୁ ଉପସନା କରି ଖୁଦ ଭୋଗ ଅର୍ପଣ କରିଥିଲା। ଖୁଦ ରଙ୍କୁଣୀ ମା ମଙ୍ଗଳା ଭକ୍ତର ମନ କଥା ଜାଣିପାରିଲେ। ବହୁ ଶୀଘ୍ର ତପୋଇ ର ୭ ଭାଇ ବିଦେଶ ରୁ ବଣିଜ କରି ଫେରିଲେ। ଭଉଣୀ ର ଦୁଃଖ ସହି ନ ପାରି ୬ ଭାଇ ନିଜ ନିଜ ସ୍ତ୍ରୀଙ୍କୁ ଉଚିତ ଶାସ୍ତି ଦେଲେ। ଏହି ଦିନ ଠାରୁ କୁମାରୀ ଝିଅ ମାନେ ମା ମଙ୍ଗଳା ଙ୍କୁ ଖୁଦୁରୁକୁଣୀ ନାମରେ ଉପସନା କରିଥାନ୍ତି।
ଖୁଦୁରୁକୁଣୀ ଓଷା ଭାଗ ୧-୨ Khudurukuni Osha Part 1-2 Odia Lyrics


            ବୃହତ୍ ତଅପୋଈ
                    ବା
            ଖୁଦୁରୁକୁଣୀ ଓଷା
              ପ୍ରଥମ ଅଧ୍ୟାୟ  

ବନ୍ଦଇ ଦେବ ଜଗନ୍ନାଥ । କମଳା ଦେବୀର ସଙ୍ଗାତ ।।
ଲକ୍ଷ୍ମୀ ଦେବୀର ପ୍ରାଣନାହା । ଶୋଭିତ ଶଙ୍ଖ ଚକ୍ର ବାହା ।।
ଅଶେଷ ବ୍ରହ୍ମାଣ୍ତ ଠାକୁର । ବିଜୟ ଦ୍ୱାରକା ନ‌ଗର ।।
ଧନ୍ୟ ସେ ଦ୍ୱାରକା ମ‌ହିମା । ନିର୍ମାଣ କଲା ବିଶ୍ୱକର୍ମା ।। 
ଅଠର ବଂଶ ଲୋକ ଯ‌ହିଁ । ଅଛନ୍ତି ପ୍ରଭୁ ସଙ୍ଗେ ନେଇ ।। 
ସମସ୍ତେ ବିଷ୍ଣୁର କୁଟୁମ୍ବ । ସକଳ ସମ୍ପଦ ଆରମ୍ଭ ।।
ଅର୍ଜିଲେ ବ‌ହୁ ସୁତାସୁତ । କୁଟୁମ୍ବ ହୋଇଲେ ବ‌ହୁତ ।।
କୃଷ୍ଣର ବ‌ହୁତ ଯୁବତୀ । ବତିଶ ସ‌ହସ୍ର ଅଛନ୍ତି ।।
ଗୋଟିଏ ଲେଖାଏଁ ଦୁଲ୍ଲଣା । ଏଥି ଅଧିକ ନୁହେଁ ଉଣା ।।
ଦୁହିତା ତିନିଗୋଟି ଜାତ । ଏମ‌ନ୍ତେ କୁଟୁମ୍ବ ବ‌ହୁତ ।।
ରାଜା ତ‌ହିଁରେ ଉଗ୍ରେସେନ । ମନ୍ତ୍ରୀ ଯାଦତ ତିନିଜଣ ।।
ଶୁଭେଣ ପରିଜା ପାଳନ୍ତି । ବଳିଷ୍ଠ ଦୁର୍ବଳ ଅଛନ୍ତି ।।
ସବୁରି ଘରେ ଶୁଦ୍ଧ ସ୍ୱର୍ଣ୍ଣ । ସମସ୍ତେ କୁବେର ସମାନ ।।
ଯାବତ ଓଷା ବାରବ୍ରତ । ସେ ପୁରେ ଅଛଇ ସମସ୍ତ ।।
ଆପେ ମନୁଷ୍ୟ ଦେହ ଧରି । ମେଦିନୀ ଭାରା ନାଶ କରି ।।
ଯ‌ହିଁ ବିଜୟ ଯଦୁବତ୍ସ । ତ‌ହିଁକି କିସ ଦେବା ଭକ୍ଷ ।।
ଆଶ୍ୱିନ କାର୍ତ୍ତିକ ହୋଇଲା । ମାର୍ଗଶିର ଯେ ପ୍ରବେଶିଲା ।। 
ତା ଅନ୍ତେ ପୌଷ ମାଘ ଲେଖ । ଫାଲ୍‌ଗୁନ ଚୈତ୍ର ଯେ ବୈଶାଖ ।।
ଜ୍ୟେଷ୍ଠ ଆଷାଢ଼ ଯେ ଶ୍ରାବଣ । ଭାଦ୍ରବ ମାସ ହୁଏ ପୁଣ ।।
କୃଷ୍ଣ ପ୍ରତିପଦା ତିଥିର । ଯେତେ ହୁଅଇ ରବିବାର ।।
ଖୁଦୁରୁକୁଣୀ ନାମେ ଓଷା । ହୋଇଲା ସେହିଦିନ ନିଶା ।।
ରୁକ୍ମଣୀ ଯୋଡ଼ି ବେନିକର । ବୋଇଲେ ଶୁଣ ଚକ୍ରଧର ।।
ଆଦିତ୍ୟ ବାର ଆଜି ହୁଏ । ହୋଇବ ମଙ୍ଗଳ ଓଷାଏ ।।
ଖୁଦୁରୁକୁଣୀ ନାମ ତାର । ପୁଜିଲେ ମଙ୍ଗଳ ଅପାର ।।
ସତ୍ୟ ଯୁଗରେ ଯେ ମଙ୍ଗଳା । ଝିଅଙ୍କୁ ପାଳି ଗିରିବାଳା ।।
ମାତାଙ୍କୁ ମାଗିଲେ ସେ ବର । ଏ ଓଷା ହୋଇବ ଆମ୍ଭର ।।
ପ୍ରସନ୍ନ ହୋଇ ବର ଦେବା । ଅସ୍ତୁ ବୋଇଲେ ତାଙ୍କୁ ସର୍ବା ।।
ସେ ଦିନୁ ଏ ଓଷା ସମ୍ଭୁତ । ବାଳିକାମାନଙ୍କର ମତ ।।
ପ୍ରସନ୍ନ ବଦନ ମଙ୍ଗଳା । ବାଳିକାମାନଙ୍କର ଲୀଳା ।।
ଏଥକୁ ଆଶ୍ରେ ହେଲେ ହରି । ପୂଜିବେ ସୁଖେ ବାଳି ନାରୀ ।।
ଶ୍ରୀକୃଷ୍ଣ ବୋଇଲେ ମୃଗାକ୍ଷୀ । ପୂର୍ବରୁ ଯେବେ ବିଧି ଅଛି ।।
ଆମ୍ଭେ ତା ନ କରିବା ନାସ୍ତି । ବାଳିକା ଶ୍ରଦ୍ଧା ଯେ କରନ୍ତି ।।
ଶୁଣି ରୁକ୍ମଣୀ ହେଲେ ତୋଷ । ଆଶ୍ରମେ ହୋଇଲେ ପ୍ରବେଶ ।।
ବିବିଧ ବର୍ଣ୍ଣେ ନାନାପୁଷ୍ପ । ମଣ୍ତିଲେ ଦାସୀ ଚଉପାଶ ।।
ଅନେକ ପୁଷ୍ପ ମାଳ ମାଳ । ରଚି ରୁକ୍ମଣୀ ତ‌ତ କାଳ ।।
ଲିପିଣ ମୁରୁଜ ପାଢ଼ିଲେ । ସୁବର୍ଣ୍ଣ କୁମ୍ଭ ବସାଇଲେ ।।
ଫଳ ଉପାଧିମାନ କରି । ସୁବର୍ଣ୍ଣ ଚାଙ୍ଗୁଡ଼ାରେ ଭରି ।।
ଥୋଇଲେ ସକଳ ସନ୍ନିଧେ । ଅନେକ ଦିପାବଳୀ ମଧ୍ୟେ ।। 
ଯେତେକ ଓଷାର ଯେ ବିଧି । ଯେତକ ଦ୍ରବ୍ୟ କଲେ ସିଦ୍ଧି ।। 
ବସିଲେ ବାଳିକା ସୁନ୍ଦରୀ । ହସ୍ତରେ ପୁଷ୍ପାଞ୍ଜଳି ଧରି ।।
ଆବୋରି ବସିଲେ ସମସ୍ତେ । ଅଠର ବଂଶଲୋକ ଯେତେ ।।
ଶ୍ରୀୟା ଯେ ମଧୁବତୀ ବାମା । ରୁକ୍ମଣୀ ଲୀଳା ସତ୍ୟଭାମା ।।
ସେ ଲୀଳା ମାଳ ଯେ ଦୁଲ୍ଲଣା । ସୁକେଶୀ ଚଞ୍ଚଳ ଖଞ୍ଜନା ।।
ମରୁଆ ସେବତୀ କୁଙ୍କୁମ । ସରୁଆ ତୁଳସୀ ଉତ୍ତମ ।।
ପଦ୍ମା ହେ ସେବତୀ ପାର୍ବତୀ । ବିମଳା ମଦନ ମାଳତୀ ।।
କପୋତୀ ହଂସ ଯେ ସୁମେଧା । ରମ୍ଭା ଶ୍ରୀକୃଷ୍ଣ ପ୍ରିୟ ରାଧା ।। 
ଏମନ୍ତେ ଅନେକ ତରୁଣୀ । କେ ତାହା ପାରିବ ବଖାଣି ।।
ଦେବକୀ କୃଷ୍ଣର ଜ‌ନ‌ନୀ । ବସିଲେ ସବୁ ନାରୀ ଘେନି ।।
ବୃଦ୍ଧ ବାଳିକା ଯୁବ ନାରୀ । ବସିଲେ ମଙ୍ଗଳା ସୁମରି ।।
ଜୟ ଗୋ ଜୟ ଗୋ ମଙ୍ଗଳା । ଉଦ୍ଧାରୁ ବୁଡ଼ିବାର ଭେଳା ।।
ଜୟ ତୁ ମଙ୍ଗଳା ଉତ୍ତମ । ଆରତୀ ଭଞ୍ଜନୀ ତୋ ନାମ ।।
ସଙ୍କଟ ତାରିଣୀ ମଙ୍ଗଳା । ହୃଦେ ମନ୍ଦାର ପୁଷ୍ପ ମାଳା ।।
ପ୍ରସନ୍ନ ହୁଆ ମହାମାୟେ । ଆମ୍ଭଙ୍କୁ ହୁଅ ଗୋ ସଦୟେ ।।
ସଙ୍କଟ ତାରିଣୀ ମଙ୍ଗଳା । ଉଦ୍ଧାରୁ ବୁଡ଼ିବାର ଭେଳା ।।
ହସ୍ତ ଯୋଡ଼ିଣ ସର୍ବନାରୀ । ବାଞ୍ଛା ସମସ୍ତେ ହୃଦେ କରି ।।
ଏଥୁ ଉତ୍ତାରୁ ଶକ୍ରାବତୀ । ଶାଶୁଙ୍କୁ ବଚନ ବୋଲନ୍ତି ।।
କ‌ହ ଏ ଓଷା ବିଧି କଥା । ପୂର୍ବ‌ହୁଁ ଯେମନ୍ତେ ବ୍ୟବସ୍ଥା ।। 
ବଧୁ ବଚନେ କରି ଦୟା । କ‌ହନ୍ତି ବସୁଦେବ ପ୍ରିୟା ।।
ପ୍ରଥମେ ଜମ୍ବୁଦୀପେ ସାର । ବେଢ଼ିଛି ଲବଣ ସାଗର ।।
ଏ ପକ୍ଷେ ଦ୍ୱୀପେ ଶୁଦ୍ଧ ନୀର । ବେଢ଼ିଛି ବଳୟ ଆକାର ।। 
ଦ‌ଧି ସମୁଦ୍ର ବାର ଦ୍ୱୀପେ । ଲବଣ ସମୁଦ୍ର ସମିପେ ।।
ସୁରା ସମୁଦ୍ର ଯେ ତ‌ହିଁରେ । ବେଢ଼ିଛି ଚାରି ପାରୁଷରେ ।।
ରତ୍ନ ଦ୍ୱୀପରେ ସିନ୍ଧୁ ଶୁଣ । ବେଢ଼ିଛି ଯେସନେ ପୁଣ ।।
ଦ୍ୱୀପଙ୍କ ମଧ୍ୟେ ଅସ୍ତଗିରି । ବେଢିଛି ମେରୁକୁ ଆବୋରି ।।
ଗିରିକି କେତେ ହେ ଅନ୍ତର । ଅଛଇ ଏକ ଦ୍ୱୀପାନ୍ତର ।।
ତ‌ହିଁରେ ରାଜା ତିଳଧ୍ୱଜ । ବ‌ହୁତ ଆୟତନ ରାଜ୍ୟ ।।
ସମସ୍ତ ଘରେ ଯେ କୁଶଳ । ଧର୍ମ ସ୍ଥାପିଣ ମ‌ହିପାଳ ।।
ଭାରିଯାମାନେ ପତିବ୍ରତା । ନିଯୋଗ ଲୋକ ଯେ ଖଟନ୍ତା ।।
ସଭାରେ ତାର ମିଛ ନାହିଁ । ରାଜ୍ୟକୁ ଶତ୍ରୁ ନ ଆସଇ ।।
ପରଜା ପାଳେ ପୁତ୍ର ଜାଣି । ଗୁହାରୀ ତ‌ତକାଳେ ଶୁଣି ।।
ମନ୍ତ୍ରୀର ନାମ ଗୁଣନିଧି । ପୁତ୍ରର ନାମ ତା ସୁବୁଦ୍ଧି ।।
ସେ ନ‌ଗ୍ର ବଡ଼ ଶୋଭାବନ । ଅଳକା ପୁରକୁ ସମାନ ।।
ବ‌ହୁତ ସାଧବ ଅଛନ୍ତି । ବୋଇତ ବାଣିଜ୍ୟ କରନ୍ତି ।।
ସେହି ବାଣିଜ୍ୟ ପରସାବେ । ଜିଣନ୍ତି କୁବେରକୁ ବାଦେ ।।
ପୋଇଲି ପିନ୍ଧେ ପାଟ ଶାଢ଼ୀ । ଆବର ହସ୍ତେ ସୁନାଚୁଡ଼ି ।।
ସାଧବ ମାନଙ୍କର ନାରୀ । ଶରୀର ସୁବର୍ଣ୍ଣ ଆବୋରି ।।
ଗୁରୁ ହୋଇବ ବୋଲି ଅଙ୍ଗ । ଅଳଙ୍କାରକୁ ମଣେ ଖଙ୍ଗ ।।
ସ୍ଫଟିକ ପୀଡ଼ା ସର୍ବ ଘରେ । ପାବଚ୍ଛ ମାନ ସ୍ପଟିକରେ ।।
ପ୍ରକାର ସ୍ତମ୍ଭ ସୁନା ଶ୍ରେଣୀ । ଉହାଡ଼େ ସୁବର୍ଣ୍ଣ ଛାଉଣୀ ।।
ସୁବର୍ଣ୍ଣ କଳସ ପୀଢ଼ାରେ । ପତାକା ଉଡ଼ଇ ସଧିରେ ।।
ଧନ୍ୟ ସେ ନ‌ଗର ଉତ୍ତମ । ସମସ୍ତ ଘର ଲୋକ ସମ ।।
ତ‌ହିଁରେ ଏକ ସାଧୁ ଘର । ତନ‌ୟ ବନ୍ତ ନାମ ତାର ।।
ପତ୍ନୀର ନାମ ଶକୁନ୍ତଳା । ଜନ୍ମ ସେ କଲା ସପ୍ତବାଳା ।।
ଝିଅର ନାମ ତଅପୋଈ । ସବୁହୁ ଦୁଲ୍ଲଣା ଅଟଇ ।।
ସାଧବ ବଡ଼ ଧନେଶ୍ୱର । ବୋଇତ ସାତ ଖଣ୍ତ‌ତାର ।।
ସାତ ପୁଅରେ ସାତ ବୋହୁ । ସମସ୍ତେ ସୁନ୍ଦରୀ ସବୁହୁଁ ।।
ଚାଲନ୍ତି ସୁନାରେ ରୂପାରେ । ଶୁଅନ୍ତି ଖଟ ପଲଙ୍କରେ ।।
ଏକ ଦିନରେ ତଅ‌ପୋଈ । ଖୋଳିଣ ଗଲା ସାଇ ପାଇ ।।
ମନ୍ତ୍ରୀର ଝିଅ ସଙ୍ଗେ ମିତ । ଆବର ଅନେକ ସଙ୍ଗାତ ।।
ଖେଳଇ ଘେନି ସଙ୍ଗାତକୁ । ବୟସ ପାଞ୍ଚ ସିନା ତାକୁ ।।
ଏକ ବ୍ରାହ୍ମଣୀ ରାଣ୍ତୀ ଆସି । ଝିଅ ଖେଳିଲା ଘରେ ପଶି ।।
ବୋଇଲେ ତଅପୋଈ ମାଏ । ବାପାଙ୍କର ଯେ ଏକଝିଏ ।।
ପୁଅ ମାନଙ୍କ ଠାରୁ ସାନ । ମାଆ ବାପାଙ୍କର ଜୀବନ ।।
କରିଛୁ ବାଂଶର କଲାଇ । ଧରିଛୁ ବାଂଶର ଟୋକାଇ ।।
ତୋପରା ହୋଇଥିଲେ ମୁହିଁ । ଚଢ଼ାନ୍ତି ସୁବର୍ଣ୍ଣ କୁଲାଇ ।।
ବାପ ମାଆଙ୍କୁ କରି ଦ୍ୱନ୍ଦ । ଗଢ଼ାନ୍ତି ସୁବର୍ଣ୍ଣର ଚାନ୍ଦ ।।
ତୁ ହାବେ ହୋଇଅଛୁ ଯାହା । ତୋତେ କି ନ ମିଳିବ ତାହା ।।
ଦେଖ ଏମନ୍ତ ଯେମାଦେଈ । ଘେନିଛୁ ବାଂଶର କୁଲାଇ ।।
ଏ ଯେତେ ସାଧବଙ୍କ ବାଳି । ଖେଳନ୍ତି ସୁନାର ଚାଙ୍ଗୁଡ଼ି ।।
ଏତକ କ‌ହି ରାଣ୍ତୀ ଗଲା । ତିମିର ପ୍ରବେଶ ହୋଇଲା ।।
ଖେଳ ଭାଙ୍ଗିଣ ସର୍ବ ବାଳି । ନିଜ ମନ୍ଦିରେ ଗଲେ ଚଳି ।।
ବିରସେ ତଅପୋଇ ଗଲା । ଗମ୍ଭୀରି ଭିତରେ ପଶିଲା ।।
କବାଟ କିଳି ମୁହଁ ମାଡ଼ି । ଶୋଇଲା ରତ୍ନ ଖଟେପଡ଼ି ।।
ସମସ୍ତେ ଭୁଞ୍ଜିଣ ବସିଲେ । ଝିଅକୁ ବାପା ସଙ୍ଖୋଳିଲେ ।।
ମାଏ ବୋଇଲେ ଆସିନାହିଁ । ଏତେ ରାତ୍ରରେ ଥିବ କାହିଁ ।। 
କ‌ହଇ ସାନ ବୋହୁ ଯାଇ । ଅଛନ୍ତି ଗମ୍ଭୀରରେ ଶୋଇ ।।
ସାଧବ ଫେଡ଼ିଲା କବାଟ । ବସିଲା ଯାଇ ରତ୍ନ‌ଖଟ ।।
ବୋଇଲେ କାହିଁ ପାଇଁ ମାଏ । ଶୋଇଛୁ ରୁଷିଲା ପରାଏ ।।
ଗଢ଼ାଇ ଦେବି ଭାଙ୍ଗିଥିଲେ । ଖୋଜାଇ ଦେବି ହଜିଥିଲେ ।।
ଧୋବଣି ଧୋବା ନ ଖଟିଲା । ତାମ୍ବୁଳି ପାନ କି ନ ଦେଲା ।। 
ଗଭା କି ନ ଦେଇଛି ମାଳି । କିଏବା ତୋତେ ଦେଲା ଗାଳି ।।
ତୋତେ କି ବିଭା କରାଇବା । ତ‌ହିଁକି ରୁଷିଅଛୁ ଅବା ।।
କଥା ନ କ‌ହି କିମ୍ପା ମୋରେ । ରୁଷିଛୁ କେଉଁ ନିମନ୍ତରେ ।।
ଚାଟ ନ ଶୁଣେ ତଅପୋଈ । ଶୋଇଛୁ ମାନଭର ହୋଇ ।।
ସପତ ଭାଇ ଉଠାଇଲେ । ମାତାହିଁ ଅନେକ କ‌ହିଲେ ।।
କେବେହେଁ ନ ଉଠଇ ବାଳି । କୁଟୁମ୍ବ ଯାକ ମନେ ଭାଳି ।।
ନିଳେନ୍ଦ୍ରି ନାମେ ସାନ ବୋହୁ । ତଅପୋଈର ପ୍ରିୟ ସେହୁ ।।
ସେ ବୋହୁ ଅନେକ କ‌ହିଲା । ନ ଉଠି ବଚନ ବୋଇଲା ।।
କ‌ହ ମୋ ପିତାର ଅଗ୍ରତେ । ସୁବର୍ଣ୍ଣ ଚାନ୍ଦ ଦେଉ ମୋତେ ।।
ନ୍ଦେଲେ ନ ଖାଇବି ଭାତ । ତୋ ଆଗେ କ‌ହୁଅଛି ସତ ।।
ଶୁଣି ସମସ୍ତେ ତୋଷହେଲେ । ଝିଅଙ୍କୁ ପିଅର ବୋଇଲେ ।।
ଏ ଛାର କଥାକୁ ଗୋ ମାଏ । ରୁଷିଛୁ ନ ମିଳିଲା ପ୍ରାୟେ ।।
କାଲି ଭିତରେ ଗଢ଼ାଇବି । ପନ୍ଦର ଦିନେ ଚାନ୍ଦ ଦେବି ।।
ଶୁଣି ଉସତ ତଅପୋଈ । ବସିଲା ମାତା କୋଳେ ଯାଇ ।।
ଏମନ୍ତ ରଜନୀ ପାହିଲା । ସାଧବ ବିନ୍ଧାଣି ଆଣିଲା ।।
ସାଧବସାଧବାଣୀ ବସି । ଗଢ଼ାନ୍ତି ସୁବର୍ଣ୍ଣର ଶଶି ।।
ଚାରି ପାରୁଶେ ଶୋହେହିରା । ଚନ୍ଦ୍ରକୁ ବେଢ଼ି ଯେହ୍ନେ ତାରା ।।
ଏମନ୍ତେ କେତେ ଦିନ‌ଗଲା । ସାଧବ ଅଧା ଚାନ୍ଦେ ମଲା ।।
ମାତା ହିଁ ପୂର୍ଣ୍ଣଚାନ୍ଦେ ମଲେ । ସମସ୍ତେ କୁଟୁମ୍ବ କାନ୍ଦିଲେ ।।
କିଛି ଦିନରେ କ୍ରିୟା ସାରି । ବ୍ରାହ୍ମଣେ କଉତିଶେ ବରି ।।
ଏମନ୍ତ କେତେ ଦିନ ଗଲା । ବୋଇତ ପଦାର୍ଥ ସରିଲା ।।
ସୁବାୟୁ ଦେଖି ସାଧୁମାନେ । ହରଷ ହେଲେ ନିଜ ମନେ ।।
ସମୁଦ୍ରେ ବୋଇତ ମେଲିଲେ । ସପତ ବୋହୁକୁ ଡ଼ାକିଲେ ।।
ବୋଇତେ ଯାଉଅଛୁ ଆମ୍ଭେ । ଘର ସମ୍ଭାଳି ଥିବ ତୁମ୍ଭେ ।।
ଦେଖ ଏ ଦଇବର କୃତ୍ୟ । ପିତା ସଙ୍ଗତେ ଗଲେ ମାତ ।।
ଯେମନ୍ତେ ଝିଅ ନ ଝୁରିବ । ତେମନ୍ତେ ସେବା କରୁଥିବ ।।
ଭୋଜନ କରାଇବ ଆଣି । କ‌ହି ଅପୂର୍ବ ରସବାଣୀ ।।
ଦୋଳିରେ ଦୋଳି ପଞ୍ଚାଇବ । ନିମିଷେ ହେଳା ନ କରିବ ।।
ଶୁଣି ବୋଲନ୍ତି ସାତ ଯାଏ । ଝିଅଙ୍କୁ ନାହିଁ କିଛି ଭୟେ ।।
ନିରତେ ସେବା କରୁଥିବୁ । କ୍ଷଣେ ହେ ହେଳା ନ କରିବୁ ।।
ତୁମ୍ଭଙ୍କୁ ଦେଖିକରି ଆମ୍ଭେ । ହେଳାରେ ରହିଥିଲୁ ଦମ୍ଭେ ।।
ଯେବେ ଯାଉଛ ବାଣିଜ୍ୟରେ । ଆଣିଥିବଟି ଅଳଙ୍କାରେ ।।
କେବୋଲେ ମୋର ସୁନାଚୁଡ଼ି । ଆଣି ଥିବଟି ରତ୍ନେ ଜଡ଼ି ।।
କେ ବୋଲେ ହୀରାର ବୟଣୀ । ମୋହର ପାଇଁ ଥିବ ଆଣି ।।
କେ ବୋଲେ ସୁବର୍ଣ୍ଣ କଙ୍କଣ । ଆଣିବ ମୋହ ନିମନ୍ତେଣ ।।
କେ ବୋଲେ ଅଷ୍ଟରତ୍ନ ତାରା । କେ ବୋଲେ ଖଞ୍ଜା ମୋତିହୀରା ।।
କେ ବୋଲେ ହୀରା ମଲ୍ଲୀ କଢ଼ି । ଉତ୍ତମ ରୂପେ ଥିବ ଗଢ଼ି ।।
ଭାଇଙ୍କ ବୋଲେ ତଅପୋଈ । ମୋ ପାଇଁ ହୀରାର କୁଣ୍ଢାଇ ।।
କେ ବୋଲେ ବସନ୍ତ ପତନୀ । ମୋହର ପାଇଁ ଥିବ ଆଣି ।।
ଏମନ୍ତେ ଶୁଣି ସାତଭାଇ । ଜଳେ ବୋଇତ ଗଲେ ବାହି ।।
ଏମନ୍ତେ କେତେଦିନ ଗଲା । ବୋଇତ ସେ ରାଜ୍ୟେ ଲାଗିଲା ।।
କୁଶଳେ ରହିଲେ ସେ ଯାଇ । କୋଶଳ ଦ୍ୱୀପ ସେ ବୋଲାଇ ।।
କ‌ହନ୍ତି ପ୍ରଭୁ ଚକ୍ରପାଣି । ଶୁଣି ସନ୍ତୋଷ ଠାକୁରାଣୀ ।।
ସମସ୍ତେ ଦେଲେ ହୁଳ ହୁଳି । ଯୁବା ତରୁଣୀ ବୃଦ୍ଧା ମିଳି ।।
ମଙ୍ଗଳା ନାମ ଉଚ୍ଚାରିଲେ । କର ଅଞ୍ଜଳି ଶିରେ ଦେଲେ ।।
ଯେ ଯାହା ଉପଚାର ବିଧି । ପୂଜି କାମନା କଲେ ସିଦ୍ଧି ।।
କ‌ହନ୍ତି ଦାସ ଗୋପୀନାଥ । କୃଷ୍ଣ ଚରଣେ ମୋର ମାଥ ।।
ପ୍ରଥମ ପାଳି ଅଧା ଶେଷ । କାମିନୀ ଗଣ ହେଲେ ତୋଷ ।।
ଚଳିଲେ ଯେ ଯାହା ସଦନ । ମଙ୍ଗଳ ନାମ କରି ଧ୍ୟାନ ।।

ଇତି ଶ୍ରୀକୃଷ୍ଣ ରୁକ୍ମଣୀ ସତ୍ୟଭାମା ଉକ୍ତୌ ନାମ ପ୍ରଥମ ଅଧ୍ୟାୟ ।।

                    ଦ୍ୱିତୀୟ ଅଧ୍ୟାୟ

ଏଥିଉତ୍ତାରୁ ଏବେ ଶୁଣ । କ‌ହନ୍ତି ପ୍ରଭୁ ନାରାୟଣ ।।
ରଙ୍ଗ ଅଧରେ ନନ୍ଦେ ହସି । ରୁକ୍ମଣୀ ମୁଖ ଚାହିଁ ଭାସି ।।
ବୋଲନ୍ତି ଆରେ ପ୍ରିୟତମା । ତଅପୋଈର ଏ ମହିମା ।।
ଶୁଣିଲୁ ଟିକି ପ୍ରିୟସ‌ହୀ । ତୋ ଆଗେ କ‌ହିଲାଇଁ ମୁହିଁ ।।
ସତ୍ୟଭାମା ଯେ ପାଶେ ଥିଲେ । କର ଯୋଡ଼ିଣ ଜଣାଇଲେ ।।
ବୋଇଲେ କ‌ହ ଏ ବିଧାନ । ଶୁଣି ଶରଧା ହେବ ମନ ।।
ସତ୍ୟଭାମାର ବୋଲ ଶୁଣି । କ‌ହନ୍ତି ପ୍ରଭୁ ଚକ୍ରପାଣି ।।
ତନୟ ସାଧବ କୁମରେ । ଗଲେ ବୋଇତ ବାଣିଜ୍ୟରେ ।। 
ଲାଗିଲା ଏକ ଦୀପାନ୍ତରେ । ସୁଖେଣ ବିକା କିଣା କଲେ ।।
କିଣିଲେ ଅଳଙ୍କାର ମାନ । ରହିଲେ ତ‌ହିଁ କିଛି ଦିନ ।।
ଏଥି ଉତ୍ତାରୁ ସାତ‌ଯାଏ । ଘର ସମ୍ଭାଳି ଦିନ ନିଏ ।।
ତଅପୋଈକି ପାଳିଥାନ୍ତି । କ୍ଷଣେ ହେ ହେଳା ନ କରନ୍ତି ।।
ସେବା କରିଣ ଥାନ୍ତି ନୀତି । ଦେଖ ଗୋ ଦଇବର ଗତି ।।
ସେତ ସ୍ୱର୍ଗର ଅପସରୀ । ମର୍ତ୍ତେ ମନୁଷ୍ୟ ଦେହ ଧରି ।।
ସୁନ୍ଦର ପଣେ ମନୋହର । ଦେଖି ଢ଼ଳିବେ ସୁର ନର ।।
ମୁଖ ଦିଶଇ ଚନ୍ଦ୍ର ଜିଣି । ତିଳ କୁସୁମ ନାସାମଣି ।।
ଅଧର ପକ୍ୱ ବିମ୍ବଫଳ । ଘଞ୍ଜନ ନୟନ ଚଞ୍ଚଳ ।।
କୁମ୍ବଳାକୃତି କଣ୍ଠ ଦେଶ । ବୀର ଚାମର ପ୍ରାୟ କେଶ ।।
କୋକିଳ ପ୍ରାୟେ କ‌ହେ ବାଣୀ । ଅଙ୍ଗୁଳି ଚମ୍ପାକଢ଼ କିଣି ।।
ଚରଣ ରଙ୍ଗ ଅରବିନ୍ଦ । ବେଢ଼ିଣ ଥାନ୍ତି ଷ‌ଟପଦ ।।
ଏମନ୍ତେ ତଅପୋଈ ବାଳା । ତାହାର ସପତଣି ଲୀଳା ।।
ଏହି ସମୟେ କାଳ ଜାଣି । ସ୍ୱର୍ଗରୁ ଅଇଲା ରମଣୀ ।।
ସାଧବ ଦ୍ୱାରେ ସେ ମିଳିଲା । କପଟେ ଭିକ୍ଷା ସେ ମାଗିଲା ।।
ରାଣ୍ଡୀ ବ୍ରାହ୍ମଣୀ ରୂପଧାରୀ । ଦେଖିଲେ ସାଧବର ନାରୀ ।।
ସର୍ବେ ଦେଖିଣ ତାରେ ଧାଇଁ । ମାୟାରେ କିଛି ନ ଦିଶଇ ।।
ତାହାର ଡାକ ଶୁଣି କର୍ଣ୍ଣ । କେହି ନ ବୋଇଲେ ବଚନ ।।
ବୋଲଇ ଭିକ୍ଷା ଦିଅ ମାୟେ । କି କରୁଅଛ ସାତଯାଏ ।।
ରାଣ୍ଡୀ ବ୍ରାହ୍ମଣୀ ବୋଲେ ଶୁଣି । ସମସ୍ତେ କେ ଲୁଚନ୍ତି ବାଣୀ ।।
କେ ବୋଲି କୁଙ୍କୁମ ଲିପୁଛି । କେ ବୋଲେ ଗଭାବାନ୍ଧୁ ଅଛି ।।
କେ ବୋଲି ଭାଙ୍ଗୁ ଅଛି ଗୁଆ । ବ୍ରାହ୍ମଣୀ ଦଣ୍ଡେ ହୁଅ ଠିଆ ।।
ଯେ ଯେଉଁ ରୂପେ କରୁଥିଲେ । ସମସ୍ତେ ସେପରି କ‌ହିଲେ ।।
ବ୍ରାହ୍ମଣୀ ବୋଲେ ତାହା ଶୁଣି । କାହାକୁ ନିଯୋଗ ଲୋ ପୁଣି ।।
ଏମନ୍ତ ବୋଲି ଦେଲା ଚାହିଁ । ଦୋଳିରେ ଅଛି ତଅପୋଈ ।।
ବ୍ରାହ୍ମଣୀ ବୋଲଇ ଉତ୍ତର । ଏ କିସ ହୁଅନ୍ତି ତୁମର ।।
ହରଷ ବୋଲି ସବୁଯାଏ । ଆମ୍ଭର ନଣନ୍ଦ ଗୋ ହୁଏ ।।
ବ୍ରହ୍ମଣୀ ଶୁଣି ବୋଲେ ବାଣୀ । ତୁମ୍ଭେ ଲୋ ନିର୍ଲ୍ଲଜ ତରୁଣୀ ।।
କନିଷ୍ଠ ନଣନ୍ଦ ଛାରକୁ । ଶତ୍ରୁ ରଖିଛ ଉପରକୁ ।।
ବସିଛି ଦୋଳିର ଉପର । କିମ୍ପା ଏହାକୁ ସେବା କର ।।
ଏକାଳେ ମାଣୁଅଛ ଭଳ । ପଛକୁ ପାଇବଟି ସଲ ।।
ଭାଇ ମାନଙ୍କୁ ଖଚ କ‌ହି । ଅନେକ ଶାସ୍ତି ଲୋ ଭୟ ।।
ଛେଳି ରଖାଅ ବନସ୍ତରେ । ମରାଅ ବ୍ୟାଘ୍ର ଭଲ୍ଲୁକରେ ।।
ନୋହିଲେ ନିଶ୍ଚୟ ମରିବ । ଏମନ୍ତେ ଯେବେ ନ କରିବ ।।
ଭଲ ସମୟ ଅଛି ହୋଇ । ଘରେ ନାହାନ୍ତି ସାତଭାଇ ।।
ଏକଥା ଯାହା ସେ କ‌ହିଲା । ସବୁରି ମନ‌କୁ ଅଇଲା ।।
ନିଳେନ୍ଦ୍ରି ନାମେ ସାନବୋହୁ । ତଅପୋଇର ପ୍ରିୟ ସେହୁ ।।
ମୋ ମନେ ଯେଉଁକଥା ଅଛି । ତୁ ଏକା ହୋଇଥିବୁ ସାକ୍ଷୀ ।।
ସେ ବୋହୁ ଏମନ୍ତ ଚିନ୍ତିଲା । ଏମନ୍ତ କେତେଦିନ ଗଲା ।।
ନ ଦେଲେ ସୁଗନ୍ଧ ଚନ୍ଦନ । ନ ଦେଲେ ଅଳଙ୍କାରମାନ ।।
ମୁଣ୍ଡକୁ ନ ଦେଲେ ଯେ ତେଲ । ନ ଦେଲେ ପିନ୍ଧିବାକୁ ଭଲ ।।
ବସାଇ ନ ଦେଲେ ଯେ ଦୋଳି । ଆବର ରଖାଇଲେ ଛେଳି ।।
ଅନେକ ଦୁଃଖେ ତଅପୋଇ । ବନସ୍ତେ ଛେଳି ଜଗଥାଇ ।।
ଚଦଇ ବଡ଼ବୋହୁ ପୁଣି । ହଜିବ ଯେବେ ଘରମଣି ।।
ଛେଳିର ନାମ ଘରମଣି । ତେଣୁ ତିଆରେ ମହାମାନୀ ।
ମୁଖେ ଲଗାଇ ଚୂନ‌କାଳି । କାଟିବି ନାକର ବଉଳି ।।
ଛିଣ୍ଡା ଟୋକେଇ ଖଣ୍ଡେ ନେଲା । ଉପରେ ପତର ବୁଜିଲା ।।
ତଳରେ ମୂଷାମାଟି ଭରି । ପତ୍ରରେ ଭାତଗୋଟା ଚାରି ।।
ପାଉଁଶ ଲୁଣ ବୋଳି ଦେଲା । ପତର ଘୋଡ଼ାଇଣ ଦେଲା ।।
ଘେନିଣ ତଅପୋଇ ଚଳି । ବନରେ ଚରାଇଲା ଛେଳି ।।
ଭୋକେଣ ଟୋକେଇ ଫେଡ଼ିଲା । ମାଟି ଦେଖିଣ ଫିଙ୍ଗିଦେଲା ।।
ନିତ୍ୟରେ ଛଅ ବୋହୁମାନ । ଏହି ପ୍ରକାରେ ଦିନେ ଦିନେ ।।
ସାନବୋହୁର ପାଳି ଦିନ । ବ‌ହୁତ ଦେଇଥାଇ ଅନ୍ନ ।।
ତିଅଣ ଲୁଣ ଦେଇଥାଇ । ସେଦିନ ବସି ସୁସ୍ଥେ ଖାଇ ।।
ଏମନ୍ତ କେତେଦିନ ଗଲା । ଭାଦ୍ରବ ମାସ ଯେ ହୋଇଲା ।।
ବନରେ ବସି ତଅପୋଇ । କଷ୍ଟେଣ ଛେଳି ରଖିଥାଇ ।।
ବରଷାବେଳେ ଘରମଣି । ହଜିଲା ବନସ୍ତରେ ପୁଣି ।।
ଘରକୁ ସବୁ ଛେଳି ଗଲେ । ଗୁହାଳ ଭିତରେ ପଶିଲେ ।।
ଦେଖିଲା ବଡ଼ବୋହୁ ଯାଇଁ । ଗୁହାଳେ ଘରମଣି ନାହିଁ ।।
ମାଇଲୁ ମୋର ଛେଳିଗୋଟି । ହଜାଇଅଛୁ ନାକ କାଟି ।।
ନ‌ଲେ ନାକ ଯେ କାଟିବି । ଘରୁ ବାହାର କରିଦେବି ।।
ଏଥି ଉତ୍ତାରୁ ତଅପୋଇ । ନୀରବେ ଛେଳି ଖୋଜିଯାଇ ।।
ଆଡ଼ ଉହାଡ଼ ଲତା ତଳ । ଖୋଜେ କଣ୍ଟକ କଣ୍ଟାମାଳ ।।
ସମସ୍ତ ଠାବ ସେ ବୁଲିଲା । ନପାଇ ତାଟଖା ହୋଇଲା ।।
ନିଶି ହୋଇଛି ଘଡ଼ି ଦୁଇ । ଅନ୍ଧାରେ ପଥ ନ ଦିଶଇ ।।
ଯୋଗେ ସେଦିନ ରବିବାର । ଖୁଦୁରୁକୁଣୀ ଓଷା ସାର ।।
କୋଠରେ ବାଳଝିଅ ମିଳି । ହେଉଅଛନ୍ତି ହୁଳହୁଳି ।।
ତାହା ଶୁଣିଲା ତଅପୋଇ । କୋଠରେ ମିଳିଲା ସେ ଯାଇ ।।
ବୋଇଲା ନାରୀମାନେ ଶୁଣ । ଏ ଓଷା କଲେ କେଉଁ ଗୁଣ ।।
ଶୁଣି ବୋଲନ୍ତି ବାଳଝିଏ । ଏ ଓଷା ପାଞ୍ଚପାଳି ହୁଏ ।।
ଖୁଦୁରୁକୁଣୀ ଏ ଅଟଇ ଯାହା ମାଗିବ ତାହା ପାଇ ।।
ଏଥିରେ ଦେବତା ମଙ୍ଗଳା । ରଖନ୍ତି ବଡ଼ିବାର ଭେଳା ।।
ଏମନ୍ତ ଶୁଣି ତଅପୋଈ । ମନରେ ଆନନ୍ଦ ହୁଅଇ ।।
ବୋଇଲା ଏ ଓଷା କରିବି । ହଜିଲା ଛେଳିକି ପାଇବି ।।
ତଅପୋଈକୁ ବସାଇଲେ । ସମସ୍ତ ଫଳ ନେଇ ଦେଲେ ।।
ବସିଲା ସାଧବର ବାଳୀ । ମନରେ ମଙ୍ଗଳା ସୁମରି ।।
ମାଗୋ ମଙ୍ଗଳା ତୁ କାମାକ୍ଷୀ । ମୁଁ ତୋତେ ସେବା କରୁଅଛି ।।
ଛେଳିକି ପାଇବି ମୁଁ ଯେବେ । ମୋହର ବାଞ୍ଛା ସିଦ୍ଧ ତେବେ ।।
ଏମନ୍ତ ବିଚାରି ମନରେ । ଛେଳି ନିମନ୍ତେ ଗଲା ଖରେ ।।
ବାଟେ ଦେଖିଲା ଘରମଣି । ନିଶ୍ଚିତ ହୋଇଲା ତ‌ତ୍‌କ୍ଷଣି ।।
ମନରେ ବାଞ୍ଛା ସିଦ୍ଧ କଲା । ଛେଳିକି ନେଇଣ ରଖିଲା ।।
ଏଥି ଉତ୍ତାରୁ ସାଧୁ ବାଳି । ଘରମଣିକି ନେଇ ଚଳି ।।
ଘରକୁ ଅଡ଼ାଇଣ ନେଲା । ଗୁହାଳ ଭିତରେ ଛାଡ଼ିଲା ।।
ବସିଲା ବ‌ହ‌ନ୍ତିରେ ଯାଇ । ଦେହକୁ ଶୀତଳ କରାଇ ।।
ଏ ଅନ୍ତେ ବଡ଼ ବୋହୁ ଆସି । ଦେଖିଲା ହାରେ ଅଛି ବସି ।।
ବୋଇଲା କାଲି କାହିଁ ଥିଲୁ । ମୋର ଛେଳିକି ହଜାଇଲୁ ।।
ପଡ଼ିନ ଥାନ୍ତୁ ଯେବେ ଭେଟ । ପିଟନ୍ତି ତେନ୍ତୁଳିର ଛାଟ ।।
ଏମନ୍ତ ଶୁଣି ତଅପୋଈ । ଡରେଣ ବଚନ ବୋଲଇ ।।
ଛେଳିକି ଅଣିଲ ଯେ ଖୋଜି । ବରଷା ବେଳେ ଥିଲା ହଜି ।।
ବୋଲଇ ବଡ଼ ବୋହୁ ପୁଣି । ବ‌ହ‌ନ ଛେଳି ଯାଅ ଘେନି ।।
ସକାଳୁ ଭାତ ବଢ଼ା ହୋଇ । ଥୁଆ ହୋଇଛି ତୋହପାଇଁ ।।
ରାତ୍ର ପାହିଲା ଘେନିଯାଅ । ଛେଳିକି ବ‌ହ‌ନ ଚରାଅ ।।
ତା ଶୁଣି ତଅପୋଈ ଗଲା । ଗୁହାଳ ଭିତରେ ପଶିଲା ।।
ଛେଳି ପଲକୁ ଅଡ଼ାଇଲା । ବନରେ ନେଇ ଚରାଇଲା ।।
ବେଳ ବୁଡ଼ିଲା ବନସ୍ତର । ଅନ୍ଧାରେ ନ ଦିଶେ ଦୁଆର ।।
ଏମନ୍ତ କେତେ ଦିନ‌ଗଲା । ଖୁଦୁରୁକୁଣୀ ଓଷା ହେଲା ।।
ରାଜର ତଅପୋଇ ବାଳି । ପାଇଛି ହଜିଲାର ଛେଳି ।।
ଏମନ୍ତ ପାଞ୍ଚପାଳି ଗଲା । ସଖିଙ୍କ ସଙ୍ଗତେ ମିଳିଲା ।।
ଖୁଦକୁଣ୍ଡାରେ ପିଠା କରି । ଖୁଦ ତଣ୍ଡୁଳ ପୂର କରି ।।
ସଖିଙ୍କି ମାଗିଲା ବ‌ହ‌ନ । ଫଳ ଫୁଲର ପିଠାମାନ ।।
ଓଷା କୋଠିରେ ଯାଇ ବସି । ଭାଇଙ୍କ ଶୁଭ ସେ ମନାସି ।।
ବୋଇଲା ମଙ୍ଗଳା ଉଦ୍ଧାର । ମହା ସଙ୍କଟୁ ପାରିକର ।।
ଦଶ ବରଷ ହେଲା ଗଲେ । ଆପଣା ରାଜ୍ୟକୁ ନଇଲେ ।।
ଅସାର ସପନ ଦେଖିଲି । ତେଣୁ ତୁମ୍ଭଙ୍କୁ ଆଶ୍ରା କଲି ।।
ଭୋଦେବୀ ମଙ୍ଗଳା ତୋସଇଁ । ଶୁଭେ ଆସିବେ ସାତ ଭାଇ ।।
ଦେଖିବି ବେନି ନୟନରେ । ପ୍ରବେଶ ହୋଇଲେ ମନ୍ଦିରେ ।।
ଏମନ୍ତ ବାଞ୍ଛା କରି ବାଳି । କରେ ଘେନିଲା ଦୀପାବଳୀ ।।
ସମସ୍ତେ ହୁଳହୁଳି ଦେଲେ । ମଙ୍ଗଳା ନାମ ସୁମରିଲେ ।।
ଏମନ୍ତେ ଓଷା ପୂଜା ସାରି । ଯେ ଯାହା ମନ୍ଦିରକୁ ଚଳି ।।
କ‌ହଇ ଗୋପିନାଥ ଦାସ । ଦୟା କରିବେ ପୀତବାସ ।।

ଇତି ଶ୍ରୀକୃଷ୍ଣ ରୁକ୍ମଣୀ ସତ୍ୟଭାମା ଉକ୍ତୌ ତଅପୋଇ । ମନୋରଥ ପ୍ରାପ୍ତ ଉଚ୍ଚାରଣେ ନାମ ଦ୍ୱିତୀୟୋଧ୍ୟାୟଃ ।।


                       

एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default