Odisha ra Asta Shakti ( Astachandi ) Pitha
**********************************
ଶକ୍ତି ପୂଜାର ପରମ୍ପରା ଆମ ଦେଶରେ ଯୁଗଯୁଗ ଧରି ଚଳିଆସୁଅଛି। ଏହାର କାଳ ନିର୍ଣ୍ଣୟ କରିବା କଦାପି ସହଜସାଧ୍ୟ ନୁହେଁ। କିନ୍ତୁ ଦୁର୍ଗା ପୂଜାର ପରମ୍ପରା ସବୁଠାରୁ ଭିନ୍ନ। ଏହି ପ୍ରକାର ଦେବୀ ପୂଜା ସଂପୂର୍ଣ୍ଣ ରୂପେ ମୌଳିକ। ଦେବୀଙ୍କର ପୂଜା ଓ ଆବାହନ କଳସ ମଧ୍ୟରେ ହୁଏ। ଦୁର୍ଗାପୂଜା ଅବସରରେ ଖଣ୍ଡାୟତର ଖଣ୍ଡା, ନାପିତର କ୍ଷୁର, ନହୁରୁଣୀ, କରଣର ଲେଖନୀ, କମାର ବଢେଇଙ୍କ ଉପକରଣ ତଥା ଅନ୍ୟ ଜାତିମାନଙ୍କର କୌଳିକ ବୃତ୍ତି ଅନୁସାରେ ନିଜ ନିଜର ଉପକରଣଗୁଡିକୁ କଳସ ନିକଟରେ ସ୍ଥାପନ କରିଥାନ୍ତି। ବୃତ୍ତିଗତ ବ୍ୟବସାୟର ଉତ୍ତରୋତ୍ତର ଅଭିବୃଦ୍ଧି ପାଇଁ ଦେବୀଙ୍କ ନିକଟରେ କାମନା କରିଥାନ୍ତି। ବରଗଛ ତଳେ ଚୂଆ ସିନ୍ଦୂର ଚର୍ଚ୍ଚିତା ଦେବୀ ଆରାଧନା ଚିରନ୍ତନ ଓ ତାହା ମୌଳିକ ସଂସ୍କୃତିର ପରମ୍ପରା । ଓଡ଼ିଶାରେ ଦୁର୍ଗା ମୂର୍ତ୍ତି ବେନିଭୁଜା, ଚତୁର୍ଭୁଜା, ଦଶଭୁଜା ଓ ଦ୍ବାଦଶଭୁଜା ଅଟନ୍ତି।
ଓଡ଼ିଶାର ଆଠଗୋଟି ଶକ୍ତି ପୀଠ ମୁଖ୍ୟ।
ଏହି ପୀଠଗୁଡ଼ିକରେ ଚଣ୍ଡୀଙ୍କର ବିଗ୍ରହ ପୂଜା ପାଉଛନ୍ତି।
`````````````````````````````````````````````````````````````````````````
ବାଣପୁରେ ଭଗବତୀ ଶ୍ରୀକ୍ଷେତ୍ରେ ବିମଳା I
କାକଟପୁରେ ରହିଲୁ ନାମ ତୋ ମଙ୍ଗଳା II
ଝଙ୍କଡେ ଶାରଳା ନାମ, ଅଟଇ ତୋହର I
ବିରଜାଇ ନାମେ ବିଜେ କରୁ ଯାଜପୁର II
ବାଙ୍କୀରେ ନାମ ତୋହର ଅଟେ ଚର୍ଚ୍ଚିକାଇ I
ସମ୍ବଲପୁରରେ ନାମ ବହିଲୁ ସମଲାଇ II
ତାଳଚେରରେ ହେଙ୍ଗୁଳା ନାମ ତୋର ମାଆ I
ଏହିଭଳି ଉତ୍କଳରେ ଶକ୍ତିପୀଠ ଆଠ ନାଆଁ II
ମଙ୍ଗଳଚଣ୍ଡିଆମାନେ ଏଭଳି ଗୀତ ଗାଁ ଗାଁରେ ବୁଲି ଗାଇଥାନ୍ତି।
ଏହା ବ୍ୟତୀତ ସାରଳା ଦାସ ମଧ୍ୟ ଅଷ୍ଟତନ୍ତ୍ର ପୀଠ କଥା ଉଲ୍ଲେଖ କରିଛନ୍ତି : -
ଝଙ୍କଡେ ରହିଲୁ ମା’ଗୋ ଶାରଳା ନାମ ବହି I
କାକଟପୁରେ ରହିଲୁ ମା’ଗୋ ମଙ୍ଗଳା ବୋଲାଇ II
କୋଣାରକେ ରହିଲୁ ମା'ଗୋ ଅଭୟା ରାମଚଣ୍ଡୀ I
ପୁରୁଷୋତ୍ତମେ ରହିଲୁ ବିମଳା ବୋଲାଇ II
ବାଙ୍କୀରେ ରହିଲୁ ମା’ଗୋ ଚର୍ଚ୍ଚିକା ନାମ ବହି I
ଯାଜପୁରେ ରହିଲୁ ବିରଜା କାକଟପୁରେ ମଙ୍ଗଳା II
ପଶ୍ଚିମ ଦିଗେ ରହିଲୁ ବୋଲାଇ ହେଙ୍ଗୁଳା I
ଭୁବନେଶ୍ବରରେ ରହିଲୁ ନାମ ତୋ ଗଉରୀ II
- ଏ ଦୃଷ୍ଟିରୁ ଝଙ୍କଡର ଶାରଳା, କାକଟପୁରର ମଙ୍ଗଳା, କୋଣାର୍କର ରାମଚଣ୍ଡୀ, ପୁରୀର ବିମଳା,ବାଙ୍କୀର ଚର୍ଚ୍ଚିକା, ଯାଜପୁରର ବିରଜା, ପଶ୍ଚିମ (ତାଳଚେର)ର ହେଙ୍ଗୁଳା ଓ ଭୁବନେଶ୍ୱରର ଗୌରୀ ହେଉଛନ୍ତି ଅଷ୍ଟତନ୍ତ୍ର ପୀଠର ଅଷ୍ଟଦେବୀ। ଏହି ଅଷ୍ଟଚଣ୍ଡୀ ପରମ ବୈଷ୍ଣବୀ ଓ ସେମାନେ ହାତରେ ଜପମାଳା ଧାରଣ କରିଛନ୍ତି।
(୧) ଝଙ୍କଡ - ଶାରଳା :-
``````````````````````````````````````````
ଶାରଳା କେବଳ ଶକ୍ତିମୟୀ ଚଣ୍ଡୀ ନୁହନ୍ତି, ଜ୍ଞାନ ପ୍ରଦାୟିନୀ ସରସ୍ଵତୀ ମଧ୍ୟ। କୃଷିକାରୀ ସିଦ୍ଧେଶ୍ୱର ମା’ଙ୍କୁ ଆରାଧନା କରି ଶାରଳା ଦାସ କବି ରୂପେ ପରିଚିତ ହୋଇଥିଲେ। ଓଡ଼ିଶାର ପ୍ରାଚୀନ ଶକ୍ତିପୀଠମାନଙ୍କ ମଧ୍ୟରୁ ଶାରଳାଙ୍କ ପୀଠ ଅନ୍ୟତମ।ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ବତୀ ବୋଲି ମା’ଶାରଳାଙ୍କୁ ଗ୍ରହଣ କରାଯାଇଛି।ମା’ଶାରଳାଙ୍କ ପୂଜା ଉପାସନାରେ ଏକ ସମୟରେ ତୁଳସୀ ଓ ବେଲପତ୍ର ଲାଗିଥାଏ।ମାଆ ଏକାଧାରରେ ପରମ ବୈଷ୍ଣବୀ ଓ ନିତ୍ୟଚଣ୍ଡୀ ଅଟନ୍ତି।ମାଆ ଅଷ୍ଟଭୁଜା ସିଂହ ବାହିନୀ। ପ୍ରତିଦିନ ମା’ଙ୍କର ମାର୍ଜନା ପରେ ସର୍ବପ୍ରଥମେ ଶୁଖିଲା ମହାପ୍ରସାଦ ଭୋଗ ଅର୍ପଣ କରାଯାଏ। ମା’ଙ୍କୁ ବିରିପିଠା ବଳି ଓ କଂସା ପାତ୍ରରେ ପଇଡ଼ ପାଣି ନୈବେଦ୍ୟ ଦିଆଯିବାର ବିଧି ରହିଛି। ଆଶ୍ୱିନ ମାସରେ ମା’ଙ୍କର ଷୋଳଦିନ ପୂଜା ଅନୁଷ୍ଠିତ ହୁଏ।
(୨) କାକଟପୁର - ମଙ୍ଗଳା :-
`````````````````````````````````````````
ଅଷ୍ଟଚଣ୍ଡୀ ମଧ୍ୟରେ କାକଟପୁର ମଙ୍ଗଳା ଅନ୍ୟତମ। ମଙ୍ଗଳା ପ୍ରାଚୀକୂଳସ୍ଥ କାକଟପୁରକୁ ଆସିଛନ୍ତି ବୋଲି କିମ୍ବଦନ୍ତୀ କୁହେ।ଜଣେ ଓଡ଼ିଆ ସାଧବ ପୁଅ ମା’ଙ୍କୁ ଲଙ୍କାରୁ ବୋଇତରେ ଆଣୁଥିଲେ।ପ୍ରାଚୀନ ନଦୀର ବୋଇତ ସହ ମାଆ ବୁଡ଼ିଗଲେ। ସ୍ବପ୍ନାଦେଶ ବଳରେ ମାଆଙ୍କ ବିଗ୍ରହକୁ ନଦୀରୁ ଉଦ୍ଧାର କରାଯାଇ କାକଟପୁରଠାରେ ଅଧିକୃତ କରାଯାଇଅଛି। ପୂର୍ବରୁ ଏଠାରେ ଗ୍ରାମଦେବତୀ କାକଟେଇ ପୂଜା ପାଇ ଆସୁଥିଲେ। ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ନୀତି ସେବା ସହିତ ମଙ୍ଗଳାଙ୍କର ସଂପର୍କ ଅଛି।
ମହାପ୍ରଭୁଙ୍କର ନବକଳେବର ମହୋତ୍ସବର ଦାରୁସଂଧାନ ମା’ ମଙ୍ଗଳାଙ୍କ ନିର୍ଦ୍ଦେଶରେ ହୋଇଥାଏ।ମା’ ମଙ୍ଗଳା ପ୍ରତିଦିନ ଶ୍ରୀମନ୍ଦିରକୁ ଦର୍ଶନ ନିମନ୍ତେ ଯାଆନ୍ତି। ସେଠାରୁ ଫେରି ନିଜ ମନ୍ଦିରରେ ବାହାର ବେଢା ଚକଡାରେ କିଛି ସମୟ ବସି ଥକା ମେଣ୍ଟାନ୍ତି। ଏବେ ବି ମନ୍ଦିର ବେଢ଼ାରେ ଏକ ନିର୍ଦ୍ଦିଷ୍ଟ ଚକଡା଼ ଅଛି। ମଙ୍ଗଳାଙ୍କ ମୂର୍ତ୍ତି କଳା ମୁଗୁନି ପଥରରେ ନିର୍ମିତ। ଏହାର ଉଚ୍ଚତା ଛଅଫୁଟ। ଏହି ପୀଠରେ ଚୈତ୍ର ମାସରେ ଝାମୁ ଯାତ୍ରା ଅନୁଷ୍ଠିତ ଇ।ଲକ୍ଷ ଲକ୍ଷ ଲୋକଙ୍କର ସମାବେଶ ହୁଏ। ଆଉ ମଧ୍ୟ ଶାରଦୀୟ ପୂଜା ଅବସରରେ ଷୋଡ଼ଶ ଦିନ ବ୍ୟାପୀ ପୂଜା ହୁଏ। ମୂଳାଷ୍ଟମୀଠାରୁ ମହାଳୟା ମଧ୍ୟରେ ଧ୍ୟାନ ମଗ୍ନ ମାଆଙ୍କୁ ପୂଜା ଉପଚାରରେ ଜାଗ୍ରତ କରାଯାଇଥାଏ। ଆଶ୍ୱିନ ଶୁକ୍ଳ ପଞ୍ଚମୀ ତିଥିରେ ତାରକମାଣ ବେଶ, ମହାଷଷ୍ଠୀରେ ମହାକାତ୍ୟାୟନୀ ବେଶ,ମହାଅଷ୍ଟମୀରେ ମହିଷାମର୍ଦ୍ଦିନୀ ବେଶ, ମହାନବମୀରେ ମହାଲକ୍ଷ୍ମୀ ବେଶ ଓ ଦଶହରାରେ ବିଜୟା ଦଶମୀ ବେଶରେ ଭକ୍ତମାନଙ୍କୁ ଅପୂର୍ବ ଦର୍ଶନ ଦେଇଥାନ୍ତି।
(୩) ଶ୍ରୀକ୍ଷେତ୍ର - ବିମଳା :-
````````````````````````````````````
ଅଷ୍ଟଚଣ୍ଡୀ ମାନଙ୍କ ମଧ୍ୟରେ ଶ୍ରୀକ୍ଷେତ୍ର ବିମଳା ହେଉଛନ୍ତି ଅନ୍ୟତମ। ଦେବୀଙ୍କର ଆଶ୍ୱିନ ମାସର ଷୋଳ ପୂଜା ସାରା ଦେଶରେ ବିରଳ। ଶ୍ରୀଜଗନ୍ନାଥ ମନ୍ଦିରରେ ମେଘନାଦ ପାଚେରୀ ମଧ୍ୟରେ ବିମଳାଙ୍କ ମନ୍ଦିର ଅବସ୍ଥିତ। ଏଠାରେ ଶାରଦୀୟ ପାର୍ବଣ ଶକ୍ତି ଓ ବୈଷ୍ଣବ ମତବାଦ ଅନୁଯାୟୀ ହୋଇଥାଏ। ଦେବୀ ଭାଗବତ ଅନୁସାରେ ଦେବୀ ସତୀଙ୍କ ବକ୍ଷଦେଶ ଏହି ସ୍ଥାନରେ ପଡ଼ିଥିଲା। ମା’ବିମଳା ହେଉଛନ୍ତି ପରମ ବୈଷ୍ଣବୀ। ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ମାଆଙ୍କ ପାଖକୁ ଅଣାଯାଇ ପୁନଃ ସମର୍ପଣ କରାଗଲା ପରେ ହିଁ ତାହା ନିର୍ମାଲ୍ୟର ମର୍ଯ୍ୟାଦା ପାଇଥାଏ। ଆଶ୍ୱିନ ମାସ କୃଷ୍ଣାଷ୍ଟମୀଠାରୁ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଦୁର୍ଗାଙ୍କ ଉପାସନା ଅନୁଷ୍ଠିତ ହୁଏ। ଷୋଳଦିନ ବ୍ୟାପୀ ଶାରଦୀୟ ପୂଜାରେ ମା’ ବିମଳାଙ୍କର ୧୧ଟି ସ୍ବତନ୍ତ୍ର ବେଶରେ ବ୍ୟବସ୍ଥା ଅଛି। ତାହା ମଧ୍ୟରୁ ଦଶମହାବିଦ୍ୟା ଅନ୍ୟତମ।
(୪) ବାଣପୁରର - ଭଗବତୀ :-
``````````````````````````````````````````
ବାଣପୁର ଏକ ପ୍ରସିଦ୍ଧ ଶକ୍ତି ତଥା ତନ୍ତ୍ରପୀଠ। ଏ କ୍ଷେତ୍ରରେ ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ସ୍ବୟଂ ଭଗବତୀ। ବାଣନଗ୍ରେ ଭଗବତୀ ତୋହରି ଦିବ୍ୟଧାମ। ଦେବୀଙ୍କ ମନ୍ଦିର ବେଶ୍ ଆକର୍ଷଣୀୟ। ମାତାଙ୍କ ପୀଠରେ ବର୍ଷସାରା ବିଭିନ୍ନ ପର୍ବପର୍ବାଣି ଲାଗି ରହିଥାଏ। ଦୋଳଯାତ୍ରା, ବିଷୁବ ସଂକ୍ରାନ୍ତି,ରଜସଂକ୍ରାନ୍ତି, ଶାରଦୀୟ ଦୁର୍ଗାପୂଜା ମୁଖ୍ୟ ପର୍ବ। ଅନ୍ୟାନ୍ୟ ପୀଠ ଭଳି ଭଗବତୀ ପୀଠରେ ଶାରଦୀୟ ଷୋଡ଼ଶ ଦିନାତ୍ମକ ପୂଜା ମୂଳାଷ୍ଟମୀରୁ ଆରମ୍ଭ ହୋଇ ମହାଷ୍ଟମୀରେ ମରିଯାଏ। ଏହି ସମୟରେ ସହସ୍ର କୁମ୍ଭ ଜଳରେ ଦେବୀଙ୍କର ଅଭିଷେକ ହୋଇଥାଏ। ମା’ଭଗବତୀଙ୍କର ଅପାର ମହିମା। ଭଗବତୀ ଅରଣ୍ୟ ବାସିନୀ ଓ ଶ୍ମଶାନ ବାସିନୀ ବୋଲି କୁହାଯାଇଛି। ଦେବୀଙ୍କୁ ଅଷ୍ଟଭୁଜା ମହିଷା ମର୍ଦ୍ଦିନୀ ରୂପେ କଳ୍ପନା କରାଯାଇଛି। ପୂଜା ପାଉଥିବା ମା’ଙ୍କ ପ୍ରତିମା ପଛପଟେ ବସ୍ତ୍ରାବୃତ୍ତ ହୋଇ ମୂଳ ବିଗ୍ରହଟି ରଖାଯାଇଥାଏ, ଯାହାକି ପୀଠର ବିଶେଷତ୍ଵ ଅଟେ।
(୫) ଯାଜପୁର - ମା’ ବିରଜା :-
`````````````````````````````````````````````````
ପୁଣ୍ୟତୋୟା ବୈତରଣୀ ନଦୀ କୂଳରେ ଥିବା ଯାଜପୁରଠାରେ ମାଆ ବିରଜାଙ୍କର ପୀଠ। ଦେବୀ ପୁରାଣ ଅନୁସାରେ ଦେବୀ ସତୀଙ୍କର ଅଙ୍ଗ ପ୍ରତ୍ୟଙ୍ଗରୁ ଛିନ୍ନ ନାଭିଦେଶଟି ଯାଜପୁରଠାରେ ପତିତ ହେଇଥିଲା। ତେଣୁ ବିରଜା କ୍ଷେତ୍ର ପ୍ରଧାନ ବୋଲି କୁହାଯାଏ। ସୃଷ୍ଟି ସର୍ଜନା ବେଳେ ବ୍ରହ୍ମା ଏଠାରେ ଏକ ବିରାଟ ଯଜ୍ଞର ଆୟୋଜନ କରିଥିଲେ।ଯଜ୍ଞ କୁଣ୍ଡରୁ ବିରଜା ଆବିର୍ଭାବ ହୋଇ ବ୍ରହ୍ମାଙ୍କୁ ଦର୍ଶନ ଦେଇଥିଲେ।ବିରଜା ମନ୍ଦିର ପରିସରରେ ନାଭିଗୟା ସ୍ଥାନଟି ଅଛି, ଯେଉଁଠି ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଇଥାଏ। ବ୍ରହ୍ମାଙ୍କ ଯଜ୍ଞକୁଣ୍ଡ ମଧ୍ୟ ଦେଖିବାକୁ ମିଳେ। ଦେବୀ ବିରଜାଙ୍କୁ ତ୍ରିପୁରା ସୁନ୍ଦରୀ ଭାବେ ମଧ୍ୟ ପରିକଳ୍ପନା କରାଯାଇଛି। ମା’ବିରଜା ଦ୍ୱିଭୁଜା। ଗୋଟିଏ ହାତରେ ଦାନବର ପୁଚ୍ଛ ଧରିଛନ୍ତି,ଅନ୍ୟ ହାତରେ ମହିଷର ପୃଷ୍ଠାକୁ ଶୂଳବିଦ୍ଧ କରୁଥିବାର ଦେଖାଯାଏ। ଦେବୀ ବିରଜାଙ୍କ ପୀଠରେ ମୂଳାଷ୍ଟମୀଠାରୁ କୁମାର ପୂର୍ଣ୍ଣିମା ଯାଏଁ ପୂଜା, ସ୍ନାନ,ବେଶ, ନୀତି ଆଦି ଅନୁଷ୍ଠିତ ହୋଇଥାଏ।ଦୁଇବେଳା ଷୋଡ଼ଶ ଉପଚାରରେ ପୂଜା ହୁଏ। ଦେବୀଙ୍କୁ ଦଶହରା ଦିନ ଅପରାଜିତା ମନ୍ତ୍ରରେ ପୂଜା କରାଯାଏ।ପ୍ରତିପଦାଠାରୁ ମହାନବମୀ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନରେ ମା’ଙ୍କ ପ୍ରତିମାକୁ ରଥରେ ବିଜେ କରାଯାଇ ମନ୍ଦିର ଚତୁପାର୍ଶ୍ଵରେ ପରିକ୍ରମା କରାଯାଏ। ବିରଜା ଏବଂ ବିମଳାଙ୍କୁ ଅଭିନ୍ନ ବୋଲି କୁହାଯାଇଛି। ଭୈରବ ଶ୍ରୀଜଗନ୍ନାଥ ଶକ୍ତି ହେଉଛନ୍ତି ଭୈରବୀ ବିମଳା। ବିଭିନ୍ନ ପୁରାଣ, ସଂହିତା ଓ ତନ୍ତ୍ରଗ୍ରନ୍ଥମାନଙ୍କରେ ବିରଜାଙ୍କ ମହିମା ବର୍ଣ୍ଣନା କରାଯାଇଛି।
(୬) ସମ୍ବଲପୁରର - ମା’ ସମଲାଇ :-
```````````````````````````````````````````````````
ମା’ ସମଲାଇ ହେଉଛନ୍ତି ସାରା ଓଡ଼ିଶାର ତଥା ସମ୍ବଲପୁରର ଆରାଧ୍ୟ ଦେବୀ। ପାଟଣା ରାଜା ନରସିଂହ ଦେବଙ୍କ ସାନ ଭାଇ ବଳରାମ ଦେବ ଏହି ମନ୍ଦିର ତଥା ଦେବୀଙ୍କୁ ସ୍ଥାପନ କରିଥିଲେ। ରାତିରେ ଦେବୀ ସମଲାଇ ତାଙ୍କୁ ସ୍ବପ୍ନାଦେଶ ହେଲେ ଯେ ମହାନଦୀର ଅପର ପାର୍ଶ୍ୱରେ ସିମୁଳି ବୃକ୍ଷତଳେ ତାଙ୍କୁ ସ୍ଥାପନ କରିବା ନିମନ୍ତେ। ରାଜା ସେଠାରେ ମନ୍ଦିର ନିର୍ମାଣ କରିଥିଲେ। ସମ୍ବଲପୁରରେ ସିମୁଳିକୁ ‘ସମେଲ’ ବୋଲି କୁହାଯାଏ।ସେହି ଅନୁସାରେ ଦେବୀଙ୍କ ନାମ ହେଲା ‘ସମଲାଇ’।
ସମଲେଶ୍ଵରୀଙ୍କ ଦକ୍ଷିଣରେ ଭୁବନେଶ୍ୱରୀ ଓ ଘଣ୍ଟାସନି ପୂଜା ପାଉଛନ୍ତି। ମନ୍ଦିର ପାତ୍ରରେ ଦଶମହାବିଦ୍ୟାଙ୍କ ସହିତ ମାତା ଖମ୍ବେଶ୍ୱରୀ ମଧ୍ୟ ଅଛନ୍ତି। ମନ୍ଦିର ପରିସରରେ ଭୈରବ ମନ୍ଦିର, ମଉଳୀ ଦେବୀ ମନ୍ଦିର ଓ ଆଖଡ଼ା ହନୁମାନ ମନ୍ଦିର ଅଛି। ମନ୍ଦିର ସମ୍ମୁଖରେ ଅରୁଣ ସ୍ତମ୍ଭ ଓ ପ୍ରାଙ୍ଗଣରେ ଅଷ୍ଟଧାତୁ ନିର୍ମିତ ଦେବୀଙ୍କ ବାହନ ସିଂହର ବିଗ୍ରହ ରହିଛି।
ମା’ଙ୍କ ପୀଠରେ ନୂଅାଁଖାଇ ହେଉଛି ଶ୍ରେଷ୍ଠ ପର୍ବ। ଏହିଦିନ ସମଲେଶ୍ଵରୀଙ୍କୁ ନୂଆ ଧାନର ଚାଉଳରେ ସୁମିଷ୍ଟ ଭୋଗ ଅର୍ପଣ କରାଯାଏ। ମନ୍ଦିରର ୧୧୨ଟି ସ୍ଥାନରେ ଭୋଗ ଲଗାଯାଏ। ଆଶ୍ୱିନ ମୂଳାଷ୍ଟମୀଠାରୁ ମାତା ସମଲେଶ୍ଵରୀଙ୍କର ଷୋଳପୂଜା କାର୍ଯ୍ୟ ଆରମ୍ଭ ହୁଏ। ମହାଳୟା ଅମାବାସ୍ୟା ଦିନ ମା’ ଧବଳମୁଖୀ ବେଶ ଧାରଣ କରନ୍ତି। ଏହାକୁ‘ଗଙ୍ଗ ଦର୍ଶନ’ ବେଶ ବୋଲି କୁହାଯାଇଥାଏ। ଆଶ୍ୱିନ ଶୁକ୍ଳ ପ୍ରତିପଦଠାରୁ ମାତାଙ୍କର ନବରାତ୍ରୀ ପୂଜା ଆରମ୍ଭ ହୁଏ।
(୭) ବାଙ୍କୀ - ଚର୍ଚ୍ଚିକା :-
````````````````````````````````````````````
ଓଡ଼ିଶାର ଅନ୍ୟାନ୍ୟ ଚଣ୍ଡୀପୀଠମାନଙ୍କ ମଧ୍ୟରେ ବାଙ୍କୀର ଚର୍ଚ୍ଚିକା ଅନ୍ୟତମ। ଏ ପୀଠ ଶକ୍ତିପୀଠ ରୂପେ ସାରା ସଂସାରରେ ଖ୍ୟାତି ଅର୍ଜନ କରିଛି। ଏହି ପୀଠ ଚାମୁଣ୍ଡା ପୀଠ ରୂପେ ମଧ୍ୟ ପରିଚିତ। ପୁରାଣ ମତ ଅନୁସାରେ ଏଠାରେ ମହାବୀର ପରଶୁରାମ କଠୋର ତପସ୍ୟା କରିଥିଲେ। ତପସ୍ୟା ଦ୍ବାରା ଦେବୀଙ୍କୁ ସନ୍ତୁଷ୍ଟ କରି ମାତୃହତ୍ୟା ମହାପାପରୁ ମୁକ୍ତି ପାଇଥିଲେ।ଦେବୀ ଚର୍ଚ୍ଚିକା ଅଷ୍ଟଭୁଜା। ବିଭିନ୍ନ ହସ୍ତରେ ଖଡ୍ଗ, ତ୍ରିଶୂଳ, ଅଙ୍କୁଶ, ଛିନ୍ନ ମସ୍ତକ, ସର୍ପ, ଅକ୍ଷମାଳା, ଡମ୍ବରୁ ଏବଂ କନିଷ୍ଠ ଅଙ୍ଗୁଳିକୁ ଦାନ୍ତରେ କାମୁଡିବା ସହ ବକ୍ଷରେ ନରମୁଣ୍ଡମାଳ ଧାରଣ କରିଛନ୍ତି। ଏଠାରେ ରାଜଗୁରୁ ଭୋଗ କରନ୍ତି। ଦଶହରାରେ ଏହି ପୀଠରେ ଷୋଡ଼ଶ ଉପଚାରରେ ମା’ଙ୍କର ପୂଜା କରାଯାଇଥାଏ।ମା’ଙ୍କ ନିକଟରେ ଆମିଷ ଭୋଗ ଲାଗିଥାଏ। ମା’ ଚର୍ଚ୍ଚିକା ରୁଚିକ ଗିରିରେ ଅଧିଷ୍ଠାନ କରିଛନ୍ତି, ମାଆ ପ୍ରଥମେ ଘଟ ରୂପରେ ଚାଚେରୀ ଭୋଗ ପାଉଥିବାରୁ ତାଙ୍କର ନାମ ଚର୍ଚ୍ଚିକା ହୋଇଅଛି। ମା’ଙ୍କର ବିଭିନ୍ନ ପର୍ବ ଅଛି।ପର୍ବଗୁଡିକ ମଧ୍ୟରେ ମହାଷ୍ଟମୀ,ପଣା ସଂକ୍ରାନ୍ତି, ଦୋଳ ପୂର୍ଣ୍ଣିମା ବାସନ୍ତିକ ପୂଜା, କୁମାର ପୂର୍ଣ୍ଣିମା ଓ ରାସ ପୂର୍ଣ୍ଣିମା ପ୍ରଧାନ। ମାଆଙ୍କର ସାମ୍ନାରେ ଗଣେଶ, ଲକ୍ଷ୍ମୀ, ସରସ୍ଵତୀ,ବ୍ୟାଘ୍ରମୁଖୀ, ସିଂହମୁଖୀ ଦୁର୍ଗା,ଗଙ୍ଗା ଯମୁନା, ପଛ ପାର୍ଶ୍ଵରେ ଦକ୍ଷିଣ ଚଣ୍ଡୀ ଚର୍ଚ୍ଚିକାଙ୍କ ପାଖରେ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଶୁକ୍ଳ ପକ୍ଷ ନବମୀ ପର୍ଯ୍ୟନ୍ତ ଷୋଡ଼ଶ ଉପଚାରରେ ପୂଜା ହୋଇଥାଏ। ପୁରୀର ମହାରାଜା, ବାଙ୍କୀରାଜା ଓ ସେବାୟତମାନଙ୍କ ବ୍ୟତୀତ ଅନ୍ୟମାନଙ୍କୁ ମା’ଙ୍କର ଗମ୍ଭୀରା ଭିତରକୁ ଯିବାପାଇଁ ନିଷେଧ କରାଯାଇଛି। ଏହିଠାରେ କାର୍ତ୍ତିକ,ମାଘ ଓ ବୈଶାଖ ମାସରେ ଆମିଷ ଭୋଗ ନିଷେଧ କରାଯାଇଛି।
(୮) ତାଳଚେର - ହିଙ୍ଗୁଳା :-
`````````````````````````````````````````
ଓଡ଼ିଶାର ପ୍ରସିଦ୍ଧ ଅଷ୍ଟଶକ୍ତି ପୀଠମାନଙ୍କ ମଧ୍ୟରୁ ଅନ୍ୟତମ ଅଲୌକିକ ଶକ୍ତି ପୀଠ ହେଉଛି ତାଳଚେରର ହିଙ୍ଗୁଳାଇ ପୀଠ। ଏହି ଅଗ୍ନିସ୍ବରୂପା ମା’ ପରମବୈଷ୍ଣବୀ ନାରାୟଣୀ ଶମ୍ଭୁ ନିଶମ୍ଭୁକୁ ବଧ ସୁବଳ ଓ ଦୁନ୍ଦୁଭିକୁ ମାରିବାକୁ ଗଲାବେଳେ ତାଙ୍କ ସହିତ ଅଷ୍ଟମହାବିଦ୍ୟା ଯାଇଥିଲେ। ସେମାନଙ୍କ ମଧ୍ୟରେ ହେଉଛନ୍ତି ହିଙ୍ଗୁଳା ଅନ୍ୟତମ। ସମସ୍ତ ଦେବଦେବୀ ପୀଠରେ ପୂଜକଙ୍କ ମାଧ୍ୟମରେ ଭୋଗ ଲାଗିଥାଏ କିନ୍ତୁ ତାଳଚେର ହିଙ୍ଗୁଳା ପୀଠରେ ଭକ୍ତ ନିଜେ ନିଜ ହାତରେ ତା’ର ନୈବେଦ୍ୟ ଦେବୀଙ୍କୁ ଅର୍ପଣ କରିଥାଏ। ଏହା ଏକ ବ୍ୟତିକ୍ରମ, ହେଲେ ସୁଦ୍ଧା ଭକ୍ତ ମନରେ ଅପାର ଆନନ୍ଦ ଦେଇଥାଏ।ଭକ୍ତର ଅର୍ପିତ ସାମଗ୍ରୀ ଅଗ୍ନି ରୂପିଣୀ ମା’ହିଙ୍ଗୁଳା ଗ୍ରହଣ କରିଥାନ୍ତି।ଏଠି ଭକ୍ତ ଓ ଭଗବାନ ଏକାକାର ହୋଇଯାଆନ୍ତି।ଧନ୍ୟ ମା’ର ଲୀଳା।
ମାଆଙ୍କର ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା ଚୈତ୍ର ଶୁକ୍ଳ ପକ୍ଷ ବିଷ୍ଣୁଦମନକ ଚତୁର୍ଦ୍ଦଶୀ ରେ ଅନୁଷ୍ଠିତ ହୋଇଥାଏ। ଏହାକୁ ହିଙ୍ଗୁଳା ଯାତ୍ରା ବା ପୂଜା ବୋଲି କୁହାଯାଏ। ଅଗ୍ନି ସ୍ବରୂପା ହିଙ୍ଗୁଳାଙ୍କୁ ସାବରୀ ମନ୍ତ୍ରରେ ଆରାଧନା କରାଯାଏ। ରାଜ୍ୟରେ ଥିବା ଅନ୍ୟାନ୍ୟ ଶକ୍ତିପୀଠ ଭଳି ହିଙ୍ଗୁଳାଙ୍କର ପୀଠରେ ଦଶହରା ପର୍ବ ପାଳନ କରାଯାଏ। ଏହି ସମୟରେ ଦଶହରା ପଡିଆକୁ ଏକ ଭ୍ରାମ୍ୟମାଣ ‘ଆଲାମ’ ସୂଚନା ଆଡମ୍ବର ସହକାରେ ଆସିଥାଏ। କୁଟେଇସୁଣି ମଣ୍ଡପରେ ରୀତିନୀତି ସମ୍ପନ୍ନ ହେବା ଉତ୍ସବ ଆରମ୍ଭ ହୁଏ। ହିଙ୍ଗୁଳାଙ୍କ ପୂଜାରେ କନ୍ଧ ସଂପ୍ରଦାୟର ‘ନଖି’ ପରଂପରା ପାଳନ କରାଯାଏ।
ଗୋଟିଏ ଅଧୁଆ ହାଣ୍ଡିରେ ଅରୁଆ ଚାଉଳ, କ୍ଷୀର,ମହୁ, କନ୍ଦ ଆଦି ମିଶାଇ କ୍ଷୀରି ପ୍ରସ୍ତୁତ ହୁଏ। ଏହି ସମୟରେ ମା’ଙ୍କର ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହୁଏ। ଶ୍ରୀମନ୍ଦିର ସେବା ସହିତ ମା’ଙ୍କର ମଧ୍ୟ ସଂପର୍କ ରହିଛି। ଏକଦା ପୁରୀ ଗଜପତି ମହାରାଜାଙ୍କୁ ସ୍ବପ୍ନାଦେଶ ହେଲା ଯେ ଶ୍ରୀଜଗନ୍ନାଥଙ୍କ ଛପନ ଫୁଟି ଭୋଗ ସୁସ୍ବାଦୁ ହେବା ପାଇଁ ହିଙ୍ଗୁଳାଙ୍କୁ ଆଣିବାକୁ ହେବ। ଗଜପତି ମହାରାଜା ମାଆଙ୍କ ଶରଣାପନ୍ନ ହେଲେ।ଶବର ରାଜାଙ୍କ ପରାମର୍ଶ କ୍ରମେ ଦେବୀଙ୍କୁ ଶ୍ରୀକ୍ଷେତ୍ରକୁ ଅଣାଗଲା। ସେହିଦିନଠାରୁ ମହାପ୍ରସାଦ ପ୍ରସ୍ତୁତିକରଣ ପୂର୍ବରୁ ଅଗ୍ନି ସଂଯୋଗ ଅବସରରେ ମା’ ହିଙ୍ଗୁଳାଙ୍କର ପୂଜାର୍ଚ୍ଚନା କରାଯାଏ। ମା’ କାଳୀଙ୍କର ଅନ୍ୟ ରୂପ ହେଉଛି ହିଙ୍ଗୁଳା।
ଓଡ଼ିଶାର ଏହି ପ୍ରସିଦ୍ଧ ଶକ୍ତିପୀଠ ବ୍ୟତୀତ ରାଜ୍ୟର କୋଣେ ଅସଂଖ୍ୟ ଶକ୍ତି ଆରାଧନା ପୀଠ ରହିଛି। ସେମାନଙ୍କ ମଧ୍ୟରୁ କଟକ ଚଣ୍ଡୀ, ବଡମ୍ବାର ଭଟ୍ଟାରିକା, ଭଞ୍ଜନଗରର ବ୍ୟାଘ୍ର ଦେବୀ, ଭଦ୍ରକର ଭଦ୍ରକାଳୀ, ଭୁବନେଶ୍ଵରର ଗୌରୀ, କୋଣାର୍କର ରାମଚଣ୍ଡୀ, ଗଂଜାମର ତାରାତାରିଣୀ, ଘଟଗାଁର ତାରିଣୀ, ଘଟକେଶ୍ବରୀ, ମାଣିକେଶ୍ଵରୀ, ଲଙ୍କେଶ୍ଵରୀ, ସୋନପୁରର ସୁରେଶ୍ବରୀ, ପୁରୁଣା କଟକର ଭୈରବୀ, ଖିଚିଂର କୀଚକେଶ୍ବରୀ, ହିରାପୁର ଓ ଝରିଆଲର ଚଉଷଠି ଯୋଗିନୀ ଖୋର୍ଦ୍ଧାର ବରୁଣେଇ, ନୟାଗଡର ଦକ୍ଷିଣକାଳୀ, ଚିଲିକାର କାଳିଜାଇ ଓ ଖଲ୍ଲିକୋଟର ନାରାୟଣୀ, ଆସିକାର ଖମ୍ବେଶ୍ୱରୀ, ବ୍ରହ୍ମପୁରର ଠାକୁରାଣୀ ଓ ଭୈରବୀ ପ୍ରଭୃତି ପ୍ରସିଦ୍ଧ। ଶକ୍ତି ପୂଜାର ପ୍ରାଚୀନ ପରମ୍ପରା ଯୁଗଯୁଗ ଧରି ଓଡ଼ିଶାବାସୀଙ୍କୁ ପ୍ରେରଣା ଦେଇ ଆସିଛି। ସେମାନେ ବିପଦ ଆପଦରେ ମାତୃଶକ୍ତିର କରୁଣା ନିମନ୍ତେ ଆବାହନ କରି ଆସିଛନ୍ତି।