ମାଣବସା ଲକ୍ଷ୍ମୀ ପୁରାଣ Manabasa Laxmi Purana Odia Lyrics

Sanaatan Gyaan
0

 



ମହାଲକ୍ଷ୍ମୀଙ୍କୁ ପ୍ରଣାମ 

ଧନାଦେୟୈ ନମସ୍ତୁଭ୍ୟଂ ନିଧି ପଦ୍ମା ହୁତାୟତ | ଭବତୁତତ୍ ପ୍ରସାଦାନ୍ନେ ଧାନ ଧନ୍ୟାଦି ସମ୍ପଦ II 
ନମସ୍ତୁଽତେ ମହାମାୟେ ଶ୍ରୀ ପୀଠେ ସୁର ପୂଜିତେ । ଶଙ୍ଖ ଚକ୍ର ଗଦା ହସ୍ତେ ମହାଲକ୍ଷ୍ମୀ ନମୋଽସ୍ତୁତେ । ୧ ।
ନମସ୍ତେ ଗରୁଡା ରୁଢ଼େ କୋଳାଶୂର ଭୟଙ୍କରୀ | ସର୍ବ ପାପ ହରେ ଦେବୀ ମହାଲକ୍ଷ୍ମୀ ନମୋଽସ୍ତୁତେ । ୨ । 
ସର୍ବଜ୍ଞେ ସର୍ବବରଦେ ସର୍ବଦୁଷ୍ଟ ଭୟଙ୍କରୀ । ସର୍ବ ଦୁଃଖ ହରେ ଦେବୀ ମହାଲକ୍ଷ୍ମୀ ନମୋଽସ୍ତୁତେ । ୩ । 
ସିଦ୍ଧି ବୃଦ୍ଧି ପ୍ରଦେ ଦେବୀ ଭକ୍ତି ମୁକ୍ତି ପ୍ରଦାୟିନୀ । ମନ୍ତ୍ରମୂର୍ତ୍ତେ ସଦା ଦେବୀ ମହାଲକ୍ଷ୍ମୀ ନମୋଽସ୍ତୁତେ । ୪ । 
ଆଦ୍ୟାନ୍ତେ ରହିତେ ଦେବୀ ଆଦ୍ୟାଶକ୍ତି ମାହେଶ୍ୱରୀ । ଯୋଗେନ ଯୋଗସମ୍ଭୂତେ ମହାଲକ୍ଷ୍ମୀ ନମୋଽସ୍ତୁତେ । ୫
ସ୍ଥୁଳ ସୁକ୍ଷ୍ମ ମହାରୌଦ୍ରେ ମହାଶକ୍ତି ମହୋଦରେ | ମହାପାପ ହରେ ଦେବୀ ମହାଲକ୍ଷ୍ମୀ ନମୋଽସ୍ତୁତେ । ୬ ।
ପଦ୍ମାସନ ସ୍ଥିତେ ଦେବୀ ପରଂବ୍ରହ୍ମ ସ୍ଵରୂପିଣୀ । ପରମେଷ୍ଠି ଜଗତମାତ ମହାଲକ୍ଷ୍ମୀ ନମସ୍ତୁତେ |୭
ଶ୍ଵେତାମ୍ବର ଧରେ ଦେବୀ ନାନାଳଙ୍କାର ଭୂଷିତେ । ଜଗତ୍‌ସ୍ଥିତେ ମହାମାୟୀ ମହାଲକ୍ଷ୍ମୀ ନମୋଽସ୍ତୁତେ । ୮ । 
ମହାଲକ୍ଷ୍ମୀଷ୍ଟକଂ ସ୍ତୋତ୍ର ଯଃ ପଠେତ୍ ଭକ୍ତି ମାନ୍ନର । ସର୍ବସିଦ୍ଧି ମବାପ୍ନୋତି ରାଜ୍ୟଂ ପ୍ରାପ୍ନୋତି ସର୍ବଦା । 
ଏକ କାଳ ପଠେନ୍ନିତ୍ୟଂ ମହାପାପ ବିନାଶନମ୍ ।ଦ୍ଵିକାଲଂ ଯଃ ପଠେନ୍ନିତ୍ୟଂ ଧନଧାନ୍ୟ ସମନ୍ଵିତମ୍ । ୧୦ । 
ତ୍ରିକାଲଂ ଯଃ ପଠେନ୍ନିତ୍ୟ ମହାଶତ୍ରୁ ବିନାଶନମ୍ ।ମହାଲକ୍ଷ୍ମୀ ଭବେନ୍ନିତ୍ୟ ପ୍ରସନ୍ନ ବରଦା ଶୁଭା । ୧୧ । 
ଇତି ଇନ୍ଦ୍ର କୃତଂ ଶ୍ରୀ ମହାଲକ୍ଷ୍ମୀଷ୍ଟକ ସ୍ତୋତ୍ରଂ ସମ୍ପୂର୍ଣ୍ଣଂ  ।
ମାଣବସା ଲକ୍ଷ୍ମୀ ପୁରାଣ Manabasa Laxmi Purana odia lyrics download pdf bruhat manabasa



ନମସ୍ତେ କମଳା ମାଗୋ ସାଗର ଦୁଲ୍ଲଣୀ। ନମସ୍ତେ ନମସ୍ତେ ଲକ୍ଷ୍ମୀ ବୁଷ୍ଣୁଙ୍କ ଘରଣୀ ||
 ନମସ୍ତେ କମଳା ମାଗୋ ଅତି ଦୟାବତୀ | ସ୍ଥାବର ଜଙ୍ଗମ କୀଟ ଆଦି ପାଳୁ ନିତି ।। 
ତୋର ଦୟାବଳେ ମାଗୋ ଦରିଦ୍ର ଜନର । ହୁଅଇ ଅଚଳ ବିତ୍ତ ଜିଣଇ କୁବେର ॥ 
ତୋର ଦ୍ରୋହୀଜନେ ମାଗୋ ଅନ୍ନ ନ ମିଳଇ । ଯେତେ ଅରଜିଲେ କେଭେଁ ପେଟ ନ ପରଇ ॥ 
ତୋହର ଚରିତ ମନ ଦେଇ ଯେ ଶୁଣଇ । କିଅବା ଭକତି ଭାବେ ସର୍ବଦା ଗୁଣଇ ।|
 ତାହାର ଦରିଦ୍ରପଣ ଯାଏ ଦୂର ହୋଇ । ସର୍ବଦା ତାକୁ ପ୍ରସନ୍ନ ହେଉ ମହାମାୟୀ । 
ଏଣୁ ତୋ ଚରଣେ ମାଗୋ ଅଶେଷ ପ୍ରଣାମ | କରୁଛି ପୁରାଅ ବାରେ ମୋର ମନସ୍କାମ ||
ତୋ ଚରିତ କିଞ୍ଚିତେ ମୁଁ କରିବି ରଚନ । ଜଗତ ଜନନୀ ବାରେ ଦିଅ ଦିବ୍ୟଜ୍ଞାନ । 
ଦିନେକ ନାରଦ ପରାଶର ମୁନି ଦୁଇ । ଭ୍ରମି ଭ୍ରମି ଏକ ଗ୍ରାମେ ପ୍ରବେଶିଲେ ଯାଇଁ ||
ସେହିଦିନ ମାର୍ଗଶିର ମାସ ଗୁରୁବାର | ପର୍ବ ପଡିଥିଲା ସର୍ବ ପୁରବାସୀ ଙ୍କର ||
ପ୍ରତି ଘର ଦ୍ୱାର ଗୋମୟରେ ଲିପା ହୋଇ | ଲକ୍ଷ୍ମୀ ପାଦପଦ୍ମ ଚିତା ପଡ଼ିଥିଲା ତହିଁ ।।
 ନାରୀମାନେ ସ୍ନାନସାରି ପିନ୍ଧି ଝୀନବାସ । ଲକ୍ଷ୍ମୀଙ୍କ ପୂଜାରେ ସର୍ବେ ହୋଇଛନ୍ତି ବଶ ||
ବ୍ରାହ୍ମଣ ଙ୍କ ଠାରୁ ଯେ ଚଣ୍ଡାଳ ପରିଯନ୍ତେ | ଲକ୍ଷ୍ମୀଙ୍କ ପୂଜାରେ ରତ ଅଛନ୍ତି ସମସ୍ତେ ||
ହୁଳହୁଳି ଶବଦରେ ପୂରିଛି ଗଗନ । ଦେଖୁ ଏ ଉତ୍ସବରୀତି ବିଧାତା ନନ୍ଦନ । 
ପଖରନ୍ତି ପରାଶର ମୁନିଙ୍କୁ ଉଦନ୍ତ । କହ କହ ତପୀବର ଏ କିସ ଚରିତ ॥
 ବ୍ରାହ୍ମଣ ଚଣ୍ଡାଳ ଆଦି ସମସ୍ତ ଜାତିରେ । କରୁଛନ୍ତି କିଉତ୍ସବ ଆନନ୍ଦ ମତିରେ । 
କେଉଁ ବ୍ରତ କି ଉପାସ ଅଟେ ଏହା ନାମ | କାହାକୁ କରନ୍ତି ପୂଜା ତାର କି ନିୟମ ||
ଏହାସୁଣୀ ପରାଶର ହୋଇ ହସ ହସ । କହନ୍ତି ବଚନ ଧୀରେ ଶୁଣ ବିଧିଶିଷ୍ୟ | 
ଏ ଧାନମାଣିକା ଗୁରୁବାର ଯେ ଅଟଇ । ଲକ୍ଷ୍ମୀ ଦେବୀଙ୍କର ପୂଜା ଏ ବ୍ରତ ଅଟଇ ॥ 
ସବୁମାସମାନଙ୍କରେ ମାର୍ଗଶର ସାର । ତହିଁରେ ପଡ଼ଇ ଯେଉଁ ଯେଉଁ ଗୁରୁବାର ।। 
ଲକ୍ଷ୍ମୀଙ୍କର ପ୍ରିୟ ସେହି ବାରମାନ ଜାଣ । ସବୁଠାରୁ ଆଦ୍ୟ ଗୁରୁବାରଟି ପ୍ରଧାନ ।। 
ଏକ ଦିନେ ଶୁକଳ ଦଶମୀ ଗୁରୁବାର । ପଡ଼ିଲେ ସୁଦଶାବ୍ରତ ହୁଏ ସେ ଦିନର । 
ଲକ୍ଷ୍ମୀଙ୍କର ଅତିପ୍ରିୟ ଅଟଇ ସେ ବ୍ରତ । ଏହାକହି ପରାଶର ହେଲେ ମୌନବ୍ରତ ॥
 ପୁଣି ତାହାଙ୍କୁ ପୁଛିଲେ ବ୍ରହ୍ମାଙ୍କ କୁମର । ଲକ୍ଷ୍ମୀବ୍ରତ କରିଥିଲେ ମର୍ତ୍ତ୍ୟ କେଉଁ ନର । 
ତହିଁରୁ ସେ କେଉଁ ଶୁଭଫଳ ଲଭିଅଛି । ଲକ୍ଷ୍ମୀଦ୍ରୋହୀ ହୋଇକରି କେ ଦୁଃଖ ପାଇଛି ।
 ଏହା ସବୁ ମୋ ଆଗରେ କହତପୀ ସାଇଁ । ଶୁଣିବାକୁ ତାହା ଚିତ୍ତେ ଶ୍ରଦ୍ଧା ଉପୁଜଇ ।
 ନାରଦ ବଚନ ଶୁଣି ପରାଶର ମୁନି | କହନ୍ତି ହରସ ଚିତ୍ତେ ସୁମଧୁର ବାଣୀ ||
ଧନ୍ୟ ହେ ନାରଦ ତୁମ୍ଭେ ପବିତ୍ର ଚରିତ୍ର । ଲକ୍ଷ୍ମୀବ୍ରତ କଥାରେ ଯେ ହୋଇଅଛ ରତ ॥
 କହୁଅଛି ପୁରାତନ କଥା ଅଛି ଯାହା । ହୋଇବ ଆନନ୍ଦ ଜାତ ଶୁଣିଲେଟି ତାହା । 
ଏକଦିନେ ଜଗନ୍ନାଥ ପାଶେ ଲକ୍ଷ୍ମୀଥିଲେ । କରପତ୍ର ଯୋଡ଼ିଣ ତାହାଙ୍କୁ ଜଣାଇଲେ । 
ଆଜି ମୋ ବାରର ବ୍ରତ ପଡ଼ିଲା ଗୋସାଇଁ । ତୁମ୍ଭେ ଆଜ୍ଞାଦେଲେ ନଗ୍ର ବୁଲିଯିବି ମୁହିଁ । 
ଗୋବିନ୍ଦ ବୋଇଲେ ଲକ୍ଷ୍ମୀ ନଗ୍ରହିଁବୁଲିବ । ଦଶମୀ ପାଳନା ଅନ୍ନ ବେଗେ ରାନ୍ଧିଦେବ ॥ 
ପ୍ରଭୁଙ୍କ ମୁଖରୁ ମାତ ଏମନ୍ତ ଶୁଣିଲେ । ବସ୍ତ୍ର ଅଳଙ୍କାରମାନ ଯତନେ ପିନ୍ଧିଲେ । 
ନାସିକାରେ ନବରତ୍ନ ବସଣି ଖଞ୍ଜିଲେ ।ଚଉସରୀ ରତ୍ନମାଳା କଣ୍ଠେ ଲମ୍ବାଇଲେ I 
କରରେ ବାହୁଟି ରମ୍ୟବଳୟ କଙ୍କଣ । ସୁନା ସତା ମାଣିକ୍ୟ ପଦକ ଆଭରଣ । 
ବାଜେଣି ନୂପୁର ମାତା ପୟରେ ଖଞ୍ଜିଲେ । ଏପରି ନାନା ଭୂଷଣେ ସୁବେଶ ହୋଇଲେ I 
ଯେବଣ ମାତାଙ୍କ ଅଧିକାର ତିନିପୁର । ଆଭରଣ କେତେ ମାତ୍ର ଦେବା ପଟ୍ଟାନ୍ତର । 
ଶୁଣ ହେ ନାରଦ ଏହା ହୋଇ ଏକଚିତ୍ତ । ବୁଢ଼ୀ ବ୍ରାହ୍ମଣୀ ରୂପକୁ ଧରି ଜଗନ୍ମାତ ॥ 
ପ୍ରବେଶ ହୋଇଲେ ଯାଇ ସାଧୁର ଦୁଆରେ । ସାଧବାଣୀ ଉଭା ହୋଇଥିଲା ସେହିଠାରେ ॥ 
ତାକୁ ଦେଖ୍ ମହାଲକ୍ଷ୍ମୀ କହନ୍ତି ବଚନ । ଶୁଣ ଶୁଣ ସାଧବାଣୀ ହୋଇ ସ୍ଥିରମନ । 
ଆଜିପରା ମହାଲକ୍ଷ୍ମୀ ବ୍ରତ ଗୁରୁବାର । ଲିପା ପୋଛା କରିନାହୁଁ କିମ୍ପା ଘରଦ୍ଵାର । 
ସାଧବାଣୀ ଏହା ଶୁଣି ବୋଲଇ ସେକ୍ଷଣି । କି ରୂପେ ଏ ବ୍ରତ ହୁଏ କାହା ପୂଜାପୁଣି ॥ 
ବୁଝାଇ ତା ସବୁ କହ ହେ ନାନୀଗୋସାଇଁ । ଅଇଲେ ମନକୁ ସେ ବ୍ରତ ମୁଁ କରିବଇଁ । 
ଏହାଶୁଣି ପଦ୍ମାଳୟା କହନ୍ତି ସଧୀରେ । ଶୁଣ ସାଧବାଣୀ ବ୍ରତ ହୁଏ ଏ ବିଧିରେ ॥ 
ମାର୍ଗଶିର ମାସେ ଯେଉଁ ଆଦ୍ୟ ଗୁରୁବାର । ସେଦିନ ଊଷାରୁ ଶେଯ ଛାଡ଼ି ତତପର ||
ଗୋମୟ ଜଳରେ ଘର ଦୁଆର ଲିପିବ | ଲକ୍ଷ୍ମୀ ଦେବୀ ପାଦପଦ୍ମ ଚିତା କୁ ଲେଖୀବ  ॥ 
ନୂଆ ମାଣ ଗୋଟିଏ ଅଣାଇ ଯତ୍ନେ ବେଗେ । ଧୋଇ ଧାଇ କରି ତାକୁ ଶୁଖାଇବ ଆଗେ ॥ 
ତାହାକୁ କରିବ ନାନା ଚିତ୍ର ଯେ ବିଚିତ୍ର । ଚାଉଳକୁ ବାଟି ଚିତା ଲେଖିବ ସମସ୍ତ । 
ତହିଁ ସ୍ନାନ କରିଆସି ହୋଇ ଶୁଚିମନ୍ତ । ଚଉକି ବା ଖଟୁଲିଏ ଆଣିବ ତ୍ୱରିତ । 
ତାକୁ ଧୋଇ ତା’ ଉପରେ ଦେବ ନୂଆଧାନ | ରଙ୍ଗ କଳା ନୋହି ହୋଇଥିବ ଶୁକ୍ଲବର୍ଣ୍ଣ ||
ତହୁଁ କିଛି କୁଢ଼ାଇ ଯେ ସେ ନୂଆମାଣରେ । ଧାନମାଣ ଯେ ପୂରାଇ ରଖିବ ତାପରେ ॥ 
ସେ ଧାନ ମାଣ ଉପରେ ଗୁଆ ତିନିଗୋଟି । ହଳଦୀ ପାଣିରେ ତାହା ଧୋଇ ଥୋଇବଟି ॥
 ଶୁକଳ ଧାନର ଶିଶା ରଖୀ ବେଣ୍ଟିକରି । ମାଣ ଉପରେ ତାହାକୁ ଥୋଇବ ବିଚାରି । 
ଗୁଆ ଆଖୁ ମୂଳା କଦଳୀରେ ସଜାଡ଼ିବ । ପଟ୍ଟାଦିରଙ୍ଗ ବସନ ପୁଷ୍ପେ ମଣ୍ଡାଇବ । 
ତହୁଁ ଆବାହନ ମହାଲକ୍ଷ୍ମୀଙ୍କୁ କରିବ । ଗନ୍ଧପୁଷ୍ପ ଧୂପଦୀପ ଆଦି ସମର୍ପିବ । 
ପ୍ରଥମରେ ବାଳଧୂପ ତାପରେ ଶଙ୍ଖୁଡ଼ି । ଏପରି କରିବ ତିନିଧୂପକୁ ସଜାଡ଼ି । 
ମହାଲକ୍ଷ୍ମୀଙ୍କର ଆଉ ଏକ ବ୍ରତ ଅଛି । ସୁଦଶା ବୋଲି ତା ନାମ ଲୋକେ ପ୍ରକଟିଛି | 
ଶୁକଳଦଶମୀ ହେଲେ ଗୁରୁବାର ଦିନ । ହୁଅଇ ସୁଦଶାବ୍ରତ ଶୁଣ ଦେଇ ମନ । 
ସେଦିନ ଉଷାରୁ ଉଠି ଲିପି ଘରଦ୍ଵାର । ଝୋଟି ଆଦି ଚିତା ଦେବ ପୂର୍ବ ପରକାର । 
ସ୍ନାନ ସାରି ଗୃହେ ପଦ୍ମମଣ୍ଡଳ ଲେଖିବ । ତହିଁପରେ ଧୋଇ ଏକ ଖଟୁଲି ରଖିବ ॥ 
ତହିଁପରେ ଲକ୍ଷ୍ମୀପୂଜା ଗୁଆକୁ ଥୋଇବ । ପଞ୍ଚାମୃତ ଶୁଦ୍ଧଜଳେ ସ୍ନାନ କରାଇବ । 
ଦଶଖୀଅ ସୂତାରେ ଯେ ବ୍ରତେକ କରିବ । ଲକ୍ଷ୍ମୀଙ୍କ ନାମରେ ଦଶଗୋଟି ଗଣ୍ଠିଦେବ । 
ଦଶକେରା ଦୁବରେ ସେ ବ୍ରତ ଗୁଡ଼ାଇବ । ମହାଲକ୍ଷ୍ମୀ ଗୁଆ ପାଶେ ତାହାକୁ ଥୋଇବ । 
କରୁଥିଲେ ପୂର୍ବରୁ ସେ ବ୍ରତ ପୁରାତନ । ବ୍ରତଡୋର ଆଣିତହିଁ ଥୋଇବ ବହନ ॥ 
ପ୍ରଥମରେ ବାଳଧୂପ ନଇବେଦ୍ୟ କରି । ତାପରେ ଯା ଭୋଗଦେବ ଶୁଣ ହେତୁକରି ॥ 
ଅରୁଆ ଋଉଳ ଏକାମାଣ ତିନ୍ତାଇବ । ତାକୁ କୁଟି ଚୂନା କରି ଯତନେ ରଖିବ ॥
 କଦଳୀ ନଡ଼ିଆ ଛେନା ଆଦି ଦଶପୁର । ଦେଇ ଦଶଗୋଟି ମଣ୍ଡା କରିବ ସତ୍ଵର ॥ 
ମହାଲକ୍ଷ୍ମୀଙ୍କୁ ତା’ ପୂଜାକରି ଭକ୍ତି ଚିତ୍ତେ । ସେ ପ୍ରସାଦ ଖାଇ ଦିନ ବଞ୍ଚିବ ଯେ ସୁସ୍ଥେ ।
 ମହାଲକ୍ଷ୍ମୀ ପ୍ରସାଦ ଯେ ପରକୁନ ଦେବ । ବିଭା ହୋଇଥ‌ିବା ଝିଅ ସୁଦ୍ଧା ନ ଖାଇବ । 
ଏ ଉତ୍ତାରୁ କଥା ଏକ ମନଦେଇ ଶୁଣ । ଗୁରୁବାର ଦିନ ଯେଉଁ କଥା ନିବାରଣ । 
ସେ କଥା କହୁଛି ଏବେ ସାଧବାଣୀ ଶୁଣ । କେବେ ନ ଭାଜିବ ଖଇ ଗୁରୁବାର ଦିନ ।
 ଯେଉଁ ନାରୀ ଗୁରୁବାର ଦିନରେ ଆମିଷ । ଭୁଞ୍ଜଇ ଲୋଭରେ କିବା ନ ପଖାଳେ କେଶ ॥ 
ଭୁଞ୍ଜଇ ଉଚ୍ଚିଷ୍ଟ କିମ୍ବା ଲଗାଏ ସେ ତେଲ । ମହାଲକ୍ଷ୍ମୀ ତା’ର ନିଶ୍ଚେ ଭାଙ୍ଗିବେଟି ଗେଲ । 
ଗୁରୁବାରେ ଯେଉଁ ନାରୀ ତୁଳାକୁ ଭିଣଇ । ଲାଉରେ ଆମିଷ ଦେଇ ଯେ ଗ୍ରାସ କରଇ ॥ 
ଖଟର ଛାୟାରେ ଯେହୁ କରଇ ଶୟନ । ରାତ୍ରକାଳେ ଦଧିଅନ୍ନ ଯେ କରେଭୋଜନ ॥ 
କ୍ଷୌର ହୁଏ ଯେହୁ ଯାଇ ନାପିତର ଦ୍ୱାରେ । ଭୋଜନ ସମୟେ ଅନ୍ନ ପକାଏ ଭୂମିରେ ॥
 ଭୁଞ୍ଜି ନ ପାରିଣ ଅନ୍ନ ଫୋପଡ଼ାଇ ଦିଏ । ଏତେକର୍ମ ଯେ କରେ ସେ ଲକ୍ଷ୍ମୀଙ୍କୁ ନ ପାଏ । 
ଗୁରୁବାର ଦିନ ସକାଳୁ ଯେ ଗୋମୟରେ । ଦୁଆର ଯେ ନ ଲିପଇ ଅଳସ ପଣରେ ॥ 
ଚୂଲିରୁ ନ କାଢ଼େ ପାଂଶ ଭକ୍ଷେ ଯେ ଆମିଷ । ଏମାନଙ୍କଠାରେ ଲକ୍ଷ୍ମୀ କରନ୍ତି ଯେ ରୋଷ । 
ଧନ ଜନ ସବୁ ତାର ହରଣ କରନ୍ତି । ମାଗିଗଲେ ଅନ୍ନବସ୍ତ୍ର କେହି ନ ଦିଅନ୍ତି ।
 ଗୁରୁବାରେ ଯେଉଁନାରୀ ପିନ୍ଧେ ଶୁକ୍ଲଲୁଗା । ଐଶ୍ବର୍ଯ୍ୟ ସମ୍ପଦ ପାଏ ହୁଅଇ ସୁଭାଗା II 
ଗୁରୁବାରେ ଯେଉଁ ନାରୀ ପିଲାକୁ ମାରଇ । କିବା ପାକହାଣ୍ଡି ଧୋଇ କଳା ନ ଛାଡ଼ଇ॥ 
ସନ୍ଧ୍ୟା ଗଡ଼ିଗଲେ ଯେ ଦିଅଇ ସନ୍ଧ୍ୟାବତୀ । ଧନପୁତ୍ର ହାନି ହୁଏ ସଦା ବହୁ କ୍ଷତି ॥ 
ଗୁରୁବାରେ ଯେଉଁ ନାରୀ ପୋଡ଼ା ଦ୍ରବ୍ୟ ଖାଏ । ଶୋଇବା ଶଯ୍ୟାକୁ ବଙ୍କା କରିଣ ବିଛାଏ । 
ଶାଶୁ ଶ୍ୱଶୁରଙ୍କୁ ନ ମାନଇ ଯେ ରମଣୀ । ଉଲଗ୍ନ ହୋଇ ଶୟନ କରଇ ଯେ ପ୍ରାଣୀ ॥
 ଅମାବାସ୍ୟା ସଂକ୍ରାନ୍ତିରେ ଯେ ବୁଲାଏ ହଳ । ଏହି ଦିନମାନଙ୍କରେ ଘେନଇ ତଇଳ ॥ 
ସଭାରେ ବସିଣ ଯେ ମାନବ ମିଛ କହି । ଆଳସ୍ୟ ପାଦ ନ ଧୋଇ ଯେ ଭୁଞ୍ଜି ବସଇ ॥ 
କୁଷ୍ମାଣ୍ଡ ଫଳକୁ ଯେହୁ ରମଣୀ କାଟଇ । ଋତୁମତି ନାରୀକି ଯେ ରମଣ କରଇ ॥ 
କନ୍ୟା ତୁଳା ମାସେ ପିତୃଶ୍ରାଦ୍ଧ ନ କରଇ । କଥା କହୁ କହୁ ସବୁବେଳେ ଯେ ହସଇ । 
ଏମନ୍ତ ମନୁଷ୍ୟ ସଦା ବହୁକଷ୍ଟ ପାଇ । ଆୟୁବୃଦ୍ଧି ନାଶହୁଏ ଅନ୍ନ ନ ମିଳଇ ।। 
ଗୁରୁବାର ଅମାବାସ୍ୟା ସଙ୍କରାନ୍ତି ଦିନ । ରଜନୀରେ ସ୍ତ୍ରୀ ପୁରୁଷ କଲେକ ଭୋଜନ । 
କିବା ଏହିତିନିଦିନ ଯେଉଁ ନାରୀ ମୋହେ । ପୁରୁଷ ସଙ୍ଗରେ ମାତି ଧର୍ମକୁ ନ ଚାହେଁ । 
ପ୍ରାଣେ ନାଶ ନ କରିଣ ତାକୁ ଦୁଃଖ ଦେଇ । ବୁଲନ୍ତି ଯେ ଅନ୍ନବସ୍ତ୍ର କାହିଁ ନ ମିଳଇ ।। 
ଏତିନି ଦିନରେ ଯେହୁ ତିକ୍ତଦ୍ରବ୍ୟ ଖାନ୍ତି । ଅନ୍ତଃକାଳେ ଯମଦ୍ଵାରେ ନାନା ଦଣ୍ଡପାନ୍ତି ||
 ଏ ତିନିଦିନ ଯେ ନାରୀ କରଇ ହବିଷ୍ୟ । ଦୁଃଖୀ ରଙ୍କୀ ଦେଖୁ ଦାନ କରଇ ବିଶେଷ ॥ 
କରେ ଲକ୍ଷ୍ମୀବ୍ରତଲକ୍ଷ୍ମୀବାରେ ଉପବାସ । ବଢ଼ଇ ତାହାର ଧନ ଜନ ଆୟୁଯଶ ।। 
ସକାଳୁ ଶେଯରୁ ଉଠିଯେ ମୁଖ ନ ଧୁଏ । ତା’ ମୁଖ ଯେ ଜନ ଦେଖେ ତାର ଶୁଭନୁହେଁ ॥ 
ରାତ୍ରଶେଷେ ବାସି ଶେଯେ ଯେ କରେ ଶୟନ । ତା ଗୃହକୁ ଲକ୍ଷ୍ମୀତ୍ୟାଗ କରନ୍ତି ବହନ ।
ଆସନ ବିନା ଯେ ଭୂମିପରେ ବସି ଖାଏ । କିବା ଯେ କୁମାରୀ ସଙ୍ଗୀତରେ କାମମୋହେ ॥ 
ଦକ୍ଷିଣ ପଶ୍ଚିମ ମୁଖେ ଯେ ଭୁଞ୍ଜି ବସଇ । ଏମାନଙ୍କ ପାଶୁ ଲକ୍ଷ୍ମୀ ଯା’ନ୍ତି ଦୂର ହୋଇ ॥ 
ସନ୍ଧ୍ୟାରେ କୁଣ୍ଡାଇ କେଶ ବାନ୍ଧେ ଯେଉଁ ନାରୀ । କେଭେ ନ ଦେଖନ୍ତି ଲକ୍ଷ୍ମୀ ତାହାର ଯେ ଶିରୀ ॥ 
ଭୋଜନକରି ଯେ ମୁଖ ଶୋଧନ ନ କରେ । ଭୋଜନ କରଇ ଯେହୁ ଅନ୍ଧକାର ଘରେ ॥ 
ସ୍ନାନପରେ ହୁଅଇ ଯେ ତଇଳ ମର୍ଦ୍ଦନ । କରଇ ଯେ ନଖମୁନେ ଭୂମି ବିଦାରଣ ॥ 
ପିନ୍ଧିଥିବା ଲୁଗା ଶେଷେ ଯେ ବିଞ୍ଚ୍ ହୁଅଇ । ଏମାନଙ୍କ ବଦନକୁ ଲକ୍ଷ୍ମୀ ନ ଚାହଁଇ ||
ଯେଉଁ ନାରୀ ନିଜ ପତିଠାରେ ରୋଷବହେ । ସ୍ୱାମୀ ଯାହା ବୋଲେ ତାହା ନ କରେ କେବେହେଁ ॥ 
ପର ପୁରୁଷରେ ଯେହୁ ହୋଇଥାଏ ରତ । ପରିଷ୍କୃତ ନୋହି ହୁଏ ଯେ ନାରୀ କୁତ୍ସିତ I 
ଏମନ୍ତ ନାରୀଙ୍କ ମୁଖ ଲକ୍ଷ୍ମୀ ନ ଦେଖନ୍ତି । କାଙ୍ଗାଳିନୀ ହୋଇ ବାରଦ୍ୱାରେ ସେ ବୁଲନ୍ତି ॥ 
କଳହ ଅଳସୀ ଅତି ଅପ୍ରିୟ ସାହସୀ । ଦେବ ବିପ୍ର ଅତିଥିରେ ନୁହଁଇ ବିଶ୍ବାସୀ ॥| 
ଏପରି ନାରୀ ଯା ଗୃହେ ଥାଏ ସେ ଶ୍ମଶାନ । ଲକ୍ଷ୍ମୀ ସେ ସ୍ଥାନକୁ ସଦା କରନ୍ତି ବର୍ଜନ । 
ଯେଉଁନାରୀ ଭକ୍ତିଚିତ୍ତେ ନ ସେବେ ସ୍ବାମୀକି । ସେହୁ ଜନ୍ମେ ଜନ୍ମେ ହୁଏ ସ୍ବାମୀ ଦୁଃଖେ ଦୁଃଖୀ | 
ଯେଉଁ ନାରୀ ସ୍ୱାମୀ କି ଦେବତା ସମମଣି । ସେବାକରି ତୋଷୁଥାଏ ତାର ମତି ଚିହ୍ନି । 
ନିଜ ଅଙ୍ଗ ପରିଷ୍କାର କରି ଶୁଚି ହୁଏ । ସାନବଡ଼ ସମସ୍ତଙ୍କୁ ସମଭାବେ ଚାହେଁ । 
ପରଷିବା କାଳେ ପକ୍ଷପାତ ଯେ ନକରେ । ସ୍ଵାମୀ ପୁତ୍ର ସମସ୍ତଙ୍କୁ ବାଢେ ସମାନରେ ||
ପତିର ଆଜ୍ଞା କୁ କେଭେ ନପକାଏ ତଳେ । ସ୍ୱାମୀ ଦୁଃଖେ ଦୁଃଖୀ ସୁଖେ ସୁଖୀ ହୋଇଚଳେ ।
 ଏମନ୍ତ ନାରୀରଗୃହ ଲକ୍ଷ୍ମୀ ନ ଛାଡ଼ନ୍ତି । ତାର ଦୁଃଖ ନୟନରେ କେବେ ନ ଦେଖନ୍ତି ।
 ଏ ମର୍ତ୍ତ୍ୟ ମଣ୍ଡଳେ ସେହୁ ବହୁ ସୁଖପାଏ । ପତି ପୁତ୍ରକନ୍ୟା ଅଇଶ୍ଵର୍ଯ୍ୟ ଯୁକ୍ତ ହୁଏ । 
ଅନ୍ତକାଳେ ବଇକୁଣ୍ଠେ ଲକ୍ଷ୍ମୀଙ୍କ ସଙ୍ଗରେ । ଅନୁକ୍ଷଣେ ମଜ୍ଜି ରହେ ପ୍ରମୋଦ ରଙ୍ଗରେ ॥
 ସଧବା ନାରୀର ପତିବିନା ନାହିଁ ଗତି । ତପ ଜପ ଦେବ ପୂଜା ତାହାର ଅନୀତି ॥ 
ପତିସେବା ଛାଡ଼ି ବୃଥା ବ୍ରତ ଯେ କରଇ । ଜନ୍ମ ଜନ୍ମାନ୍ତରେ ବାଲ୍ୟ ବିଧବା ହୁଅଇ ||
ଯେଉଁ ନାରୀ ଆନନ୍ଦରେ ଅତିଥି ସେବଇ । ପୁଣ୍ୟବତୀ ବୋଲି ତାକୁ ପୁରାଣରେ କହି ।।
 ଏମନ୍ତ ପ୍ରକାରେ ଯେଉଁ ନାରୀ ବା ପୁରୁଷ । ଆପଣାର କୁଳଧର୍ମ ନ ଛାଡ଼ନ୍ତି ଲେଶ I 
ସଦାବେଳେ କରନ୍ତି ଉତ୍ତମ ଆଚରଣ । ଶ୍ରୀଲକ୍ଷ୍ମୀ ତାହାଙ୍କ ପାଶେ ମିଳନ୍ତି ତତ୍‌କ୍ଷଣ । 
ପତିସେବା ବିନା ନାହିଁ ନାରୀଙ୍କର ଗତି । ପତିପ୍ରାଣା ନାରୀ କରେ ଦେବଲୋକ ଗତି ॥ 
ନାରୀଙ୍କର ଲକ୍ଷ୍ମୀବ୍ରତ ପତିସେବା ବିନା । ଅନ୍ୟ ଦେବ ପୂଜାତୀର୍ଥ ଯାତ୍ରା ବିଡ଼ମ୍ବନା । 
ପତିସେବା ବରଜି ଯେ ମାତି ଗରବରେ । ଗୁରୁବାରେ ଲକ୍ଷ୍ମୀବ୍ରତ ସେ ଯଦି ନ କରେ । 
ତାହାର ନୁହଇ ଭଲ ଜନମେ ଜନମେ । ଦୁଃଖ ଶୋକ ରୋଗ ଭୋଗ ସଂସାରେ ସେ ଭ୍ରମେ ।
 ଏମନ୍ତ ବୁଝାଇ  ସାଧବାଣୀକି କହିଲେ । ଆଜିଠାରୁ ଲକ୍ଷ୍ମୀବ୍ରତ କର ଯା ବୋଇଲେ ॥
ନକଲେ ସର୍ବ ସମ୍ପଦ ତୋର କ୍ଷୟ ଯିବ | ଅର୍ଣ୍ଣ ବସ୍ତ୍ର ଅଭାବରେ ଦୁଃଖ ଭୋଗ ହେବ । 
ଶୁଣ ହୋ ନାରଦ ଠାକୁରାଣୀ ଏହାକହି । ସେଠାବରୁ କେତେଦୂର ପଥ ଗଲେ ବାହି ||
ଘରେ ଘରେ ପୁରେ ପୁରେ ଲକ୍ଷ୍ମୀ ବିଜେ କଲେ |କାହାରି ଦୁଆରେ ସେହ ଶୁଚି ନ ଦେଖିଲେ I 
କେବଣ ଯୁବତୀ ନିଦେ ଶୋଇ ଅଚେତନ |କାହାର ଫିଟି ଯାଇଛି ପିନ୍ଧିଲା ବସନ ||
କାହାର ଶିରରେ କେଶ ମୁକୁଳିତ ହୋଇ । ଭୂମିପରେ ପଡ଼ିଅଛି କେରି କେରି ହୋଇ ।
 ଏହିରୂପେ ମହାଲକ୍ଷ୍ମୀ ଦେଖିକରି ଗଲେ |ଚଣ୍ଡାଳ ସାହିରେ ଯାଇ ପ୍ରବେଶ ହୋଇଲେ ॥
 ଶ୍ରୀୟା ଚଣ୍ଡାଳୁଣୀ ନଗ୍ର ବାହାରେ ତା ଘର । ତାହାର ମହିମା ଯେ ଦେବଙ୍କୁ ଅଗୋଚର || 
ପ୍ରତିଦିନ ଖରକଇ ଗୁଣ୍ଡିଚା ନଗର | ଵିଷ୍ଣୁ ଭକତିରେ ସେ ଯେ ଅତି ତତପର ॥ 
ରାତ୍ର ବେନି ଘଡ଼ି ଥାଇ ଚଣ୍ଡାଳୁଣୀ ଗଲା । ଏକ ବର୍ଣ୍ଣି  ଗାଈର ଯେ ଗୋବର ଆଣିଲା I 
ଉତ୍ତମ କରିଣ ଘରଦ୍ୱାରକୁ ଲିପିଲା । ଛଡ଼ାପାଣି ମୁନ୍ଦାଏ ଦୁଆରେ ଛିଂଚିଲା  । 
ଅରୁଆ ଚାଉଳ ବାଟି ଘରେ ଝୋଟି ଦେଲା । ଷୋଳକୋଠି କରି ଦିବ୍ୟ ପଦ୍ମକ କାଟିଲା । 
ଦଶମୁଖ ଦୀପାବଳୀ ମଣ୍ଡଳେ ଜାଳିଲା । ଦଶବର୍ଷ ଫଳମୂଳ ମଣ୍ଡଳେ ବାଢ଼ିଲା । 
ସୂତାଦଶ ଖିଅନେଇ ମଣ୍ଡଳେ ଥୋଇଲା । ମନର ଚଞ୍ଚଳେ ପୁଣି ବେଗେ ଚଳିଗଲା । 
ଉଆ ଚାଉଳ ଯେ ଆଉ ଦୂବ ଦଶକେରା | ତାହା  ଚଣ୍ଡାଳୁଣୀ ମଣ୍ଡଳେ ଥୋଇଲା ||
ଧୂପ ଦୀପ ନଇବେଦ୍ୟ ଗନ୍ଧପୁଷ୍ପ ଦେଲା  | ଲକ୍ଷ୍ମୀନାରାୟଣ ବୋଲି ସୁମରଣ କଲା ||
ନମସ୍ତେ ନାମସ୍ତେ ମାଗୋ ହରିଙ୍କ ଘରଣୀ | ମୁହିଁ ଛାର ହିନଜାତି ନଜଣାଇ ପୁଣି ||
ଚଣ୍ଡାଳ ସାହିରେ ଘର ପୁଣି ଚଣ୍ଡାଳୁଣୀ । କିଞ୍ଚିତେ ଭକତି ମୋର  ଘେନ କମଳିନୀ ॥
 ଦାଣ୍ଡେ ଦାଣ୍ଡେ ଯାଉଥଲେ ବିଷ୍ଣୁ ପାଟରାଣୀ । ସହି ନ ପାରିଲେ ଚଣ୍ଡାଳୁଣୀର ଦୟିନୀ । 
ପଦ୍ମଫୁଲ ଦେଖି ତାଙ୍କ ବଳିଲା ଶରଧା । ଦୁଇପାଦ ଦେଇ ମାତା ପଦ୍ମ ହେଲେ ଉଭା ॥ 
ଚଣ୍ଡାଳୁଣୀ ଘରଗୋଟି ପାଇଲାକ ଶୋଭା । ଲକ୍ଷ୍ମୀ ବିଜେ କରିଛନ୍ତି କି ଉପମା ଦେବା । 
ବୋଇଲେ ଲୋ ଚଣ୍ଡାଳୁଣୀ ମାଗି ଘେନ ବର । ପ୍ରସନ୍ନ ହୋଇଲି ଦୁଃଖ ନାଶିବି ତୋହର ॥
 ଚଣ୍ଡାଳୁଣୀ କହୁଅଛି ଶିରେ କର ଦେଇ । କି ବର ମାଗିବି ମାଗୋ ମାଗି ନ ଜାଣଇ ॥ 
ଗୋ- ଗୋଷ୍ଠକୁ ଦେବୁ ମୋର ଲକ୍ଷେ ପଦ୍ମ ଗାଈ । କୁବେର ସମାନ ଧନ ଦେବୁ ମାତ ତୁହି ॥ 
କୋଳକୁ ନନ୍ଦନ ଯେ ହସ୍ତକୁ ସୁନାବାହି । ଚାରିଯୁଗେ ବସିବି ଅମର ବର ପାଇ । 
ଲକ୍ଷ୍ମୀ ଶୁଣି ବୋଇଲେ ତୁ ହୋଇଲୁ କି ବାଇ । ଏ ସମସ୍ତ ବର ତୋତେ ଦେଇତ ପାରଇ । 
ଅମର ବର ଦେବାକୁ ଶକ୍ତି ନାହିଁ ମୋର । ଏହି ବର ମାଗିଲୁ ତୁ କେମନ୍ତ ପ୍ରକାର||
ଯେତେ ଦିନ ଜୀଇଥବୁ ଐଶ୍ବର୍ଯ୍ୟ ଭୁଞ୍ଚିବୁ । ଅନ୍ତକାଳେ ଯାଇ ବିଷ୍ଣୁ ପଞ୍ଜରେ ପଶିବୁ I
 ମୋହର ଏ ବ୍ରତ କରୁଥୁବୁ ସବୁଦିନ । ଲକ୍ଷ୍ମୀନାରାୟଣ ପାଦେ ଥ‌ିବ ତୋର ମନ । 
ଶୁଣ ହେ ନାରଦ ଏଣେ ହରି ବଳରାମ । ମୃଗୟା ନିମେନ୍ତ ଯାଇଥିଲେ ଘୋରବନ ।
 ଯୋଗବଳେ ବଳରାମ ଏ କଥା ଜାଣିଲେ । ଡାକି କରି ଶ୍ରୀହରିଙ୍କୁ ଏମନ୍ତ କହିଲେ I 
ଦେଖ ଦେଖ କହ୍ନାଇ ତୋ ଭାରିଯା ଆଚାର । ଉଭା ହୋଇ ଅଛଇ ଯେ ଚଣ୍ଡାଳୁଣୀ ଘର ।
 ହାଡ଼ି ଘରେ ଥ‌ିବ ଲକ୍ଷ୍ମୀ ପାଣ ଘରେ ଥ‌ିବ । ସ୍ନାନ ନ କରିଣ ବଡ଼ ଦେଉଳେ ପଶିବ । 
ଏହି ରୂପେ ସବୁଦିନେ ଦେଉଳେ ପଶୁଛି । ଦୁଇଗୋଟି ଭାଇଙ୍କୁ ବିଟାଳ କରାଉଛି ।
 ଦରିଦ୍ର ଭଞ୍ଜନୀ ନାମ ଯେଣୁ ଅଛି ବହି । ଦରିଦ୍ରମାନଙ୍କ କଷ୍ଟ ନ ପାରଇ ସହି ॥| 
ସୁଦଶା ନାମରେ ଏକ ବ୍ରତ ଯେ ତାହାର । ଏହି ବ୍ରତେ ଚଣ୍ଡାଳୁଣୀ ପୂଜଇ ପୟର ॥ 
ଭାରିଯାରେ କାର୍ଯ୍ୟ ଯେବେ ଅଛିରେ କହ୍ନାଇ ।ଚଣ୍ଡାଳ ସାହିରେ ନଗ୍ର ତୋଳ ବେଗେ ଯାଇ ||
ଆମ୍ଭ ବାକ୍ୟ ମାନି ତାକୁ ଦିଅ ଘଉଡାଇ । ଏପରି ଘରଣୀ ଥିଲେ ଭଲ ଗତି ନାହିଁ I 
ଗୋବିନ୍ଦ ବୋଇଲେ ଭାଇ ଘଉଡ଼ାଇ ଦେବା । ଲକ୍ଷ୍ମୀପରା ଭାରିଯାକୁ ଆଉ କି ପାଇବା ||
ସେ ଯେବେ କରିଛି ଏମନ୍ତ କରିବା | ସ୍ଵର୍ଗପୁର ଲୋକଙ୍କୁ ହକାରି ଅଣାଇବା ॥
 ପାଞ୍ଚଲକ୍ଷ ଟଙ୍କାଦେଇ ଜାତି କରାଇବା । ଆଉ ବେଳେ ତା’ର ଯଦି ଅନୀତି ଦେଖିବା । 
ଦେଉଳ ଭିତରୁ ତାକୁ ଦେବା ଘଉଡ଼ାଇ । ଏକଥା ପ୍ରମାଣ ତୁମ୍ଭେ ଶୁଣ ଜ୍ୟେଷ୍ଠଭାଇ ॥ 
ନ ଜାଣି ଯେ ଦୋଷକଲେ ସିନ୍ଧୁ ରାଜଜେମା । ବାରେ ମାତ୍ର ଭାଇ ତାଙ୍କ ଦୋଷକର କ୍ଷମା ।
 ବଳରାମ ବୋଲୁଛନ୍ତି ସୁନା ଭାବଗ୍ରାହୀ | ତୋର ଲକ୍ଷ୍ମୀ ଥିଲେ ମିହୀନ ରହି ବଇଁ ନାହିଁ ||
ଭାରିଜା ଅଟଇ ସିନା ପାଦର ମାଣ୍ଡୋଇ | ଭାଇଥିଲେ କୋଟି ଭାର୍ଯ୍ୟା ମିଳି ଯେ ପାରଇ ॥ 
ଭାର୍ଯ୍ୟାଠାରେ ଲୋଭ ଯେବେ ଅଛିରେ କହ୍ନାଇ । ଚଣ୍ଡାଳ ସାହିରେ ତୁ ନଅର ତୋଳ ଯାଇ ॥ 
ମୋର ବଡ଼ ଦେଉଳକୁ ଆଉ ନ ଆସିବୁ । ମାଇପକୁ ଘେନି ଦାଣ୍ଡ ବାହାରେ ରହିବୁ ॥ 
ଧୀକାର ବଚନ ପ୍ରଭୁ ସହି ନ ପାରିଲେ । ଛାଡ଼ିବି ବୋଲିଣ ରଙ୍ଗ ଅଧରେ କହିଲେ I 
ଦେଉଳର ସିଂହଦ୍ୱାରେ ପ୍ରବେଶ ହୋଇଲେ । ଊର୍ଦ୍ଧ୍ଵମୁଖ ହୋଇ ପ୍ରଭୁ ନିଶ୍ଵାସ ଛାଡ଼ିଲେ ॥ 
ଶୁଣ ହେ ନାରଦ ତେଣେ ଶ୍ରୀୟା ଚଣ୍ଡାଳୁଣୀ । ପୂଜା କରୁଥିଲା ଲକ୍ଷ୍ମୀଙ୍କର ପାଦବେନି । 
ତାହାର ପୂଜାରେ ଦେବୀ ସନ୍ତୁଷ୍ଟ ହୋଇଲେ । ଯାରିଣ ଅନେକ ବର ପ୍ରଦାନ ଯେ କଲେ I 
କୁଟୀର ଖଣ୍ଡିକ ଥିଲା ବଲୁରିର ବାସ । ଲକ୍ଷ୍ମୀ ଦୟାକଲେ ତାକୁ ଚନ୍ଦନ ଉଆସ । 
ଯେଉଁ ଚଣ୍ଡାଳୁଣୀ ଘରେ ନ ଥିଲାକ ଅନ୍ନ । ଚାରିକୋଣେ ଦେଲେ ତାକୁ ଶୁଦ୍ଧ ଯେ ସୁବର୍ଣ୍ଣ ॥ 
ଯେଉଁ ଚଣ୍ଡାଳୁଣୀ ଘରେ ନ ଥିଲାକ ପୁତ୍ର । ଲକ୍ଷ୍ମୀ ଦୟା କଲେ ତା’ର ହେଲା ପାଞ୍ଚପୁତ୍ର ।
 ଧନ ପୁତ୍ରବତୀ ହୁଅ ବୋଲି ଯେ ବୋଇଲେ । ବରଦେଇଣ ସେଠାରୁ ବିଜେ କରିଗଲେ । 
ଲକ୍ଷ୍ମୀହେତୁ ଚଣ୍ଡାଳୁଣୀ ହେଲା ଭାଗ୍ୟବତୀ । ଏବେ ଶୁଣ ହେ ନାରଦ ଅପୂର୍ବ ଭାରତୀ ॥ 
ସିଂହଦୁଆରେ ବିଜୟ ଲକ୍ଷ୍ମୀ ମହାମାୟୀ । ଦେଖିଲେ ଦୁଆରେ ବସିଛନ୍ତି ବେନିଭାଇ ॥ 
ବୋଇଲେ ହେ ବାଟ ଛାଡ଼ ଭିତରକୁ ଯିବି | ଦଶମୀ ଯୋଗାଡ଼ ମୁହିଁ ମଣୋହି ରାନ୍ଧିବି ||
ଗୋବିନ୍ଦ ବୋଇଲେ ଲକ୍ଷ୍ମୀ ହୋଇଲ କି ବାଇ । ଚଣ୍ଡାଳ ସାହିକି ଯାଇଥୁଲ କାହିଁ ପାଇଁ ।
 ଆମ୍ଭେ ନ ଦେଖୁଣୁ ଯେ ଦେଖିଲେ ବଡ଼ ଭାଇ । ଆମ୍ଭେ ଦେଖିଥିଲେ ସିନା ଦିଅନ୍ତୁ ଘୋଡ଼ାଇ ॥
 ଯାଅ ଲକ୍ଷ୍ମୀ ତୁମ୍ଭରେ ଗୋ ଆଉ କାର୍ଯ୍ୟ ନାହିଁ । ଧ୍ୟାର ବହୁତ ମୋତେ କଲେ ବଡ଼ଭାଇ ॥ 
ହାଡ଼ିଦ୍ୱାରେ ଥିବ ଲକ୍ଷ୍ମୀ ଥୁବ ପାଣଦ୍ୱାରେ । ସ୍ନାନ ନ କରି ପଶୁଛି ଦେଉଳ ଭିତରେ ॥ 
ତା’ଠାରୁ ପାପିନୀ ଆଉ ସଂସାରରେ ନାହିଁ । ମୋହର ବଚନ ଏବେ ଶୁଣ ପ୍ରାଣ ସହି । 
ଜଗତେ ବୋଲନ୍ତି ତୋତେ ବାଇ ଠାକୁରାଣୀ । ବାଇ ପ୍ରାୟ ବୁଲୁଥାଉ ହୋଇ ମୋ ଘରଣୀ ।। 
ଏକ ଘର କରାଉ ସହସ୍ର ଘରଭାଙ୍ଗି । ସହସ୍ର ଘର କରାଉ ଏକ ଘର ଭାଙ୍ଗି ।। 
ଏମନ୍ତ ପ୍ରକାରେ ଲକ୍ଷ୍ମୀ ମହିମା ତୋହର । ଯାଅ ଲକ୍ଷ୍ମୀ ବାହାରିଗୋ ନ ଥାଅ ମୋ ଘର ॥ 
ତୋହଠାରେ କୋପ କରିଛନ୍ତି ଜ୍ୟେଷ୍ଠଭାଇ ।ଲକ୍ଷ୍ମୀଦେବୀ କହୁଛନ୍ତି ଠାକୁରଙ୍କୁ ଚାହିଁ |
 ଛାଡପତ୍ର ଦେଇ ମୋତେ ଦିଅ ଘଉଡ଼ାଇ | ଜଗନ୍ନାଥ କହୁଛନ୍ତି ଲକ୍ଷ୍ମୀମୁଖ ଚାହିଁ |
 ଆମ୍ଭ ଜାତିରେ ତା ଛାଡ଼ପତ୍ର ଚଳେନାହିଁ । ଛାଡ଼ିବା ଭାରିଜା ମୁଖ ଚାହିଁ ନ ଯୋଗାଇ |
ଲକ୍ଷ୍ମୀଦେବୀ କହୁଛନ୍ତି ଠାକୁରଙ୍କୁ ଚାହିଁ |ଯେତେବେଳେ ସାଗର ମଂଥିଲ ଦେବଜାଇ | 
ବେଦମନ୍ତ୍ରାଦି ସହିତେ ମତେ ପାଇଥିଲ |ସେତେବେଳ କଥା ଆହେ ପାଶୋରିଣ ଦେଲ । 
ମୋର ପିତା ବରୁଣ ଯେ ତୁମ୍ଭଙ୍କୁ ବରିଲା । କନକ ବେଦୀରେ ନେଇ ବିଭା କରାଇଲା । 
ଝିଅ ଦେଇ ଶରଣ ପଶିଲେ ତୁମଠାଇଁ | ଦଶଦୋଷ ମୋର କ୍ଷମା କରିବାର ପାଇଁ ||
ଦଶଗୋଟି ଦୋଷରୁ ଗୋଟିଏ ନ ସହିଲ । ପ୍ରଥମରେ ଚଣ୍ଡାଳୁଣୀ ବୋଲି ଗାଳିଦେଲ ॥ 
ବିଭା ବାସି ଦିନ ଜୁଆ ଖେଳିବାର ବେଳେ । ସାତବେଳ କଉଡ଼ି ଯେ ପାରିଲଇଁ ତଳେ ||
ତୁମ୍ଭେ ତୋଳି ଦିଅ ନାଥ ମୋହର ହସ୍ତରେ | ସୁବର୍ଣ୍ଣ କଉଡ଼ି ମୁହିଁ ଜାକିଲଇଁ କରେ I 
ଛଡ଼ାଇ ନ ପାରି ତୁମ୍ଭେ ବ୍ରହ୍ମାଣ୍ଡ ଠାକୁର । ମୋତେ ବୋଇଲ ଯା’ ଇଚ୍ଛା ମାଗି ଘେନବର । 
ଯାହା ମନ ବାଞ୍ଛା ଗୋ କରିବୁ ବଇଦେହୀ । ତାହା ମୁଁ ଅବଶ୍ୟ ଦେବି ଶୁଣ ପ୍ରାଣସହି ॥ 
କରପତ୍ର ଯୋଡ଼ିଣ ମୁଁ ବୋଇଲି ଉତ୍ତର । ସାବଧାନ ହୋଇ ଶୁଣ ବ୍ରହ୍ମାଣ୍ଡ ଠାକୁର ॥ 
ଅଷ୍ଟ ଦିନେ ପଡ଼ିବ ମୋହର ଗୁରୁବାର । ପଡ଼ି ଚରଚିବି ମୁହିଁ ସଭିଙ୍କର ଘର ॥ 
ପଡ଼ି ଚରଚିବି କୀଟୁ ବ୍ରହ୍ମ ପରିଯନ୍ତେ । ଏହି ଦୋଷ ମୋର ପ୍ରଭୁ ନ ଧରିବ ଚିତ୍ତେ ॥ 
ହେଉ ବୋଲି ଶ୍ରୀମୁଖରୁ ଆଜ୍ଞା ଅଛ ଦେଇ । ଏବେ କିମ୍ପା ସତ୍ୟ ଭଗ୍ନ ହେଉଛ ଗୋସାଇଁ । 
ଜଗନ୍ନାଥ କହୁଛନ୍ତି କୋପଭର ହୋଇ । ବାପ ତୋ ଲୁଣିଆ ଯେ ଗରଜି ମରୁଥାଇ । 
ଝିଅଟେରୀ ତୋ ଦୁର୍ଗୁଣ କହିଲେ ନ ସରେ । ବାପର ଗର୍ଜନ ଶବ୍ଦ କିଏ ରହିପାରେ । 
ଋରିପାଖେ ମେଘନାଦ ପାଚେରୀ ତୋଳାଇ | ବଡ ଦେଉଳରେ ରହିଅଛୁ ଦୁଇ ଭାଇ ||
ମହାଲକ୍ଷ୍ମୀ ବୋଲୁଛନ୍ତିଠାକୁରଙ୍କୁ ଋହିଁ । ଅଛବର ଘରେ ଦଣ୍ଡେ ଥିଲି ଉଭାହୋଇ ।
 ଅଛବ ବିଟାଳ ବୋଲି ଦିଅ ଘଉଡ଼ାଇ ॥ ପୁଣି ଜାତି କୁଳ ଗୋତ୍ର କହିଲ ଗୋସାଇଁ ।
 ପ୍ରଭୁ ହେତୁ ସବୁ ଯାଉଅଛି ଗୋପ୍ୟ ହୋଇ ॥ ତୁମ ଜାତି କୁଳର ତ ଠିକଣା ନ ଥାଇ । 
ତୁମ୍ଭ ଜାତି କୁଳ ଯେ କହିଲେ ନ ସରଇ । ଗଉଡ଼ ଘରେ ରହିଲ ଦୁଇଗୋଟି ଭାଇ ॥ 
ନିମା ନାମେ ସିପୁଟି ସେ ଜାତିରେ ଗୋଲକ । ତାହା ଘରେ ଜଗନ୍ନାଥ କଲ ଅନ୍ନଭକ୍ଷ ॥ 
ଦୂତ ପଣେ ଯାଇଥିଲ ହସ୍ତିନା ଭୂବନ । ବିଦୁର ଘରେ ଯେ ପୁଣି କରିଲ ଭୋଜନ । 
ଜାରାନାମେ ଶବର ଯେ ଅରଣ୍ୟରେ ଘର । ସେ ତୁମ୍ଭଙ୍କୁ ପୂଜିଲା ବରଷ ଦଶବାର । 
ଅରଣ୍ୟରୁ ଫଳମୂଳ ଖୋଜିଣ ଆଣଇ । ବସିଣ ପ୍ରଥମେ ଫଳମୂଳ ସେ ଚାଖଇ ॥ 
ପିତା କଷା ସବୁ ପ୍ରଭୁ ଆଡ଼ କରିଦେଇ । ଯେ ଫଳ ସୁଆଦ ତାହା ତୁମ୍ଭଙ୍କୁ ଭୁଞ୍ଜାଇ ॥
 ଶବର ବିଟାଳ ତୁମ୍ଭେ ବେନିଗୋଟି ଭାଇ । ଏକଥା କି ତୁମ୍ଭ ମନୁ ଗଲା ଭୁଲ ହୋଇ । 
ଆପଣେ ପାତକୀ ତୁମ୍ଭେ ପରନିନ୍ଦା କର । ପାପ ପୁଣ୍ୟ ଦୁଇ କଥା ବିଚାର ନକର । 
ଭାରିଜା ଯେ ଦୋଷକଲେ ପତି ତା ସହଇ । ଏକ ଅପରାଧେ ପ୍ରଭୁ ଭୂତ୍ୟେ କି ତେଜଇ ॥ 
କିମ୍ପା ନକର ଗୋସାଇଁ ଏମନ୍ତ ବିଚାର । ଯାଅ ଯାଅ ବୋଲୁଅଛ ମୋତେ ବାରମ୍ବାର ॥ 
ଜଗନ୍ନାଥ କହୁଛନ୍ତି ଏମନ୍ତ କରିବୁ । ମାଣେ ମାଣେ ପଡ଼ି ତୋତେ ନିତ୍ୟେ ଦେଉଥୁବୁ ॥ 
ଭାଇଙ୍କୁ ବୁଝାଇ ପଛେ ତୁମ୍ଭଙ୍କୁ ଆଣିବୁ । ଭାଇଙ୍କ ଆଜ୍ଞା ଅବଜ୍ଞା କେଭେ ନ କରିବୁ । 
ଲକ୍ଷ୍ମୀଦେବୀ କହନ୍ତି ପଡ଼ିରେ କାର୍ଯ୍ୟ ନାହିଁ । ଅନାଥ ଅରକ୍ଷ ପ୍ରାୟ ଯାଉଅଛି ମୁହିଁ I 
ରାଣ୍ଡୀ ଅଲକ୍ଷଣୀ ଝିଅ ମୁହିଁ ଯେ ନୁହଇ । ପିତାର ଘରକୁ ମୁଁ ଯେ ବାହାରି ଜୀବଇଁ ||
ତୁମ୍ଭ ଅଳଙ୍କାରମାନ ପ୍ରଭୁ  ନିଅ | ପଛରେ ମତେ ଯେ ଆଉ ବୋଲଣା ନଦିଅ । 
ଗୋବିନ୍ଦ ବୋଲନ୍ତି ଲକ୍ଷ୍ମୀ ହୋଇଲୁକି ବାଇ । ଅଙ୍ଗୁ ଅଳଙ୍କାର ଆମ୍ଭେ ନେବୁ କାହିଁ ପାଇଁ । 
ଭାରିଜାର ଅଙ୍ଗେ ଯେଉଁ ଅଳଙ୍କାର ଥାଏ । ସ୍ଵାମୀହୋଇ ତାହାଠାରୁ କାଢ଼ିଣ କି ନିଏ । 
ଠାକୁରାଣୀକହୁଛନ୍ତି ଶ୍ରୀମୁଖକୁ ଚାହିଁ । ତୁମ୍ଭର ଅଟଇ ମୁଁ ଯେ ପ୍ରଥମ ବିବାହୀ । 
ପଛରେ କହିବ ଲକ୍ଷ୍ମୀ ଆମ ଘରେ ଥିଲା । ସହସ୍ର ଟଙ୍କାର ଅଳଙ୍କାର ଘେନିଗଲା ।। 
ଏମନ୍ତ ଅଖ୍ୟାତି ମୋତେ ନ ଦିଅ ଗୋସାଇଁ । ତୁମ୍ଭ ଅଳଙ୍କାର ମାନ ନିଅ ବାହୁଡ଼ାଇ । 
ଶିରରୁ କାଢ଼ିଲେ ଲକ୍ଷ୍ମୀ ମୁକୁତାର ଜାଲି । ହୃଦରୁ କାଢ଼ିଲେ ଇନ୍ଦ୍ର ଗୋବିନ୍ଦ କାଞ୍ଚଲି । 
ଅଣ୍ଟାରୁ କାଢ଼ିଲେ ମାଏ ରତ୍ନ ଓଡ଼ିଆଣୀ । ନାସିକାରୁ କାଢ଼ିଲେ ସେ ମୁକୁତା ବସଣୀ ॥ 
ଦୁଇ କର୍ଣ୍ଣରୁ କାଢ଼ିଲେ ହୀରାର କୁଣ୍ଡଳ । ଗଳାରୁ କାଢ଼ିଲେ ଯେ ଦୋସରୀ ଚିନାମାଳ ।
 ପାଦରୁ କାଢ଼ିଲେ ଦେବୀବାଜେଣୀ ନୂପୁର । ଅଙ୍ଗୁଷ୍ଠିରୁ କାଢ଼ିଲେ ଯେ ଝୁଣ୍ଟିଆ ସମ୍ୱର ॥ 
ଅନ୍ୟ ଅଳଙ୍କାରମାନ କି କହିବି ଆଉ । ରୁଣ୍ଡ କଲାରୁ ଦିଶିଲା ସବୁ ଦାଉ ଦାଉ ।
ସବୁ ଅଳଙ୍କାରମାନ ଏକଠାବ କଲେ | ରଖ ଦୀନବନ୍ଧୁ ଏହା ବୋଲି ସମର୍ପିଲେ । 
ଗୋବିନ୍ଦ କହନ୍ତି ଏହା କିକରିକୁ ନେଇ । ଆମ୍ଭର ଏ ଅଳଙ୍କାରେ ପ୍ରୟୋଜନ ନାହିଁ ।
 ଗୃହସ୍ଥ ହୋଇଣ ଯେବେ ଭାର୍ଯ୍ୟାକୁ ତେଜଇ । ଛ’ମାସକୁ ଭାତ ଲୁଗା ଦେଖିଣ ଦିଅଇ ।।
 ଏହି ଅଳଙ୍କାର ସବୁ ତୁମ୍ଭେ ଘେନିଯାଅ । ବିକି ଭାଙ୍ଗିକରି ଭାତ ଲୁଗା କରୁଥାଅ । 
ଲକ୍ଷ୍ମୀଦେବୀ କହୁଛନ୍ତି ପ୍ରଭୁ ମୁଖ ଚାହିଁ । ସାବଧାନ ହୋଇ ଶୁଣ ବ୍ରହ୍ମାଣ୍ଡ ଗୋସାଇଁ । 
ମୋହ ତୁଲେ ଆଉ ଯେଉଁ ଭାରିଜା ଆଣିବ | ଏହିସବୁ ଅଳଙ୍କାର ତାହାକୁ ଯେ ଦେବ ||
ମୁହିଁ ଯାଉଅଛି ହୀନା ଅରକ୍ଷିତା ହୋଇ । ମୋହ ଅଭିଶାପ ଘେନ ପ୍ରଭୁ ଭାବଗ୍ରାହୀ ।। 
ସତେ ଯେବେ ସୂର୍ଯ୍ୟ ଚନ୍ଦ୍ର ହୋନ୍ତି ଆତଯାତ । ତୁମ୍ଭଙ୍କୁ ଅନ୍ନ ନ ମିଳୁ ଆହେ ଜଗନ୍ନାଥ । 
ବାରବର୍ଷ ଯାଏ ତୁମ୍ଭେ ଦରିଦ୍ର ହୋଇବ । ଅନ୍ନ ବସ୍ତ୍ର ଜଳ ଯେ ତୁମ୍ଭଙ୍କୁ ନ ମିଳିବ ॥ 
ମୁହିଁ ଚଣ୍ଡାଳୁଣୀ ଯେବେ ଟେକିଦେବି ଅନ୍ନ । ଭୋଜନ କରିବ ତେବେ କାଳୀୟ ଗଞ୍ଜନ । 
ଏତେ ବୋଲି ଲକ୍ଷ୍ମୀଦେବୀ ଶାପ ଦେଇ ଗଲେ । ଦେଉଳୁ ବାହାର ହୋଇ କେତେଦୂର ଗଲେ I
ଏହାଦେଖି ଦାସୀ ମାନେ ସଂଗେ ଗୋଡ଼ାଅନ୍ତି | ଦାସୀଙ୍କୁ ଅନାଇ ଲକ୍ଷ୍ମୀଦେବୀ ବୋଲୁଛନ୍ତି ॥ 
ମୁହିଁ ଯାଉଅଛି ହୀନ ଅଲକ୍ଷଣୀ ହୋଇ । ମୋର ପଛେ ତୁମ୍ଭେମାନେ ଆସୁଛ କିମ୍ପାଇଁ ।
 ଏହିପରି ହୋଇ ଯେବେ ପିତାଘର ଯିବି । ଚାରିଦିନ ମାତ୍ରକରି ରହି ନ ପାରିବି । 
ଜଗନ୍ନାଥ ପ୍ରାୟବନ୍ଧୁ ପିତାଘର ଯିବେ । ତାଙ୍କୁ ଦେଖି ପିତା ମୋତେ ସମର୍ପଣ ଦେବେ ।
 ଶାପ ଦେବା ଫଳ ମୋର ହେବ ଅକାରଣ । ଦରିଦ୍ର ନୋହିବେ ପ୍ରଭୁ ଦେବ ଭଗବାନ ।। 
ଏତେ ବୋଲି ଲକ୍ଷ୍ମୀଦେବୀ ମନେ ଚିନ୍ତାକଲେ । ବିଶ୍ବକର୍ମାକୁ ଯେ ମାଏ ମନେ ସୁମରିଲେ ।
ବୈକୁଣ୍ଠ ପୁରରେ ବିଶ୍ୱକର୍ମା ରହିଥିଲେ | ସ୍ମରଣ ମାତ୍ରକେ ଲକ୍ଷ୍ମୀ ଛାମୁରେ ମିଳିଲେ  । 
କିସ ଆଜ୍ଞା ହେଉ ମୋତେ ଲକ୍ଷ୍ମୀ ମହାମାୟୀ । ଶୁଣି ଆଜ୍ଞାଦେଲେ ବିଶ୍ଵକର୍ମାକୁ ଯେ ଋହିଁ ॥ 
ଚଣ୍ଡାଳୁଣୀ ବାଦେ ପ୍ରଭୁ ଦେଲେ ଘଉଡ଼ାଇ । ପାରିବୁକି ଖଣ୍ଡିଏ କୁଡ଼ିଆ ତୋଳିଦେଇ । 
ଆଜ୍ଞା ମାତ୍ରେ ବିଶ୍ୱକର୍ମା ବେଗେ ଚଳିଗଲା । ତିନିକ୍ରୋଶ ପ୍ରମାଣେ ଉଆସ ତୋଳାଇଲା । 
ସୁବର୍ଣ୍ଣର କାନ୍ଥମାନ ସବୁଘରେ କଲେ । ହୀରାନୀଳା ମାଣିକ୍ୟାଦି ତହିଁ ଖଞ୍ଜାଇଲେ I 
ଗଣ୍ଠିତଳେ ଅନେକ ମୁକୁତା ଲଗାଇଲେ । ପ୍ରବାଳ ସ୍ତମ୍ଭମାନ ତହିଁରେ ରଚିଲେ ।
 ପୁର ଦେଖି କମଳିନୀ ସନ୍ତୁଷ୍ଟ ହୋଇଲେ | ବିଶ୍ୱକର୍ମାକୁ ବହୁତ ପ୍ରଶଂସା ଯେ କଲେ I 
ବୈକୁଣ୍ଠ ପୁରକୁ ବିଶ୍ୱକର୍ମା ଚଳିଗଲେ । ଅଷ୍ଟବେତାଳଙ୍କୁ ଡାକି ଦେବୀ ଆଜ୍ଞା ଦେଲେ ||
ଅଷ୍ଟ ବେତାଳ ରେ ତୁମ୍ଭେ ଏମନ୍ତ କରିବ | ପ୍ରଥମେ ରୋଷାଇ ଶାଳେ ଯାଇଣ ପଶିବ । 
ଷାଠିଏ ପଉଟି ଭୋଗ ଭୁଞ୍ଜିବ ଯେ ତହିଁ । ତେରପୌଟି ବ୍ୟଞ୍ଜନ ଖାଇବ ହର୍ଷହୋଇ ।
 ଶାଗମୁଗ ମଧୁରୁଚି ତିକ୍ତ କାଞ୍ଜିରାଇ । ଆମ୍ବିଳ ଖାଇବ ଖଣ୍ଡଶାକର ମିଶାଇ । 
ଅମୃତ ମଣୋହି ମାନ ଭୋଜନ କରିବ । ହାଣ୍ଡିମାନ ନେଇ ଏକଠାବେ କରଡ଼ିବ । 
ତହୁଁ ଯାଇଣ ଭଣ୍ଡାର ମଧ୍ୟରେ ପଶିବ । ବାଉନକୋଟି ଭଣ୍ଡାର ବୋହିଣ ଆଣିବ । 
କାଣି କଉଡ଼ି କଡ଼ାର ଦ୍ରବ୍ୟ ନ ରଖୁବ । ସବୁ ବୋହି ଆଣି ମୋହ ପାଶେ ସମର୍ପିବ ||
ବେତାଳେ ବୋଇଲେ ମହାଲକ୍ଷ୍ମୀ ମୁଖ ଚାହିଁ | କେମନ୍ତ କରିଣ ତହୁଁ ଆଣିବୁ ବୁହାଇ ॥ 
ଜଗନ୍ନାଥ ମହାପ୍ରଭୁ ତହିଁ ଚେଇଁଥ‌ିବେ । ଆମ୍ଭଙ୍କୁ ଦେଖିଣ କାଳେ ପରାଭବ ଦେବେ ॥ 
ଶୁଣି କମଳିନୀ ନିଦ୍ରାବତୀକି ରାଇଲେ ।ବହନ ମୋ ବୋଲକର ବୋଲିଣ ବୋଇଲେ ||
ରାମକୃଷ୍ଣ ନୟନରେ ନିଦ୍ରା ଯେ ଘାରିବୁ । କାଲି ବେଳ ଦୁଇଘଡ଼ି ଯାଏ ନ ଛାଡ଼ିବୁ ।
 ଆଜ୍ଞାପାଇ ନିଦ୍ରାର୍ବତୀ ଶୀଘ୍ର ଚଳିଗଲେ । ରାମକୃଷ୍ଣ ନୟନରେ ନିଦ୍ରା ଯେ ଘାରିଲେ I
ପାକଶାଲା ରେ ବେତାଳେ ପ୍ରବେଶ ହୋଇଲେ | ତହିଁ ଥିବା ପାକଦ୍ରବ୍ୟ ସମସ୍ତ ଖାଇଲେ । 
ହାଣ୍ଡିମାନ ସବୁ ଏକଠାବେ କରଡ଼ିଲେ । ଭଣ୍ଡାର ଘରରେ ଅଷ୍ଟବେତାଳେ ପଶିଲେ । 
ଯେତେ ଦ୍ରବ୍ୟ ପୂର୍ଣ୍ଣ ହୋଇ ରହିଥିଲା ତହିଁ । ବାଉନକୋଟି ଭଣ୍ଡାର ଆଣିଲେ ବୁହାଇ । 
ରାତ୍ର ଷୋଳ ଘଡ଼ିଯାକ ବେତାଳ ଯେ ତହିଁ । କୁଲାରୁ ଛାଞ୍ଚୁଣିଯାଏ ସବୁ ନେଲେ ବୋହି ॥ 
ଦେଖିକରି ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇଲେ । ତୁମ୍ଭେ ଆଜି ପୁତ୍ରପଣ କରିଲ ବୋଇଲେ ॥ 
ପ୍ରଶଂସା କରିଣ ମାଏ ବଚନ ଯେ କହି । ସବୁ ଦ୍ରବ୍ୟ ଆଣିଲତ ରତ୍ନଖଟ କାହିଁ ॥ 
ପାଞ୍ଚଲକ୍ଷ ଟଙ୍କା ମୂଲ୍ୟ ସେ ଖଟ ଅଟଇ । ଯାଅରେ ବେତାଳେ ଏବେ ଖଟ ଆଣ ବୋହି ॥ 
ଯେବେ ଜଗନ୍ନାଥ ପ୍ରଭୁ ମୋତେ ନ ଖୋଜିବେ । ନାରୀଙ୍କୁ ପୁରୁଷମାନେ ଆଉ ନ ଲୋଡ଼ିବେ ॥
 ମୋତେ ଘେନି ପ୍ରଭୁ ଯେବେ ନ କରିବେ ଘର । କଳିଯୁଗେ ନାରୀଙ୍କି ଯେ ନ ଖୋଜିବେ ନର ॥ 
ବେତାଳେ ବୋଲୁଅଛନ୍ତି ରାମ ମୁଖ ଚାହିଁ | ରତ୍ନଖଟେ ସୋଇଛନ୍ତି ଦୁଇଗୋଟି ଭାଇ | 
କୋଟି ସିଂହ ପରାକ୍ରମ ପ୍ରଭୁ ବଳରାମ । ପୁଣି ତହିଁ ଶୋଇଛନ୍ତି କାଳୀୟ ଗଞ୍ଜନ II
ସାତଗୋଟି ପର୍ବତରୁ ଅଟଇ ଯେ ଗରୁ | ନାମ ବହି ଅଛନ୍ତି ଅଚଳ ମହାମେରୁ ॥ 
ମହାଲକ୍ଷ୍ମୀ ବୋଇଲେରେ ଏମନ୍ତ କରିବ । ଦଉଡି଼ଆ ଖଟ ଏକ ଗୋଟି ଯେ ଆଣିବା ||
ରାମକୃଷ୍ଣ ଦୁହିଁଙ୍କୁ ଯେ ଗାଡ଼ାଇଣ ଦେବା |ଶୋଇବାର ରତ୍ନଖଟ ବୋହିଣ ଆଣିବ ।
 ଏହା ଶୁଣି ବେତାଳେ ଯେ ଶୀଘ୍ର ଚଳିଗଲେ । ରତ୍ନଖଟ ପାଶେ ଦଉଡ଼ିଆ ଖଟ ଦେଲେ ।
 ବଳରାମଙ୍କୁ ପ୍ରଥମେ ଧଇଲେକ ଯାଇ । ଦଉଡ଼ିଆ ଖଟକୁ ଯେ ଦେଲେ ଗଡ଼ିଆଇ ॥ 
ଏ ଉତ୍ତାରୁ ଜଗନ୍ନାଥ ପ୍ରଭୁଙ୍କୁ ଧଇଲେ । ଦଉଡ଼ିଆ ଖଟ ଉପରକୁ ଗଡ଼ାଇଲେ ||
ଶୋଇବାର ରତ୍ନଖଟ ଆଣିଲେକ ବହି | ମହାଲକ୍ଷ୍ମୀ ଆଗେ ଦେଲେ ଆନନ୍ଦରେ ନେଇ । 
ବଳରାମ ପିନ୍ଧିବାର ପାଟ ବୋହି ନେଲେ । ଜଗନ୍ନାଥ ପିନ୍ଧିବାର ନେତ ଘେନିଗଲେ । 
ଦେଖିକରି ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇଲେ । ଅଷ୍ଟବେତାଳଙ୍କୁ ବର ଯାଚିଣ ଯେ ଦେଲେ । 
ଆରେ ଅଷ୍ଟ ବେତାଳ ରେ ଏମନ୍ତ କରିବ | ବୈକୁଁଠ ପୁରରେ ଯାଇ ସୁଖରେ ରହିବ ||
ଆଜ୍ଞା ପାଇଣ ବେତାଳଗଣ ବେଗେ ଗଲେ । ବୈକୁଣ୍ଠପୁରରେ ଯାଇ ପ୍ରବେଶ ହୋଇଲେ । 
ମହାଲକ୍ଷ୍ମୀ ତହୁଁ ଏକ କଥା ବିଚାରିଲେ । ସରସ୍ୱତୀ ଦେବୀଙ୍କୁ ଯେ ହୃଦେ ସୁମରିଲେ ।
 ବୋଇଲେ ଗୋ ସରସ୍ୱତୀ ଏମନ୍ତ କରିବ । ରାଜ୍ୟ ରାଜ୍ୟ ହୋଇ ଘର ଘର ବୁଲୁଥିବ ||
ସର୍ବଦ୍ୱାରେ ଜଗନ୍ନାଥ ବୁଲିବେକ ଯାଇ । ସର୍ବ କଣ୍ଠେ ସରସ୍ଵତୀ ବିଜେ କର ତୁହି ।
 ଅନ୍ନ ପାଣି କେହି ତାଙ୍କୁ କିଛି ହିଁ ନ ଦେବେ । ଏତେ ଦୁଃଖ ପାଇଲେ ଯେ ମୋତେ ସୁମରିବେ ॥ 
ଆରାମ ଦାୟିନୀ ରାତ୍ର ସୁଖରେ ପାହିଲା । ବେଳ ଦୁଇଘଡ଼ିକରେ ନିଦ୍ରା ଯେ ଭାଜିଲା ॥ 
ବଳରାମ କହୁଛନ୍ତି ଶୁଣରେ କହ୍ନାଇ । ଗହଳ ଚହଳ ଆଜି କିଛି ଶୁଭୁନାହିଁ । 
ମୁଦିରଥ ପଣ୍ଡାର ତ ତୁଣ୍ଡ ଶୁଭୁ ନାହିଁ । ଦାସୀ ପରିବାରୀ ଯେ ପରିଛା ଗଲେ କାହିଁ | 
ଶ୍ରୀମୁଖ ପଖାଳିବାକୁ ଜଳ ନ ମିଳଇ । କି ବୁଦ୍ଧି କରିବା ଏବେ କାହାରେ କହ୍ନାଇ ||
ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ | ଲକ୍ଷ୍ମୀ ଛାଡ଼ିଗଲାରୁ ଯେ ଏମନ୍ତ ହୁଅଇ । 
ବଳରାମ କହୁଛନ୍ତି ଶୁଣରେ କହ୍ନାଇ । ଭାର୍ଯ୍ୟା ଛାର ଏମନ୍ତକୁ କହୁଅଛୁ ତୁହି ।। 
କାହାର ଭାରିଜା ଯେବେ ରୁଷି ହଜିଯାଏ | ତାର ଗୃହସ୍ଥ କି ଭାତ ରାନ୍ଧିଣ ନ ଖାଏ ||
ଭଣ୍ଡାର ଘରକୁ ବିଜେ କଲେ ଦୁଇ ଭାଇ | ଭଣ୍ଡାରେ ଦେଖିଲେ କିଛି ପଦାର୍ଥ ଯେ ନାହିଁ ||
ବଳରାମ କହୁଛନ୍ତି କାହିଁ କିସ ହେଲା | ବାଉନ କୋଟି ଭଣ୍ଡାର ତକ ଘେନି ଗଲା । 
ଲକ୍ଷେଜୀବ ଖାଇଲେ ବୋହିଲେ ନ ସରଇ । କ୍ଷଣକ ଭିତରେ କିଏ ଘେନି ଗଲା ||
ସୁବର୍ଣ୍ଣ ମୁଦିଏ ବଳରାମ ଯେ ପାଇଲେ | ସାତଗୋଟି ଗଣ୍ଠିଦେଇ କାନିରେ ବାନ୍ଧିଲେ । 
ଜଗନ୍ନାଥ ବୋଇଲେ ହୋ କି ପାଇଲ ଭାଇ । ବଳରାମ କହୁଛନ୍ତି ଧନ ପାଇଲଇଁ । 
ଜଗନ୍ନାଥ କହୁଛନ୍ତି ବଳରାମ ଭାଇ । ବେଙ୍ଗି ପିତ୍ତଳ ଖଣ୍ଡକ ରଖ କାହିଁପାଇଁ ।। 
ବଳରାମ କହୁଛନ୍ତି କି କଥା ଘଟିଲା । ପାଇଥିବା ସ୍ଵର୍ଣ୍ଣ ବେଙ୍ଗି ପିତ୍ତଳ ହୋଇଲା ।। 
ଶୁଦ୍ଧ ସୁବର୍ଣ୍ଣରେ ଯେଉଁ ଧନ ହୋଇଥିଲା । ଭାଗ୍ୟକୁ କାଣୀ କଉଡ଼ି ସମାନ ନୋହିଲା ॥ 
ସେଠାରୁ ବାହାରି ଗଲେ ଦୁଇଗୋଟି ଭାଇ । ପାକଶାଳା ଦ୍ଵାରେ ଯେ ପ୍ରବେଶ ହେଲେ ଯାଇ । 
ବଳରାମ ଠିଆ ହେଲେ ଦୁଆର ମୁହଁକୁ । ଜଗନ୍ନାଥ ପଶିଗଲେ ରୋଷାଇ ଘରକୁ । 
ଦେହରେ ଲାଗିଲା କଳା ମୁହଁରେ ଲାଗିଲା । କଳା ଶ୍ରୀମୁଖ ଗୋଟିକ ଝଲକି ଦିଶିଲା |
ବଳରାମ କହୁଛନ୍ତି ସୁଣ ଜଗନ୍ନାଥ | ବଡ଼ ଖିଆ ବୋଲି ତୋତେ ବୋଲନ୍ତି ଜଗତ | 
ମୋତେ ଅନ୍ନ ନ ଦେଇଣ ସବୁ ଖାଉ ତୁହି । ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠଭାଇ ॥-
ଅନ୍ନ କାହୁଁ ମିଳିବ ଯେ ଚୁଲି ସୁଦ୍ଧା ନାହିଁ । ନ ବୁଝି ଏପରି କିମ୍ପା କହୁଛ ଗୋସାଇଁ ॥
ସେଠାରୁ ଯାଇ ଦେଖିଲେ ଧାନର ମରାଇ । ଲକ୍ଷ ଲକ୍ଷ ଭରଣ ଯେ ଧାନ ଯହିଁ ଥାଇ । 
ଦେଖିଲେ ଅଗାଡ଼ି ତହିଁ ଗୋଟିଏ ଯେ ନାହିଁ । ତହୁଁ ଗଲେ ଦୁଇ ଭାଇ ନିରାଶ ଯେ ହୋଇ ||
ଇନ୍ଦ୍ରଦ୍ୟୁମ୍ନ କୂଳେ ଯାଇ  ପ୍ରବେଶ ହୋଇଲେ । ଟୋପାଏ ସୁଦ୍ଧା ଯେ ପାଣି ତହିଁ ନ ଦେଖିଲେ । 
ବଡ଼ ଦେଉଳରେ ଯାଇ ପ୍ରବେଶ ହୋଇଲେ । ସେ ଦିନ ଉପବାସ କରିଣ ରହିଲେ I 
ବେଳ ଦୁଇ ଘଡ଼ିକରେ ନିଦ୍ରା ଯେ ଭାଜିଲା । ମୁଖ ପ୍ରକ୍ଷାଳନ ଅର୍ଥେ ପାଣି ନ ମିଳିଲା ॥
 କି ବୁଦ୍ଧି କରିବା ଏବେ ବୁଦ୍ଧି ଦିଶୁନାହିଁ । ବଳରାମ କହୁଛନ୍ତି ଶୁଣରେ କହ୍ନାଇ ।। 
କାଲି ଉପବାସରେ ରହିଲୁ ଦୁଇଭାଇ । ଆଜି ପାଦେ ଯିବାକୁତ ବଳ ପାଉନାହିଁ । 
କେଉଁଠାରୁ ଯେବେ ଆଜି ନ ମିଳିବଅନ୍ନ । କେମନ୍ତ ପ୍ରକାରେ ଆମ୍ଭେ ଧରିବା ଜୀବନ ॥ 
ବଳରାମ କହୁଛନ୍ତି ଶୁଣ ଆରେ ବାବା । ନଗରରେ ଭିକ୍ଷା ମାଗି ଜୀବନ ପୋଷିବା ।
କାନ୍ଧରେ ପକାଇ ଛିଣ୍ଡା ଉତ୍ତରୀ ପଇତା । ହସ୍ତରେ ଧଇଲେ ଦୁଇଭାଇ ଭଙ୍ଗାଛତା | 
ଚିତା ଘେନିବାକୁ ଜଳ କାହିଁ ନପାଆନ୍ତି । ଯାହା ଘର ଠାକୁ ପାଣି ମାଗିବାକୁ ଯାନ୍ତି । 
ଚୋର ଖଣ୍ଟ ବୋଲି ମାରି ଘଉଡ଼ାଇ ଦ୍ୟନ୍ତି । ସେ ଠାବରୁ ଦୁଇଭାଇ ଭୟେ ପଳାବନ୍ତି । 
ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ । ବଡ଼ ପଣ୍ଡା ଘରକୁ ହେ ଚାଲ ଏବେ ଯାଇ । 
ହସ୍ତ ଧରାଧରି ହୋଇ ଦୁଇ ଭାଇ ଗଲେ । ବଡ଼ପଣ୍ଡା ଘରଠାରେ ପ୍ରବେଶ ହୋଇଲେ I 
ବଧୂ ତା’ର କହଇ ଯେ ଶାଶୁ ଆଗେ ଯାଇ । ବ୍ରାହ୍ମଣ ଯେ ଦୁଇ ଗୋଟି ଆସିଛନ୍ତି ଧାଇଁ ।
 ଶାଶ ରାଣ୍ଡ ତ ତାହାଙ୍କୁ ଚିହ୍ନି ନ ପାରିଲା । ଧାଇଁ ଯାଇ ବେଗେ ଦାଣ୍ଡ କବାଟ କିଳିଲା ।
 ଆସ ଆସ ବୋହୂଏ ଲୋ ଠେଙ୍ଗା ବାଡ଼ି ନେଇ । ଚୋର କି ଖଣ୍ଟ ଏ ଦୁହେଁ ଦେବା ଘଉଡ଼ାଇ ॥ 
ଶୁଣି ଦୁଇଭାଇ ତହୁଁ ଡରେ ପଳାଇଲେ । ସାମବେଦ ଯଜୁବେଦ ଦୂରେ ଉଚ୍ଚାରିଲେ । 
ଶୁଣି ଶୁଷ୍କ ତରୁଗଣ ପଲ୍ଲବୀ ଉଠିଲେ । ଭିକ୍ଷୁକ ବ୍ରାହ୍ମଣ ବୋଲି ବ୍ରାହ୍ମଣୀ ଚିହ୍ନିଲେ ॥ 
ଦୁଇ ଭାଇଙ୍କୁ ଯେ ଡାକି ତହୁଁ ବସାଇଲା । ଖୁଦ ମଳୁଖ ମିଶାଇ ସତ୍ଵରେ ରାନ୍ଧିଲା ।
 ଅଫିଟା କଦଳୀ ମଞ୍ଜ ଦୁଇଖଣ୍ଡ ଆଣି । ବେନି ଭାଇ ପକାଇଣ ସିଞ୍ଚିଲେକ ପାଣି ॥ 
କଂସା ଘେନି ବ୍ରାହ୍ମଣୀ ଯେ ଅନ୍ନ ଆଣିଗଲା । ଅନ୍ନ କି ବାଢ଼ିବ ତା’ର ହାଣ୍ଡି ଉଭାଇଲା । 
ଲକ୍ଷ୍ମୀଦ୍ରୋହୀ ପୁରୁଷ ଏ ବୋଲିଣ ଜାଣିଲା । ପାକଶାଳାରୁ ଲେଉଟି ପାଖରେ ମିଳିଲା । 
ଦୁଇ ଗୋଟି ଭାଇଙ୍କର ହସ୍ତକୁ ଧଇଲା । କଟୁକଥା କହି ନେଇ ଦାଣ୍ଡରେ ଛାଡ଼ିଲା ! 
ତହୁଁ ଦୁଇ ଜଣ ଯେ ନିରାଶ ହୋଇଗଲେ । କବୀର ସାହିରେ ଯାଇ ପ୍ରବେଶ ହୋଇଲେ । 
କ୍ଷୁଧାର୍ତ୍ତ ବ୍ରାହ୍ମଣ ବୋଲି କବୀର ଜାଣିଲେ । ଖଇ ମାଣ ଚାରି ପାଞ୍ଚ ଆଣି ବେଗେ ଦେଲେ ।
 ଅନ୍ତର୍ଗତେ ଜାଣିଲେ ଯେ ଦେବୀ କମଳିନୀ । ପବନକୁ ଡାକି ଆଜ୍ଞାଦେଲେ ସେହିକ୍ଷଣି ।
 ଆରେ ପବନ ତୁହି ତ ବେଗେଚଳିଯିବୁ । ଖଇ ଚାରି ପାଞ୍ଚ ମାଣ ଉଡାଇଣ ନେବୁ । 
ଆଜ୍ଞା ପାଇ ପବନ ଯେ ବେଗେ ଚଳିଗଲା । ପ୍ରଭୁଙ୍କ ଆଗରୁ ଖଇ ଉଡ଼ାଇଣ ନେଲା ॥ 
ବଳରାମ କହୁଛନ୍ତି ଶୁଣରେ କହ୍ନାଇ । ପ୍ରାଣଗଲା ବେଳେ ଜାତିକୁଳ ଲୋଡୁ କାହିଁ ॥ 
ପଦ୍ମ ପୋଖରୀକୁ ଚାଲ ଯିବା ଦୁଇ ଭାଇ । ପଦ୍ମ ମୂଳ ଖାଇ ପ୍ରାଣ ବଞ୍ଚାଇବା ତହିଁ ॥ 
ଫଳ ପୁଷ୍ପ କରି ତହୁଁ ଗୁଡ଼ିଏ ଖାଇବା । ଅଧୂକ ମିଳିଲେ କିଛି ସଞ୍ଚିଣ ରଖିବା । 
ଏମନ୍ତ ବିଚାର କରି ଦୁଇଭାଇ ଗଲେ । ପଦ୍ମ ପୁଷ୍କରିଣୀରେ ଯେ ପ୍ରବେଶ ହୋଇଲେ ॥ 
ପଦ୍ମପୋଖରୀରେ ସାତ ତାଳ ପାଣି ଥିଲା । ଲକ୍ଷ୍ମୀ ଆଜ୍ଞାମାତ୍ରେ ସବୁ ପଙ୍କ ହୋଇଗଲା । 
ଜଗନ୍ନାଥ କହୁଛନ୍ତି କି ବୁଦ୍ଧି କରିବା । ଜଳ ନାହିଁ ଫଳ ଏଥୁ କାହିଁରୁ ପାଇବା ।। 
ଏହା କହି ଦୁଇଜଣ ତହୁଁ ଚଳିଗଲେ । ଯାଉ ଯାଉ ବାଟେ ଏକ ଯୋଗୀକି ଭେଟିଲେ ।
ଜଗନ୍ନାଥ କହୁଛନ୍ତି ସୁଣ ଆହେ ନାଥ | ତୁମ୍ଭର ଥାଳରୁ ଯେ ଆମ୍ଭକୁ ଦିଅ ଭାତ ॥ 
ସଦାନନ୍ଦ ବୋଲେ ରାମକୃଷ୍ଣ ମୁଖ ଚାହିଁ । ଲକ୍ଷ୍ମୀ ଦ୍ରୋହୀ ହୋଇଅଛ ତୁମ୍ଭେ ଦୁଇ ଭାଇ ॥ 
ଦୁଧ ଅନ୍ନରେ ଯେ ମୋର ଥାଳ ପୂରିଥିଲା । ତୁମ୍ଭେ ମାଗନ୍ତେଣ ଅନ୍ନ ଶୂନ୍ୟ ହୋଇଗଲା । 
ଅନ୍ନ ଜଳ ନ ମିଳିବ ତୁମ୍ଭଙ୍କୁ ଯେ କାହିଁ | ସମୁଦ୍ର କୂଳକୁ ବେଗେ ଯାଅ ଦୁଇ ଭାଇ ||
ମୁହିଁ ଯାଇଥିଲି ମୋତେ ଅନ୍ନ ଥିଲେ ଦେଇ । ଖାଇଲେ ବହିଲେ ସେହି ଅନ୍ନ ନ ସରଇ ।
 ଏହି ରୂପେ ସତ୍ୟାନନ୍ଦ ବାଟ କହିଦେଲେ | ଯିବା ବୋଲି ଦୁଇଭାଇ କମର ବାନ୍ଧିଲେ । 
ହଟି କମଳିନୀ ତହୁଁ ହଟ ଭିଆଇଲେ । ସୂର୍ଯ୍ୟଙ୍କୁ ଡାକିଣ ଦେବୀ ବେଗେ ଆଜ୍ଞା ଦେଲେ । 
ଅତିଶୀଘ୍ର ଟାଣଖରା କରି ବେଗେ ଯାଇ । ବାଲି ମାଟି ତାତୁ ବେଗେ ଡହ ଡହ ହୋଇ । 
ତାତିବ ଖରାରେ ଯେହ୍ନେ ଭାଜିବାର ବାଲି । ପାଦେ ମାତ୍ର କେହି ତହିଁ ନ ପାରିବେ ଚାଲି ।
 ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠଭାଇ । ଏତେ ବଡ଼ ଖରାରେ ମୁଁ ଚାଲି ନ ପାରଇ ॥ 
ବେଗ ବେଗ ହୋଇ ତୁମ୍ଭେ ଯାଉଅଛ ଧାଇଁ । ବୁଦ୍ଧି ଦିଶୁନାହିଁ ଏବେ କିସକରିବଇଁ ||
ଶୁଣି ନ ଶୁଣିଲା ପରି ବଳଦେବ ଗଲେ | କମଳାଙ୍କ ସିଂହ ଦ୍ୱାରେ ପ୍ରବେଶ ହୋଇଲେ ॥ 
ସିଂହଦ୍ୱାରେ ପ୍ରବେଶିଣ ଡାକିଲେକ ଯହୁଁ । ଡାକ ଶୁଣି ଦାସୀମାନେ ଅଇଲେକ ତହୁଁ ॥ 
କେଉଁ ଦାସୀ କହୁଅଛି ଶୁଣ ଆଗୋ ସହି । ଏପରି କାଙ୍ଗାଳ ମୁଁ ଯେ କାହିଁ ଦେଖି ନାହିଁ । 
ଏହିପରି ମୋଟା ହୋଇ ଗୋଟାଏକ ଥିଲା । ଆମ୍ଭ ଠାକୁରାଣୀଙ୍କୁ ଯେ ଘଉଡ଼ାଇ ଦେଲା | 
ଏହି ରୂପେ ଦାସୀମାନେ କୁହାକୁହି ହେଲେ | ବେକରେ ହାତ ଦେଇଣ ଦାଣ୍ଡରେ ଛାଡ଼ିଲେ । 
ବଳରାମ ପ୍ରଭୁ ତହିଁ ଲେଉଟି ଅଇଲେ । ଜଗନ୍ନାଥ ଠାକୁରଙ୍କୁ ବାଟରେ ଦେଖିଲେ ||
ବଳରାମ କହୁଛନ୍ତି ଶୁଣରେ କାହ୍ନଇ | ଦାସୀମାନେ ଆସି ମୋତେ ଦେଲେ ଘଉଡାଇ ।
 ଜଗନ୍ନାଥ କହୁଛନ୍ତି କି ବୁଦ୍ଧି କରିବା । କେମନ୍ତ ପ୍ରକାରେ ଆମ୍ଭେ ଜୀବନ ଧରିବା ||
ଆଉଥରେ ଚାଲ ବେନିଭାଇ ଫେରିଯିବା । ବିନୟ କରିଣ ଅନ୍ନ ଦାସୀଙ୍କୁ ମାଗିବା ॥
 ବଳରାମ କହୁଛନ୍ତି ପଛେ ଆମ୍ଭେ ଥିବୁ । ଆଗରେ ଯାଇଣ ଅନ୍ନ ତୁହି ଯେ ମାଗିବୁ | 
ଏତେ କହି ସିଂହଂ ଦ୍ୱାରେ ପ୍ରଭୁ ବିଜେ କଲେ | ମନ୍ଦିରର ଶୋଭା ଦେଖି ଆଶ୍ଚର୍ଯ୍ୟ ହୋଇଲେ  ॥
ବଳରାମ କହିଲେ ହେ ଶୁଣରେ କାହ୍ନଇ | ପଞ୍ଚମ ସ୍ୱରରେ ସାମ ବେଦ ପଢ଼ ତୁହି ॥ 
ଜଗନ୍ନାଥ ପ୍ରଭୁ ଯହୁଁ ଏମନ୍ତ ଶୁଣିଲେ । ଓଁକାର ଶବଦ କରି ବେଦ ଧ୍ୱନି କଲେ ||
ଋକ ସାମ ଯଦୁ ଅଥର୍ବ ଯେ ଚାରିବେଦ | ବ୍ରହ୍ମାଣ୍ଡ ପୂରି ଉଠିଲା ଗହଗହ ନାଦ I 
ପଲଙ୍କ ଉପରେ ଯେ କମଳା ଶୋଇଥିଲେ । ନିସ୍ତରିଲି ନିସ୍ତରିଲି ବୋଲିଣ ବୋଇଲେ ॥ 
କୋଟି କୋଟି ଜନ୍ମର ପାତକ ହେଲା କ୍ଷୟ । ମୋ ଘରେ ବିଜୟ କଲେ ପ୍ରଭୁ ଦେବରାୟ ॥
 ପଚାର ପଚାର ଦାସୀ ପଚାରିଲେ ଯାଇ । କିସ ମାଗୁଛନ୍ତି ସେ ବ୍ରାହ୍ମଣ ଦୁଇଭାଇ । 
ଧାଇଁଯାଇ ମୁଦୁସୁଲି ତାଙ୍କୁ ପଚାରିଲେ । କି ମାଗୁଛ ପଣ୍ଡାମାନେ କହ ତୁମ୍ଭେ ଭଲେ ॥
 ଜଗନ୍ନାଥ କହୁଛନ୍ତି ଦାସୀ ମୁଖ ଚାହିଁ । ଅନ୍ନ ଗଣ୍ଡାଏକ ତୁମ୍ଭେ ପାରିବ କି ଦେଇ । 
ଏମନ୍ତ ଶୁଣିଣ ଦାସୀମାନେ ଚାଲିଗଲେ | ଲକ୍ଷ୍ମୀ ଠାକୁରାଣୀ ଆଗେ ବେଗେ ସେ ବୋଇଲେ ||
ଦାସୀଙ୍କ ମୁଖରୁ ସେ ଏମନ୍ତ ବାକ୍ୟ ଶୁଣି । ମନେ ବିଚାର କରନ୍ତି ଲକ୍ଷ୍ମୀ ଠାକୁରାଣୀ । 
ଏକଥା ଅରଜି ଅଛି ଚଣ୍ଡାଳୁଣୀ ମୁହିଁ । ଏବେ ଦାସୀମାନେ ଲୋ ପଚାର ବେଗେ ଯାଇଁ ॥
ବ୍ରାହ୍ମଣ ହୋଇ ମୋ ଘରେ କି ରୂପେ ଭୁଞ୍ଜିବେ । ଚଣ୍ଡାଳୁଣୀ ଅନ୍ନ ଖାଇ ଅପବାଦ ନେବେ ।
ଏ ମୋହର ଦ୍ରବ୍ୟ ତାଙ୍କୁ ଛୁଇଁ ନ ଯୋଗାଇ । ଜାଣୁ ଜାଣୁ ମୁଁ କେମନ୍ତ ପ୍ରକାରେ ଦେବଇଁ II 
ଠାକୁରାଣୀ ସମୀପରୁ ଦାସୀମାନେ ଗଲେ । ବ୍ରାହ୍ମଣଙ୍କ ଆଗେ ଯାଇ ଏମନ୍ତ କହିଲେ । 
ଦାସୀଙ୍କ ମୁଖରୁ ଯେ ଏମନ୍ତ ବାଣୀ ଶୁଣି । କ୍ଷୁଧାତୁର ହୋଇଣ କହନ୍ତି ହଳପାଣି ॥ 
ନୂଆ ହାଣ୍ଡି ନୂଆସଞ୍ଚା ଦେଇ କି ପାରିବୁ । ଏମନ୍ତ ହୋଇଲେ ଅମ୍ଭେମାନେ ଯେ ଖାଇବୁ । 
ଦାସୀମାନେ କହନ୍ତି ଲକ୍ଷ୍ମୀଙ୍କ ଆଗେ ଯାଇ । ହାତେ ରାନ୍ଧିଣ ଭୋଜନ କରିବେ ଦୁଇଭାଇ । 
ଏହାଶୁଣି ମହାଲକ୍ଷ୍ମୀ ସନ୍ତୋଷ ହୋଇଲେ । ଦାସୀଙ୍କ ହସ୍ତରେ ହାଣ୍ଡି ଦଶଗୋଟି ଦେଲେ ॥ 
ଚାଉଳ ପୌଟିଏ ନେଇ ଛାମୁରେ ରଖିଲେ । ଲେଉଟିଆ ଶାଗ ନେଇ ପୁଳାଏକ ଦେଲେ । 
ଆଳୁ ସାରୁ କଦଳୀ ଯେ ବଡ଼ି ବାଇଗଣ । ଦୁଧ ଦହି ଛେନା ଯେ ଶର୍କରା ଦେଲେ ପୁଣ | 
ଏବେ ଯେତେ ଇଚ୍ଛା ତେତେ ଭୁଞ୍ଜ ହୋ ବୋଇଲେ । ଗୃହେ ମହାଲକ୍ଷ୍ମୀ ଥାଇ ବିଚାର ଯେ କଲେ I 
ରାନ୍ଧିଣ ଭୁଞ୍ଜିବେ ଯେବେ ଏହି ଦୁଇଭାଇ । ନାରୀଙ୍କୁ ପୁରୁଷ ଆଉ ଲୋଡ଼ିବେ କିମ୍ପାଇଁ I 
ଲକ୍ଷ୍ମୀଦେବୀ କାଠଖଣ୍ଡେ ହସ୍ତରେ ଧଇଲେ । ଅଗ୍ନିର ସ୍ତମ୍ଭନ ମନ୍ତ୍ର ଦେବୀ ପାଠ କଲେ । 
କଦାପି ଅଗ୍ନି ଦେବତା ତେଜ ନ ହୋଇବ । ହାଣ୍ଡି ନ ତାତିବ ଆଉ ପାଣି ନ ତାତିବ । 
ଯେତେ କାଠ ଜଳୁଥିବ ଭସ୍ମ ହୋଇଯିବ । କୁହୁଳି କରିଣ ତହୁଁ ଧୂଆଁ ହେଉଥ‌ିବ । 
ଏମନ୍ତ ବୋଲିଣ ଯେ କମଳା ଆଜ୍ଞା ଦେଲେ । ସେହି ପ୍ରକାରରେ ଅଗ୍ନି ଦେବତା ଯେ କଲେ I 
ସବୁ କାଠଯାକ ତହିଁ ଅଙ୍ଗାର ହୋଇଲା । ତେବେ ସୁଦ୍ଧା ଯେ କିଞ୍ଚିତେ ପାଣି ନ ତାତିଲା ।
 ହଟି କମଳିନୀ ହଟ ଭିଆଇଲେ ଯେଣୁ । ହାଣ୍ଡି ତଳେ କଳାଟିକେ ନ ପଡ଼ିଲା ତେଣୁ ॥ 
ସୁଗନ୍ଧ ତଇଳ ଦେବୀ ଦେଲେ ପଠିଆଇ | ଦାସୀସମାନେ କହିଛନ୍ତି ବ୍ରାହ୍ମଣ କୁ ଚାହିଁ ||
ପାକସିଦ୍ଧି ହେଲା କି ନ ହେଲା ହେ ଗୋସାଇଁ । ତଇଳ ଲଗାଇ ସ୍ନାନକର ବେଗେ ଯାଇ ||
ଜଗନ୍ନାଥ କହୁଛନ୍ତି ପାଣି ନ ତାତିଲା | କି ପାକ କରିବୁ ବେଳ ଉଛୁର ହୋଇଲା ॥
 ବଳରାମ କହୁଛନ୍ତି ଶୁଣରେ କହ୍ନାଇ । ଅନ୍ନ ହୋଇଲାକି ନାହିଁ କହ ବେଗେ ତୁହି । 
ଜଗନ୍ନାଥ କହୁଛନ୍ତି ଶୁଣ ଆହେ ଭାଇ । ଅନ୍ନ କି ହୋଇବ ଟିକେ ପାଣି ତାତି ନାହିଁ ।
 ବଳରାମ କହୁଛନ୍ତି ରେ ଅଧୁଆ ମୁହାଁ । ରାନ୍ଧି ନ ଜାଣି ତୁ ହୋଇ ଅଛୁ ରାନ୍ଧୁଣିଆ ॥
 ତୁହି ଆଡ଼ ହୁଅ ମୁହିଁ ରାନ୍ଧୁଅଛି ଯାଇଁ । ଅନ୍ନ ରାନ୍ଧିବାକୁ ଗଲେ ବ୍ରାହ୍ମଣ ଗୋସାଇଁ ॥ 
ଫୁଙ୍କି ଫୁଙ୍କି ବଳରାମ ବିରକ୍ତ ହୋଇଲେ । କାଠଖଣ୍ଡେ ଘେନିଣ ଯେ ହାଣ୍ଡି ପିଟି ଦେଲେ । 
କ୍ଷୁଧାରେ ଯେ ଦୁଇଭାଇ ଆକୁଳ ହୋଇଲେ । କି ବୁଦ୍ଧି କରିବା ଜଗନ୍ନାଥଙ୍କୁ ବୋଇଲେ । 
ଜଗନ୍ନାଥ ବୋଇଲେ ତ ବୁଦ୍ଧି ଦିଶୁନାହିଁ । କ୍ଷୁଧାରେ ଆତୁର ହେଉଅଛି ମୋର ଦେହୀ ॥ 
ବଳରାମ କହୁଛନ୍ତି ଶୁଣ ଜଗନ୍ନାଥ । ଜାତିପଛେ ଯାଉ ତା’ର ଘରେ ଖାଉଁ ଭାତ ॥
 ଯେବେ ଏହା ଘରୁ ଭାତ ଆମ୍ଭଙ୍କୁ ନ ଦେବ । ଆମ୍ଭ ଦୁଇ ଭାଇଙ୍କର ମରଣ ହୋଇବ ||
ଲେଉଟିଣ ଦାସୀ ଯାଇ ଲକ୍ଷ୍ମୀଙ୍କୁ କହିଲେ । ବ୍ରାହ୍ମଣ ତ ହାଣ୍ଡି ଭାଙ୍ଗି ଫୋପଡ଼ାଇ ଦେଲେ । 
ଏହାଶୁଣି ମହାଲକ୍ଷ୍ମୀ ମନେ ଚିନ୍ତା କଲେ । କେତେ ଦୁଃଖ ଦୀନବନ୍ଧୁ ଦୁହେଁ ଯେ ପାଇଲେ । 
ସୁବର୍ଣ୍ଣର ଚଟୁ ଗୋଟି ହସ୍ତରେ ଧଇଲେ । ରୋଷେଇଶାଳାକୁ ଲକ୍ଷ୍ମୀ ଦେବୀ ବିଜେ କଲେ । 
ପ୍ରଥମେ ରାନ୍ଧିଲେ ମାଏ ବଗଡ଼ା ଯେ ଅନ୍ନ । ମୁଗ ମଧୁରୁଚି କ୍ଷୀରି ନାନାଦି ବ୍ୟଞ୍ଜନ ।
 ଆମ୍ବିଳ ଶାକର କଲେ କଦଳୀର ଭଜା । ଅତି ଯେତ୍ନ କଲେ ମାଏ ତିଅଣ ଯେ ମଞ୍ଜା ।
 ଷାଠିଏ ପଉଟି ସେ ରନ୍ଧନ କଲେ ଯାଇ । ବଗଡ଼ା ଭାତ ମହିମା କଳନା ନ ଯାଇ ॥ 
ଦୁଧପୁଳି କଲେ ମାଏ ଘୃତପୁଳି କଲେ । ଅତି ଯତନରେ ମାଏ ସରପୁଳି କଲେ । 
ଯେତେ ଦ୍ରବ୍ୟ ରାନ୍ଧିଛନ୍ତି ବ୍ରାହ୍ମଣଙ୍କୁ ରୁଚି । ବଡ଼ିର ମହୁର କଲେ ପକାଇଣ ସାଚି ॥
 ସହସ୍ର ଆଟିକା ରାନ୍ଧି ଦ୍ରବ୍ୟ ସମ୍ପାଦିଲେ । ଯେ ଯାହା ସ୍ଥାନରେ ଯେତ୍ନ ରଖାଇଣ ଦେଲେ ॥ 
କର୍ପୂର ଛେନା ଶର୍କରା ସମସ୍ତ ଗୋଳାଇ । ଷାଠିଏ ନଉତି ପଣା ରଖିଲେ କ ତହିଁ । 
ରଙ୍ଗବାଣ ପଇଡ଼ ସଙ୍ଗତେ ଛେନାପଣା । ଅଦା ମିଶା କରି ଯେ ନବାତ ଖଣ୍ଡଛେନା । 
ଲକ୍ଷ୍ମୀଙ୍କର ପାକ ଗୁଣ କେ କହିପାରିବ । କ୍ଷଣକ ମଧ୍ୟରେ ମାଏ ସଜାଡ଼ିଲେ ସର୍ବ । 
ସବୁଥରୁ ଖଣ୍ଡିଏ ଖଣ୍ଡିଏ ରଖୁଥିଲେ । ଭୋଜନ ଶେଷକୁ ପୋଡ଼ପିଠାଏ ରଖିଲେ । 
ବୋଇଲେ ଦାସୀଙ୍କି କର ଅଙ୍ଗ ମରଦନ । ବ୍ରାହ୍ମଣ ବୋଲିଣ ମନେ ନ ପାଞ୍ଚବ ଭିନ୍ନ । 
ବ୍ରାହ୍ମଣମାନଙ୍କ ମୁହିଁ ଅଟେ ନିଜ ଦାସୀ । ଶୁଣିଣ ଆନନ୍ଦେ ଚଳିଗଲେ ସବୁ ଦାସୀ ॥ 
ଦାସୀମାନେ କହୁଛନ୍ତି ସୁବେଦୀ ଗୋସାଇଁ |  ସ୍ନାନକର ବେଗେ ଅଙ୍ଗ ମରଦିନ ହୋଇ ॥
ତହୁଁ ସୁବାସ ଜଳରେ ଦୁହେଁ ସ୍ନାନକଲେ । ଅଙ୍ଗପୋଛିବାକୁ ଦାସୀ ଗାମୁଛାଏ ଦେଲେ ॥ 
ପିନ୍ଧିବାକୁ ପୀତାମ୍ବର ପାଟ ଆଣି ଦେଲେ । ସୁବେଶ ହୋଇଣ ଦୁଇ ଭାଇ ଯେ ବସିଲେ । 
ବଳରାମ କହୁଛନ୍ତି ଶୁଣରେ କହ୍ନାଇ । ଏମନ୍ତ ପ୍ରକାରେ ମାନ୍ୟ କରେ କିସପାଇଁ । 
ଏହା ଘରେ ପୁରୁଷତ ଜଣେ ଦିଶୁନାହିଁ | ଶୂଳି ଦେବା ପ୍ରାୟ ଏହି ବିଚାର ଦିଶଇ ।। 
ଚାଲ ଏବେ ପଳାଇଣ ଏହିଠାରୁ ଯିବା । କ୍ଷଣକ ମଧ୍ୟରେ ଆଉ ପ୍ରାଣ ନ ପାଇବା । 
ଜଗନ୍ନାଥ କହୁଛନ୍ତି ଜ୍ୟେଷ୍ଠଭାଇ ଶୁଣ । ଏ ଘରର କର୍ତ୍ତା ଆଜ ହୋଇବେ ଆପଣ । 
ବଳରାମ କହୁଛନ୍ତି ଶୁଣରେ କାହ୍ନଇ | ଏମନ୍ତ କହିବା ତୋର ଉଚିତ ନୁହଇ ||
ଗୃହ ପରିଷ୍କାର ଦେବୀ ସ୍ଵହସ୍ତରେ କଲେ । ଗନ୍ଧ ଯେ ଚନ୍ଦନ ମାଏ ଛଡ଼ା ପକାଇଲେ ||
ସୁବର୍ଣ୍ଣର ଥାଳି ସୁବର୍ଣ୍ଣର ଗିନା ଝରି | ହାତଧୂଆ ପାଦଧୂଆ ସୁସଜ୍ଜିତ କରି ॥ 
ମଣୋହି କରିବା ବିଧି ଯେମନ୍ତେ ଭିଆଣ । ସୁବର୍ଣ୍ଣର ପୀଠ ତହିଁ କଲେକ ନିର୍ମାଣ ॥ 
ମହାଲକ୍ଷ୍ମୀ କହୁଛନ୍ତି ଦାସୀ ମୁଖ ଚାହିଁ । ବେଗ କରି ପ୍ରଭୁଙ୍କୁ ଲୋ ଘେନିଆସ ଯାଇ || 
ଏହା ଶୁଣି ଦାସୀମାନେ ବେଗେ ଚଳିଗଲେ । ବ୍ରାହ୍ମଣଙ୍କ ପାଖେ ଯାଇଁ ପ୍ରବେଶ ହୋଇଲେ ।
 ବିନୟରେ କହୁଛନ୍ତି ବ୍ରାହ୍ମଣ ଗୋସାଇଁ । ଭୋଜନ କରିବ ଚାଲ ସ୍ଥାନ ଅଛି ହୋଇ ॥ 
ବଳରାମ କହୁଛନ୍ତି ଶୁଣରେ କହ୍ନାଇ । ନାରୀଏ ଜଣେ ପୁରୁଷ କେହି ଏଥି ନାହିଁ ||
ଭିତରକୁ ଯିବାର ଆମ୍ଭର ଉଚିତ ନୁହଇଁ | ପତ୍ର ଦୁଇ ଖଣ୍ଡ ତୁମେ ଆଣ ବେଗେ ଯାଇ । 
ଜଗନ୍ନାଥ କହୁଛନ୍ତି ଶୁଣ ଭାଇ ତୁମ୍ଭେ । ଏ ଘରର କର୍ତ୍ତା ଆଜ ହୋଇବ ଯେ ଆମ୍ଭେ । 
କିପାଁ ତୁମ୍ଭେ ଭୟ କରୁଅଛ ଜ୍ୟେଷ୍ଠ ଭାଇ । ଦାତା ଦେଉଅଛି ଆମ୍ଭେ ଛାଡ଼ିବା କିମ୍ପାଇଁ । 
ଭୟେ ବଳରାମ ସେ ଠାବରୁ ନ ଉଠନ୍ତି । ହସ୍ତ ଧରି ଘେନିଗଲେ କମଳାଙ୍କ ପତି ॥
 ଠାବ ସଞ୍ଚାରେ ଯେ ବଳରାମ ନ ବସନ୍ତୀ | ହସ୍ତଧରି ବସାଇଲେ ଦେବା ଶିରୀପତି ||
କମଳିନୀ କହୁଛନ୍ତି ତୁଳସୀ ବ୍ରାହ୍ମଣୀ ! ଦେଢ଼ଶୁର ମୋର ଯେ ଅଟନ୍ତି ହଳପାଣି || 
ତାହାଙ୍କୁ କେମନ୍ତେ ଅନ୍ନ ମୁହି ଦେବି ନେଇ । ଭିତରେ ଥାଇଣ ମୁଁ ଯେ ଦେବଇଁ ବଢ଼ାଇ ॥ 
ବଡ଼ ସାନ ବୋଲି ଆଗ ପଚାରିବୁ ଯାଇ । ବଡ଼ଠାରେ ଆଗ ଅନ୍ନ ପରଶିବୁ ନେଇ । 
ଅନ୍ନଥାଳି ନେଇ ବେଗେ ବ୍ରାହ୍ମଣୀ ଅଇଲା । ବଡ଼ ସାନ କେଉଁ ପଣ୍ଡା ବୋଲି ପରରିଲା ॥ 
ବଳରାମ ବୋଲୁଛନ୍ତି ହୋଇଲୁକି କାଣୀ । ବଡ଼ ସାନ କିଏ ତୋତେ ନ ଦିଶଇ ପୁଣି । 
ଆମ୍ଭେ ବଡ଼ ବୋଲିଣ ଯେ ବଳରାମ କହି । ବ୍ରାହ୍ମଣୀ ବୋଇଲେ କୋପ କଲକି ଗୋସାଇଁ ।
 ପ୍ରଥମ ଥାଳିର ଅନ୍ନ ବଳରାମେ ଦେଲା | ଭିତରକୁ  ଆଉ ଅନ୍ନ ଆଣିବାକୁ ଗଲା  |
ଆଉ ଏକ ଥାଳି ଅନ୍ନ ଆଣିଲା ବେଳକୁ । ଚାରି ଗ୍ରାସରେ ଖାଇଲେ ବଳରାମ ତାକୁ ॥ 
ଅନ୍ନ ଥାଳି ଘେନିକରି ବ୍ରାହ୍ମଣୀ ଅଇଲା । ଏ ପଣ୍ଡାର ଅନ୍ତଯାକ କିଏ ଘେନିଗଲା । 
ବଳରାମ ବୋଇଲେ କ୍ଷୁଧାର୍ତ୍ତ ହୋଇଥଲୁ । ଆଗକରି ଚାରିଗ୍ରାସ ବେଗେ ଖାଇଦେଲୁ । 
ହସିଲା ବ୍ରାହ୍ମଣୀ ଦୁଇଭାଇଙ୍କୁ ଅନାଇଁ । କୁଟୁମ୍ବ ମାରିବା ପ୍ରାୟ ଦିଶୁଛ ଗୋସାଇଁ I 
ପୁତ୍ର ଭାରିଜା କି ତୁମ୍ଭ ଦୁହିଁଙ୍କର ନାହିଁ । ପେଟ ଲାଗି ବୁଲୁଅଛ ଦେଶ ଦେଶ ହୋଇ ॥ 
ସହସ୍ର କାନ୍ଧି କଦଳୀ ରଖିଦେଲେ ନେଇ । ଷାଠିଏ ନଉତି ପଣା ବେଗେ ଦେଲେ ଥୋଇ । 
ଯେଉଁପରି ପ୍ରଭୁଙ୍କର ମନକୁ ରୁଚଇ । ସେହିପରି କମଳିନୀ ଦିଅନ୍ତି ପଠାଇ ॥
ଭୋଜନ ଶେଷକୁ ଯେ ବୋଲନ୍ତି ବଳରାମ | ଲକ୍ଷ୍ମୀଙ୍କ ରାନ୍ଧଣା ପରି ଲାଗୁଛି ଉତ୍ତମ ||
ଜଗନ୍ନାଥ କହୁଛନ୍ତି ବଳରାମ ଭାଇ | ଲକ୍ଷ୍ମୀପରା ଭାର୍ଯ୍ୟା କୁ ପାଇବି ଆଉ କାହିଁ ||
ଲକ୍ଷ୍ମୀଙ୍କୁ ଉର୍ତ୍ସନା କରି ଦେଲା ଘଉଡ଼ାଇ | ବାହାରିଗଲେ ସେ ତାଙ୍କ ଇଛା ହେଲା ଯହିଁ ||
ଏମନ୍ତ ସମୟେ ପୋଡପିଠା ଦେଲେ ନେଇ । ଜଗନ୍ନାଥ କହୁଛନ୍ତି ବଳରାମ ଭାଇ ॥ 
ମୋର ମନ କଥାକୁ ଯେ ଲକ୍ଷ୍ମୀ ଜାଣିଥାଇ । ଭୋଜନ ଶେଷକୁ ପୋଡ଼ପିଠାଏ ଦିଅଇ । 
ଭୋଜନ ସାରିଣ ପ୍ରଭୁ ଆଚମନ କଲେ । କର୍ପୂର ତାମ୍ବୁଳ ଦୁଇ ଭାଇ ଯେ ଭୁଞ୍ଜିଲେ ॥ 
ବାହାର ମେଲାରେ ପ୍ରଭୁ ବିଜେ କଲେ ଯାଇଁ । ଗବାକ୍ଷ ଦ୍ବାରରେ ଲକ୍ଷ୍ମୀ ଅଛନ୍ତି ଅନାଇ ||
ପଚାର ପଚାର ଦାସୀ ପଚାରଲୋ ଯାଇ | ବିଭା ହୋଇ ଅଛନ୍ତି କି ପଣ୍ଡା ଦୁଇ ଭାଇ ॥
ଏହା ଶୁଣି ଦାସୀମାନେ ବେଗେ ଚଳିଗଲେ । ବ୍ରାହ୍ମଣଙ୍କ ନିକଟରେ ପ୍ରବେଶ ହୋଇଲେ ||
ପୁତ୍ର ଭାରିଜା ଅଛିକି ନାହିଁ  ତୁମ୍ଭ ଘର | କେଉଁ ରାଜ୍ୟେ ବାଡ଼ି ବୃତି ଶାସନ ତୁମ୍ଭର ||
ଜଗନ୍ନାଥ କହୁଛନ୍ତି ଶୁଣ ଦାସୀ ତୁହି । ବିବାହ ହେବାକୁ ଦ୍ରବ୍ୟ ଆମ୍ଭର ଯେ ନାହିଁ । 
ଗୁଆବାଡ଼ି ଶାସନ ପାଇବୁ ଆମ୍ଭେ କାହିଁ I ଲକ୍ଷ୍ମୀପରା ଭାର୍ଯ୍ୟାକୁ ଯେ ଦେଲୁ ଘଉଡ଼ାଇ ||
କପାଳ ମନ୍ଦ ଆମ୍ଭର ଦୁଇଭାଇ ବୁଲୁ | ଲକ୍ଷ୍ମୀ ଘଉଡ଼ାଇ ଆମ୍ଭେ ଏ ଦୁଃଖ ପାଇଲୁ ॥ 
ଦାସୀଏ ବୋଇଲେ ପଣ୍ଡା ହୋଇଲ କି ବାଇ । ନାରୀକି ଛାଡ଼ିଲେ ପୁଂଷ ଦରିଦ୍ର କି ହୋଇ ॥ 
ଗୋବିନ୍ଦ ବୋଲନ୍ତି ଆମ୍ଭେ କହୁଅଛୁ ଶୁଣ | କେଉଁ ନାରୀ ଥିଲେ ହୁଏ ଐଶ୍ୱର୍ଯ୍ୟ ବର୍ଦ୍ଧନ ||
କେଉଁ ନାରୀ ଥିଲେ ବଂଶ ନିପାତ ହୁଅଇ । କେଉଁ ନାରୀ ଥିଲେ ବାସି ପେଜ ନ ମିଳଇ ॥
 କେଉଁ ନାରୀ ଥିଲେ ଶାଢ଼ୀ ସୁନାବଳା ପାଇ । କେଉଁ ନାରୀ ଅଲକ୍ଷଣୀ ଘରକୁ ଭାଙ୍ଗଇ ॥
 ତୁମ୍ଭ ସାଆନ୍ତାଣୀଙ୍କୁ ଗୋ ପଚାରତ ଯାଇ । ଦାସୀ କହେ ବାତୁଳ କି ହୋଇଲଗୋସାଇଁ ।
 କ୍ଷୁଧା ଲାଗୁଥିଲା ଏବେ ଭାତତ ଖାଇଲ । ଆମ୍ଭ ସାମନ୍ତାଣୀଙ୍କୁ ଯା ପଚାର ବୋଇଲ ||
ବଳରାମ ବୋଇଲେ ଏ ମୋର ପିଲା ଭାଇ | ତୁମ୍ଭ ସାମନ୍ତାଣି ଆଗେ ଜଣାଇବା ନାହିଁ ||
ଜଗନ୍ନାଥ କହୁଛନ୍ତି ଭୟ କାହିଁ ପାଇଁ | କିଛି ନ ବିଚାର ଆହେ ବଳରାମ ଭାଇ । 
ଲକ୍ଷ୍ମୀଙ୍କର ଗୃହ ସିନା ଅଟଇ ଯେ ଏହି । ଏଠାରେ ଆପଣ ଭୟ କର କିସପାଇଁ ॥ 
ବଳରାମ ବୋଲୁଛନ୍ତି ବାବୁ ଚକ୍ରଧର । ତୁମ୍ଭେ ଯାଇଁ ହସ୍ତଧର ମହାଲକ୍ଷ୍ମୀଙ୍କର । 
ଆମ୍ଭେ ଦୋଷ କଲୁ ବୋଲି କହ ତାଙ୍କୁ ଯାଇ । ଯହିଁ ଇଚ୍ଛା ତହିଁ ଯାଅ ଆମ୍ଭ ମନା ନାହିଁ । 
ଯେତେବେଳେ ବଳରାମ ଏମନ୍ତ କହିଲେ । ଭିତରେ ପୁରକୁ ପ୍ରଭୁ ନିଜେ ବିଜେ କଲେ । 
ଧୀରେ ଧୀରେ ଭିତରକୁ ଗଲେ ପୀତବାସ । ପ୍ରବେଶ ହୋଇଲେ ଯାଇ କମଳାଙ୍କ ପାଶ । 
ପାଣିଝରି ଘେନିକରି କମଳା ଅଇଲେ । ଦରହାସେ ପ୍ରଭୁଙ୍କର ମୁଖକୁ ଚାହିଁଲେ I 
ଅତି ଯତନରେ ଦେଲେ ପାଦପଦ୍ମ ଧୋଇ । ଥୋକାଏ ପାଦ ଉଦକ ମସ୍ତକେ ଲଗାଇ ॥ 
କିଛି ପାଦୋଦକ ଲକ୍ଷ୍ମୀ ଗର୍ଭକୁ କ୍ଷେପିଲେ । ପଞ୍ଚବର୍ଣ୍ଣ ପୁଷ୍ପେ ପଦ୍ମପାଦ ପୂଜାକଲେ I 
ମହାଲକ୍ଷ୍ମୀ କହୁଛନ୍ତି ପ୍ରଭୁଙ୍କୁ ଅନାଇ । ଚଣ୍ଡାଳୁଣୀ ବୋଲି ମୋତେ ଦେଲ ଘଉଡ଼ାଇ ॥ 
ଚଣ୍ଡାଳୁଣୀ ଘରେ ଏବେ ଭୁଞ୍ଚିଲ ଗୋସାଇଁ । ଚଣ୍ଡାଳ ବିଟାଳ ହେଲ ଦୁଇଗୋଟି ଭାଇ ॥ 
ଧିକ ତୁମ୍ଭ ବଡ଼ପଣ ଧିକ ତୁମ କଥା । ପୋଡ଼ୁ ତୁମ୍ଭର ପ୍ରତିଜ୍ଞା ଧିକ ତୁମ୍ଭ ଭ୍ରାତା ॥ 
ମହାଲକ୍ଷ୍ମୀ ଏ ପ୍ରକାରେ ବହୁ ଧିକାରିଲେ । କାଳୀୟ ଗଞ୍ଜନ ଶୁଣି କିଛି ନ କହିଲେ ॥ 
ମହାମାୟୀ ବୋଇଲେ ହେ ଶୁଣ ମୋ ବଚନ । ମୋରେ କିସ କାର୍ଯ୍ୟ ତୁମ୍ଭେ କୁହ ହେ ବହନ ॥ 
କିଛିକ୍ଷଣ ଉତ୍ତାରେ ବୋଇଲେ ଜଗନ୍ନାଥ । ଏବେ ମନୁ ମାନ ତେଜ ଜଗତର ମାତ । 
ଅକାରଣେ ଏତେ କଥା କୁହ ପ୍ରାଣସହି । ଆମ୍ଭର ପ୍ରାର୍ଥନା ଆମ୍ଭ ସଙ୍ଗେ ଯିବାପାଇଁ । 
ବଡ଼ ହେଲେ କିସ ହେଲା ଗରବ ଗଞ୍ଜିଲ । ରବିତଳେ ସବୁଯୁଗେ ସୁଯଶ ରଖିଲ ॥ 
ତୁମ୍ଭ ଯୋଗେ ଆମ୍ଭେ କଷ୍ଟ ପାଇଲୁ ବହୁତ । ଆମ୍ଭେ ଭିକ୍ଷା ମାଗିବାର ଜାଣିଲେ ଜଗତ । 
ତୁମ୍ଭ ଜୟକୀର୍ତ୍ତି ଏବେ ଜଗତେ ରହିଲା । ଆମ୍ଭଙ୍କୁ ଅନ୍ନ ଦେବାର ଜଗତ ଶୁଣିଲା ।। 
ଗୁରୁବାର ଦିନ ଯେ ଏ ପୁରାଣ ଶୁଣିବ । ଜନ୍ମ ଜନ୍ମାନ୍ତର ପାପ ତା’ର କ୍ଷୟ ହେବ ।
 ଲକ୍ଷ୍ମୀପୂଜା ଦିନ ଏହା ଯେ ନାରୀ ଗାଇବ । ଇହ ଜନ୍ମେ ପତିବ୍ରତା ବୈକୁଣ୍ଠକୁ ଯିବ ।
 ଯେବେ କେଉଁ ନାରୀ ଏହା ମୁଖେ ବୁଝାଇବ | ତାହାର ସୁକୃତ ଆଉ କେ କହି ପାରିବ ||
ଏତେ କହି ଗୋବିନ୍ଦ ଧଇଲେ ଲକ୍ଷ୍ମୀହସ୍ତ | ଜଗତମାତ ବୋଇଲେ ତୁମ୍ଭେ କର ସତ୍ୟ ||
ଚଣ୍ଡାଳୁ ବ୍ରାହ୍ମଣଯାଏ ଖିଆଖୋଇ ହେବେ । ସମସ୍ତେ ଖାଇଣ ହସ୍ତ ଜଳେ ନ ଧୋଇବେ । 
ହାଡ଼ିର ହସ୍ତୁ ବ୍ରାହ୍ମଣ ଛଡ଼ାଇ ଖାଇବେ । ବ୍ରାହ୍ମଣ ଖାଇ ହସ୍ତକୁ ମୁଣ୍ଡରେ ପୋଛିବେ । 
ଅନ୍ନ ଖାଇ ସର୍ବେ ମୁଣ୍ଡେ ପୋଛୁଥ‌ିବେ ହସ୍ତ । ତେବେ ବଡ ଦେଉଳକୁ ଯିବି ଜଗନ୍ନାଥ ||
ହେଉ ହେଉ ବୋଲି ଆଜ୍ଞା ଦେଲେ ମହାବାହୁ | ଯୁଗେ ଯୁଗେ ଲକ୍ଷ୍ମୀ ଗୋ ତୁମ୍ଭର ଯଶ ରହୁ । 
ଲକ୍ଷ୍ମୀଙ୍କ ହସ୍ତ ଧରିଣ ଜଗନ୍ନାଥ ନେଲେ । ବଡ଼ ଦେଉଳକୁ ପ୍ରଭୁ ବିଜେ କରିଗଲେ । 
ଲକ୍ଷେ ଚନ୍ଦ୍ରଉଦିଆ ଯେ ଛାମୁରେ ଜଳାଇ | ଦେଉଳକୁ ବିଜେ କଲେ ବ୍ରହ୍ମାଣ୍ଡ ଗୋସାଇଁ ||
ଇନ୍ଦ୍ର ଡାକୁଛନ୍ତି ଦେବ ମଣିମା ମଣିମା । ବ୍ରହ୍ମା ଡାକୁଛନ୍ତି ଦେବ ଗୁହାରି ଶୁଣିମା ॥ 
ବରୁଣ କୁବେର ଯେ ହସ୍ତରେ ବେତ ଧରି । ନୃତ୍ୟ କରୁଥିଲେ ତହିଁ ସ୍ୱର୍ଗ ଅପସରୀ ॥ 
ରମ୍ଭା ଯେ ମେନକା ଆଦି ଆଉ ଚିତ୍ରଲେଖା | ତୁଳସୀ ମାଳତୀ ଆଉ ଅନ୍ୟାନ୍ୟ ରସିକା ||
ଚଞ୍ଚଳା ଯେ ମଦାଳସୀ ଆବର ସୁଶୀଳା । ନୃତ୍ୟ ଆରମ୍ଭନ୍ତି ତୁଷ୍ଟ ହୋଇ ସେ ଅବଳା ॥
 ବଳରାମ କହୁଛନ୍ତି ଶୁଣରେ କହ୍ନାଇ । ଘରକୁ ଘରଣୀ ସିନା ସୁନ୍ଦର ଦିଶଇ ॥ 
ଯେତେବେଳେ ଦାଣ୍ଡେ ଯାଉଥୁଲ ଦୁଇଭାଇ । ଚୋର ଖଣ୍ଟ ବୋଲି ଦେଉଥିଲେ ଘଉଡ଼ାଇ । 
ଆହୁରି କଥାଏ ଶୁଣ ଜଗନ୍ନାଥ ଭାଇ । ଲକ୍ଷ୍ମୀ ଏଡ଼େ ବଡ଼ ବୋଲି ଏବେ ଜାଣିଲଇଁ ॥
 ଲକ୍ଷ୍ମୀ ଦେବୀ ବିଜେକଲେ ତାଙ୍କ ମନ୍ଦିରକୁ । ଜଗନ୍ନାଥ ବିଜେ କଲେ ବଡ଼ ଦେଉଳକୁ ।
 ଦାସୀ ପରିବାରୀ ଆଦିକରି ଯେତେ ଥିଲେ । ଲକ୍ଷ୍ମୀ ଅଇଲାରୁ ସେ ସମସ୍ତ ଯେ ଅଇଲେ ।
 ଲକ୍ଷ୍ମୀଙ୍କୁ ପାଇଣ ଦେବ ଗୋବିନ୍ଦ ଆନନ୍ଦ । ସଂସାରରେ ସେହି ମତେ କଲେକ ମୁକୁନ୍ଦ ।
 ଶୁଣିଲ ନାରଦ ଏହି ପୁରାତନ ଆଖ୍ୟା । ଯାହା ଅପ୍ରସନ୍ନେ ପ୍ରଭୁ ମାଗିଲେ ଯେ ଭିକ୍ଷା । 
ଛାର ଚଣ୍ଡାଳୁଣୀ ଅଇଶ୍ୱର୍ଯ୍ୟ ଭୋଗକଲା । ଲକ୍ଷ୍ମୀଙ୍କର ସୁଦୟାରୁ ଏମନ୍ତ ହୋଇଲା ॥
 ଏ ପୁରାଣ ପଢ଼ିଲେ ଯେ ସର୍ବସିଦ୍ଧି ହୁଏ । ସୂର୍ଯ୍ୟୋଦୟ ତମ ସମ ପାପ କ୍ଷୟ ଯାଏ । 
ଏ ପୁରାଣ ଯେଉଁମାନେ ପଢ଼ନ୍ତି ଶୁଣନ୍ତି । ଲକ୍ଷେ କୋଟି ଗୋଦାନର ଫଳ ସେ ଲଭନ୍ତି। 
ଏ ପୁରାଣ ଅଟଇ ଯେ ମୁକତିର ପଥ । ଏହାଫଳ କଥନରେ କେ ହେବ ସମର୍ଥ ॥ 
ଲକ୍ଷ୍ମୀଙ୍କ ପୁରାଣ ଏହୁ ସମ୍ପୂର୍ଣ୍ଣ ହୋଇଲା । ଭାବେ ବଳରାମ ଦାସ ଗୀତରେ ଗାଇଲା |
ଶ୍ରୀ ଶ୍ରୀ ଲକ୍ଷ୍ମୀଙ୍କର ସ୍ତବ Sri Sri Laksmi nkara Staba
ତ୍ରୈଲୋକ୍ୟ ପୂଜିତେ ଦେବୀ କମଳେ ବିଷ୍ଣୁ ବଲ୍ଲଭେ, 
ଯଥା ତ୍ଵଂ ସୁସ୍ଥିରା କୃଷ୍ଣେ ଯଥା ଭବ ମହୀସ୍ଥିରା । 
ଈଶ୍ବରୀ କମଳା ଲକ୍ଷ୍ମୀ ଚଞ୍ଚଳା ଶ୍ରୀ ହରିପ୍ରିୟା, 
ଦ୍ୱାଦଶୈତାନି ନାମାନି ଲକ୍ଷ୍ମୀ ସମ୍ପୂଜ୍ୟ ଯଃ ପଠେତ୍,
 ସ୍ଥିର ଲକ୍ଷ୍ମୀ ଭବେତ୍ତସ୍ୟ ପୁତ୍ର ଦାରାଦିଭିଃ ସହ ॥
ପୁଷ୍ପାଞ୍ଜଳି : -  Sri Sri Laksmi nkara Puspajali
ନମସ୍ତେ ସର୍ବ ଦେଵାନାଂ ବରଦାସୀ ହରପ୍ରିୟେ 
 ଯା ଗତି ସ୍ତ୍ଵଂ ପ୍ରସନ୍ନାନାଂ  ସାମେ ଭୂୟାତ୍ଵଦର୍ଚ୍ଚନାତ୍ ।
ଶ୍ରୀ ମହାଲକ୍ଷ୍ମୀ ଙ୍କର ସଂକ୍ଷିପ୍ତ ପୂଜା 
ଧ୍ୟାନ ମନ୍ତ୍ର -  Sri Sri Laksmi nkara Dhyan Mantra
ଓଁ ବିଷ୍ଣୁ ଶକ୍ତି ଚତୁର୍ଭୁଜା ବୈକୁଣ୍ଠ ବାସିନୈ 
ଶ୍ରୀ ହ୍ଳୀଂ ମହାଲକ୍ଷ୍ମୀ ନାରାୟଣୀ ଦେବ୍ୟୈ ନମଃ ।
ବୈଦିକ ମନ୍ତ୍ର –   Sri Sri Laksmi nkara Baidika Mantra
 ଓଁ ଲକ୍ଷ୍ମୀଦେବ୍ୟୈ ନମଃ 
-ଗାୟତ୍ରୀ -  Sri Sri Laksmi nkara Gayatri Mantra
ଓଁ ମହାଲକ୍ଷ୍ମୀ ବିଦ୍ମହେ ବୈକୁଣ୍ଠ ବାସିନ୍ୟୈ ଧୀମହୀ ତନ୍ତ୍ରୋ ଲକ୍ଷ୍ମୀ ପ୍ରଚୋଦାୟାତ
ଧ୍ୟାନ - ଓଁ କାନ୍ତ୍ୟା କାଞ୍ଚନସନ୍ନିଭଂ ହିମଗିରି ପ୍ରକ୍ଷ୍ୟୈଶ୍ଚ ଦୁର୍ଭିର୍ଗଜେଃ । 
ହସ୍ତୋତ୍‌କ୍ଷିପ୍ତ ହିରଣ୍ମୟୀ ମୃତଘଟୈ ରାଶିଚ୍ୟମାନା ପ୍ରୀୟାମ୍, 
ବିଭ୍ରାଣଂ ବରମବଜଂ ଯୁଗ୍ମମଭୟଂ ହସ୍ତେ କରୀଟୋଜ୍ଵଳା କ୍ଷୌମାବଦ୍ଧ ନିତମ୍ବ ବିମ୍ବଲଳିତଂ ବନ୍ଦେଽରବିନ୍ଦ ସ୍ଥିତଂ । 
ଆବାହନ ମନ୍ତ୍ର-  Sri Sri Laksmi nkara Aabahan Mantra
ଆଗଚ୍ଛ ଦେବ ଦେବେଣି । ଦାରିଦ୍ର୍ୟ ଦୁଃଖ ନାଶିନୀ କୃପୟା ଗୃହାଣ ପୂଜାଂ ମପ୍ରୋତି ପ୍ରସନ୍ନାଭବ । 
ଆସନ ମନ୍ତ୍ର -  Sri Sri Laksmi nkara Aasan Mantra
ନାନାରତ୍ନ ସମାଯୁକ୍ତଂ କାର୍ତ୍ତିସ୍ଵର ବିଭୂଷିତଂ,
ଆସନଂ ବହୁ ମୂଲ୍ୟଂ ଚ ଗୃହିଣ ଜଗଦ୍ଦୀଶ୍ଵରୀ । 
ଇଦଂ ମାନସଂ ଓଁ ମହାଲକ୍ଷ୍ମ୍ୟୈ ନମଃ । 
ସ୍ଵାଗତ ମନ୍ତ୍ର-  Sri Sri Laksmi nkara Swagat Mantra
ସ୍ୱଗତାର୍ଥଂ ପୁଷ୍ପିପାଟକଂ ଗୃହାଣ ବୈକୁଣ୍ଠେଶ୍ୱରୀ ମୟା ନିବେଦିତ ଭକ୍ତ୍ୟା ପ୍ରସନ୍ନାଭବ ସର୍ବଦା ।
 ଭୋ ମାତଃ କମଳା ! ସ୍ଵାଗତଂ ସୁ ସ୍ଵାଗତଂ ।
 ପାଦ୍ୟ ମନ୍ତ୍ର -  Sri Sri Laksmi nkara Padya Mantra
ପାଦ୍ୟ ଗୃହାଣ ଦେବେଶି ଶୀତଳଂ ସୁମନୋହରଂ, ଅର୍ପିତ ପରାୟାଭକ୍ତ ଭୁବନାନନ୍ଦ କାରିଣୀ । 
ଏତତ୍ ପାଦ୍ୟଂ ଓଁ ଶ୍ରୀ ମହାଲକ୍ଷ୍ମ୍ୟୈ ନମଃ ॥ 
ଅର୍ଘ୍ୟ ମନ୍ତ୍ର-  Sri Sri Laksmi nkara Arghya Mantra
ଅର୍ଘ୍ୟଂ ଗୃହାଣ ଦେବେଶି ଗନ୍ଧ ପୁଷ୍ପକ୍ଷତୈର୍ଯୁତଂ, ଅର୍ଷତଂ ତବ ପ୍ରୀତ୍ୟାର୍ଥଂ ପ୍ରସୀଦ ଜଗଦୀଶ୍ଵରୀ ।
 ଇଦମର୍ଘ୍ୟ ଓଁ ଶ୍ରୀ ମହାଲକ୍ଷ୍ମ୍ୟୈ ସ୍ୱାହାଃ 
ଆଚମନୀୟ ମନ୍ତ୍ର -  Sri Sri Laksmi nkara Aachamaniya Mantra
ନାନା ତୀର୍ଥୋଭଵଂ ବାରି କର୍ପୂରାଦୌଃ ସୁବାସିତଂ ।
 ଗୃହାଣାଚମନୀୟଂ ପ୍ରସନ୍ନାଭବ ଜନନୀ ।
 ଇଦଂ ଆଚମନୀୟ ଓଁ ଶ୍ରୀ ମହାଲକ୍ଷ୍ମ୍ୟୈ ସ୍ୱାହାଃ ॥ 
ସ୍ନାନୀୟ ମନ୍ତ୍ର - Sri Sri Laksmi nkara Snaniya Mantra
ନାନା ତୀର୍ଥୋଭ ବଂବାରୀ କୁଙ୍କୁମାଦୌ ସୁଶୀତଳଂ ମୟା ସମର୍ପିତଂ ଭକ୍ତ୍ୟା ସ୍ନାନାର୍ଥଂ ଲୋକ ଜନନୀ । 
ଇଦଂ ସ୍ନାନୀୟ ଜଳଂ ଓଁ ଶ୍ରୀ ମହାଲକ୍ଷ୍ମ୍ୟୈ – ବଷଟ୍ ॥ 
ବସନ ମନ୍ତ୍ର-  Sri Sri Laksmi nkara Basan Mantra
ବିଶୁଦ୍ଧେ ସୌନ୍ଦର୍ଯ୍ୟ କ୍ଷୌମେ ନୂତନ ସୁଶାଟିକେ, ମୟା ନିବେଦିତଂ ଭକ୍ତ୍ୟା
ଗୃହାଣ ବୈକୁଣ୍ଠେଶ୍ଵରୀ । ଇଦଂ ସୋତ୍ତରୀୟ ଶାଟିକା ବସ୍ତ୍ରୀ ଓଁ ଶ୍ରୀ ମହାଲକ୍ଷ୍ମ୍ୟୈ ସମର୍ପୟାମୀ ନମଃ |
ଆଭରଣ ମନ୍ତ୍ର -  Sri Sri Laksmi nkara Aabharan Mantra
ନାନା ରତ୍ନ ସମାକୀର୍ଣ୍ଣଂ ମାଳାଂ ସ୍ଵର୍ଣ୍ଣମୟୀ ତଥା, 
ମୁଦ୍ରିକାଂ ହସ୍ତ ପାଦଞ୍ଚ ଗୃହାଣ ଜଗଦୀଶ୍ଵରୀ,
 ଇଦଂ ସ୍ଵର୍ଣ୍ଣମାଳଂ ମୁଦ୍ରିକାଂ ଆଭରଣଂ ଶ୍ରୀ ମହାଲକ୍ଷ୍ମ୍ୟୈ ନମଃ
ସୁଗନ୍ଧ ଦ୍ରବ୍ୟ ମନ୍ତ୍ର-  Sri Sri Laksmi nkara Sugandha Drabya Mantra
ଶରୀରନ୍ତେ ନ ଜାନାମି ଚେଷ୍ଟା ଚୈବଚା ଦେବୟୋ । 
ମୟା ନିବେଦିତାନ୍ ଗନ୍ଧାନ୍ ପ୍ରାଗୃହାଣ ବିଲେପନଃ । 
କଜ୍ଜଳ ମନ୍ତ୍ର-  Sri Sri Laksmi nkara Kajwala Mantra
କଜ୍ଜଳଂ କାମିକଂ ରମ୍ୟ କାମିନୀ କାମ ସମ୍ଭବଂ ।
 ନେତ୍ରୟୋ ରଞ୍ଜନାର୍ଥାୟ କଜ୍ଜଳଂ ପ୍ରତି ଗୃହ୍ୟତାଂ ॥ 
ସିନ୍ଦୂର ମନ୍ତ୍ର-  Sri Sri Laksmi nkara Sindura Mantra
ଉଦିତାରୁଣ ସଂକାଶଂ ଜବା କୁସୁମ ସନ୍ନାଭଂ ।
ସୀମନ୍ତ ଭୂଷଣାର୍ଥାୟ ସିନ୍ଦୁରଂ ପ୍ରତି ଗୃହ୍ୟତାଂ 
ଅଳତା ମନ୍ତ୍ର - ବନ୍ଧୁକ କୁସୁମଭାଷା ବାଳାର୍କଦ୍ୟୁତି ଗଞ୍ଜନଂ, 
ପାଦ ଶୋଭା ମ୍ୟହଂ ଦେବୀ ! ଗୃହୀତାଂ ଜଗଦ୍ଦୀଶ୍ୱରୀ ॥ 
ପାଦୁକା ମନ୍ତ୍ର-  Sri Sri Laksmi nkara Paduka Mantra
ପାପମଗୟନ୍ତ ଗ୍ରୀଷ୍ମ ବର୍ଷା ନିବାରଣାର୍ଥକଂ,
 ନିବେଦିତଂ ମୟାଦେବୀ ! ପାଦୁକାଂ ପ୍ରତି ଗୃହ୍ୟତାଂ । 
ଚନ୍ଦନ ମନ୍ତ୍ର –   Sri Sri Laksmi nkara Chandan Mantra
ଚନ୍ଦନଂ ଶୀତଳ ରମ୍ୟ ସୌରଭାଂ ଦେବତା ପ୍ରିୟଂ, 
ଶ୍ରଦ୍ଧୟା ଚାର୍ପିତଂ ଦେବୀଂ ! ଗୃହ୍ୟତାଂ ଧନଦେ ଶୁଭେ । 
ଏଷଃ ଗନ୍ଧ ଓଁ ମହାଲକ୍ଷ୍ମ୍ୟୈ ନମଃ । 
ପୁଷ୍ପଦାନ ମନ୍ତ୍ର-  Sri Sri Laksmi nkara Puspadan Mantra
ନାନା ବିଧାନ ପୁଷ୍ପାଣି ନାନାଗନ୍ଧ ଯୁତାନ ଚ, 
ନାନା ବର୍ଣ୍ଣାନ୍ୟା ହୃତାନିଶୋଭାର୍ଥଂ ପ୍ରତି ଗୃହ୍ୟତାଂ, ଇଦଂ ପୁଷ୍ପ ଓଁ ଶ୍ରୀ ମହାଲକ୍ଷ୍ମ୍ୟୈ ବଷଟ୍ । 
ଧୂପ ନିବେଦନ ମନ୍ତ୍ର –  Sri Sri Laksmi nkara Dhupa Nibedan Mantra
ବନସ୍ପତି ରସୋଭୂତୋ ଗନ୍ଧାଢ଼୍ୟୋ ସୁମନୋହରଃ । 
ଆଘ୍ରେୟ ସର୍ବ ଦେବାନାଂ ଧୂପୋୟଂ ପ୍ରତି ଗୃହ୍ୟଣଂ ଏଷଃ ଧୂପଃ ଓଁ ଶ୍ରୀ ମହାଲକ୍ଷ୍ମ୍ୟୈ ସ୍ୱାହା । 
ଦୀପଦାନ ମନ୍ତ୍ର-  Sri Sri Laksmi nkara Dipadan Mantra
ସ୍ୱପ୍ରକାଶ୍ୟ ମହାଜ୍ୟୋତି ସ୍ତମିରା ପତ୍ନଃ ସଦାହ୍ୟଭ୍ୟନ୍ତର ଜ୍ୟୋତିର୍ଦୀପେୟଂ ପ୍ରତି ଗୃହ୍ୟତାଂ 
ନୈବେଦ୍ୟ ନିବେଦନ ମନ୍ତ୍ର- ଶର୍କରା ଖଣ୍ଡ ସଂଯୁକ୍ତଂ ଦଧି ଦୁଗ୍‌ଧ ଘୃତାନ୍ଵିତଂ ।
ଲେହ୍ୟପେୟଂ ଭକ୍ଷଭେଜିଂ ନୈବେଦ୍ୟ ପ୍ରତି ଗୃହ୍ୟତାଂ ।
 ଏଷନୈବେଦ୍ୟଂ ଓଁ ଶ୍ରୀ ମହାଲକ୍ଷ୍ମ୍ୟୈ ସ୍ୱାହା ।
 ତାମ୍ବଳ ମନ୍ତ୍ର-  Sri Sri Laksmi nkara Tambal Mantra
ପୁଗିଫଳା ଲବଙ୍ଗଞ୍ଚ ପକ୍ଵ ପର୍ଣ୍ଣ ଦଳୈର୍ଯୁତଂ କର୍ପୁରୈକୀ ସମାଯୁତଂ ତାମ୍ବୁଳ ପ୍ରତି ଗୃହ୍ୟତାଂ ।
 ଏସ ତାମୂଳଂ ଓଁ ଶ୍ରୀ ମହାଲକ୍ଷ୍ମ୍ୟୈ ସ୍ୱାହା । 
ପୁଷ୍ପାଞ୍ଜଳି ମନ୍ତ୍ର-  Sri Sri Laksmi nkara Puspanjali Mantra
 ନମଃ ଦେବୀ ମହାଲକ୍ଷ୍ମୀ ସର୍ବ ସମ୍ପଦ ଦାୟିନୀ, 
ସର୍ବ ଦୁଃଖ ହାରିଃ ଦେବୀ ଗୃହାଣ କୁସୁମାଞ୍ଜଳିଂ । 
ସ୍ତୁତିପାଠ ମନ୍ତ୍ର -  Sri Sri Laksmi nkara Stutipath Mantra
ନମସ୍ତେଷୁ ମହାମାୟେ ଶ୍ରୀପୀଠେ ସୁରପଜିତେ ।
 ଶଙ୍ଖଚକ୍ର ଗଦା ହସ୍ତେ ମହାଲକ୍ଷ୍ମୀ ନମସ୍ତୁତେ |
କ୍ଷମା ପ୍ରାର୍ଥନା ମନ୍ତ୍ର -  Sri Sri Laksmi nkara Kshyama Prarthana Mantra
ମନ୍ତ୍ର ତନ୍ତ୍ର କ୍ରିୟାଚାର ଭାବ ଭକ୍ତ୍ୟା ନ୍ୟଥାକୃତମ |
ଯଦର୍ଚିତ ମୟାଦେବୀ ପରିପୂର୍ଣ୍ଣ ତଦସ୍ତୁମେ ॥
 ପ୍ରଣାମ ମନ୍ତ୍ର-   Sri Sri Laksmi nkara Pranam Mantra
ବିଶ୍ଵ ରୂପସ୍ୟ ଭାର୍ଯ୍ୟାସି ପଦ୍ମେ ପଦ୍ମଳୟେ ଶୁଭେ  ସର୍ବତଃ ତ୍ରାହିମାଂ ଦେବୀ ମହାଲକ୍ଷ୍ମୀ ନମୋଽସ୍ତୁତେ ।
ବନ୍ଦେହଂ ଧନଦାତ୍ରୀ ମହାଲକ୍ଷ୍ମୀଂ ଦେବୀ ନମୋନମାନୀ |
ମାତା ଲକ୍ଷ୍ମୀଙ୍କୁ ପଦ୍ମପୁଲ ଦେଇ ପୂଜା କଲେ ପୂଜାର ସୁଫଳ ମିଳେ ଓ ମହାଲକ୍ଷ୍ମୀ ସନ୍ତୁଷ୍ଟ  ହୋଇ ଥାଆନ୍ତି |
ହେ ମା ’ ! ତୁମ୍ଭେ ସର୍ବଦା ମୋର ହୃଦୟରେ ବାସକର । 
ତୁମରି ଚରଣ ରେଣୁର ସ୍ପର୍ଶରେ ମୋର ଗୃହ ଧାନ ଧାନ୍ୟରେ ପରିପୂର୍ଣ ହୋଇଉଠୁ
 ଆଜି ମୋର ଏତିକି ପ୍ରାର୍ଥନା ଜୟ ମହାଲକ୍ଷ୍ମୀ ଦେବୀଙ୍କର ଜୟ ।
 (ପ୍ରଣାମ)
ମାଣବସା ଲକ୍ଷ୍ମୀ ପୁରାଣ ସମାପ୍ତ 
 




एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default