🔸️।। श्रीहरिः ।।🔸️
🟣 ଆସନ୍ତୁ ଜାଣିବା ଭଗବାନ ପର୍ଶୁରାମଙ୍କ ସମ୍ବନ୍ଧରେ କେତେକ ରୋଚକ ତଥ୍ୟ।
ବୈଶାଖସ୍ୟ ସିତେ ପକ୍ଷେ ତୃତୀୟାୟାଂ ପୁନର୍ବସୌ।
ନିଶାୟାଃ ପ୍ରଥମେ ଯାମେ ରାମାଖ୍ୟଃ ସମୟେ ହରିଃ।
ସ୍ବୋଚ୍ଚକେ ଷଡ୍ଗ୍ରହୈୟୁକ୍ତେ ମିଥୁନେ ରାହୁସଂସ୍ଥିତେ।
ରେଣୁକାୟାସ୍ତୁ ଯୋ ଗର୍ଭାଦବତୀର୍ଣ୍ଣୋ ହରିଃ ସ୍ଵୟମ୍ ।।
➖( ସ୍କନ୍ଦପୁରାଣେ ଭବିଷ୍ୟଖଣ୍ଡେ ) ।
( କ୍ଷତ୍ରିୟରୁଧିରମୟେ ଜଗଦପଗତପାପଂ,
ସ୍ନପୟସି ପୟସି ଶମିତଭଵତାପମ୍ ।
କେଶଵ ଧୃତଭୃଗୁପତିରୂପ, ଜୟ ଜଗଦୀଶ ହରେ ॥ )
ବିପ୍ରକୁଳ ଭୂଷଣ ବିଷ୍ଣୁଙ୍କର ଅଂଶାବତାର ଭଗବାନ୍ ପର୍ଶୁରାମଙ୍କ ଜୟନ୍ତୀ ପାଳିତ ହୁଏ ବୈଶାଖ ମାସର ଶୁକ୍ଳପକ୍ଷ ତୃତୀୟା ତିଥିରେ ।
💥 ଭଗବାନ୍ ପର୍ଶୁରାମ ଙ୍କ ଜନ୍ମ Birth of Lord Parashuram
ମହର୍ଷି ଭୃଗୁଙ୍କ ପୁତ୍ର ଋଚିକଙ୍କ ବିବାହ ରାଜା ଗାଧିଙ୍କ କନ୍ୟା ସତ୍ୟବତୀଙ୍କ ସହିତ ହୋଇଥିଲା। ବିବାହ ପରେ ସତ୍ୟବତୀ ତାଙ୍କ ଶ୍ବଶୁର ମହର୍ଷି ଭୃଗୁଙ୍କ ଠାରେ ନିଜର ତଥା ନିଜ ମାତାଙ୍କ ପାଇଁ ପୁତ୍ର କାମନା କରିବାରୁ ମହର୍ଷି ଭୃଗୁ ସତ୍ୟବତୀଙ୍କୁ ଦୁଇଗୋଟି ଫଳ ଦେଇ କହିଲେ, ଋତୁସ୍ନାନ ପରେ ତୁମେ ଉଡୁମ୍ବର ବୃକ୍ଷ ତଥା ତୁମର ମାତା ଅଶ୍ୱତ୍ଥ ବୃକ୍ଷ କୁ ଆଲିଙ୍ଗନ କରି ଏହି ଫଳକୁ ଭକ୍ଷଣ କରିବ କିନ୍ତୁ ଭୁଲବଶତଃ ସତ୍ୟବତୀ ଅଶ୍ଵତ୍ଥ ବୃକ୍ଷ ଏବଂ ତାଙ୍କ ମାତା ଉଡୁମ୍ବର ବୃକ୍ଷ କୁ ଆଲିଙ୍ଗନ କଲେ, ମହର୍ଷି ଭୃଗୁ ଏହି ବିଷୟରେ ସବୁ ଜାଣିପାରିଲେ।
ସେ ସତ୍ୟବତୀ ଙ୍କୁ କହିଲେ, ଏହି ଭୁଲ୍ ପାଇଁ ତୁମର ପୁତ୍ର ବ୍ରାହ୍ମଣ ହୋଇ ମଧ୍ୟ କ୍ଷତ୍ରିୟ ଗୁଣସମ୍ପନ୍ନ ହେବ ତଥା ତୁମ ମାତାଙ୍କ ପୁତ୍ର କ୍ଷତ୍ରିୟ ହୋଇ ମଧ୍ୟ ବ୍ରାହ୍ମଣ ଭଳି ଆଚରଣ କରିବ। ସେତେବେଳେ ସତ୍ୟବତୀ ମହର୍ଷି ଭୃଗୁଙ୍କୁ ପ୍ରାର୍ଥନା କଲେ ଯେ, ମୋର ପୁତ୍ର କ୍ଷତ୍ରିୟ ଗୁଣ ସମ୍ପନ୍ନ ନ ହୋଇ ବରଂ ମୋର ପୌତ୍ର ଏଭଳି ହେଉ। ମହର୍ଷି ଭୃଗୁ ଏହାହିଁ ହେଉ ବୋଲି ଆଶିର୍ବାଦ କଲେ। କିଛି ଦିନ ପରେ ଜମଦଗ୍ନି ମୁନି ସତ୍ୟବତୀଙ୍କ ଗର୍ଭରୁ ଜନ୍ମଗ୍ରହଣ କଲେ। ତାଙ୍କ ଆଚରଣ ଋଷିଙ୍କ ଭଳି ଥିଲା।ସେ ରେଣୁକାଙ୍କୁ ବିବାହ କଲେ। ତାଙ୍କର ଚାରିଜଣ ପୁତ୍ର ହେଲେ ଏବଂ ପର୍ଶୁରାମ ଜମଦଗ୍ନିଙ୍କ ଚତୁର୍ଥ ପୁତ୍ର ଥିଲେ। ଏହିପରି ଏକ ମୂଳ କାରଣ ପାଇଁ ଭଗବାନ ପର୍ଶୁରାମ ଙ୍କ ସ୍ଵଭାବ କ୍ଷତ୍ରିୟଙ୍କ ଭଳି ହୋଇଥିଲା।
💥 ଭଗବାନ୍ ପର୍ଶୁରାମ ନିଜ ଶିଷ୍ୟ ଭୀଷ୍ମ ଙ୍କୁ ପରାଜିତ କରିପାରି ନ ଥିଲେ Lord Parashuram could not defeat his disciple Bhishma
ମହାଭାରତ ଅନୁସାରେ ମହାରାଜା ଶାନ୍ତନୁଙ୍କ ପୁତ୍ର ଭୀଷ୍ମ ଭଗବାନ୍ ପର୍ଶୁରାମଙ୍କ ଠାରୁ ଅସ୍ତ୍ରଶସ୍ତ୍ର ବିଦ୍ୟା ପ୍ରାପ୍ତ କରିଥିଲେ। ଏକଦା ଭୀଷ୍ମ ତାଙ୍କ କନିଷ୍ଠ ଭ୍ରାତାଙ୍କ ପାଇଁ କାଶୀ ନରେଶ ଙ୍କ ପୁତ୍ରୀ ଅମ୍ବା, ଅମ୍ବିକା ଓ ଅମ୍ବାଳିକା ଙ୍କୁ ତାଙ୍କ ସ୍ଵୟମ୍ବର ସଭାରୁ ଉଠାଇ ନେଇଥିଲେ। ଯେତେବେଳେ ଅମ୍ବା କହିଲେ ଯେ ସେ ମନ ମଧ୍ୟରେ ଅନ୍ୟଜଣଙ୍କୁ ନିଜର ପତିରୂପରେ ବରଣ କରିସାରିଛନ୍ତି ସେତେବେଳେ ଭୀଷ୍ମ ତାଙ୍କୁ ସସମ୍ମାନେ ପ୍ରେରଣ କଲେ ଶଲ୍ବଙ୍କ ପାଖକୁ । କିନ୍ତୁ ହରଣ ହୋଇଥିବା ଅମ୍ବାଙ୍କୁ ସେ ଅସ୍ବୀକାର କରିବାରୁ ଅମ୍ବା ଫେରିଆସି ଭୀଷ୍ମଙ୍କ ଗୁରୁ ପର୍ଶୁରାମଙ୍କୁ ତାଙ୍କର ଦୁଃଖ ଶୁଣାଇଲେ।
ଅମ୍ବା ଙ୍କ ଦୁଃଖ ଶୁଣି ଭଗବାନ୍ ପର୍ଶୁରାମ ଭୀଷ୍ମ ଙ୍କୁ ତାଙ୍କୁ ବିବାହ କରିବା ପାଇଁ କହିଲେ, କିନ୍ତୁ ବ୍ରହ୍ମଚାରୀ ହୋଇଥିବାରୁ ଭୀଷ୍ମ ଏହି ବିବାହ କୁ ଅସ୍ବୀକାର କଲେ ଯଦ୍ୱାରା ପର୍ଶୁରାମ ଏବଂ ଭୀଷ୍ମ ଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହୋଇଥିଲା ଏବଂ ଶେଷରେ ନିଜର ପୂର୍ବଜ ମାନଙ୍କ କଥା ମାନି ଭଗବାନ୍ ପର୍ଶୁରାମ ନିଜ ଅସ୍ତ୍ର ତ୍ୟାଗ କଲେ। ଏହିପରି ଭାବରେ ଏହି ଯୁଦ୍ଧରେ ନା କେହି ବିଜିତ ହେଲେ ନା କେହି ପରାଜିତ।
💥ଶ୍ରୀକୃଷ୍ଣଙ୍କ ପ୍ରସ୍ତାବକୁ ସମର୍ଥନ କରିଥିଲେ Supported Srikrishna's Proposal
ମହାଭାରତ ଯୁଦ୍ଧ ପୂର୍ବରୁ ଯେତେବେଳେ ଭଗବାନ୍ ଶ୍ରୀକୃଷ୍ଣ ଧୃତରାଷ୍ଟ୍ରଙ୍କ ପାଖକୁ ସନ୍ଧି ପ୍ରସ୍ତାବ ନେଇ ଗଲେ, ସେତେବେଳେ ଭଗବାନ୍ ପର୍ଶୁରାମ ସଭାରେ ଉପସ୍ଥିତ ଥିଲେ ଏବଂ ସେ ଧୃତରାଷ୍ଟ୍ରଙ୍କୁ ଏହି ପ୍ରସ୍ତାବକୁ ସମର୍ଥନ କରିବା ପାଇଁ କହିଥିଲେ।
💥ଶ୍ରୀରାମଚନ୍ଦ୍ରଙ୍କ ସହିତ ବିବାଦ Controversy With Sriramchandra
ଗୋସ୍ଵାମୀ ତୁଳସୀଦାସଙ୍କ ଦ୍ଵାରା ରଚିତ ଶ୍ରୀରାମଚରିତ ମାନସ ରେ ବର୍ଣନା କରାଯାଇଛି ଯେ, ଭଗବାନ୍ ଶ୍ରୀରାମଚନ୍ଦ୍ର ଦେବୀ ସୀତାଙ୍କ ସ୍ଵୟମ୍ବର ରେ ଶିବ ଧନୁରେ ଗୁଣ ଲଗାଇବା ସମୟରେ ତାହା ଭାଙ୍ଗି ଯାଇଥିଲା। ଶିବଧନୁ ଭାଙ୍ଗିବାର ଶବ୍ଦ ଶୁଣି ଭଗବାନ୍ ପର୍ଶୁରାମ ସେଠାରେ ଆସି ପହଁଚିଲେ। ନିଜ ଆରାଧ୍ୟ ଦେବତା ଶିବଙ୍କ ଧନୁକୁ ଭଗ୍ନ ଅବସ୍ଥାରେ ଦେଖି କ୍ରୋଧିତ ହୋଇ ସେ ଶ୍ରୀରାମଚନ୍ଦ୍ର ଏବଂ ଲକ୍ଷ୍ମଣଙ୍କ ସହିତ ବିବାଦ କରିଥିଲେ। କିନ୍ତୁ ବାଲ୍ମୀକି ରାମାୟଣ ଅନୁସାରେ ସୀତାଙ୍କୁ ବିବାହ କରିବା ପରେ ଯେତେବେଳେ ଶ୍ରୀରାମଚନ୍ଦ୍ର ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କଲେ ସେତେବେଳେ ପର୍ଶୁରାମ ସେଠାକୁ ଆସି ଶ୍ରୀରାମଚନ୍ଦ୍ରଙ୍କୁ ଧନୁରେ ତୀର ଚାଳନା କରିବାପାଇଁ କହିଥିଲେ। ଶ୍ରୀରାମଚନ୍ଦ୍ର ଧନୁରେ ତୀର ଚାଳନା କରିଥିଲେ। ଏହା ଦେଖି ପର୍ଶୁରାମ ଶ୍ରୀରାମଚନ୍ଦ୍ର ଙ୍କ ବାସ୍ତବିକ ସ୍ଵରୂପ କୁ ଜାଣି ପାରିଲେ ଏବଂ ସେଠାରୁ ଫେରିଗଲେ।
💥ମାତାଙ୍କ ବଧ କାହିଁକି କରିଥିଲେ ? Why did he kill his mother?
ଦିନେ ପର୍ଶୁରାମ ଙ୍କ ମାତା ରେଣୁକା ସ୍ନାନ ସାରି ଆଶ୍ରମକୁ ଫେରୁଥିଲେ। ସଂଯୋଗ ବଶତଃ ରାଜା ଚିତ୍ରରଥ ମଧ୍ୟ ସେଠାରେ ଜଳକ୍ରୀଡା କରୁଥିଲେ। ରାଜାଙ୍କୁ ଦେଖି ରେଣୁକା ଙ୍କ ମନରେ ବିକାର ଉତ୍ପନ୍ନ ହେଲା। ସେହି ଅବସ୍ଥାରେ ସେ ଆଶ୍ରମ ରେ ପହଞ୍ଚିଲେ। ଜମଦଗ୍ନି ରେଣୁକା କୁ ଦେଖି ତାଙ୍କର ମନକଥା ଜାଣିପାରିଲେ ଏବଂ ନିଜର ପୁତ୍ର ମାନଙ୍କୁ ତାଙ୍କ ମାତାଙ୍କ ବଧ କରିବା ପାଇଁ କହିଲେ କିନ୍ତୁ ମୋହ ବଶରେ କେହି ତାଙ୍କ ଆଜ୍ଞା ପାଳନ କଲେ ନାହିଁ। ସେତେବେଳେ ପର୍ଶୁରାମ କୌଣସି କଥା ଚିନ୍ତା ନ କରି ନିଜ ଫର୍ସା ରେ ମାତାଙ୍କ ଶିରଚ୍ଛେଦନ କଲେ। ଏହା ଦେଖି ମୁନି ଜମଦଗ୍ନି ପ୍ରସନ୍ନ ହେଲେ ଏବଂ ସେ ପର୍ଶୁରାମ ଙ୍କୁ ବର ମାଗିବା ପାଇଁ କହିଲେ। ସେତେବେଳେ ପର୍ଶୁରାମ ନିଜ ମାତାଙ୍କ ପୁର୍ନଜୀବନ ତଥା ମାତାଙ୍କ ଏହି ବିଷୟରେ ଜ୍ଞାନ ନ ରହୁ ବୋଲି ବର ମାଗିଲେ। ଏହି ବରଦାନ ଫଳ ସ୍ଵରୂପ ତାଙ୍କ ମାତା ପୁର୍ନଜୀବିତ ହୋଇଥଲେ।
💥କାର୍ତବୀର୍ଯାର୍ଜୁନ ର ବଧ କରିଥିଲେ He killed Kartbiryarjuna
ଥରେ ମାହିଷ୍ମତୀ ଦେଶର ରାଜା କାର୍ତବୀର୍ଜ ଅର୍ଜୁନ ଯୁଦ୍ଧ ଜୟ କରି କିଛି ସମୟ ବିଶ୍ରାମ କରିବା ପାଇଁ ଜମଦଗ୍ନି ଆଶ୍ରମରେ ପହଞ୍ଚିଲା। ସେଠାରେ ସେ ଦେଖିଲା ଯେ, କାମଧେନୁ ଅତି ସହଜରେ ସମସ୍ତ ସେନା ପାଇଁ ଭୋଜନର ବ୍ୟବସ୍ଥା କରିଦେଉଛି। ତେଣୁ ସେ କାମଧେନୁ ର ବାଛୁରୀ କୁ ବଳପୂର୍ବକ ନିଜ ସହିତ ନେଇ ଗଲା। ଯେତେବେଳେ ପର୍ଶୁରାମ ଏକଥା ଜାଣିବାକୁ ପାଇଲେ ସେ କ୍ରୋଧିତ ହୋଇ କାର୍ତବୀର୍ଯ ଅର୍ଜୁନ ର ଏକ ହଜାର ହାତକୁ କାଟି ଦେଲେ ଏବଂ ତାକୁ ବଧ କଲେ।
💥 କ୍ଷତ୍ରିୟ ମାନଙ୍କର ସଂହାର କରିଥିଲେ He slaughtered the peasants
କାର୍ତବୀର୍ଯ ଅର୍ଜୁନ ବଧର ପ୍ରତିଶୋଧ ନେବାପାଇଁ ତାର ପୁତ୍ରମାନେ ଜମଦଗ୍ନି ମୁନିଙ୍କୁ ବଧ କଲେ। କ୍ଷତ୍ରିୟ ମାନଙ୍କର ଏପରି ନୀଚକର୍ମ ପାଇଁ ଭଗବାନ ପର୍ଶୁରାମ କ୍ରୋଧିତ ହୋଇ ତାର ସମସ୍ତ ପୁତ୍ରଙ୍କର ବଧ କରିଥିଲେ। ଯେଉଁ କ୍ଷତ୍ରିୟ ରାଜାମାନେ ସେମାନଙ୍କୁ ସାହାଯ୍ୟ କରିଥିଲେ, ପର୍ଶୁରାମ ସେମାନଙ୍କୁ ମଧ୍ୟ ବଧ କଲେ। ଏହିପରି ଭଗବାନ୍ ପର୍ଶୁରାମ ୨୧ ଥର ପୃଥିବୀ କୁ କ୍ଷତ୍ରିୟ ବିହୀନ କରିଥିଲେ।
💥ବ୍ରାହ୍ମଣ ମାନଙ୍କୁ ସମ୍ପୂର୍ଣ୍ଣ ପୃଥିବୀ ଦାନ କରିଥିଲେ He gave the whole earth to the Brahmins
ମହାଭାରତ ଅନୁସାରେ ପର୍ଶୁରାମ ଙ୍କ ଏଭଳି କ୍ରୋଧ ଦେଖି ମହର୍ଷି ଋଚିକ ସାକ୍ଷାତ ପ୍ରକଟିତ ହୋଇ ତାଙ୍କୁ ଏପରି ଘୋର କର୍ମ କରିବା ପାଇଁ ବାରଣ କଲେ। ତାଙ୍କ ଆଦେଶରେ ପର୍ଶୁରାମ କ୍ଷତ୍ରିୟ ମାନଙ୍କର ସଂହାର କଲେନାହିଁ ଏବଂ ବ୍ରାହ୍ମଣମାନଙ୍କୁ ସମସ୍ତ ପୃଥିବୀକୁ ଦାନ ଦେଇ ସ୍ଵୟଂ ମହେନ୍ଦ୍ର ପର୍ବତ କୁ ଯାଇ ନିବାସ କରିବାକୁ ଲାଗିଲେ।
💥ପର୍ଶୁରାମଙ୍କ କର୍ଣ୍ଣକୁ ଅଭିଶାପ Curse Parashuram's Karna
ମହାଭାରତ ଅନୁସାରେ ପର୍ଶୁରାମ ହେଉଛନ୍ତି ସ୍ଵୟଂ ବିଷ୍ଣୁଙ୍କର ଅଂଶାବତାର। କର୍ଣ୍ଣ ମଧ୍ୟ ତାଙ୍କର ଶିଷ୍ୟ ଥିଲେ। ପର୍ଶୁରାମ ଙ୍କୁ ସୁତପୁତ୍ର ଭାବରେ କର୍ଣ୍ଣ ନିଜର ପରିଚୟ ଦେଇଥିଲେ। ଦିନେ ପର୍ଶୁରାମ କର୍ଣ୍ଣଙ୍କ କୋଡରେ ମସ୍ତକ ରଖି ଶୋଇଥିଲେ। ସେହି ସମୟରେ କର୍ଣ୍ଣ ଙ୍କୁ ଏକ ଭୟଙ୍କର କୀଟ ଦଂଶନ କଲା। ଗୁରୁଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟି ନ ହେବା ପାଇଁ ସେ ଏହି ଅସହ୍ୟ ଯନ୍ତ୍ରଣା କୁ ମଧ୍ୟ ସହ୍ୟ ସହିବାକୁ ଲାଗିଲେ, କିନ୍ତୁ ସେ ପର୍ଶୁରାମ ଙ୍କୁ ନିଦ୍ରା ରୁ ଉଠାଇଲେ ନାହିଁ। ନିଦ୍ରା ରୁ ଉଠିବା ପରେ ପର୍ଶୁରାମ ଏସବୁ ଦେଖି ଜାଣିପାରିଲେ ଯେ, କର୍ଣ୍ଣ ସୁତପୁତ୍ର ନୁହନ୍ତି ବରଂ ସେ ଜଣେ କ୍ଷତ୍ରିୟ ପୁତ୍ର। ସେତେବେଳେ ପର୍ଶୁରାମ କ୍ରୋଧିତ ହୋଇ କର୍ଣ୍ଣକୁ ଅଭିଶାପ ଦେଲେ, ମୋ ଠାରୁ ଶିକ୍ଷା ଲାଭ କରିଥିବା ସମସ୍ତ ଶସ୍ତ୍ର ବିଦ୍ୟା ଯେତେବେଳେ ତୁମର ସବୁଠାରୁ ଅଧିକ ଆବଶ୍ୟକତା ଥିବ, ସେହି ସମୟରେ ତାହା ତୁମର ବିସ୍ମରଣ ହୋଇଯିବ। ଏହିପରି ପର୍ଶୁରାମ ଙ୍କ ଅଭିଶାପ କାରଣରୁ କର୍ଣ୍ଣର ମୃତ୍ୟୁ ହୋଇଥିଲା।
💥ରାମରୁ ହେଲେ ପର୍ଶୁରାମ From Rama came Parashuram
ବାଲ୍ୟାବସ୍ଥା ରେ ପର୍ଶୁରାମ ଙ୍କ ପିତା ମାତା ତାଙ୍କୁ ରାମ ନାମ ରେ ଡାକୁଥିଲେ। ଯେତେବେଳେ ରାମ ବଡ ହେବାକୁ ଲାଗିଲେ, ସେ ତାଙ୍କ ପିତାଙ୍କ ଠାରୁ ସମସ୍ତ ବେଦ ଶିକ୍ଷା ଲାଭ କଲେ ଏବଂ ଧନୁର୍ବିଦ୍ୟା ଶିକ୍ଷା କରିବା ପାଇଁ ଇଚ୍ଛା ପ୍ରକଟ କଲେ। ମହର୍ଷି ଜମଦଗ୍ନି ତାଙ୍କୁ ହିମାଳୟକୁ ଯାଇ ଭଗବାନ୍ ଶିବଙ୍କୁ ପ୍ରସନ୍ନ କରିବାକୁ କହିଲେ। ପିତାଙ୍କ ଆଜ୍ଞା ପାଳନ କରି ରାମ ତପସ୍ୟା କରିବାକୁ ଲାଗିଲେ। ସେହି ସମୟରେ ରାକ୍ଷସ ମାନଙ୍କ ଦ୍ଵାରା ଭୟଭୀତ ହୋଇ ଦେବତା ମାନେ ଶିବଙ୍କ ପାଖରେ ଯାଇ ପହଞ୍ଚିଲେ ଏବଂ ରାକ୍ଷସ ମାନଙ୍କ କବଳରୁ ମୁକ୍ତି କରିବା ପାଇଁ ନିବେଦନ କଲେ। ସେତେବେଳେ ମହାଦେବ ତପସ୍ୟାରତ ରାମଙ୍କୁ ଅସୁରମାନଙ୍କୁ ବିନାଶ କରିବାପାଇଁ କହିଲେ । ରାମ ବିନା ଅସ୍ତ୍ର ସହାୟତାରେ ରାକ୍ଷସ ମାନଙ୍କୁ ବିନାଶ କଲେ। ରାମଙ୍କର ଏହି ପରାକ୍ରମ ଦେଖି ଭଗବାନ ଶିବ ତାଙ୍କୁ ଅନେକ ଅସ୍ତ୍ର- ଶସ୍ତ୍ର ପ୍ରଦାନ କଲେ। ଏହି ଅସ୍ତ୍ର- ଶସ୍ତ୍ର ମଧ୍ୟରେ ଗୋଟିଏ ପରଶୁ ( ଫର୍ସା ) ମଧ୍ୟ ଥିଲା। ଏହାକୁ ପ୍ରାପ୍ତ କରି ରାମଙ୍କ ନାମ ପର୍ଶୁରାମ ହୋଇଥିଲା।
💥ଶ୍ରୀଗଣେଶଙ୍କର ଗୋଟିଏ ଦାନ୍ତ ମଧ୍ଯ ଫର୍ସାରେ କାଟି ଦେଇଥିଲେ One of Sriganesh's teeth was also cut in the farsa
ଵ୍ରହ୍ମବୈବର୍ତ୍ତ ପୁରାଣ ରେ ଉଲ୍ଲେଖ ରହିଛି ଯେ, ଏକଦା ପର୍ଶୁରାମ ଭଗବାନ୍ ଶିବଙ୍କୁ ଦର୍ଶନ କରିବା ପାଇଁ କୈଳାସ ରେ ପହଞ୍ଚିଲେ, ସେତେବେଳେ ଭଗବାନ୍ ଧ୍ୟାନରେ ବସିଥାନ୍ତି। ଶ୍ରୀ ଗଣେଶ ପର୍ଶୁରାମ ଙ୍କୁ ଭଗବାନ୍ ଶିବଙ୍କୁ ଦର୍ଶନ କରିବା ପାଇଁ ନ ଦେବାରୁ ପର୍ଶୁରାମ କ୍ରୋଧିତ ହୋଇ ତାଙ୍କ ଫର୍ସାରେ ଶ୍ରୀ ଗଣେଶ ଙ୍କୁ ଆଘାତ କଲେ। ସେହି ଫର୍ସା ସ୍ୱୟଂ ଭଗବାନ ଶିବ ପର୍ଶୁରାମ ଙ୍କୁ ପ୍ରଦାନ କରିଥିଲେ ତେଣୁ ଶ୍ରୀଗଣେଶ ସେହି ଫର୍ସାର ଆଘାତକୁ ନିଜ ଦାନ୍ତ ଉପରେ ପଡ଼ିବାକୁ ଦେଲେ। ଏବଂ ତାଙ୍କର ଗୋଟିଏ ଦାନ୍ତ ଭାଙ୍ଗି ଗଲା। ସେହିଦିନଠାରୁ ତାଙ୍କୁ ଏକଦନ୍ତ ମଧ୍ୟ କୁହାଯାଏ।
💥 ପର୍ଶୁରାମଙ୍କ ଭାଇ ମାନଙ୍କର ନାମ Names of Parashuram's brothers
ଋଷି ଜମଦଗ୍ନି ତଥା ରେଣୁକା ଙ୍କର ଚାରିଜଣ ପୁତ୍ର ଥିଲେ, ସେମାନଙ୍କ ମଧ୍ୟରୁ ପର୍ଶୁରାମ ଥିଲେ ସବୁଠାରୁ ସାନ। ଭଗବାନ୍ ପର୍ଶୁରାମ ଙ୍କର ତିନିଜଣ ବଡ଼ଭାଇ ଥିଲେ, ଯେଉଁମାନଙ୍କ ନାମ କ୍ରମଶଃ ରୁକ୍ମବାନ, ସୁଷେଣବସୁ ଏବଂ ବିଶ୍ଵାବସୁ ଥିଲା।
💥ପର୍ଶୁରାମ ହେଉଛନ୍ତି ଅମର Parashuram is immortal
ହିନ୍ଦୁ ଧର୍ମଗ୍ରନ୍ଥ ରେ କେତେକ ମହାପୁରୁଷଙ୍କ ନାମ ବର୍ଣିତ ହୋଇଛି ଯାହାଙ୍କୁ ଆଜି ମଧ୍ୟ ଅମର ବୋଲି କୁହାଯାଏ। ଏହାଙ୍କୁ ଅଷ୍ଟ ଚିରଞ୍ଜିବୀ ମଧ୍ୟ କୁହାଯାଏ। ଏମାନଙ୍କ ମଧ୍ୟରୁ ଭଗବାନ୍ ବିଷ୍ଣୁଙ୍କର ଅଂଶାବତାର ପର୍ଶୁରାମ ମଧ୍ୟ ଅଛନ୍ତି-
ଅଶ୍ୱତ୍ଥାମା ଵଲିର୍ବ୍ୟାସୋ ହନୁମାଂଶ୍ଚ ବିଭୀଷଣଃ।
କୃପଃ ପରଶୁରାମଶ୍ଚ ସପ୍ତୈତେ ଚିରଜୀବିନଃ।।
ସପ୍ତୈତାନ୍ ସଂସ୍ମରେନ୍ନିତ୍ୟଂ ମାର୍କଣ୍ଡେୟମଥାଷ୍ଟମମ୍।
ଜୀବେଦ୍ବର୍ଷଶତଂ ସୋପି ସର୍ବବ୍ୟାଧିବିବର୍ଜିତଃ।।
ଏହି ଶ୍ଳୋକ ଅନୁସାରେ ଅଶ୍ୱତ୍ଥାମା, ରାଜା ଵଳି, ମହର୍ଷି ବେଦବ୍ୟାସ, ହନୁମାନ, ବିଭୀଷଣ, କୃପାଚାର୍ଯ୍ୟ, ଭଗବାନ୍ ପର୍ଶୁରାମ ତଥା ଋଷି ମାର୍କଣ୍ଡେୟ ଅମର ଅଟନ୍ତି। ଏଭଳି ମାନ୍ୟତା ଅଛି ଯେ, ଭଗବାନ୍ ପର୍ଶୁରାମ ଆଜିମଧ୍ୟ କେଉଁଠି ତପସ୍ୟାରତ ଅଛନ୍ତି।
