ll ରାଧାଷ୍ଟମୀ ll
RadhaAstami
”ଶ୍ରୀ ରାଧିକା ଶୁଭେ ଜାତ ଶ୍ରୀମଦ୍ ବୃନ୍ଦାବନେଶ୍ୱରୀ,
ଭାଦ୍ର ମାସେ ସୀତାଷ୍ଟମ୍ୟାଂ ମଧ୍ୟାହ୍ନ ଶୁଭଦାୟିନୀ ।”
ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ ଶ୍ରୀରାଧାଙ୍କର ଉତ୍ପତ୍ତି ଓ ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ‘ଜନ୍ମାଷ୍ଟମୀ’ ବା ‘ହରିଜନ୍ମ’ ଇତ୍ୟାଦି ନାମରେ ପାଳନ କରାଯାଏ ଓ ବୈଷ୍ଣବମାନେ ଶ୍ରୀରାଧାଙ୍କର ଜନ୍ମତିଥିକୁ ‘ରାଧାଷ୍ଟମୀ’ ଭାବେ ପାଳନ କରନ୍ତି ଓ ସେମାନଙ୍କ ମତରେ କୃଷ୍ଣଭକ୍ତି ପ୍ରାପ୍ତିର ମାଧ୍ୟମ ଶ୍ରୀରାଧାଙ୍କ ସ୍ତୁତି ଓ ପୂଜନ
”ତପ୍ତ କାଞ୍ଚନ ଗୌରାଙ୍ଗୀ ରାଧେ ବୃନ୍ଦାବନେଶ୍ୱରୀ
ବୃସଭାନୁ ସୁତା ଦେବୀ ପ୍ରଣମାମି ହରି ପ୍ରିୟେ ।”
ବ୍ରହ୍ମବୈବର୍ତ୍ତ ପୁରାଣ ମତେ ନିତ୍ୟଶ୍ରୀରାଧା ଅଯୋନି ସମ୍ଭୂତ ଓ ଗୋକୁଳ ନିବାସୀ ସାମନ୍ତ ରାଜ ବୃଷଭାନୁଙ୍କ ପତ୍ନୀ କୀର୍ତ୍ତିଦା ପୁଷ୍କରଣୀକୁ ସ୍ନାନ କରିବାକୁ ଯିବା ସମୟରେ ଏକ ପ୍ରସ୍ଫୁଟିତ କଇଁ ଫୁଲ ଉପରେ ଶିଶୁକନ୍ୟାଟିଏ ଶୋଇଥିବା ଦେଖି ତାକୁ ଘରକୁ ନେଇ ଆସିଥିଲେ । କୁହାଯାଏ ଜନ୍ମଠାରୁ ତିନିଦିନ ପର୍ଯ୍ୟନ୍ତ ରାଧାଙ୍କ ଚକ୍ଷୁ ମୁଦ୍ରିତ ଥିଲା ଓ ଯଶୋଦାଙ୍କ କୋଳରେ ବାଳକ କୃଷ୍ଣଙ୍କୁ ଦେଖିବା ପରେ ତାଙ୍କର ଆଖି ଖୋଲିଯାଇଥିଲା ।
କୈଶୋରାବସ୍ଥାରେ ରାଧା ଚନ୍ଦ୍ରସେଣା ନାମକ ଜଣେ ନପୁସଂକ ଗୋପାଳଙ୍କୁ ବିବାହ କରିଥିଲେ ଓ ଜଟିଳା ତାଙ୍କର ଶାଶୁ ଓ ନଣନ୍ଦଙ୍କ ନାମ କୁଟିଳା । ବରସାନା ବା ତତ୍କାଳୀନ ଯାବଟ ଗ୍ରାମ ହେଉଛି ଶ୍ରୀରାଧାଙ୍କ ପିତ୍ରାଳୟ । ଗୁରୁଜନଙ୍କ ଗଞ୍ଜଣା ଶାଶୁ ନଣନ୍ଦ ଓ ସମାଜର ନିନ୍ଦା ଅପବାଦ କାହାରିକୁ ଭ୍ରୂକ୍ଷେପ ନକରି ରାଧା ଥିଲେ କୃଷ୍ଣପ୍ରେମରେ ବାତୁଳୀ ଓ ଶ୍ରୀକୃଷ୍ଣଙ୍କ ଚରଣରେ ନିଜର ସର୍ବସ୍ୱ ସମର୍ପଣ କରିଥିଲେ ରାଇ ବିନୋଦିନୀ । ବୃନ୍ଦାବନର ମହାରାସରେ ସେ ଥିଲେ ମୁଖ୍ୟ ନାୟିକା ଓ ଶ୍ରୀକୃଷ୍ଣଙ୍କ ମଥୁରା ଓ ଦ୍ୱାରକା ଗମନ ପରେ ବିରହ ବ୍ୟଥାରେ ଶ୍ରୀରାଧାଙ୍କ ବେଦନା ଥିଲା ହୃଦୟ ବିଦାରକ ।ଶ୍ରୀକୃଷ୍ଣ ପ୍ରେମରେ ଗୋପପୁରର ସମସ୍ତ ଗୋପାଳୁଣୀ ମହତ ସାରିଥିଲେ ମଧ୍ୟ ରାସେଶ୍ୱରୀ ରାଧାଙ୍କ ଲଲଟରେ ହିଁ ଲାଗିଥିଲା କୁଲଟା ଅପବାଦ । ହେଲେ ପ୍ରିୟତମାର ମହତ ରକ୍ଷା ପାଇଁ ଶ୍ରୀକୃଷ୍ଣଙ୍କୁ ପଣ କରିଥିଲେ ଶ୍ରୀରାଧା ଓ କେବଳ ରାଧା ହିଁ କଣା ମାଠିଆରେ ପାଣି ଓ ପଦଧୂଳି ଦେଇ ପ୍ରଭୁଙ୍କ ରୋଗର ଉପଶମ କରିଥିବା ବୈଷ୍ଣବ ସାହିତ୍ୟମାନଙ୍କରେ ବର୍ଣ୍ଣନା କରାଯାଇଛି । କବି ଜୟଦେବ ନିଜର ସୁଲଲିତ “ଗୀତ ଗୋବିନ୍ଦ” କାବ୍ୟରେ ରାଧାକୃଷ୍ଣଙ୍କ ଦିବ୍ୟ ପ୍ରେମଲୀଳାର ଅପୂର୍ବ ବର୍ଣ୍ଣନା କରିଥିବା ବେଳେ ଅଭିମନ୍ୟୁ ସାମନ୍ତସିଂହାର ସ୍ୱରଚିତ “ବିଦଗ୍ଧ ଚିନ୍ତାମଣି”ରେ ଏହି ଅପ୍ରାକୃତ ପ୍ରେମଲୀଳାର ଉଚ୍ଚକୋଟୀର ବର୍ଣ୍ଣନା କରିଛନ୍ତି ।
ଶ୍ରୀରାଧାନାମ ଉଚ୍ଚାରଣରେ ସମସ୍ତ ପାପ କ୍ଷୟ ଓ କର୍ମ ସକଳ ନାଶ ହୋଇ ମନୁଷ୍ୟ ମୁକ୍ତି ପଦ ପ୍ରାପ୍ତ ହୁଏ । ଈଶ୍ୱରଙ୍କ ନିକଟତର ହୋଇଥାଏ ଓ ତେଣୁ ରାଧାଭାବକୁ ମହାଭାବ ବା ଶ୍ରେଷ୍ଠ ସାଧନ ବୋଲି ବିଚାର କରାଯାଏ । ମହାନ ବୈଷ୍ଣବ ଶ୍ରୀ ଚୈତନ୍ୟ ରାୟ ରାମାନନ୍ଦ ପଞ୍ଚ ମହାପୁରୁଷଙ୍କଠାରୁ ଏହି ମହାଭାବ ସମ୍ପର୍କରେ ଶୁଣି ତନ୍ମୟ ହୋଇପଡ଼ିଥିଲେ ଓ ତେଣୁ, ବୈଷ୍ଣବମାନେ କୃଷ୍ଣ ଉପାସନାରେ ଶ୍ରୀରାଧାଙ୍କ ଆରାଧନା କରିଥାନ୍ତି ।
”ଗୋଲକଅଧିକାରିଣୀ ଶ୍ରୀନିତ୍ୟରାଧା
ରାସୋଭବା କୃଷ୍ଣକାନ୍ତା କୃଷ୍ଣ ବକ୍ଷଃ ସ୍ଥଳସ୍ଥିତା
କୃଷ୍ଣ ପ୍ରାଣାଧୀଦେବୀଚ ମହା ବିଷ୍ଣୋଃ ପ୍ରସୂରୂପି
ସର୍ବଦ୍ୟା ବିଷ୍ଣୁମାୟାଚ ସତ୍ୟା ନିତ୍ୟା ସନାତନୀ
ବ୍ରହ୍ମ ସ୍ୱରୂପା ପରମା ନିର୍ଲିପ୍ତା ନିର୍ଗୁଣା ପରା ।”
ll ପୌରାଣିକ ll -
ଦିନେ ନାରଦ ଶ୍ରୀକୃଷ୍ଣଙ୍କୁ ପଚାରିଲେ- ଭଗବାନ ! ଆପଣଙ୍କ ଶ୍ରୀମୁଖରୁ ଅନେକ ବ୍ରତ କଥା ଶୁଣିଛି I ବର୍ତ୍ତମାନ ମୋତେ ଶ୍ରୀରାଧାଙ୍କର ଜନ୍ମଦିନର ବ୍ରତ କଥା କୁହନ୍ତୁ I ଶ୍ରୀକୃଷ୍ଣ କହିଲେ ଦେବର୍ଷି, ତୁମେ ମୋର ପ୍ରିୟ ଭକ୍ତ I ସେଥିପାଇଁ ତୁମେ ଏ ବ୍ରତ ଶ୍ରବଣ କରିବାର ଯୋଗ୍ୟ ଅଟ I ଏକଦା ସୂର୍ଯ୍ୟଦେବ ବ୍ରହ୍ମାଣ୍ଡ ପରିଭ୍ରମଣ କରୁକରୁ ନାନା ପ୍ରକାରର ଐଶ୍ୱର୍ଯ୍ୟ ଦେଖି ତପସ୍ୟା କରିବାକୁ ମନ ବଳାଇଲେ I ତେଣୁ ସେ ମନ୍ଦର ପର୍ବତ ଗୂହାରେ କଠିନ ତପସ୍ୟାରତ ହେଲେ I ଫଳରେ ପୃଥିବୀ ଅନ୍ଧକାରାଚ୍ଛନ୍ନ ହେଲା, ଦେବତାଗଣ ଭୀତ ହେଲେ I ଇନ୍ଦ୍ର ଦେବତାଗଣଙ୍କ ସହ ମିଶି ମୋତେ ପ୍ରାର୍ଥନା କଲେ I ମୁଁ ଦେବଗଣଙ୍କୁ ଆଶ୍ୱାସନା ଦେଇ ସୂର୍ଯ୍ୟଙ୍କୁ ଦର୍ଶନ ଦେଇ କହିଲି ‘ ହେ ଦିବାକର ! ତୁମେ ତପସ୍ୟାରେ ସିଦ୍ଧି ଲାଭ କରିଛ I ତୁମେ ବର ପ୍ରାର୍ଥନା କର I ସୂର୍ଯ୍ୟଦେବ କହିଲେ ପ୍ରଭୁ ! ମୋତେ ଗୋଟିଏ ଗୁଣବତୀ କନ୍ୟାର ବର ଦିଅନ୍ତୁ ଏବଂ ଆପଣ ଚିରଦିନ ସେହି କନ୍ୟାପ୍ରତି ବଶୀଭୂତ ରହିବେ I ଏହା ବ୍ୟତୀତ ମୋର ଆଉ କିଛି ଇଚ୍ଛା ନାହିଁ I ମୁଁ ‘ ତଥାସ୍ତୁ ’ କହିଲି I ଏହି ପୃଥିବୀରେ ମୁଁ କେବଳ ଶ୍ରୀରାଧାଙ୍କର ବଶୀଭୂତ I ଶ୍ରୀରାଧା ଏବଂ ମୋ ମଧ୍ୟରେ କୌଣସି ପ୍ରଭେଦ ନାହିଁ I ମୁଁ ପୃଥିବୀର ଭାର ଲାଘବ ପାଇଁ ବୃନ୍ଦାବନର ନନ୍ଦାଳୟରେ ଅବତୀର୍ଣ୍ଣ ହେବି I ତୁମେ ସେଠାରେ ବୃଷଭାନୁ ରାଜା ନାମରେ ଜନ୍ମ ଗ୍ରହଣ କରିବ I ଶ୍ରୀରାଧା ତୁମର କନ୍ୟାରୂପେ ଅବତୀର୍ଣ୍ଣ ହେବେ I ଶ୍ରୀହରି ମଥୁରାରେ ଜନ୍ମଗ୍ରହଣ କରି ନନ୍ଦାଳୟକୁ ଆସିଲେ I ସୂର୍ଯ୍ୟଦେବ ବୈଶ୍ୟ କୁଳରେ ବୃଷଭାନୁ ନାମରେ ଜନ୍ମ ଗ୍ରହଣ କଲେ I ଯଥା କାଳେ ଗୋପକନ୍ୟା କୀର୍ତ୍ତିଦାଙ୍କ ସହିତ ତାଙ୍କ ବିବାହ ହେଲା, ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି ବିଶାଖା ନକ୍ଷତ୍ରରେ କୀର୍ତ୍ତିଦାଙ୍କ ଗର୍ଭରେ ରାଧିକା ଜନ୍ମଗ୍ରହଣ କଲେ I ଗୋପଗୋପୀ ଗଣ ଆନନ୍ଦରେ ଶ୍ରୀରାଧାଙ୍କ ଜନ୍ମ ପାଳନ କରିଥିଲେ I କାଳକ୍ରମେ ଶ୍ରୀରାଧା ଚନ୍ଦ୍ରସେଣା ନାମକ ନପୁଂସକ ଗୋପାଳଙ୍କୁ ବିବାହ କଲେ, କିନ୍ତୁ ସେ ପରମପୁରୁଷ ଜ୍ଞାନରେ ଶ୍ରୀକୃଷ୍ଣଙ୍କ ସହ ବିହାର କଲେ, ତେଣୁ ଶ୍ରୀକୃଷ୍ଣଙ୍କର କରୁଣା ଲାଭ ପାଇଁ ଶ୍ରୀରାଧାଙ୍କ ଜନ୍ମଦିନକୁ ‘ ଶ୍ରୀରାଧାଷ୍ଟମୀ ’ ଭାବରେ ପାଳନ କରାଯାଏ I
ll ରାଧାଷ୍ଟମୀ ବ୍ରତ ll RadhaAstami Brata
ଭାଦ୍ରମାସ ଶୁକ୍ଳପକ୍ଷ ଅଷ୍ଟମୀରେ ଏହି ବ୍ରତ ପାଳନ କରାଯାଏ । ପୂର୍ବେ ଏହି ତିଥିରେ ଦୁର୍ବାଷ୍ଟମୀ ପାଳନ ହେଉଥିଲା । କ୍ରମେ ଦୁର୍ବାଷ୍ଟମୀ ଅପ୍ରଚଳିତ ହୋଇଗଲାଣି । ରାଧାଷ୍ଟମୀ ବୈଷ୍ଣବମାନଙ୍କ ମଧ୍ୟରେ ବିଶେଷ ଭାବରେ ପ୍ରଚଳିତ । ଏଥିରେ ରାଧାଙ୍କର ଜନ୍ମବୃତ୍ତାନ୍ତ ବ୍ୟତୀତ ଏକ ବ୍ରତ କଥା ପଠିତ ହୁଏ । କାହାଣୀଟି ଅତି ସରଳ । ସତ୍ୟଯୁଗରେ ଗୋଟିଏ ବାରଙ୍ଗନା ଥିଲା । ତା' ନାମ ଲୀଳାବତୀ । ସେ ଥରେ ନିଜ ନଗରରୁ ଅନ୍ୟ ଏକ ନଗରକୁ ଯାଉଥିଲା । ବାଟରେ ଗୋଟିଏ ମନ୍ଦିର ଦେଖିଲା । ସେଠାରେ କେତେଜଣ ବୈଷ୍ଣବ ସନ୍ୟାସୀ ରାଧାଷ୍ଟାମୀ ପାଳୁଥିଲେ । ଧୂପ, ଦୀପ, ନୈବେଦ୍ୟ ଦେଇ ଦିବ୍ୟ ବସ୍ତ୍ର ଅଲଙ୍କାର ବିନ୍ଧାଇ ଶ୍ରୀରାଧାଙ୍କ ମୂର୍ତ୍ତିଙ୍କୁ ପୂଜା କରୁଥିଲେ । ତା'ର ମନରେ ପରିବର୍ତ୍ତନ ଆସିଲା । ସେ ଏହି ବ୍ରତ କରିବ ବୋଲି ସଂକଳ୍ପ କଲା । ସଂକଳ୍ପ କରିବା କ୍ଷଣି ତାର ସବୁପାପ ଦୂର ହେଲା । ସେ ମୃତ୍ୟୁ ପରେ ବୈକୁଣ୍ଠକୁ ଗଲା ।