ହରିଶୟନ ଏକାଦଶୀ Harsayan Ekadashi Bibarani Odia Lyrics

ABOUT INTEX
0
🔥 *ରଥ, ପଥ, ଜଗନ୍ନାଥ* 🔥
🙏 ⛳ 🔥 🕉️ 🔥 ⛳ 🙏
🔥 *ହରିଶୟନ ଏକାଦଶୀ* 🔥
🔱🛑 🌷🕉 🌷 🛑🔱
ଦିବସ- ଆଷାଢ଼ ଶୁକ୍ଳ ଏକାଦଶୀ
ତାରିଖ : ୧୭.୦୭.୨୦୨୪
                             
                                              
ରଥଯାତ୍ରା ପରେ ଆଷାଢ଼ ଶୁକ୍ଳ ଏକାଦଶୀକୁ ହରିଶୟନ ଏକାଦଶୀ କୁହନ୍ତି । ଏହି ଦିନ ହରିଶୟନୋତ୍ସବ ପାଳିତ ହୁଏ । ସେଦିନ ଚତୁର୍ଥ ପ୍ରହରର ପୂଜା ପରେ ତ୍ରିମୂର୍ତ୍ତିଙ୍କ ପାଖରୁ ବିଜୟ ପ୍ରତିମାମାନଙ୍କୁ ନାନାଦି ଉପହାର ଦିଆଯାଏ । ପ୍ରାସାଦର ଦକ୍ଷିଣଭାଗସ୍ଥ ସୁସଜ୍ଜିତ ମଣ୍ଡପକୁ ନିଆଯାଇ ସେଠାରେ ଦୋଳରେ ଥିବା ପେଟିକାରେ ତିନି ଠାକୁରଙ୍କୁ ବନ୍ଦକରି ନିକଟସ୍ଥ ଗୃହରେ ଚାରି ମାସ ଅର୍ଥାତ୍ ଆଷାଢ଼ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିିକ ଶୁକ୍ଳ ଦଶମୀ ଯାଏଁ ସଂରକ୍ଷିତ ରଖାଯାଏ । ଏହାକୁ ନେଇ ଯେଉଁ ଉତ୍ସବ ହୁଏ, ତାକୁ ହରିଶୟନୋତ୍ସବ କୁହନ୍ତି । ଏହା ଶ୍ରୀକ୍ଷେତ୍ରରେ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ । ବିଷ୍ଣୁଙ୍କର ଏହି ଚାରିମାସ ଆବଦ୍ଧ ବା ଶୟନ କାଳକୁ ଚତୁର୍ମାସ୍ୟା ସମୟ ବୋଲି କୁହାଯାଏ । ଏହାକୁ ଏକ ଅଶୁଭ କାଳ ବୋଲି ବିବେଚନା କରାଯାଉଥିବାରୁ , ଏଥିରେ କୌଣସି ଶୁଭ କାମ ହୁଏ ନାହିଁ । ଅଥଚ ଏହି ସମୟରେ ବିଷ୍ଣୁଙ୍କୁ ଆରାଧନା କଲେ ବାଞ୍ଛିତ ଫଳ ମିଳେ ବୋଲି ବିଶ୍ୱାସ କରାଯାଏ । ଚାରିମାସ ଶୟନ ପରେ କାର୍ତ୍ତିକ ଶୁ୍‌କ୍ଳ ଦଶମୀ ଦିନ ବିଷ୍ଣୁ ପୁନର୍ବାର ଜାଗ୍ରତ ଅବସ୍ଥାକୁ ଆସନ୍ତି । ମଳମାସକୁ ବାଦଦେଲେ ବର୍ଷରେ ୨୪ଟି ଏକାଦଶୀ ପାଳନ କରାଯାଏ । ତା ମଧ୍ୟରୁ ବୈଶାଖ, ଆଷାଢ଼, କାର୍ତ୍ତିକ ଓ ମାର୍ଗଶୀର ଶୁକ୍ଳ ଏକାଦଶୀମାନଙ୍କୁ ବଡ଼ ଏକାଦଶୀ କହନ୍ତି । ଏଣୁ ଆଷାଢ଼ ଶୁକ୍ଳ ଏକାଦଶୀ ବା ହରିଶୟନ ଏକାଦଶୀ ବା ବଡ଼ ଏକାଦଶୀ । 

ଏକାଦଶୀ ପୂର୍ବଦିନ ହବିଷାନ୍ନ ବ୍ରତୀମାନେ ଖାଇଥାନ୍ତି ଏବଂ ଏକାଦଶୀ ଦିନ ଉପବାସ ପାଳନ କରନ୍ତି । ତେବେ ଚତୁର୍ମାସ୍ୟା ବ୍ରତ ପାଳନ କରୁଥିବା ବ୍ୟକ୍ତିମାନେ ଏହି କାଳରେ ଶାକାହାର କିମ୍ବା ଫଳ ଭୋଜନ ପୂର୍ବକ ପାଳନ କରିଥାନ୍ତି । ଏକଦଶୀ ତଥା ଚତୁର୍ମାସ୍ୟା କାଳରେ ବ୍ରତୀମାନେ ନିରୋଳା ଓ ନିର୍ଜନ ସ୍ଥାନରେ ହରିନାମ ଜପରେ ତପସ୍ୟା କରିପାରନ୍ତି । ଗୃହସ୍ଥମାନେ ନିଜ ନିଜ ଗୃହରେ ପବିତ୍ରତା ସହ ପାଳନ କରିଥାନ୍ତି । ହରିଶୟନ ଏକାଦଶୀକୁ ନେଇ ଏକ କାହାଣୀ ଅଛି । ଏକଦା ସୂର୍ଯ୍ୟବଂଶୀ ରାଜା ମାନ୍ଧାତାଙ୍କର ରାଜ୍ୟ ଅଯୋଧ୍ୟାରେ ଅକାଳ ମଡ଼କ ପଡ଼ିଲା । ପ୍ରଜାମାନେ ନାନା ଦୁଃଖରେ ଜୀବନ କଟାଇଲେ ଏବଂ ଭୋକ ଉପାସରେ ମଲେ । ରାଜା ଏହାର ପ୍ରତିକାର ଓ ନିରାକରଣ ପାଇଁ ଅଙ୍ଗିରା ଋଷିଙ୍କୁ ଭେଟିଲେ । ସେ କହିଲେ ଯେ ତାଙ୍କ ରାଜ୍ୟରେ ଜଣେ ଶୂଦ୍ର ତପସ୍ୟା କରୁଛି । ସେ ତାକୁ ବାରଣ କରନ୍ତୁ । ତା’ ହେଲେ ସେ ଏ ଦଶାରୁ ମୁକ୍ତି ପାଇବେ । ଏଥିକୁ ମାନ୍ଧାତା କହିଲେ ସେ ତାଙ୍କୁ ବାରଣ କରିପାରିବେ ନାହିଁ । ତା’ର ବି ଈଶ୍ୱରଙ୍କୁ ଭଜିବାର ଅଧିକାର ଅଛି ବରଂ ସେ ତାଙ୍କୁ ଅନ୍ୟ ଉପାୟ ବତାନ୍ତୁ । ରାଜାଙ୍କ ଉତ୍ତରରେ ଅଙ୍ଗିରା ସନ୍ତୁଷ୍ଟ ହୋଇ ହରିଶୟନ ଏକାଦଶୀ ବ୍ରତ ପାଳନ କରିବା ପାଇଁ ପ୍ରବର୍ତ୍ତାଇଲେ ଏବଂ କହିଲେ ଯେ ଏହାଦ୍ୱାରା ବାଞ୍ଛିତ ଫଳ ପ୍ରାପ୍ତ ହେବ ଏବଂ ସମସ୍ତ ଉପଦ୍ରବମାନେ ଶାନ୍ତି ହେବେ । ଅକାଳ ମୃତ୍ୟୁ ଦୂରେଇ ଯିବ, ରାଜ୍ୟରେ ଯଥା ସମୟରେ ବର୍ଷା ହେବ ଓ ଅରାଜକତା ଦୂର ହେବ ଏବଂ କେବଳ ସେତିକି ନୁହେଁ ଏହି ଦିନ ତୁଳସୀ ରୋପଣ ବା ତା’ ବୀଜ ବପନ କଲେ, ବହୁତ ପୂଣ୍ୟ ହୁଏ । ତୁଳସୀ ଗଛ ସ୍ପର୍ଶ ପବନକୁ ବି ଯମଦୂତଙ୍କ ଭୟ । ଯାହା କଣ୍ଠରେ ତୁଳସୀମାଳ ଥାଏ, ତା ଜୀବନ ଧନ୍ୟ । ଧର୍ମ କେବେ ବିଜ୍ଞାନ ରହିତ ନୁହେଁ । ଉପବାସ ଶରୀର ପାଇଁ ବିଜ୍ଞାନ ସମ୍ମତ । ତୁଳସୀ ଗଛର ହାୱାରେ ଜୀବାଣୁମାନେ ନାଶ ଯାଆନ୍ତିି । ଏହା ଏକ ପ୍ରାକୃତିକ ବିଶୋଧକ । ତୁଳସୀ ଗଛ ମୂଳର ଜଳ ଏକ ହଜମକାରୀ ଔଷଧ, ଡାଳ ଚର୍ମରୋଗର ନିରୋଧକ ଏବଂ ପତ୍ର କାଶ, ଶର୍ଦ୍ଦି ଏବଂ ଅନ୍ୟାନ୍ୟ ବାୟୁୂବାହିତ ରୋଗର ପ୍ରତିରୋଧକ । 

ଗୋଲକ ଦାସଙ୍କ ଭାଷାରେ :
ମୂଳେ ତୋର ଗଙ୍ଗା , ଡାଳେ ତୋର ବିଷ୍ଣୁ, ପତ୍ରେ ଦେବତାଙ୍କ ବାସ ସେ ପତ୍ର ପଡ଼ିଲେ ମଣୋହି ହୁଅଇ କହଇ ଗୋଲକ ଦାସ । 

ମଣୋହି କହିଲେ ଭୋଜନଯୋଗ୍ୟ । ତୁଳସୀରେ କର୍ପୁର ଅଂଶ ଥିବାରୁ ଏହାର ପତ୍ରକୁ ଯେଉଁ ଖାଦ୍ୟ ଉପରେ ପ୍ରୟୋଗ କରାଯାଏ, ସେଥିରେ ଜୀବାଣୁ ପ୍ରବେଶ କରନ୍ତି ନାହିଁ । ଏଥିପାଇଁ ଅବଢ଼ା ଉପରେ ତୁଳସୀ ପତ୍ର ପକାଯାଏା ।ପରିବେଶ ଜୀବାଣୁ ପ୍ରଦୁଷଣ ଏବଂ ସଂକ୍ରମଣ ନହେବାରେ ଘରବାଡ଼ିରେ ତୁଳସୀ ଗଛ ଲଗାଯାଇଥାଏ । ଏକାଦଶୀ ବ୍ରତରେ ପୂଣ୍ୟଫଳ ଥାଉ କି ନଥାଉ, ଅନ୍ତତଃ ଏହା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିହାତି ଜରୁରୀ ହେତୁ ଅନ୍ତତଃ ସମସ୍ତେ ଏ ବ୍ରତ ପାଳନ କରିବା ବିଧେୟ । ଶ୍ରୀ କ୍ଷେତ୍ରରେ ହରିଶୟନ ଏକାଦଶୀର ଏକ ଭିନ୍ନ ବିଶେଷତ୍ୱ ଅଛି । 

“ ନୀଳାଦ୍ରି ମହୋଦୟ ” ର ସଂଗୃହିତ …
ଚାତୁର୍ମାସ୍ୟାନ୍ତରେ ରାଜନ୍ ମାସବୃଦ୍ଧିର‌୍ୟଥାଭବେତ୍ ।
ତଦାଶ୍ରାବଣମାସସ୍ୟ ଶୁକ୍ଳେଽପି ହରିବାସରେ ।।
ହରେଃ ଶୟନଯାତ୍ରାୟାଃ ବିଧିଃ କାର‌୍ୟ୍ୟୋ ନ ସଂଶୟଃ ।”
ହେ ରାଜା ! ଚତୁର୍ମାସ୍ୟ ମଧ୍ୟରେ ଯଦି କୌଣସି ମାସର ବୃଦ୍ଧି ଦ୍ଵାରା ମଳମାସ ପଡ଼େ, ତେବେ ଶ୍ରାବଣ ମାସର ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଠାକୁରଙ୍କର ଶୟନଯାତ୍ରା ଅନୁଷ୍ଠାନ କରାଇବ। ଏଥିରେ କୌଣସି ସନ୍ଦେହ ନାହିଁ ।

ହରିଶୟନ ଏକାଦଶୀଠାରୁ ଠାକୁର ଚାରିମାସ ଶୟନ କରିଥା’ନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶୟନ ଯାତ୍ରା ଅନ୍ୟତମ । ଆଷାଢ଼ ଶୁକ୍ଳ ଏକାଦଶୀରେ ଏହି ଉତ୍ସବ ପାଳନ କରାଯାଏ । ଏହା ହରି ଶୟନ ଯାତ୍ରା ନାମରେ ସୁପରିଚିତ । ଆଷାଢ଼ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ୪ ମାସ ଧରି ଶୟନ କରୁଥିବାରୁ ଏହାକୁ ଚାତୁର୍ମାସ୍ୟା କୁହାଯାଏ । ଏହି ସମୟରେ ସାଧୁ, ସନ୍ଥ, ବୈଷ୍ଣବ ଓ ଅନ୍ୟାନ୍ୟ ଭକ୍ତ ବୃନ୍ଦ ଚାତୁର୍ମାସ୍ୟା ବ୍ରତ ପାଳନ କରିଥାନ୍ତି । ଆଜି ଠାରୁ ୪ ମାସ ପର‌୍ୟ୍ୟନ୍ତ କୌଣସି ଶୁଭକାର୍ଯ୍ୟ ହେବ ନାହିଁ ।
ଶାସ୍ତ୍ରାନୁଯାୟୀ, ଏହି ସମୟ ମଧ୍ୟରେ ଧର୍ମ ଗୁରୁ ଶଙ୍କରାଚାର୍ଯ୍ୟ ନିଜ ପୀଠରେ ଅବସ୍ଥାନ ପୂର୍ବକ ସମସ୍ତ ପ୍ରକାର ଯାତ୍ରା ନିଷିଦ୍ଧ ହୋଇଥାଏ । ନଚେତ୍ ବିଶ୍ୱ ସମାଜ ପ୍ରତି ଘୋର ବିପତ୍ତି ସୃଷ୍ଟିର ସମ୍ଭାବନା ଦେଖା ଦେଇଥାଏ । ଅନ୍ୟ ସମସ୍ତ ଏକାଦଶୀ ପରି ଏହି ଏକାଦଶୀ ନୀତି ପାଳନ କରାଯାଇଥାଏ ।

ମହାପ୍ରଭୁଙ୍କ ଶୟନ ନୀତି –
ହରିଶୟନ ଏକାଦଶୀ ଦିନ ଶ୍ରୀମନ୍ଦିର ଭଣ୍ଡାର ଘରୁ ତିନି ମୂର୍ତ୍ତି ଶୟନ ଠାକୁର ପୂଜାପଣ୍ଡା ସେବାୟତଙ୍କ ଦ୍ୱାରା ୩ଟି ରୌପ୍ୟ ଥାଳିରେ ବିଜେ ହୋଇଥାନ୍ତି । ତିନି ବାଡ଼ରେ ଯଥାକ୍ରମେ ବଡବାଡ଼ରେ ବାସୁଦେବ, ମଝି ବାଡ଼ରେ ଭୁବନେଶ୍ଵରୀ ଓ ମହାପ୍ରଭୁଙ୍କ ବାଡ଼ରେ ଶ୍ରୀନାରାୟଣ ଏହି ତିନି ଶ୍ରୀବିଗ୍ରହ ମାନଙ୍କଙ୍କୁ ବିଜେ ଶ୍ରୀଅଙ୍ଗ ଲାଗି ହେଲେ ତିନି ଜଣ ପୂଜାପଣ୍ଡା ମହାସ୍ନାନ ପୂଜା ବଢ଼ିଇଥାନ୍ତି । ଏହି ଦିନ ରାତ୍ରିରେ ଦୁଇଥର ବଡ଼ ସିଂହାର ବେଶ ଓ ଭୋଗ ହୋଇଥାଏ । ପ୍ରଥମେ ଶୟନ ଠାକୁରମାନେ ବିଜେ ହୋଇ ଶ୍ରୀଅଙ୍ଗ ଲାଗି ହେବା ପରେ ପୁନଃ ବଡ଼ସିଂହାର ବେଶ ଓ ଭୋଗ ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିରରେ ପରମ୍ପରା ଅନୁଯାୟୀ, ଶୟନ ନୀତି ଅନୁଷ୍ଠିତ ହୋଇଥାଏ । ଏହି ବିଶେଷ ନୀତିରେ ଭଣ୍ଡାର ମେକାପ, ପାଳିଅ ପଢିଆରି, ତଳୁଚ୍ଛ ମହାପାତ୍ର, ପ୍ରଧାନୀ, ଘଣ୍ଟୁଆ, ଛତାର, ପୂଜାପଣ୍ଡା, କାହାଳିଆ, କୋଠ ସୁଆଁସିଆ, ତାଟ ଦରଜି, ମୁଦିରସ୍ତ, ତଢା଼ଉ କରଣ ପ୍ରମୁଖ ସେବକ ଅଂଶ ଗ୍ରହଣ କରିଥାନ୍ତି । ଶ୍ରୀଜୀଉ ସର୍ବାଙ୍ଗ ଲାଗି ନୂଆ ପତନି ଓ ମାଳଫୁଲ ଲାଗି ବେଶ ହୋଇଥାଏ। ଏହାପରେ ପାଣି ପଡି ଟେରା ବନ୍ଧାଯିବା ପରେ ଘଣ୍ଟ, ଛତ୍ର, କାହାଳି ସହ ବଲ୍ଲଭ ବଡ଼ସିଂହାର ହୋଇଥାଏ । ଏହା ଷୋଡଶ ଉପଚାର ବିଧିରେ ଅନୁଷ୍ଠିତ ହୋଇଥାଏ ।

ଭୋଗ ସରି କର୍ପୂର ଆଳତି ବଢିଲେ ଶୟନ ପ୍ରତିମା ମାନେ ହସ୍ତରେ ବିଜେ ହୋଇ ସାତ ପାହାଚ ଓ ଜଗମୋହନ ଦେଇ ଭଣ୍ଡାର ଘର ନିକଟରେ ପହଞ୍ଚିଥାନ୍ତି । ଶୟନ ଘରେ କୋଠ ସୁଆଁସିଆ ଦେଇଥିବା ପେଡାତାଟ ଏବଂ ଦର୍ଜି ସେବାୟତ ଦେଇଥିବା ଶେଜ ଓ ମାଣ୍ଡିରେ ଶୟନ ଠାକୁରଙ୍କୁ ଶୟନ କରାଯାଏ । ଏହାପରେ ମୁଦିରସ୍ତ ସେବାୟତ ପ୍ରସାଦ ଲାଗି, ପୁଷ୍ପାଞ୍ଜଳି, କର୍ପୂର ଆଳତି ଓ ସାତକାଳୀ ସଞ୍ଜବତୀ, ଦୁର୍ବାକ୍ଷାତ ବନ୍ଦାପନା ଇତ୍ୟାଦି କରିବା ପରେ ପେଡା ବନ୍ଦ କରି ତହିଁ ଉପରେ ଖୋଳ ପକାନ୍ତି । ଏହି ନୀତି ସମାପ୍ତ ପରେ ସଂପୃକ୍ତ ସେବାୟତମାନେ ବାହାରକୁ ଆସିବା ପରେ ତଢ଼ାଉକରଣ ସେବକ ଶୟନ ଘର ଦ୍ଵାରକୁ ମୁଦ ଦେଇଥାନ୍ତି ।
ଯେଉଁମାନେ ବର୍ଷରେ ୧୨/୨୪ ଟି ଏକାଦଶୀ ପାଳନ କରୁଥିଲେ, ସେମାନେ କ୍ରମଶଃ ଏକାଦଶୀ ପାଳନ କରିବେ । ଯେଉଁମାନେ କେବଳ ୪ ଟି ବଡ ଏକାଦଶୀ ପାଳନ କରୁଥିଲେ, ସେମାନେ ଏହି ଆଷାଢ଼ ଶୁକ୍ଳ ଏକାଦଶୀ ଛାଡି ଶ୍ରାବଣ ଶୁକ୍ଳ ଏକାଦଶୀକୁ ହରିଶୟନ ଏକାଦଶୀ ଭାବରେ ଗ୍ରହଣ କରି ପାଳନ କରିଥାନ୍ତି ।ଜୟ ମା ଲକ୍ଷ୍ମୀ ଜୟ ଜଗନ୍ନାଥ ।🙏🙏🙏🌹🌹🌹🌹ଜୟ ମା ଦୁର୍ଗା ଅଗ୍ନି ଶିଖା ଅଗ୍ନି କନ୍ୟା।🙏🙏💐💐💖💞🥰

एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default